Unknown

 

 

 

 

 

 

 

 

 

ସାମାଜିକ ମାମଲା

ଶ୍ରୀ ଗଣେଶ୍ୱର ମିଶ୍ର

 

ନିଜକଥା

 

ହିନ୍ଦୁଧର୍ମ ଯେପରି ବିରାଟ ଓ ମହାନ, ତାର ସମାଜ ସେପରି ବିରାଟ ଓ ମହାନ ହେବା ସ୍ୱଭାବିକ । ଯୁଗ ପରଂପରାକ୍ରମେ କାଳର ଗତିକି ଲକ୍ଷ୍ୟ କରି ଉକ୍ତ ସମାଜ ବିଭିନ୍ନ ଛାଞ୍ଚରେ ଢାଳିହୋଇ ଦେଶର ତତ୍କାଳୀନ ଅବସ୍ଥା, ଲୋକମତ ଓ ଲୋକଙ୍କ ବ୍ୟକ୍ତିଗତ ଜୀବନଯାତ୍ରା ସଙ୍ଗେ ମେଳଖାଇ ବରାବର ଚାଲିଆସୁଛି । ପ୍ରସ୍ତର ଯୁଗର ସାମାଜିକ ପରିସ୍ଥିତି ଲୌହ ଯୁଗକୁ ନ ଥିଲା । ପୁଣି ପରବର୍ତ୍ତୀ ଭୂମିକର୍ଷଣ ଯୁଗରେ ତାହାର ଆକାର ପ୍ରକାର ଆହୁରି ଅନେକ ରୂପରେଖ ଧାରଣା କଲା । ତା ପରେ ଯେତେବେଳେ ସଭ୍ୟତାର ଯୁଗ ଆସିଲା, ସେତେବେଳେ ମହାମନିଷୀମାନେ ଆବିର୍ଭୂତ ହୋଇ ସମାଜକୁ ଏପରି ମନୋହର ସର୍ବଜନପ୍ରିୟ ଓ ସ୍ୱାସ୍ଥ୍ୟକର ଭାବରେ ଗଠନ କରିଥିଲେ ଯେ ତାର ମହନୀୟ ଆଦର୍ଶ ଆଜିସୁଦ୍ଧା ମାନବ ହୃଦୟକୁ ବିସ୍ମୟରେ ଡୁବାଇ ଦେଉଛି ।

 

ସୁତରାଂ ଦେଖାଯାଉଛି, ହିନ୍ଦୁଧର୍ମ ନାନା ଯୁଗ ଓ ପରିବର୍ତ୍ତନ ମଧ୍ୟରେ ପ୍ରାଚୀନ କାଳରୁ ଗୋଟାଏ ଆଦର୍ଶକୁ ଅନୁସରଣ କରି ଚଳି ଆସୁଛି । ମାତ୍ର ସମାଜ ସେପରି କରି ନାହିଁ । ତାହା ବିଭିନ୍ନ ଯୁଗରେ ଲୋକସାଧାରଣଙ୍କ ରୁଚି, ଲକ୍ଷ୍ୟ ଓ ଦେଶ ବିଦେଶର ବହୁମୁଖୀ ପ୍ରଭାବ ସଙ୍ଗେ ମେଳରଖି ଗଢ଼ିହୋଇ ଆସିଛି । ଯୁଗପ୍ରବର୍ତ୍ତକ ମହାପୁରୁଷମାନେ ତତ୍କାଳୀନ ଅବସ୍ଥାକୁ ଅନୁସରଣ କରି ସମାଜକୁ ଯୁଗୋପଯୋଗୀ ରୂପରେଖ ଦେଇଅଛନ୍ତି ।

 

ବର୍ତ୍ତମାନ ହିନ୍ଦୁସମାଜ ବାହାରକୁ ଗୋଟିଏ ବିରାଟ ଦୁର୍ଗପରି ଦେଖାଯାଉଥିଲେ ମଧ୍ୟ ଭିତରେ ତାର ମହତ୍ୱ ଓ ବିରାଟତ୍ୱ ରକ୍ଷା କରି ପାରୁ ନାହିଁ । ତା’ର ବିଭିନ୍ନ ସାମାଜିକସ୍ତର ନାନାବିଧ ପ୍ରତିକୂଳ ଅବସ୍ଥା ଭିତର ଦେଇ ଗତିକରି ନିତାନ୍ତ ଦୁର୍ବଳ ହୋଇ ପଡ଼ିଅଛି । ଗୋଟାଏ ଗତାନୁଗତିକ ଜୀବନଧାରା ଚାଲିଛି ଏବଂ ପ୍ରାକୃତିକ ନିୟମାନୁସାରେ ଅବଶ୍ୟ ଚାଲିଥିବ । କିନ୍ତୁ ପ୍ରକୃତି ଆସି ଯେ ହିନ୍ଦୁ ସମାଜକୁ ଗଢ଼ିବସିବ, ତାହା ଭାବିବା ହାସ୍ୟାସ୍ପଦ କଥା । ଏଥିପାଇଁ ସମାଜର ପ୍ରତ୍ୟେକ ଚିନ୍ତାଶୀଳ ବ୍ୟକ୍ତି ଦାୟୀ । ସେମାନେ ଯୁଗଧର୍ମକୁ ଦୃଷ୍ଟି ଦେଇ ସମାଜକୁ ଗୋଟାଏ ଆଧୁନିକ ରୁଚିସମ୍ପନ୍ନ ଆକାର ଦେବା ଉଚିତ । ନୋହିଲେ ଏ ଦୁର୍ବଳତା କ୍ରମେ କ୍ରମେ ବଢ଼ି ଚାଲିବ ।

 

ଧର୍ମ ବରାବର ସମାଜକୁ ଆଶ୍ରୟ କରି ଚାଲେ । ସମାଜ ଦୁର୍ବଳ ହୋଇ ଲୋପ ପାଇବାକୁ ବସିଲେ ଧର୍ମ ଯେ ଅକ୍ଷୁର୍ଣ୍ଣ ହୋଇ ରହିବ, ଏହା ଅସମ୍ଭବ । ଏଣୁ ଆଧୁନିକ ଯୁଗର ମହାପୁରୁଷମାନଙ୍କ ପ୍ରଚାରିତ ଓ ଆଚରିତ ପନ୍ଥା ହିନ୍ଦୁସମାଜର ଆର୍ଦଶ ହେବା ଏକାନ୍ତ କର୍ତ୍ତବ୍ୟ । ଆଜି ମହାପୁରୁଷ ମହାତ୍ମା ଗାନ୍ଧି ଯେଉଁ ସାମାଜିକ ଆର୍ଦଶ ଆମ ଆଗରେ ଥୋଉଛନ୍ତି, ତାହାକୁ ଗ୍ରହଣ ନକଲେ ରକ୍ଷାର ଉପାୟ ନାହିଁ ।

 

ସମାଜରେ ନାନା ପ୍ରକାର ଦୋଷ ପୁରିରହିଛି । ସେଥିମଧ୍ୟରୁ କୌଣସି ଗୋଟିଏ ଦୁର୍ବଳତାର ଚିତ୍ର ଅଙ୍କିତ ହୋଇ ଏହି ପୁସ୍ତକଟି ଲେଖା ହୋଇଅଛି । ଏହା ହିନ୍ଦୁସମାଜର ଗୋଟିଏ ସ୍ତରର ଘୋର ଅନୀତିପୁର୍ଣ୍ଣ ଦୁର୍ବଳତାର ଗୋଟିଏ ବିଶିଷ୍ଟ ନମୁନା । କୌଣସି ସ୍ଥାନ ବିଶେଷ, ଘଟଣା ବିଶେଷ ବା ବ୍ୟକ୍ତି ବିଶେଷଙ୍କୁ ଆକ୍ରମଣ କରି ଏହା ଲେଖାଯାଇ ନାହିଁ । ତେବେ ହିନ୍ଦୁସମାଜର ଗୋଟିଏ ସଙ୍କୀର୍ଣ୍ଣ ସ୍ଥାନ ବିଶେଷରେ ଆବଦ୍ଧ ନୁହେଁ । ସାରା ଭାରତବ୍ୟାପୀ ଏହାର କ୍ଷେତ୍ର ବିସ୍ତୃତ ରହିଅଛି । ଏ ଦୁର୍ବଳତା ଯେତେବେଳେ ସମଗ୍ର ହିନ୍ଦୁସମାଜରେ ଘୋଟି ଯାଇଛି, ପ୍ରବନ୍ଧ ବର୍ଣ୍ଣିତ ସମୁଦାୟ ବିଷୟ ବା ତା’ର କେତେକ ଅଂଶ କୌଣସି କୌଣସି ସ୍ଥାନର ଘଟଣା ପରମ୍ପରା ସଙ୍ଗେ ମିଳିଯିବା ସମ୍ଭବ ହୋଇପାରେ । ତେଣୁ ବିନୀତ ଅନୁରୋଧ, ପାଠକମାନେ ମୋ ପ୍ରତି ଅଯଥା ଦୋଷାରୋପ କରି ବିମୁଖ ହେବେ ନାହିଁ । ବରଂ ସମାଜର ଏପରି ଦୁର୍ବଳବ୍ରଣକୁ ଅପରେଶନ ଦ୍ୱାରା ବାହାର କରିଦେଇ ତାକୁ ଧ୍ୱଂସମୁଖରୁ ରକ୍ଷା କରିବାକୁ ଟିକିଏ ଚେଷ୍ଟିତ ହେଲେ ପରିଶ୍ରମ ସାର୍ଥକ ହେଲା ବୋଲି ମୁଁ ମନେ କରିବି ।

 

ଏହି ପୁସ୍ତକର ମୁଦ୍ରଣ ଓ ପ୍ରକାଶ ଭାର କଟକ ପବ୍ଲିଶିଂ ହାଉସ୍‍ ସ୍ୱତଃ ପ୍ରଣୋଦିତ ହୋଇ ଗ୍ରହଣ କରିଥିବାରୁ ମୁଁ ମୋ ଅନ୍ତରର କୃତଜ୍ଞତା ସେମାନଙ୍କଠାରେ ଅର୍ପଣ କରୁଅଛି । ଇତି ।

 

ଆଠଗଡ଼

 

ତା ୨୫ । ୨ । ୪୬

ଲେଖକ

•••

 

–ଏକ–

 

ଧବଳେଶ୍ୱର କ୍ଷେତ୍ରରେ ବିପୁଳ ମହୋତ୍ସବ । ଖିଆପିଆ ଦିଆନିଆ ରବରେ କ୍ଷୁଦ୍ରକୁଦଟି ଓ ତା’ର ଚଉବେଢ଼ନ୍ତି ମହାନଦୀର ବିରାଟ ପରିସର ପୂରିଯାଇଛି । ସେବକମାନଙ୍କ ପଟି, ଜମ୍ୱୁ ପତ୍ରିଙ୍କ କାମ ବରାଦ, ଭଜନି ପ୍ରହରାଜଙ୍କ ରଗଡ଼ା ଓ ଦାମ ପଣ୍ଡାଙ୍କ ଫୁକାର ମଞ୍ଚେଶ୍ୱର ଓ ବିଦ୍ୟାଧରପୁର ଗ୍ରାମମାନଙ୍କର ଗଳି ଅର୍ଗଳିକି କମ୍ପମାନ କରୁଛି । କେତେ ଧାଁ ଧପଡ଼ ଲାଗିଛି, ଡଙ୍ଗାମାନଙ୍କରେ କେତେ ଲୋକ ବୁହାହୋଇ ଆସୁଛନ୍ତି, ଯାଉଛନ୍ତି । ଗୋଟାଏ ବିରାଟ ହଇଚଇ ସମଗ୍ର ଦ୍ୱୀପଟିକୁ ଏକାବେଳକେ ବ୍ୟାପୃତ କରି ରଖିଛି ।

କିଆକଣ୍ଟା ଜମିଦାରୀର ପୁରୁଣା ମ୍ୟାନେଜର ରାମହରି ମିଶ୍ରେ ସପରିବାରରେ ଦୁଇଦିନ ହେଲା ଧବଳେଶ୍ୱରକୁ ଆସିଥିଲେ । ତାଙ୍କ ସଙ୍ଗେ ତାଙ୍କ ସ୍ତ୍ରୀ, ତିନୋଟି ଝିଅ, ଗୋଟିଏ ଛୋଟ ପୁଅ ଓ ଚାକର ପୂଜାରି ହୋଇ ସାତଜଣ ଆସିଥିଲେ । ସେମାନେ ଡାକବଙ୍ଗଳାରେ ରହି ନଦୀସ୍ନାନ, ଅସ୍ତଗାମୀ ସୂର୍ଯ୍ୟ ଓ ପ୍ରତୀଚୀଗଗନର ଫଗୁଖେଳଦର୍ଶନ, ବୁଢ଼ାଲିଙ୍ଗଙ୍କ ଚଉପାଢ଼ିରେ ବସି କୋମଳସମୀରଣ ସେବନ, ଦେବ ଉପାସନା ଇତ୍ୟାଦିରେ ବିଶେଷ ଆତ୍ମସୁଖ ଅନୁଭବ କରୁଥିଲେ-। ଏ ଅବସ୍ଥା ରାମହରିବାବୁ ଓ ତାଙ୍କ ପରିବାରଙ୍କୁ ଏତେ ପ୍ରୀତିକର ବୋଧ ହେଉଥିଲା ଯେ ସେମାନେ କିଆକଣ୍ଟାର ଯାବତ ଅଶାନ୍ତି ମୁହୂର୍ତ୍ତକେ ଭୁଲି ଯାଇଥିଲେ । ତେଣୁ ତାଙ୍କ ମନରେ ଏହି କାମନା ବାରମ୍ୱାର ଜାଗ୍ରତ ହେଉଥିଲା ଯେ, ଯଦି ଭଗବାନ ସୁବିଧା ସୁଯୋଗ ଦିଅନ୍ତେ, ତେବେ ସେ ଏହି କ୍ଷୁଦ୍ର ଦ୍ୱୀପଟିରେ ରହି ଜୀବନର ଅବଶିଷ୍ଟ ସମୟ କଟାଇ ଦିଅନ୍ତେ । ଆଉ ଜମିଦାରୀର ଘୋର ଅଶାନ୍ତି ଭିତରେ ରହି କାଳ କଟାନ୍ତେ ନାହିଁ ।

ତାଙ୍କର ବହୁଦିନର ଗୋଟାଏ ‘ମାନସିକ’ ଥିଲା ଯେ ସେ ଶିବଙ୍କୁ ଜଳଶାୟୀ କରି ବ୍ରାହ୍ମଣଠାରୁ କାଙ୍ଗାଳ ପର୍ଯ୍ୟନ୍ତ ଏକ ସହସ୍ର ଲୋକଙ୍କୁ ଭୂରି ଭୋଜନ ଦେବେ । ସେହି ମାନସିକ ପୂରଣ ବର୍ତ୍ତମାନ ତାଙ୍କର ଲକ୍ଷ୍ୟ । ସେଥିପାଇଁ ବିପୁଳ ଆୟୋଜନ ଚାଲିଥିଲା ଏବଂ ସମସ୍ତ ଆୟୋଜନରେ ଧୁରନ୍ଧର ସେବକମାନେ ନିଷ୍ଠାପର ଭାବରେ ସେ କାର୍ଯ୍ୟରେ ଲାଗିଥିଲେ । ଦିନ ବାରଟା ସୁଦ୍ଧା ଠାକୁରେ ଜଳଶାୟୀ ହୋଇଗଲେ । ଏଣେ ଭୋଗରାଗର ବିପୁଳ ଆୟୋଜନ ଚାଲିଲା ।

ଠିକ୍‌ ଗୋଟାକବେଳେ ଚାରିଜଣ ଆଧୁନିକ ରୁଚିସମ୍ପନ୍ନ ଯୁବକ ସେଠାରେ ଆସି ପହଞ୍ଚିଲେ ଏବଂ ଧର୍ମଶାଳାର ଗୋଟିଏ ବଖରାରେ ନିଜର ସ୍ଥାନ ଠିକ୍‍ କରି ଠାକୁର ଦର୍ଶନ କରିବାକୁ ଗଲେ । ସେମାନଙ୍କ ଭାବ ଗତି ଓ ଶିଷ୍ଟାଚାର ଦେଖି ମନେ ହେଲା ଯେପରି ସେମାନେ କଲେଜ ଛାତ୍ର । ସେମାନଙ୍କର ଆଡ଼ମ୍ୱରଶୂନ୍ୟ ମୂଲ୍ୟବାନ୍‌ ବେଶଭୂଷା, ସରସ ଭାବବ୍ୟଞ୍ଜକ ଚାହାଁଣୀ, କୋମଳ ମଧୁରଭାଷା ଓ ସବିନୟ ଗତିବିଧି ହେତୁ କ୍ଷେତ୍ରରେ ଥିବା ଅଧିକାଂଶ ଲୋକଙ୍କ ଦୃଷ୍ଟି ତାଙ୍କ ଉପରେ ପଡ଼ିଲା । ରାମହରିବାବୁ ମଧ୍ୟ ସେମାନଙ୍କୁ ଦେଖି ମୁଗ୍ଧ ହୋଇ ଯାଇଥିଲେ ଏବଂ ସେମାନେ ଫେରିବାକୁ ଅପେକ୍ଷା କରିଥିଲେ । ଛାତ୍ରମାନେ ଦର୍ଶନରୁ ଫେରି ଆସିବାପୂର୍ବରୁ ଜଣେ ସେବକଙ୍କଠାରୁ ରାମହରିଙ୍କ ପରିଚୟ ପାଇ ସାରିଥିଲେ । ତେଣୁ ଉପରକୁ ଉଠିଆସି ସେମାନେ ପ୍ରଥମେ ରାମହରିଙ୍କି ପ୍ରଣାମ କଲେ ଏବଂ ପରେ ବୟସ୍କବ୍ୟକ୍ତିମାନଙ୍କୁ ମଧ୍ୟ ପ୍ରଣାମ କଲେ । ରାମହରି ସେମାନଙ୍କ ବିନୟ ନମ୍ର ବ୍ୟବହାରରେ ଏକାନ୍ତ ମୁଗ୍ଧହୋଇ ସେମାନଙ୍କୁ ଗୋଟି ଗୋଟି କରି ଆଲିଙ୍ଗନପୂର୍ବକ ସେମାନଙ୍କ ପରିଚୟ ଇତ୍ୟାଦି ପଚାରିଲେ ।

ସେମାନଙ୍କ ପରିଚୟରୁ ଜଣାଗଲା, ସେମାନଙ୍କ ଭିତରେ ଜଣେ ରାଧାପ୍ରସନ୍ନ ନନ୍ଦ । ସେ ଏମ.ଏ. ପାଶ୍‌କରି ‘ଲ’ ପଢ଼ୁଥିଲେ । ସେ ବର୍ଷ ପରୀକ୍ଷା ଦେବେ । ଘର ପଟିଆ କିଲ୍ଲା କଳାରାହାଙ୍ଗ ଶାସନରେ । ଆଉ ଜଣେ ଦେବନନ୍ଦନ ମହାନ୍ତି । ସେ ବର୍ଷ ଏମ୍‍.ଏ. ପରୀକ୍ଷା ଦେବେ-। ଘର ଅନୁରାଧାପୁର । ଅପର ଦୁଇଜଣ ବି.ଏ. ଶ୍ରେଣୀରେ ଥିଲେ । ଏ ପରିଚୟ ପାଇ ରାମହରିବାବୁ ଖୁବ୍‌ ଆନନ୍ଦିତ ହେଲେ ଏବଂ ରାଧାପ୍ରସନ୍ନଙ୍କ ସୌମ୍ୟମୂର୍ତ୍ତି, ରୁଚିକର ସ୍ୱାସ୍ଥ୍ୟ ଓ ସର୍ବୋପରି ଉଚ୍ଚଶିକ୍ଷାରେ ମୁଗ୍ଧହୋଇ ତାଙ୍କ ପ୍ରତି ଆକୃଷ୍ଟ ହୋଇପଡ଼ିଲେ । ଦେବପୀଠରେ ଏହି ମମତାପୂର୍ଣ୍ଣ ଆକର୍ଷଣ ତାଙ୍କୁ ପରିଣାମରେ ନେଇ କେଉଁଠି ଠିଆକରିବ, ତାହା ଭାବିବାର ବିଷୟ-

ରାମହରିବାବୁଙ୍କ ସସ୍ନେହ ଆମନ୍ତ୍ରଣରେ ସେମାନେ ତାଙ୍କ ସଙ୍ଗେ ଡାକବଙ୍ଗଳାକୁ ଯାଇ ସେଠାରେ ଜଳଯୋଗ କଲେ ଏବଂ ତାଙ୍କ ପରିବାରବର୍ଗଙ୍କ ସଙ୍ଗେ ପରିଚିତ ହୋଇଗଲେ । ରାମହରିଙ୍କ ସ୍ତ୍ରୀ ତାରାମଣି ଦେବୀ ସେମାନଙ୍କ ପ୍ରତି ସମାନରୂପେ ସସ୍ନେହ ବ୍ୟବହାର କଲେ ମଧ୍ୟ ରାଧାପ୍ରସନ୍ନ ପ୍ରତି ଟିକିଏ ଅଧିକ ପରିମାଣରେ ଆକୃଷ୍ଟ ହେଉଥିଲେ । ଏହା ଚତୁର ରାମହରିଙ୍କ ଦୃଷ୍ଟି ଏଡ଼ି ପାରିନଥିଲା । ସେ ହସ ହସ ହୋଇ ପିଲାମାନଙ୍କ ପାଇଁ ଇଆ ଆଣ, ତା ଆଣ, ଏପରି ବରାଦ କରି ତାଙ୍କୁ ବ୍ୟସ୍ତକରି ପକାଉଥିଲେ ।

ଜଳଯୋଗ ଶେଷରେ ରାମହରିବାବୁ ତାଙ୍କ ସେଦିନକାର ଉତ୍ସବ ସମ୍ବାଦ ଛାତ୍ରମାନଙ୍କୁ ଜଣାଇ ଅନୁରୋଧ କଲେ ଯେ ସେମାନେ ସେ ଉତ୍ସବରେ ଯୋଗ ଦେବେ ଏବଂ ପରଦିନ କଟକ ଫେରିଯିବେ । ସେମାନେ କେତେକ ଆପତ୍ତି ଉଠାଇଲେ ମଧ୍ୟ ରାମହରିବାବୁ ଓ ବିଶେଷତଃ ତାଙ୍କ ସ୍ତ୍ରୀଙ୍କ ବାତ୍ସଲ୍ୟପୂର୍ଣ୍ଣ ଅନୁରୋଧ ଏଡ଼ି ପାରିଲେ ନାହିଁ । ବାଧ୍ୟହୋଇ ରହିଲେ ଏବଂ ପୀଠ ଉପରକୁ ଯାଇ ଉତ୍ସବ ଆୟୋଜନରେ ଯୋଗଦେଲେ ।

ରାମହରିଙ୍କ ବଡ଼କନ୍ୟା ଚାନ୍ଦମଣିର ବୟସ ଚଉଦ ବର୍ଷ । ଆଧୁନିକ ରୁଚିସମ୍ପନ୍ନା ଓ ସୁଶିକ୍ଷିତା; ମଧୁର ରୂପଲାବଣ୍ୟରେ ଓ ଯୌବନର କୋମଳ ପରଶରେ ଚାରିଆଡ଼ ମହକାଇ ଦେଉଥିଲା । ଅପର ଦୁଇଟି କନ୍ୟା ଅଳ୍ପ ବୟସ୍କା ବାଳିକା ଓ ପୁଅଟି ଶିଶୁ । ଚାନ୍ଦମଣି ଯୁବକମାନଙ୍କ ଜଳଯୋଗବେଳେ ସେଠାରେ ଠିଆହୋଇ ବୋଉକୁ ସାହାଯ୍ୟ କରୁଥିଲା । ମାତ୍ର ସେମାନଙ୍କ ଭିତରେ ସୌମ୍ୟ ମୂର୍ତ୍ତି ରାଧାପ୍ରସନ୍ନଙ୍କ ଆଡ଼କୁ ମଧ୍ୟେ ମଧ୍ୟେ ଚାହିଁ ଚମକି ଉଠୁଥିଲା । ରାଧାପ୍ରସନ୍ନ ମଧ୍ୟ ଚୋରା ଚାହାଣୀରେ ଚାନ୍ଦମଣିକି ଚାହୁଁଥିଲେହେଁ ଅଭଦ୍ରତା ହେବା ଭୟରେ ନିଜକୁ ବହୁତ ସଂଯତ କରୁଥିଲେ । ଏଥିରେ ତାଙ୍କର ଗୋଟାଏ ପିପାସା ଜାଗି ଉଠିଲା ଏବଂ ତାଙ୍କ ଅଜାଣତରେ ତାଙ୍କର ସର୍ବ ଶରୀରକୁ ଚମକାଇ ଦେଇଗଲା ।

ଚାରିଟା ପୂର୍ବରୁ ଉତ୍ସବ ଶେଷ ହେଲା । ଏକ ସହସ୍ର ସ୍ଥାନରେ ଆହୁରି ତିନିଶତ ବ୍ୟକ୍ତି ମଧ୍ୟ ତହିଁରେ ମନଭରି ଭୋଜନ ପାଇଲେ । ସମସ୍ତେ ଏକବାକ୍ୟରେ ଦାତାଙ୍କର ଭୂରି ଭୂରି ପ୍ରଶଂସା କରି ଫେରିଗଲେ । କୋଳାହଳ ବନ୍ଦ ହେଲା । ଚାରିଆଡ଼େ ଗୋଟାଏ ନିସ୍ତବ୍ଧତା ଖେଳିଗଲା । ଛାତ୍ରମାନେ ଦ୍ୱୀପର ଚାରିଆଡ଼େ ବୁଲି ଦେଖିବାକୁ ବାହାରି ପଡ଼ିଲେ । ଋଷିପ୍ରାଣ ଶଶିବାବୁଙ୍କ ନିଭୃତ ନିଳୟ, ପୀଠଠାରୁ ଉତ୍ତରରେ ନଦୀକୂଳ ପର୍ଯ୍ୟନ୍ତ ବିଶାଳ ପାବଚ୍ଛ ଶ୍ରେଣୀ, ବେତ ଓ ଶାହାଡ଼ା କୁଞ୍ଜମାନ ଓ ନଭସ୍ପର୍ଶୀ ବାଉଁଶ ବୁଦାମାନ ଦେଖି ସେମାନେ ବିସ୍ତୃତ ଆମ୍ୱତୋଟାରେ ପହଞ୍ଚିଲେ । ସେଠାରେ ଆମ୍ୱତୋଟାର ପତ୍ର ବହୁଳ ଶାଖାମାନଙ୍କ ଛନ୍ଦାଛନ୍ଦିରେ ଉପରେ ଆକାଶ ଦେଖାଯାଉ ନଥିଲା । ତଳ ଖୁବ୍‌ ଶୀତଳ ଓ ଆରାମପ୍ରଦ ହୋଇଥିଲା । ସେଠାରୁ ସେମାନେ ପୂର୍ବ ଆଡ଼କୁ ଯାଇ ବରକୋଳି ଓ ପଲାଶ ବହୁଳ ଅନ୍ତରୀପ ଦେଖି ଦେବପୀଠ ଆଡ଼କୁ ଫେରି ଆସିଲେ । ତା’ ପରେ ବୁଢ଼ାଲିଙ୍ଗଙ୍କ ମନ୍ଦିର ପାର୍ଶ୍ୱଦେଇ ନଦୀ କୂଳକୁ ଖସିଗଲେ । ସେ ଅଞ୍ଚଳର ବିସ୍ତୀର୍ଣ୍ଣ ବାଲୁକା ପ୍ରାନ୍ତର, ସୂର୍ଯ୍ୟଙ୍କ ଅସ୍ତାଚଳ ଯାତ୍ରା, ନୀଳ ଜଳରାଶି ଉପରେ ମୃଦୁ ତରଙ୍ଗ, ଇତସ୍ତତଃ ଧାବମାନ ନୌକାମାଳ, ଦୂରରେ ନରାଜ ପାହାଡ଼, କଖଡ଼ୀ ଗ୍ରାମ ପ୍ରଭୃତି ଦୃଶ୍ୟାବଳି ଦେଖି ମୁଗ୍ଧ ହେବାକୁ ଲାଗିଲେ ।

ଉତ୍ସବ ଶେଷରେ ରାମହରିବାବୁ ସ୍ତ୍ରୀ ଓ ପିଲାମାନଙ୍କୁ ସଙ୍ଗରେ ଧରି ବୁଢ଼ାଲିଙ୍ଗଙ୍କ ଚଉପାଢ଼ିରେ ବସିବାକୁ ଗଲେ । ପିଲାମାନେ ସେଠାରେ ବସିବାକୁ ମନନକରି ରାଜାଘାଟ ଦେଇ ନଦୀକୂଳକୁ ଚାଲିଗଲେ ଏବଂ ସେଠାରେ ବାଲି ଉପରେ ଧାଁ ଦୌଡ଼ କରି କ୍ରୀଡ଼ାମୋଦ କରିବାକୁ ଲାଗିଲେ । ପାଣି ଭିତରେ ପଶି ତହିଁରେ ଧାଇଁବାରେ ଲୁଗାପଟା ଓଦା ହୋଇ ଯାଉଥିଲା । ସେହି ଅବସ୍ଥାରେ ବାଲିରେ ଗଡ଼ିବାରେ ସର୍ବାଙ୍ଗ ବାଲିମୟ ହେଉଥିଲା । ସେ ନିର୍ଦ୍ଦୋଷ ଆମୋଦ, ସେ ଛାତିଫଟା ହସ, ସେ ଖେଳ କୌତୁକ ବାସ୍ତବିକ ଉପଭୋଗର ବିଷୟ ।

ଛାତ୍ରମାନେ ନଦୀତୀରକୁ ଆସି ଏଣେତେଣେ ଟିକିଏ ବୁଲାଚଲା କଲେ ଏବଂ ପଥରଶଯ୍ୟାପୂର୍ଣ୍ଣ ଜଳସ୍ରୋତରେ ବୁଲି ସୁନ୍ଦର ବାଲିଗରଡ଼ା ପଥରମାନ ସଂଗ୍ରହ କରିବାକୁ ଲାଗିଲେ-। ସେମାନେ ଏଥିରେ ଉନ୍ମତ୍ତ ହୋଇ ଆନନ୍ଦ ଅନୁଭବ କରୁ କରୁ ରାଧାପ୍ରସନ୍ନ କୂଳେ କୂଳେ ଥୋଡ଼ାଏ ଦୂର ଅଗ୍ରସର ହୋଇ ଦୂରରେ ଦେଖିଲେ, ବାଳକ ବାଳିକାଗୁଡ଼ାଏ ଉତ୍ତାଳ ଆନନ୍ଦରେ ଉନ୍ମତ୍ତ ହୋଇ ଖେଳରେ ଲାଗିଛନ୍ତି । ସେମାନଙ୍କ ଭିତରେ କିଶୋରୀଟିଏ ପିଲାମାନଙ୍କ ପରିଚାଳକ ଓ ଶାସକଭାବରେ ଆନନ୍ଦରେ ବିହ୍ୱଳ ହେଉଥିଲେ ମଧ୍ୟ ନିଜର ସ୍ୱାଭାବିକ ଗମ୍ଭୀରତାରେ ବେଳେ ବେଳେ ମୃଦୁତା ଅବଲମ୍ୱନ କରୁଥିଲା । ସୂର୍ଯ୍ୟଙ୍କ କୋମଳ କିରଣ ସଂପାତରେ ତାର ରୂପର ଲାବଣ୍ୟ ଚାରିଆଡ଼େ ଛଡ଼େଇ ହୋଇ ପଡ଼ୁଥିଲା । ରାଧାପ୍ରସନ୍ନ ତହିଁରେ ଆକୃଷ୍ଟ ହୋଇ କିଏ ସେ କିଶୋରୀ ବୋଲି ଟିକିଏ ଜାଣିବା ଆଶାରେ ସେ ଆଡ଼କୁ ମୃଦୁଗତିରେ ଆସିଲେ ଏବଂ ନିକଟରେ ଦେଖି ବୁଝିପାରିଲେ, ସେ ରାମହରିଙ୍କ କନ୍ୟା ଚାନ୍ଦମଣି । ଚାନ୍ଦମଣି ତାଙ୍କୁ ଦେଖି ଭିତରେ ଆନନ୍ଦରେ ମାତି ଉଠିଲେ ମଧ୍ୟ ବାହାରେ ଲଜ୍ଜା ସଂକୋଚରେ ନଇଁ ପଡ଼ିଲା ଏବଂ ସ୍ଖଳିତ ବସ୍ତ୍ର ଯଥାସ୍ଥାନମାନଙ୍କରେ ରଖି ସାବଧାନ ହୋଇଗଲା । ସେକାଳର ମାଦକତା ରାଧାପ୍ରସନ୍ନଙ୍କୁ ଅସ୍ଥିର କରିଦେଲା । ସେ ନିଜକୁ ବହୁତ ସଂଯତ କରି କହିଲେ, ‘‘ତୁମ୍ଭର ନାମ କଅଣ ?’’

‘‘ଚାନ୍ଦମଣି’’

‘‘କଅଣ ପଢ଼ିଛ ?’’

‘‘ଏ ବର୍ଷ ମାଟ୍ରିକ୍‌ ପରୀକ୍ଷା ଦେବି ।’’

ଆଉ କେତେ କ’ଣ ପ୍ରଶ୍ନ ପଚାରି ଚାନ୍ଦମଣିର ଲଳିତ କଥା ଗୁଡ଼ିଏ ଶୁଣିବାକୁ ତାଙ୍କ ପ୍ରାଣ ବ୍ୟାକୁଳ ହେଉଥିଲେ ମଧ୍ୟ ସେ ଲଜ୍ଜାବଶତଃ ଆଉ ଅଧିକ ପଚାରି ପାରିଲେ ନାହିଁ । ଚାନ୍ଦମଣି ମଧ୍ୟ କେତେ କ’ଣ ପଚାରିବ ବୋଲି ଭାବିଲେହେଁ ସେହି ଲଜ୍ଜା ତାର କଣ୍ଠରୋଧ କରିଦେଲା । ଦୀର୍ଘ ସମୟ ନିର୍ବାକ୍‌ ଭାବରେ ଉଭୟେ ରହିଯିବା ପରେ ରାଧାପ୍ରସନ୍ନ କହିଲେ, ‘‘ଚାନ୍ଦମଣି ! ଧବଳେଶ୍ୱର କ୍ଷେତ୍ରରେ ନଈକୂଳେ ଏ ସାକ୍ଷାତ ବୋଧହୁଏ ଚିରକାଳ ଭୁଲି ହେବ ନାହିଁ । ତୁମେ ମନେ ରଖିଥିବ ତ ?’’ ସେ ଟିକିଏ ଦବି ଯାଇ ରୁଦ୍ଧଗଳାରେ କହିଲା, ‘‘ଆପଣ ଯେବେ....’’ ଏତିକି ଛଡ଼ା ଆଉ ଅଧିକ କହି ପାରିଲା ନାହିଁ । ଏତିକି ମାତ୍ର ଅଭିନୟରେ ଉଭୟେ ପରସ୍ପର ଆଡ଼କୁ ମନେ ମନେ ଟାଣି ହୋଇଗଲେ । ତା ପରେ ବନ୍ଧୁମାନେ ଦୂରରୁ ଡାକିବାରୁ ରାଧାପ୍ରସନ୍ନ ବଡ଼ ଅକୁଣ୍ଠିତ ଭାବରେ ସେ ଆଡ଼କୁ ଚାଲିଗଲେ । ସନ୍ଧ୍ୟା ଆଗମ ଦେଖି ପିଲାମାନେ ମଧ୍ୟ ବଙ୍ଗଳାକୁ ଫେରିଲେ । ଚାନ୍ଦମଣିର ଛାତିରେ ଯେଉଁ କୁହୁକ ଲାଗିଗଲା, ତାହା ତାକୁ ଅସ୍ଥିରତା ଆଡ଼କୁ କ୍ରମେ କ୍ରମେ ଟାଣିବାକୁ ଲାଗିଲା ।

ସନ୍ଧ୍ୟା ଆରତି ସମୟ । ମନ୍ଦିରରେ ଶଙ୍ଖ, ଘଣ୍ଟ, ର୍ଦ୍ଦମଳ ବାଜି ଉଠିଲା । ଶତ ଶତ ଲୋକଙ୍କ ମୁଖରୁ ବମ୍‌ ବମ୍‌ ହର ହର ଧ୍ୱନିଉଠି ଦିଗ ବିଦିଗ କମ୍ପମାନ କଲା । ରାମହରିବାବୁ ଆରତି ଦର୍ଶନ ପାଇଁ ମନ୍ଦିରକୁ ଗଲେ । ଛାତ୍ରମାନେ ମଧ୍ୟ ଆଗରୁ ଯାଇ ଶକ୍ତିର ଗୋଟିଏ କରରେ ଠିଆ ହୋଇଥିଲେ । ଆରତିର ପୁଲକରେ ସମସ୍ତେ ବିଭୋର ହେଉଥିଲାବେଳେ ରାଧାପ୍ରସନ୍ନ ଓ ଚାନ୍ଦମଣିଙ୍କ ଚାରିଚକ୍ଷୁ ଘନ ଘନ ମିଳିତ ହେଉଥିଲା । ଆରତି ଶେଷରେ ସମସ୍ତେ ପ୍ରଣାମ ଓ ଦେବପାଦୋଦକ ସେବା କରିସାରି ଫେରିବାକୁ ଆରମ୍ଭ କଲେ । ରାମହରିବାବୁଙ୍କ ଦଳ ଆଗ ଫେରିଲାବେଳେ ଚାନ୍ଦମଣି ପଛକୁ ରହିଯାଇଥିଲା । ସେତେବେଳକୁ ତା’ର ମନର ଅବସ୍ଥା କେବଳ ରାଧାପ୍ରସନ୍ନମୟ । ସେହି ଅନ୍ୟମନସ୍କତା ମଧ୍ୟରେ ସେ ପ୍ରଥମ ପାହାଚରେ ଉଠି ଦ୍ୱିତୀୟ ପାହାଚରେ ପାଦ ଦେବାକୁ ଗଲାବେଳେ ତାହା ଯଥାସ୍ଥାନରେ ନ ପଡ଼ି ଖସିଗଲା । ସେ ଚିତ୍‌ହୋଇ ତଳେ ପଡ଼ିଯିବା ବେଳକୁ ରାଧାପ୍ରସନ୍ନ ତାକୁ ହଠାତ୍‌ ଧରିନେଇ ଛାତିରେ ଜାକି ଦେଲେ । ନୋହିଲେ ତା ମୁଣ୍ଡ ଶକ୍ତିବେଢ଼ରେ ବାଜି ଗୁଣ୍ଡା ହୋଇ ଯାଇଥାନ୍ତା । ଏ ଦୃଶ୍ୟ ସମସ୍ତଙ୍କ ମନରେ ଗୋଟାଏ ଅପୂର୍ବ ଭାବ ଆଣିଦେଲା । ରାମହରିବାବୁ ଓ ତାରାମଣି ହଠାତ୍‌ ଫେରିଆସି ଚାନ୍ଦମଣିର ଏ ଆସନ୍ନ ବିପଦରେ ଘୋର ଦୁଃଖିତ ହେବା ସଙ୍ଗେ ସଙ୍ଗେ ରାଧାପ୍ରସନ୍ନବାବୁଙ୍କ ପ୍ରତି ଆଶିଷ ଢାଳିବାରେ ଲାଗିଲେ ଏବଂ ଏହା ଗୋଟାଏ ଦୈବୀପ୍ରେରଣା ବୋଲି ମନେ କଲେ । ରାଧାପ୍ରସନ୍ନ ଚାନ୍ଦମଣିକି ରକ୍ଷା କରିବା ସଙ୍ଗେ ସଙ୍ଗେ ତାକୁ ଆଲିଙ୍ଗନ କରିବାର ସୁଯୋଗ ଯାହା ମିନିଟ୍‌କ ପାଇଁ ପାଇଲେ, ତାହା ତାଙ୍କୁ ଅନନ୍ତ ସୁଖଆଡ଼କୁ ଟାଣି ନେଲା । ଚାନ୍ଦମଣି ମଧ୍ୟ ନିଜର ଘୋର ବିପଦମଧ୍ୟରେ ଆକସ୍ମିକ ଭାବରେ ଏପରି ଆଲିଙ୍ଗନବଦ୍ଧ ହେବାରୁ ତା’ର ସମସ୍ତ ଅଙ୍ଗରେ ଯେଉଁ ବିଦ୍ୟୁତ୍‌ ଖେଳିଗଲା ତହିଁରେ ସେ ଏକବାରେ ବିଭୋର ।

ରାମହରିବାବୁ ଓ ଛାତ୍ରମାନେ ଦୀର୍ଘ ସମୟ ଧରି ବହୁ ଗଳ୍ପାମୋଦ କଲେ । ତା’ ମଧ୍ୟରେ ସେ ରାଧାପ୍ରସନ୍ନଙ୍କ ଘର ସମ୍ୱନ୍ଧରେ ଅନେକ ଜ୍ଞାତବ୍ୟ ବିଷୟ ସଂଗ୍ରହ କରି ନେଇଥିଲେ । ଶେଷରେ ଚା’ ଓ ଲଘୁ ଜଳଯୋଗ ପରେ ସମସ୍ତେ ରାତ୍ରି ବିଶ୍ରାମ କଲେ । ଛାତ୍ରମାନେ ପରଦିନ ସକାଳେ ବିଦାୟ ନେଇ କଟକ ଫେରିଗଲେ । ବିଦାୟବେଳେ ରାଧାପ୍ରସନ୍ନ ଓ ଚାନ୍ଦମଣି ଆଖିରେ ଆଖିରେ ଯେତେ କଥାବାର୍ତ୍ତା ହେଲେ ତାହା ବଡ଼ ମଧୁର, ବଡ଼ ପ୍ରାଣସ୍ପର୍ଶୀ ।

ତାରାମଣି ଦେବୀ ଚାନ୍ଦମଣିର ଏ ଭାବ ଗତି ସବୁ ଖୁବ୍‌ ସାବଧାନରେ ଲକ୍ଷ୍ୟ କରୁଥିଲେ-। ଛାତ୍ରମାନେ ବିଦାୟ ହୋଇ ଗଲାପରେ ସେ ନିରୋଳାରେ ସ୍ୱାମିଙ୍କି କହିଲେ, ‘‘ରାଧାପ୍ରସନ୍ନଟି ବଡ଼ ଭଲପିଲା । ଚାନ୍ଦମଣି ପାଇଁ ସେ ଭଲ ହୁଅନ୍ତା ନାହିଁ ?’’

ରାମହରିବାବୁ ସ୍ମିତ ହାସ୍ୟ କରି କହିଲେ, ‘‘ଓଲଟା କଥା କହୁଛ ? ଚାନ୍ଦମଣି ତା ପାଇଁ ଉପଯୁକ୍ତ କି ନା, ସେ କଥା ଭାବ ।’’

ତାରାମଣି—‘‘କାହିଁକି ? ଝିଅ ମୋର ଅଯୋଗ୍ୟ କେଉଁ ବିଷୟରେ ? ପାଠଶାଠରେ ନା ରୂପଗୁଣରେ ନା ବଂଶ ମର୍ଯ୍ୟାଦାରେ, କେଉଁ ଗୁଣରେ ସେ ଊଣା ?’’

ରାମହରି—‘‘ତା ସତ, ତେବେ ଆଜି କାଲିର ଉଚ୍ଚଶିକ୍ଷିତ ଯୁବକମାନେ ଖୋଜନ୍ତି ସାହେବୀ ଠାଣି, କରମର୍ଦ୍ଦନ, ସ୍ୱଚ୍ଛନ୍ଦ ବିହାର, ଲଜ୍ଜା ସଙ୍କୋଚହୀନତା । ଏ ସବୁ କ’ଣ ଚାନ୍ଦମଣିଠାରେ ଅଛି ?’’

ତାରାମଣି—‘‘ମୋର କିନ୍ତୁ ବିଶ୍ୱାସ, ରାଧାପ୍ରସନ୍ନ ସେପରି ଅଭିଳାଷୀ ନୁହେଁ । ସେ ଚାନ୍ଦମଣି ପ୍ରତି ଆକୃଷ୍ଟ ଥିବାର ମୁଁ ନାନା ଭାବଗତିରୁ ବୁଝି ପାରିଛି । ତୁମେ ଚେଷ୍ଟା କର ।’’

ରାମହରି—‘‘ହଉ ଦେଖିବା । ତାଙ୍କ ଆଭିଜାତ୍ୟ କିପରି, ସେଇଟାତ ପୁଣି ଦେଖିବାକୁ ହେବ ।’’

ତା’ ପରେ ସେମାନେ ଆଉ ଦୁଇଦିନ ସେଠାରେ ରହି ବିଦାୟ ହୋଇଗଲେ । ଧବଳେଶ୍ୱର ଅବସ୍ଥାନ ସେମାନଙ୍କ ମନରେ ଯେଉଁ ଉତ୍ସାହ ଉଦ୍ଦୀପନା ଆଣିଦେଇଥିଲା, ତାହା ବେଶି ସମୟ ରହିଲା ନାହିଁ । ସେମାନେ ଯେ କେତେଦିନ ସେଠାରେ ରହିଲେ, ସେ ସମୟ ଭିତରେ ସେ ସ୍ଥାନର ମହିମା ସେମାନଙ୍କୁ ଏତେ ମୋହିତ କରିଥିଲା ଯେ, ଆଉ ବାହାର ସଂସାର କଥା ମନରେ ଆଦୌ ସ୍ଥାନ ପାଉ ନ ଥିଲା । ସେମାନେ ଦ୍ୱୀପଠାରୁ ଯେତିକି ଯେତିକି ଦୂରକୁ ଚାଲିଲେ, ଏ ସ୍ମୃତି କ୍ରମେ ଲୋପ ପାଇବାକୁ ବସିଲା ଏବଂ କିଆକଣ୍ଟାର ସ୍ମୃତି ସେତିକି ଗ୍ରାସ କରିବାକୁ ଲାଗିଲା ।

•••

 

–ଦୁଇ–

 

କଟକ ସଦର ସବ୍‍ଡିଭିଜନରେ କିଆକଣ୍ଟା ଗୋଟିଏ ବଡ଼ ଜମିଦାରୀ । କଟକରୁ ପ୍ରାୟ କୋଡ଼ିଏ ମାଇଲ ଦୂର । ତା’ର ବାର୍ଷିକ ଆୟ ସାମାନ୍ୟ କମ୍‌ ଦୁଇଲକ୍ଷ ଟଙ୍କା ଓ ସଦର ଜମା ଅଶୀହଜାର । ରାଜା ସାହେବ ଭ୍ରମରବର ରାଏଟ୍‌ ସିଂହ ବର୍ତ୍ତମାନ ସେଠାରେ ଜମିଦାର । ଏହି ରାଜାସାହେବ ଉପାଧି ତାଙ୍କର ବଂଶଗତ । ସେ ନିଜ ଯୋଗ୍ୟତା ବଳରେ ଏହା ଉପାର୍ଜନ କରି ନଥିଲେ । ତେଣୁ ରାଜାସାହେବ ଓ ଆହୁରି ସଂକ୍ଷେପରେ ତାଙ୍କୁ ରାଜା ବୋଲି କହିଲେ ତାଙ୍କ ମର୍ଯ୍ୟାଦାରେ ହାନି ହେବ ନାହିଁ ଏବଂ ଉପାଧିଯୁକ୍ତ ନାମକୁ ବାରମ୍ୱାର ବ୍ୟବହାର କରିବାଦ୍ୱାରା ବର୍ଣ୍ଣିତ ବିଷୟ ଅଯଥା ଭାରାକ୍ରାନ୍ତ ହେବ ନାହିଁ ।

 

ରାଜାସାହେବ ଶୈଶବରୁ ପିତୃହୀନ ହେବା ଫଳରେ ନାବାଳକ ଅବସ୍ଥାରେ ତାଙ୍କୁ ଦୀର୍ଘକାଳ କଟକରେ ରହିବାକୁ ହୋଇଥିଲା । ଏ ସମୟ ମଧ୍ୟରେ ସରକାରଙ୍କ ସାକ୍ଷାତ ଶାସନରେ ରହି ଯଦିଚ ପଢ଼ାଶୁଣା ପ୍ରଭୃତି ଓ ଅନ୍ୟାନ୍ୟ ବ୍ୟବହାରିକ ଶିକ୍ଷା କଟକରେ କରୁଥିଲେ, ତଥାପି ରାସ୍ତାହୁଡ଼ା ବୟସ୍କମାନଙ୍କ ସାଥିରେ ପଡ଼ି ବିପଥରେ ଚାଲିବାକୁ ବରାବର ଚେଷ୍ଟା କରୁଥିଲେ । ସରକାର ତାଙ୍କୁ ସତ୍‌ପଥରେ ନେବାକୁ ଯେତେ ଚେଷ୍ଟା କରୁଥିଲେ ତାହାସବୁ ବିଫଳ ହେଉଥିଲା । ଅସତ୍‌ ମାର୍ଗର ପ୍ରଭାବ ତାଙ୍କ ଉପରେ ଖୁବ୍‌ ଜୋରରେ ପଡ଼ୁଥିଲା । ବୟୋବୃଦ୍ଧି ସଙ୍ଗେ ସଙ୍ଗେ ଏ ଅବସ୍ଥା ବଢ଼ିଲା ସିନା ! କମିବାର କୌଣସି ଲକ୍ଷଣ ଦେଖାଗଲା ନାହିଁ । ଫଳରେ ବିପଥଗାମୀ ଯୁବକମାନଙ୍କର ଜୟ ହେଲା । ସରକାର ହାରିଲେ । ଯେତେବେଳେ ସେ ସାବାଳକ ହୋଇ ଜମିଦାରୀ ପାଇବାର କଥା, ସେତେବେଳେ ସରକାର ଏପରି ଜଣେ ଚରିତ୍ରହୀନ ଯୁବକ ହାତରେ ଗୁରୁ ଦାୟିତ୍ୱ ଦେବାକୁ କୁଣ୍ଠିତ ହେଲେ । ସେତେବେଳେ ରାଜାଙ୍କ ମନରେ ଟିକିଏ ଚେତନା ପଶିଲା-। ସେ ଅନେକ ପରିମାଣରେ ସଂଯତ ଓ ସାବଧାନ ହେବାକୁ ଚେଷ୍ଟା କଲେ । ଅନେକ ଉଚ୍ଚପାହ୍ୟା ହାକିମମାନଙ୍କୁ ବୋଧବୋଧ କରି ଯାହାର ଯେପରି ତୃପ୍ତିହେବ ସେପରି ବିଧାନ କରି ଏବଂ ନିଜ ସଦାଚରଣର କଠୋର ପ୍ରତିଜ୍ଞାମାନ ଶୁଣାଇ ବହୁ କଷ୍ଟରେ ତିନିବର୍ଷ ପରେ ଜମିଦାରୀର ଶାସନଭାର ପାଇଲେ ।

 

ଜମିଦାରୀ ତ ଗଡ଼ଜାତ ନୁହେଁ । ଗଡ଼ଜାତ ରାଜାମାନେ ଯେପରି ସ୍ୱାଧୀନ ଭାବରେ ନିଜ ରାଜ୍ୟରେ ସମସ୍ତ ରାଜନୈତିକ କ୍ଷମତା ବିସ୍ତାର କରି ଶାସନ କାର୍ଯ୍ୟ ଚଳାନ୍ତି ଏବଂ ଯେପରି ଅଭିରୁଚି ସେପରି କାର୍ଯ୍ୟ କରିବାରେ କେହି ବାଧା ଦେବାକୁ ନାହିଁ, ତେଣୁ ତାକୁ କହନ୍ତି ଅନ୍ଧାରୀ ମୂଲକ, ଅବୁଝାମଣା ରାଇଜ; ଜମିଦାରୀତ ଆଉ ସେପରି ହୋଇପାରିବ ନାହିଁ । ସେଠାରେ କ୍ଷମତା କେବଳ ଖଜଣାଗଣ୍ଡାକ ଅସୁଲ କରିବାରେ । ତାହୁ ପୁଣି ପୂରାଦମ୍‌ରେ ଚଳେ ନାହିଁ ।

 

ତେବେ ରାଏଟସିଂହ ଏପରି ଗୋଟାଏ ମାହାଳିଆ ଗାଦିରେ ବସି ଆଉ କଅଣ କରିବେ-? ନିଜ କ୍ଷମତାର ପ୍ରଭାବ ଆଉ କାହା ଉପରେ ଅଜାଡ଼ିବେ ? ଖୋଜି ଖୋଜି ପ୍ରଥମେ ଦୃଷ୍ଟି ପଡ଼ିଲା କଚେରୀ ଉପରେ । ଅମଲାଙ୍କ ମଧ୍ୟରୁ କାହାକୁ ସାମାନ୍ୟ କାରଣରେ ଡିସ୍‌ମିସ୍‌ କରିବା, କାହାକୁ ସସ୍‌ପେଣ୍ଡ କରିବା, କାହାକୁ କୁଆଡ଼େ ବଦଳି କରିଦେବା, କାହାକୁ ଜୋରିମାନା କରିବା, କାହାକୁ ନୂଆ ନିଯୁକ୍ତ କରି ମାସକ ପରେ ବାହାର କରିଦେବା, କଚେରୀ ଓ ଅନ୍ୟାନ୍ୟ ଅନୁଷ୍ଠାନ ମାନଙ୍କୁ ଛୁଟିକରି ବନ୍ଦ କରିବା ଓ ଇଚ୍ଛାସୁଖେ ଖୋଲିବା ଏବଂ ନାନାଦି କ୍ରୀଡ଼ାମୋଦରେ ମାସ ମାସ ଧରି ଲିପ୍ତହେବା ପ୍ରଭୃତିରେ ଅସୀମ କ୍ଷମତାର ପ୍ରଦର୍ଶନ କଲେ । ଜମିଦାରୀ ଯେଉଁ କେତେ ବର୍ଷ ସରକାରଙ୍କ ସାକ୍ଷାତ୍‌ ଶାସନରେ ଥିଲା, ସେ ସମୟ ଭିତରେ ସମସ୍ତ ଆୟ ବ୍ୟୟ ଶୃଙ୍ଖଳିତ ହୋଇ ବର୍ଷ ଶେଷକୁ ଅନେକ ଟଙ୍କା ଉଦ୍‌ବୃତ୍ତ ହେଉଥିଲା ଏବଂ ତାହା ବ୍ୟାଙ୍କରେ ଜମା ହେଉଥିଲା । ରାଜାସାହେବ ଅଧିକାର ପାଇଲା ବେଳକୁ ତାହା ଚାରି ଲକ୍ଷରେ ପରିଣତ ହୋଇଥିଲା-। ଏହା ଛଡ଼ା ଜମିଦାରୀ ଟ୍ରେଜରିରେ ମଧ୍ୟ ଅଶୀହଜାର ଟଙ୍କା ଜମା ହୋଇଥିଲା । ରାଏଟସିଂହ ତାହା କିପରି ହଜମ କରିପାରିବେ, ତା’ର ଚିନ୍ତା ଦିବାରାତ୍ର କରିବାରେ ଲାଗିଲେ-। ଦଳେ ତୋଷାମୋଦିଆ ଅହର୍ନିଶ ତାଙ୍କ ପାଖରେ ରହି ନିଜ ନିଜ ସ୍ୱାର୍ଥସାଧନ କରିବା ସଙ୍ଗେ ସଙ୍ଗେ ରାଜାଙ୍କ ପୌରୁଷ, ତାଙ୍କ ଅସୀମ କ୍ଷମତା ଓ ଅଖଣ୍ଡ ଅଧିକାର ବିଷୟରେ ନାନା ଚାଟୁକଥା କହି ତାଙ୍କୁ ଉନ୍ମତ୍ତ କରିବାରେ ଲାଗିଲେ । ଫଳରେ ସେ ହେଲେ ଉଦ୍ଧତ, ହିତାହିତ ବିବେଚନାହୀନ ଓ ଅପରିଣାମଦର୍ଶୀ ।

 

ତୋଷାମୋଦକାରୀଦଳଙ୍କ ଭିତରେ ଯେ ଅଧିକ ପଟୁ ଓ ଦଳପତି ସେ ହେଲେ ମ୍ୟାନେଜର, ବଡ଼ ଉଚ୍ଚସ୍ତରର କ୍ଷମତାର ଅଧିକାରୀ । ସେ ମଧ୍ୟ ହିତାହିତ ଜ୍ଞାନଶୂନ୍ୟ, ଅପରିଣାମଦର୍ଶୀ ଓ ଉଦ୍ଧତ ଏବଂ ସର୍ବୋପରି ଜମିଦାରଙ୍କର ପ୍ରକାଶ୍ୟ ଓ ଅପ୍ରକାଶ୍ୟ ବିଳାସର ଅକୃତ୍ରିମ ବନ୍ଧୁ । ସେ ରାଜାଙ୍କ ଭୋଗବିଳାସ ପାଇଁ ବହୁ ପ୍ରକାର ଖାଦ୍ୟର ଆୟୋଜନରେ ଲାଗିଲେ-। ଉଆସର ସବୁଆଡ଼େ ବିଜୁଳି ଆଲୁଅ ଝଲସି ଉଠିଲା । ପାଣିକଳର ଫୁଆରା ଚାରିଆଡ଼େ ଶୀତଳ କୁହୁଡ଼ି ଖେଳାଇ ଦେଲା । ମଟରକାର୍‍ମାନଙ୍କର ଅନବରତ ଭଁ ଭଁ ରଡ଼ିରେ ଦୁନିଆର କାନ ଅତଡ଼ା ପଡ଼ିଲା । ମହୀଶୁର ମହାରାଜାଙ୍କ ଉଆସର ସାଜସଜ୍ଜା ଅନୁକରଣରେ ନିଜ ଉଆସର ସାଜସଜ୍ଜା ହେବାକୁ ଚେଷ୍ଟା କରାଗଲା । ରାଜା ଦିନରେ ଚାରିପ୍ରକାର ପୋଷାକ ପିନ୍ଧିଲେ-। ତାହାସବୁ ଅଗ୍ନିମୂଲ୍ୟରେ କିଣାହେଲା । ତା’ ପରେ ଘନ ଘନ ଭୋଜିଭାତ, ପିକ୍‌ନିକ୍‌, ଟିପାର୍ଟି, ଗାର୍ଡ଼ନ ପାର୍ଟି, କକ୍‌ଟେଲ୍‌ ପାର୍ଟି, ବାଙ୍କୁଏଟ୍‌ ଇତ୍ୟାଦି ଚାଲିଲା । ନାଚତାମସା, ଆଡ଼ି ଶିକାର, ଥିଏଟର ଓ ସିନେମାରେ ମଧ୍ୟ ଅବସର ନଥିଲା ।

 

ମ୍ୟାନେଜର ବାବୁ ନିଜ ବୁଦ୍ଧିବଳରେ ଓ ଅନେକ ସମୟରେ କଟକ, କଲିକତାରୁ ବିଶେଷଜ୍ଞମାନଙ୍କୁ ଅଣାଇ ଏସବୁ ଆୟୋଜନରେ ଲାଗିଲେ । ଏହାଦ୍ୱାରା ତାଙ୍କର ଖ୍ୟାତି ପ୍ରତିପତ୍ତି ଓ ରାଜଅନୁଗ୍ରହ ଲାଭ ହେବା ସଙ୍ଗେ ସଙ୍ଗେ ଅର୍ଥାଗମର ପନ୍ଥା ଅସାଧାରଣରୂପେ ବଢ଼ି ଯାଇଥିଲା-। ରାଜାସାହେବ ମନେକଲେ, ଏପରି ଜଣେ ସହଯୋଗୀ, ଖୁବ୍‌ ବିଶ୍ୱାସୀ, ଖୁବ୍‌ କାର୍ଯ୍ୟଦକ୍ଷ ବନ୍ଧୁ କୌଣସି ଗଡ଼ଜାତ ରାଜାଙ୍କ ପାଖେ ଥିବ କି ନା ସନ୍ଦେହ । ରାଜାଙ୍କର ଏପରି ମଧୁର ଆପ୍ୟାୟନ ଫଳରେ ମ୍ୟାନେଜରଙ୍କର ଗର୍ବ ଓ ଔଦ୍ଧତ୍ୟ ବହୁ ଉଚ୍ଚକୁ ଉଠିଗଲା । ସେ ଧରାକୁ ସରା ଜ୍ଞାନ କରିବାକୁ ଲାଗିଲେ । ମନକୁ ଲଙ୍ଗଳ ଦଉଡ଼ି ପାଇଲା ନାହିଁ । ଲୋକସାଧାରଣଙ୍କ ଉପରେ ଓ ବିଶେଷତଃ ଅମଲାମାନଙ୍କ ଉପରେ ତାଙ୍କ ଅତ୍ୟାଚାର ବଢ଼ିବାକୁ ଲାଗିଲା । ସମସ୍ତେ ତାଙ୍କୁ ବାଘ ସାପ ପରି ଭୟ କଲେ ଏବଂ ତାଙ୍କ ସ୍ତୁତି ଦିବାରାତ୍ର ଗାଇଲେ । ଏଥିରେ ମନ ଫୁଲିବା ସ୍ୱାଭାବିକ ।

 

ଏପରି ଭାବରେ ବର୍ଷ ପାଞ୍ଚଟା ନ ଯାଉଣୁ ବ୍ୟାଙ୍କ ଟ୍ରେଜେରୀରୁ ଟଙ୍କା ଖାଲି ହୋଇଗଲା-। ରାଜାଙ୍କ ଅଦମ୍ୟ ପିପାସାର ଉପାଦାନ ଏଣିକି ମିଳିବାକୁ କଠିନ ହୋଇ ଆସିଲା । ତେଣୁ ନାନା ଉପାୟରେ ସେ ପିପାସା ମେଣ୍ଟାଇବାକୁ ରାଜା ଡାକ ଛାଡ଼ିଲେ । ମ୍ୟାନେଜର ତ ନାନା ଫନ୍ଦୀରେ ଧୁରନ୍ଧର । ପ୍ରଥମେ ନିଜ ଦେବଦେବୀଙ୍କ ପାଣ୍ଠି ଓ ସେବାପୂଜାରେ ହସ୍ତକ୍ଷେପ ହେଲା । ପିତୃପିତାମହଙ୍କ ଅନୁଷ୍ଠିତ ସଦାବ୍ରତ, ବିଦ୍ୟାର୍ଥୀ ମାନଙ୍କ ବୃତ୍ତି ଓ ଦୀନଦୁଃଖୀଙ୍କ ଅନ୍ନବସ୍ତ୍ରରେ ହସ୍ତକ୍ଷେପ ହେଲା । ତାହା ଶେଷ ହୋଇଯିବାରୁ ସଦର ଓ ମଫସଲର ଅମଲା ମାନଙ୍କର ଦରମା କାଟ ଚାଲିଲା । ପିପାସା ପରିତୃପ୍ତି ପାଇଁ ତାହା ଯଥେଷ୍ଟ ହେଲା ନାହିଁ । ଯେଉଁ ପିପାସାର ପରିତୃପ୍ତି ପାଇଁ ଗୋଟାଏ ମହାନଦୀ ଦର୍କାର, ତାକୁ ଗୋଟାଏ ଚୂଆ ତୃପ୍ତ କରିପାରିବ କୁଆଡ଼ୁ ? ତା’ ପରେ ପ୍ରଜାମାନଙ୍କ ଆଡ଼କୁ ଆଖି ପଡ଼ିଲା । ସେମାନଙ୍କ ଉପରେ ନାନାବିଧ କର ସ୍ଥାପିତ ହେଲା ଏବଂ ଦିନାକେତେ ଅସୁଲ ମଧ୍ୟ ଚାଲିଲା । କଟକ, କଲିକତା ପ୍ରଭୃତି ବଜାର ମାନଙ୍କରୁ ଧାର୍‌ର ସୀମା ରହିଲା ନାହିଁ, ତଥାପି ସେ ପିପାସା ଅତୃପ୍ତ ।
 

ସମସ୍ତ ଅର୍ଥାଗମର ପନ୍ଥା କ୍ରମେ ସଂକୁଚିତ ହୋଇ ଆସିବାରୁ ଉଆସର ଖର୍ଚ୍ଚ ଚଳିଲା ନାହିଁ । ଦେବଦେବୀଙ୍କ ନୀତି ଶେଷରେ ‘ନିଆଁଖୁଣ୍ଟା ଧୂଆଁ ଓ କଡ଼ାକିଆ ମୁଆଁ’ରେ ପରିଣତ ହେଲା-। ସଦାବ୍ରତ ପ୍ରଭୃତି ଦାତବ୍ୟ ଅନୁଷ୍ଠାନ ସବୁ ଅଚଳ ହେବାରୁ ଚାରିଆଡ଼େ ହଇଚଇ ପଡ଼ିଲା । ଅମଲାମାନେ ନିଜ ନିଜ ପକେଟ୍‌ ଝଣ ଝଣ ଥିବା ପର୍ଯ୍ୟନ୍ତ ସବୁ ଯନ୍ତ୍ରଣା ଓ ଅଶାନ୍ତି ସହିବାକୁ ପ୍ରସ୍ତୁତ । ତହିଁରେ ଆଘାତ ହୋଇ ତାହା ଯେତେବେଳେ ଜୀବନୀ ଶକ୍ତିକୁ କମ୍ପିତ କଲା, ସେମାନେ ଆଉ ସ୍ଥିର ହୁଅନ୍ତି କେତେକେ ? ତେଣୁ କଚେରୀ କାର୍ଯ୍ୟରେ ଘୋର ବିଶୃଙ୍ଖଳା ଘଟିଲା । ମଫସଲରେ ଅସୁଲ ତହସୁଲରେ ସାଂଘାତିକ ତ୍ରୁଟି ହେଲା । ଟ୍ରେଜେରୀ ଶୂନ ହୋଇଗଲା । ବର୍ଷରେ ଯେଉଁ ଦୁଇ କିସ୍ତିରେ ସଦରଜମା ଦାଖଲ ହୁଏ, ତାହା ନିୟମିତ ନ ହେବାରୁ ଜମିଦାରୀ ନିଲାମ ପାଇଁ କଲେକ୍ଟର ସାହେବ ଧମକ ଉପରେ ଧମକ ଦେଲେ ।

 

ପାରିବାରିକ, ଧର୍ମଗତ, ଅର୍ଥନୈତିକ ଓ ରାଜକୀୟ ଅବସ୍ଥାରେ ଏପରି ଘୋର ବିପର୍ଯ୍ୟୟ ଓ ସର୍ବୋପରି କଲେକ୍ଟରଙ୍କ ଧମକ ରାଜାଙ୍କ ମୁଣ୍ଡକୁ ତାଙ୍କ ବିଜୁଳିକଳ ଚକପରି ଘୂରାଇ ଦେଲା । ସେ ଦିନେ ଅମଲାମାନଙ୍କୁ ଡକାଇ ଏ ଅବସ୍ଥା ସୁଧାରିବା ପାଇଁ ପରାମର୍ଶ କଲେ । ମ୍ୟାନେଜର ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଭୋକ ଜ୍ୱାଳାରେ ଆତୁର ଅମଲାମାନଙ୍କ ମୁଣ୍ଡରେ କି ବୁଦ୍ଧି ଯୁଟିବ ଯେ ସେମାନେ ଏହି ଦୂରୁହ ପ୍ରସଙ୍ଗରେ ପରାମର୍ଶ ଦେବେ ? ତୋଷାମଦକାରୀଦଳ ଓ ମ୍ୟାନେଜର ବାବୁ ଏ ବିଷୟରେ ଗୁଡ଼ାଏ କଥା କହିଲେ । ମାତ୍ର ତାହା କଥାର କଥା ନ ଥିବାରୁ ରାଜାଙ୍କ ମନକୁ ପାଇଲା ନାହିଁ । ତେଣୁ ମ୍ୟାନେଜର ଓ ତାଙ୍କ ଦଳ ଏଥିରେ ଅପମାନ ବୋଧ କରିବାରୁ ମ୍ୟାନେଜର ଦୁଇଚାରିପଦ ଅପ୍ରୀତିକର କଥା ରାଜାଙ୍କୁ ଶୁଣାଇ ଦେଲେ । ଏଥିରେ ରାଜା ଭୟଙ୍କର ଉତ୍ତେଜିତ ହୋଇ କହିଲେ, ‘‘ଶାଲା, ନମକହାରାମ ! ବଦମାସ୍‌ ! ତୁ ଶଳା ଏ ତୋଷାମୋଦିଆଦଳଙ୍କୁ ଧରି ମୋର ସର୍ବନାଶ କରି ଏତେବେଳକୁ ଭଲ ଲୋକ ବନୁଛୁ ? ତୁ ଗୋଟାଏ ଦଳ ଧରି ମୋର ସର୍ବସ୍ୱ ଲୁଟି କରି ମୋଟା ହେଲୁ । ମୋତେ ନାନାଦି ପ୍ରଲୋଭନ ଭିତରକୁ ପେଲିଦେଇ ମୋର ସୁକୁଟ ଦେଖିଲୁ । ଏତେବେଳକୁ ତୁ ଶଳା କହୁଛୁ, ‘‘ଛାମୁଁ ମୋ କଥା ଶୁଣିଲେ ନାହିଁ ? ମାନିଲେ ନାହିଁ ? ହଇରେ ଚୋର ! ତୁ କୋଉଦିନ ମୋତେ ଏପରି କହିଥିଲୁ ?’’ ଏହା କହୁ କହୁ ସେ ପ୍ରଚଣ୍ଡ କ୍ରୋଧରେ ଉଠି ମ୍ୟାନେଜରଙ୍କ ଗୋଡ଼ଠାରୁ ମୁଣ୍ଡଯାଏ ଚାବୁକରେ ଛକ ଫଟାଇ ଦେଲେ ଏବଂ ଧକ୍କା ଦେଇ ବାହାର କରି ଦେବାକୁ ଦରଓ୍ୱାନକୁ ହୁକୁମ୍‌ ଦେଲେ । ବିରିମାଡ଼ ଦେଖି କୋଳଥ ଚେପା ତୋଷାମୋଦିଆ ଦଳ ପ୍ରାଣ ଆତଙ୍କରେ ଯେ ଯୁଆଡ଼େ ଭାଗେ । ରାଜାସାହେବ ରୋଷଦପ୍ତ ଚକ୍ଷୁରେ ଅମଲାମାନଙ୍କୁ ଚାହିଁ ବିଦାୟ କରିଦେଲେ ଏବଂ ଉଆସକୁ ବିଜେ ହେଲେ ।

•••

 

–ତିନି–

 

କିଆକଣ୍ଟାଟି ପୂର୍ବେ ଛୋଟଖଟର ଗୋଟିଏ ସାଧାରଣ ଗ୍ରାମ ଥିଲା । ତାହା ଆଜକୁ ଷାଠିଏ ବର୍ଷ ତଳର କଥା । ଭ୍ରମରବର ରାଏଟ୍‌ ସିଂହଙ୍କ ପିତାମହ ତାଙ୍କ ପୂର୍ବ ଉଆସ ଅସ୍ୱାସ୍ଥ୍ୟକର ହେବାରୁ ଏଠାରେ ଉଆସ ନିର୍ମାଣ କରି ବାସ କରୁଥିଲେ । ସେଦିନଠାରୁ କିଆକଣ୍ଟାର ଚେହେରା ବଦଳିବାକୁ ଲାଗିଲା । ନାନାଲୋକ ଆସି ସେଠାରେ ରହି ଜମିଦାରଙ୍କ ସାହାଯ୍ୟ ସହାନୁଭୂତି ବରାବର ପାଉଥିଲେ । ଅନେକ କୋଠାବାଡ଼ି ତୟାର ହେଲା । ଦୋକାନ ବଜାର ବସିଗଲା । ଗ୍ରାମଟି ନବ୍ୟ ରୁଚିରେ ହସି ଉଠିଲା । ତାହା ନୁହେଁ ଗ୍ରାମ ନୁହେଁ ସହର, ଏପରି ଗୋଟାଏ ଅବସ୍ଥାକୁ ଆସିଗଲା ।

ପୂର୍ବ ଜମିଦାରମାନେ ଧର୍ମପରାୟଣ, ପ୍ରଜାବତ୍ସଳ, ଦୀନ ଅନାଥ ସେବାରେ ତତ୍ପର ଥିଲେ । ଭ୍ରମରବରଙ୍କ ପିତା ନଟବର ରାଏଟ୍‌ ସିଂହ ଦାନ ଧର୍ମରେ ଖୁବ୍‌ ତତ୍ପର ଥିଲେ । ସନ୍ଧ୍ୟା ଉପାସନା, ଦେବପୂଜା ପ୍ରଭୃତି କାର୍ଯ୍ୟରେ ନିବିଷ୍ଟ ରହି ସେ ଦିନର ଅଧିକାଂଶ ସମୟ ବ୍ୟୟ କରୁଥିଲେ । ସେ ପ୍ରଜାମାନଙ୍କ ମାଆବାପ ଥିଲେ ଏବଂ କେହି ଗୋଟାଏ କିଛି ଗୁହାରିକଲେ ସେ କେବେହେଁ ବିଫଳ ହେଉ ନ ଥିଲା । ନଟବର ରାମେଶ୍ୱରଠାରୁ କାମାକ୍ଷା ଯାଏ ଓ ବଦ୍ରିଧାମଠାରୁ ପୁରୀ ଯାଏ ପ୍ରତ୍ୟେକ ତୀର୍ଥ ଦର୍ଶନ କରିଥିଲେ ଏବଂ ଅଧିକାଂଶ ତୀର୍ଥରେ ଅଳ୍ପ ବହୁତ ଗୋଟିଏ ଗୋଟିଏ କୀର୍ତ୍ତି ସ୍ଥାପନ କରିବାରେ ତ୍ରୁଟି କରି ନଥିଲେ । ସେ କିଆକଣ୍ଟାରେ ଗୋଟିଏ ଶାସନ ବସାଇ ତହିଁରେ ପନ୍ଦରଟି ବ୍ରାହ୍ମଣ ପରିବାରଙ୍କୁ ସ୍ଥାନ ଦେଇଥିଲେ ଏବଂ ସେମାନଙ୍କୁ ଉପଯୁକ୍ତ ବାଡ଼ି ବୃତ୍ତି ନିଷ୍କରଭାବରେ ଦେଇ ସେମାନଙ୍କର ଅନେକ ସୁବିଧା କରିଥିଲେ । ତା’ର ନାମ ନଟବରପୁର ଶାସନ ।

ନଟବରପୁରଟି ସ୍ଥାପିତ ହେଲାବେଳେ ଯେଉଁ ପନ୍ଦରଟି ବ୍ରାହ୍ମଣ ପରିବାର ତହିଁରେ ବାସ କରୁଥିଲେ, ସେମାନଙ୍କ ଛଡ଼ା ଆଉ ପ୍ରାୟ ଦଶଘର ବ୍ରାହ୍ମଣ ଆସି ପାଞ୍ଚବର୍ଷ ଭିତରେ ସେ ସଂଖ୍ୟା ବୃଦ୍ଧି କଲେ । ଶାସନଟି ସାଧୁଶିଷ୍ଟ ଲୋକରେ ଦିବାରାତ୍ର ହସି ଉଠୁଥିଲା । ସମସ୍ତେ ଶିକ୍ଷିତ, ସମସ୍ତେ ପଣ୍ଡିତ, ସମସ୍ତେ ବେଦୋଜ୍ୱଳା ବୁଦ୍ଧି ଓ ଗବେଷଣାରେ ବିଚକ୍ଷଣ । ସେହି ବ୍ରାହ୍ମଣମାନଙ୍କ ଭିତରେ ପଣ୍ଡିତ ଦିବାକର ତର୍କପଞ୍ଚାନନ ଜଣେ ଖୁବ୍‌ ଚରିତ୍ରବାନ୍‌ ଓ ବିଚକ୍ଷଣ ବ୍ୟକ୍ତି ଥିଲେ । ସେ ନିଜ ବିଦ୍‌ବତ୍ତା ବଳରେ ନିଖିଳ ଉତ୍କଳରେ ଖ୍ୟାତି ଅର୍ଜନ କରିଥିଲେ । ତାଙ୍କର ଏକମାତ୍ର ପୁତ୍ର ରାମହରି ମିଶ୍ର । ସେ ପୈତୃକ ଶିକ୍ଷା ପ୍ରତି ଉଦାସୀନ ହୋଇ ଇଂରାଜୀ ଶିକ୍ଷାରେ ମନୋନିବେଶ କରିଥିଲେ ଏବଂ ଅଳ୍ପ ବୟସରେ ଆଇ.ଏ. ପାସ କରି ବି.ଏ. ଶ୍ରେଣୀରେ ପ୍ରବେଶ କରିଥିଲେ । ତାଙ୍କ ପିତା ଅଳ୍ପ ସମୟରେ ପରଲୋକ ହୋଇଯିବାରୁ ଗୃହ ଚଳାଚଳର ଦାୟିତ୍ୱ ତାଙ୍କ ଉପରେ ଖୁବ୍‌ ଜୋରରେ ପଡ଼ିଲା । ତଥାପି ସେ ବୋଉଙ୍କ ଧୈର୍ଯ୍ୟ ଓ କଷ୍ଟସହିଷ୍ଣୁତା ଫଳରେ କୌଣସି ମତେ ବି. ଏ. ପାଶ କରି କଲେକ୍ଟର ସାହେବଙ୍କ ସୁପାରିଶ ବଳରେ ଓଡ଼ିଶା ବନ୍ଦୋବସ୍ତ ଇଲାକାରେ ଭର୍ତ୍ତି ହୋଇଗଲେ-। ସେ ନିଜର ସାଧୁତାବଳରେ ବନ୍ଦୋବସ୍ତରେ ଖୁବ୍‌ ନାମ କଲେ ଏବଂ କ୍ରମେ କ୍ରମେ ପଦୋନ୍ନତି ଲାଭକରି ବର୍ଷ ଦଶଟାରେ ଡେପୁଟି ପାହ୍ୟା ପାଇଲେ । ନିଜର ଆର୍ଥିକ ଉନ୍ନତି ଅଧିକ ପରିମାଣରେ ହେବା ଫଳରେ ସେ ଆଧୁନିକ ମାର୍ଜିତ ରୁଚିରେ ଘର ଖଣ୍ଡିଏ ତୟାର କଲେ ଏବଂ ଜମିବାଡ଼ିର ପରିମାଣ ଖୁବ୍‌ ବଢ଼ାଇ ଜଣେ ସଙ୍ଗତିସମ୍ପନ୍ନ ପ୍ରଥମ ଶ୍ରେଣୀ ଭଦ୍ରଲୋକରେ ପରିଣତ ହେଲେ । ତାରାମଣିଙ୍କ ସଙ୍ଗେ ତାଙ୍କର ବିବାହ ଦିନଠାରୁ ତାଙ୍କ ପାରିବାରିକ ଜୀବନ ଅତିଶୟ ସୁଖକର ହୋଇଥିଲା । ସେ ବିବାହର ପ୍ରଥମ ମଧୁମୟ ଫଳ ଚାନ୍ଦମଣି ।

ରାମହରିବାବୁ କୋଡ଼ିଏ ବର୍ଷ ଖୁବ୍‌ ସୁଖ୍ୟାତିର ସହିତ କାର୍ଯ୍ୟ କଲାପରେ କାର୍ଯ୍ୟରୁ ଅସମୟରେ ଅବସର ନେବାକୁ ବାଧ୍ୟ ହେଲେ । କାରଣ ତାଙ୍କର ବୋଉ, ଯେ ସମସ୍ତ ଗୃହ ସଂସାରର ଜୀବନୀଶକ୍ତି ଥିଲେ, ସେ ପରପାରିକୁ ଚାଲିଗଲେ । ତେଣୁ ଗୃହର ଯାବତ ଜଞ୍ଜାଳ ବୁଝାସୁଝା ପାଇଁ ଆଉ କେହି ଆତ୍ମୀୟ ତାଙ୍କର ନ ଥିବାରୁ ସେ ଅବସର ନେଇ ବରାବର ଘରେ ରହିଲେ । ମୋଟା ହାରରେ ପେନ୍‌ସନ୍‌ ମଧ୍ୟ ତାଙ୍କୁ ମିଳିଲା । ଏ ସମୟକୁ ଭ୍ରମରବର ରାଏଟସିଂହଙ୍କ ରାଜତ୍ୱ ଆରମ୍ଭ । ସେହିବର୍ଷ ତାଙ୍କର ଗାଦିନସିନ୍‌ ହେଲା ।

ନୂଆ ରାଜାସାହେବ ଗାଦିରେ ବସିବା ସଙ୍ଗେ ସଙ୍ଗେ ଯେପରି କ୍ଷମତାର ଅପବ୍ୟବହାର କଲେ, ତାହା ସମସ୍ତେ ଜାଣନ୍ତି । ତାଙ୍କ ଅତ୍ୟାଚାରରେ ପ୍ରଜା ସାଧାରଣ ଯେପରି ଘୋର ଅଶାନ୍ତି ଭୋଗିଲେ, ନଟବରପୁର ଶାସନର ବ୍ରାହ୍ମଣମାନେ ମଧ୍ୟ ସେହିପରି ଊଣାଅଧିକେ ଭୋଗିବାରେ ଲାଗିଲେ । ଯେଉଁ କେତେଜଣ ଚତୁର ବ୍ରାହ୍ମଣ ତୋଷାମୋଦ, ଚୁଗୁଲି ଓ ଅଣ୍ଟାଖୋଷାରେ କୃତିତ୍ୱ ଲାଭ କରିଥିଲେ, ସେହି କେତୋଟି କେବଳ ରାଜାଙ୍କ ଅତ୍ୟାଚାରରୁ ମୁକ୍ତି ପାଇ ତାଙ୍କୁ ସବୁପ୍ରକାରେ ସାହାଯ୍ୟ କରୁଥିଲେ । କିନ୍ତୁ ଅନ୍ୟ ବ୍ରାହ୍ମଣଗୁଡ଼ିକ ନାନା ପ୍ରକାର ଅପମାନ, ଯଥା- ନାକ ଘୋଷରା, କାନମୋଡ଼ା, ଖରା ନିହୁଡ଼ା, ପଠାଣ ଛାପ, ହାଡ଼ି ମଇଳା ପ୍ରଭୃତି ଭୋଗିବାରେ ଲାଗିଲେ । ଏହାଛଡ଼ା କାହାନାମରେ ମିଥ୍ୟା ମୋକଦ୍ଦମା, କାହା ଘର କୋରିଶ, କାହା ଜମିର ଫସଲ ଉଜୁଡ଼ା, କାହା ବାଡ଼ି ପଟେ ମଟରର ଅନ୍ଧାରି ବିଜେ, ଏହା ମଧ୍ୟ ଚାଲିଲା । ଏଥିରେ ପ୍ରଜାମାନେ ଯେପରି ଉତ୍ତ୍ୟକ୍ତ ହେଲେ, ବ୍ରାହ୍ମଣମାନେ ମଧ୍ୟ ସେହିପରି ଉତ୍ତ୍ୟକ୍ତ ହେଲେ । ଗୋଟାଏ ଅଶାନ୍ତିପୂର୍ଣ୍ଣ ବିଭୀଷିକା ଚାରିଆଡ଼େ ଘୋଟିଗଲା ।

ରାମହରି ମିଶ୍ରେ ଏପରି ଅଶାନ୍ତିପୂର୍ଣ୍ଣ ବାୟୁମଣ୍ଡଳ ଭିତରେ ବାସ କରି ବଡ଼ ଦୁଶ୍ଚିନ୍ତାରେ ଦିନ କାଟୁଥିଲେ । ରାଜ୍ୟତମାମ ଲାଗିଥିବା ଅତ୍ୟାଚାର ଖବର ସବୁ ଶୁଣି ତାଙ୍କ ପ୍ରାଣରେ ବଡ଼ ଆଘାତ ଲାଗୁଥିଲା । ସେ ପେନ୍‌ସନ୍‌ ପ୍ରାପ୍ତ ସରକାରୀ ଡେପୁଟି ଥିବାରୁ ବ୍ୟକ୍ତିଗତଭାବରେ କୌଣସି ଅତ୍ୟାଚାର ଭୋଗୁ ନଥିଲେ ମଧ୍ୟ, ପଡ଼ୋଶୀମାନଙ୍କ ଦୈନନ୍ଦିନ ଘଟଣାରେ ବଡ଼ ବ୍ୟାକୁଳ ହେଉଥିଲେ । ଦିନେ ସେ ରାଜାଙ୍କ ସଙ୍ଗେ ଦେଖାକରି ଏପରି ଅତ୍ୟାଚାର ନିବାରଣ କରିବାକୁ ଚେଷ୍ଟା କରିବା ପାଇଁ ଉଆସକୁ ଗଲେ । ରାଜା ନିଜ ଦଳବଳ ସହ ବୈଠକରେ ବିଜେହୋଇ ନାନା ଗଳ୍ପାମୋଦରେ ବ୍ୟସ୍ତ ଥିଲେ । ବହୁତ ସମୟ ଅପେକ୍ଷା କଲାପରେ ରାମହରିବାବୁଙ୍କୁ ରାଜଦର୍ଶନ ସୌଭାଗ୍ୟ ମିଳିଲା । ସମସ୍ତେ ତାଙ୍କୁ ଦେଖି ଟିକିଏ ସଂକୁଚିତ ହୋଇଗଲେ ।

ରାଜାସାହେବ ତାଙ୍କୁ ଆସନ ଦେଇ ପଚାରିଲେ, ‘‘ବହୁଦିନ ପରେ ଆଜି ଦେଖା, ଡେପୁଟି ବାବୁ ! କିଆକଣ୍ଟାରେ ନଥିଲେ କି ?’’

ରାମହରି ସ୍ମିତହାସ୍ୟ କରି କହିଲେ, ‘‘ହଁ, ଆଜ୍ଞା ! ମୁଁ ବରାବର ଏଠାରେ ଅଛି । ମୋର ଆବଶ୍ୟକ ନ ପଡ଼ିଲେ କିମ୍ୱା ଆପଣଙ୍କର ଡକରା ନ ହେଲେ, ମୁଁ ଏଠାକୁ ଅଯଥା ଆସି ଆପଣଙ୍କୁ ହଇରାଣ କରିବାକୁ ଇଚ୍ଛା କରେ ନାହିଁ ।’’

ରାଜା ଟିକିଏ ଗମ୍ଭୀର ହୋଇ ପଚାରିଲେ, ‘‘ଆଜି ଆପଣଙ୍କର କଅଣ ଆବଶ୍ୟକ ଅଛି, କହନ୍ତୁ ।’’

ରାମହରିବାବୁ ଗମ୍ଭୀର ଭାବରେ କହିଲେ, ‘‘ମୁଁ ମୋର କୌଣସି ବ୍ୟକ୍ତିଗତ କାର୍ଯ୍ୟରେ ଆସି ନାହିଁ । ଆସିଛି ଏ ରାଜ୍ୟ ପ୍ରଜାମାନଙ୍କ ବିଷୟରେ କିଛି ଜଣାଇବା ପାଇଁ । ଏ ରାଜ୍ୟ ମରହଟ୍ଟାମାନଙ୍କର ସୃଷ୍ଟି ଆରମ୍ଭରୁ ଏପର୍ଯ୍ୟନ୍ତ ସାତଜଣ ରାଜା ଏଠାରେ ରାଜପଣ କଲେଣି । ଅତୀତ ଛଅଜଣ ରାଜାଙ୍କ ରାଜତ୍ୱରେ ଲୋକେ ଖୁବ୍‌ ସୁଖଶାନ୍ତିରେ କାଳଯାପନ କରୁଥିଲେ । ରାଜାମାନେ ଧର୍ମ ଓ ନ୍ୟାୟରେ ସେମାନଙ୍କୁ ପାଳନ କରି ନିରୂପଦ୍ରବଭାବରେ କାଳ କଟାଉଥିଲେ । ଏ ରାଜବଂଶର ଗୋଟାଏ ଉଜ୍ଜ୍ୱଳ କୀର୍ତ୍ତି ସାରା ଉତ୍କଳରେ ଏ ପର୍ଯ୍ୟନ୍ତ ବ୍ୟାପି ରହିଅଛି । ଆପଣ ଆଜକୁ ପ୍ରାୟ ତିନିବର୍ଷ ହେଲା ରାଜତ୍ୱ କଲେଣି । ମାତ୍ର ଦୁଃଖର କଥା, ପ୍ରଜାମାନଙ୍କ ସୁଖଶାନ୍ତି ପ୍ରତି ମୋଟେ ଦୃଷ୍ଟି ଦେଉ ନାହାନ୍ତି । ଲୋକେ ନାନାଦି ଅତ୍ୟାଚାର ଭୋଗି ଭୋଗି ସଢ଼ି ଗଲେଣି । କେତେ ଲୋକ ଏହା ସହି ନପାରି କଲିକତା, ରେଙ୍ଗୁନ ଆଡ଼େ ପଳାଇଗଲେଣି । ଗୋଟାଏ ଅଚାନକ ବିଭୀଷିକା ନିରନ୍ତର ଚାରିଆଡ଼େ ବ୍ୟାପି ରହିଅଛି । ଆପଣ ଏହା ସୁଧାରି ନେବାକୁ ଚେଷ୍ଟା କରନ୍ତୁ । ଯେଉଁ ବାଟରେ ଚାଲିଛନ୍ତି, ତାହା ଅବାଟ ବୋଲି ମନେ ରଖନ୍ତୁ ।’’

ରାଜା ସ୍ମିତହାସ୍ୟ କରି କହିଲେ, ‘‘ସୁଖଦୁଃଖ ଓ ଶାନ୍ତି ଅଶାନ୍ତିର ସମ୍ୱନ୍ଧ ଠିକ୍‍ ସହୋଦର ଭାଇ ଭଉଣୀ ସମ୍ୱନ୍ଧ ପରି । ଲୋକେ ଆମ୍ଭ ଛଅ ପୁରୁଷର ରାଜତ୍ୱରେ ସୁଖ ଭୋଗି ଆସିଲେ । ଏବେ ଟିକିଏ ଦୁଃଖ ଭୋଗିଲେ ଯେ କ୍ଷତି ହେଲା କଅଣ ?’’

ରାମହରିବାବୁ କହିଲେ, ‘‘ଏହା ବ୍ରିଟିଶ ରାଜତ୍ୱ । ଏ ଅମଳରେ ସମ୍ୱାଦପତ୍ର ଓ ଲୋକମତ ପ୍ରତି ବହୁତ ଆସ୍ଥା ଦିଆଯାଏ । ମୁଁ ଦେଖୁଛି, ଆମ ରାଜ୍ୟରେ ଅତ୍ୟାଚାର ଫଳରେ ଲୋକଙ୍କ ଭିତରେ ଉତ୍ତେଜନା ଖେଳିଗଲାଣି । ଲୋକେ ଆପଣଙ୍କ ବିରୁଦ୍ଧରେ ଉଠିବାକୁ ବସିଲେଣି-। ଗୋଟାଏ ବାରୁଦ ପାହାଡ଼ର ବିସ୍ଫୋରଣ ପାଇଁ ସାମାନ୍ୟ ନିଆଁ ଝୁଲ ଖଣ୍ଡେ ଯଥେଷ୍ଟ ହେଲାପରି ସାମାନ୍ୟ କାରଣରେ ବିଦ୍ରୋହ ନିଆଁ ଜଳି ଉଠିପାରେ । ତା‘ର ଫଳ କଅଣ ହେବ ଆପଣ ଚିନ୍ତାକରି ଦେଖନ୍ତୁ ।’’

ରାଜା—‘‘ଡେପୁଟୀ ବାବୁ ! ମୁଁ ଏ ବିଷୟ ଚିନ୍ତାକରି ଦେଖିବି, କିନ୍ତୁ ମୁଁ ଆପଣଙ୍କଠାରୁ ମୋ ନିଜ ହିତ ପାଇଁ ପରାମର୍ଶ ଲୋଡ଼ୁ ନାହିଁ । ଯେବେ ଦର୍କାର କରିବି, ଦେବେ । ମୋର ପରାମର୍ଶ ପାଇଁ ମୁଁ ଉପଯୁକ୍ତ ଲୋକ ରଖିଛି । ମୁଁ ନିଜ ବିଷୟରେ ନିଶ୍ଚିନ୍ତ । ଆପଣ ଆସନ୍ତୁ ।’’

ରାମହରିବାବୁ—‘‘ମୁଁ ଅନାହୂତ ଭାବରେ ଆସି ଏପରି କହିଲି ବୋଲି କ୍ଷମା ଦେବେ । କିନ୍ତୁ ଜାଣି ରଖନ୍ତୁ, ଏହା ଆପଣଙ୍କ ପକ୍ଷରେ ଶୁଭଚିହ୍ନ ନୁହେଁ ।’’ ଏହା କହି ସେ ବାହାରିଗଲେ ।

ସେ ବାହାରି ଯିବାପରେ ପରାମର୍ଶଦାତାଦଳ ପୁଣି ଠିକ୍‍ଣା ହୋଇ ବସି ରାମହରିବାବୁଙ୍କ ପ୍ରସଙ୍ଗର ନାନା ସମାଲୋଚନା କଲେ । ମ୍ୟାନେଜର କହିଲେ ‘‘ରାମହରି ଏପର୍ଯ୍ୟନ୍ତ ନିଖୁଣ ଅଛି ବୋଲି ବଡ଼ ଚଢ଼ାଗଳାରେ କଥା କହି ଯାଉଛି । ଆରେ ସେ କ’ଣ କଲା ? ରାଜା ବୋଲି ଖାତିର ନ କରି ସରକାରୀ ଚାକିରିର ଗୋଟାଏ ବଡ଼ିମା ଦେଖାଇବାକୁ ଆସିଥିଲା ।

ରାଜା କହିଲେ, ‘‘ଟିକିଏ ତାକୁ ଦେଖି ଦେଉନ ? ତା ହୋଇଥିଲେ ସେ ଏପରି ସାହସ କରନ୍ତା କୁଆଡ଼େ ?

ରାଜାଙ୍କ ଏ ନିର୍ଦ୍ଦେଶରେ ସମସ୍ତେ ସଜାଗ ହୋଇ ଉଠିଲେ ଏବଂ ରାମହରିଙ୍କି କିପରି ଚେଁଖାଏ ଦେବାକୁ ଖୁବ୍‌ ଆଲୋଚନା କଲେ । କେତେଲୋକଙ୍କ ଉପରେ କେତେପ୍ରକାର ବରାଦ ହେଲା । ଥୋଡ଼ାଏ ଟଙ୍କା ମଧ୍ୟ ସେଥିପାଇଁ ରାଜକୋଷରୁ ଖର୍ଚ୍ଚ ପଡ଼ିଲା । ସମସ୍ତେ ଭାବିଲେ, ଏଥର ରାମହରି ଠିକ୍‍ଣା ହେବ ।

ରାମହରିବାବୁ ଓ ତାଙ୍କ ପରିବାରବର୍ଗ ଭୋରରୁ ଉଠି ଦରୋଜା ଖୋଲିଲା ମାତ୍ରକେ ଦେଖିଲେ, ଦୁଆରବନ୍ଧଠାରୁ ସମସ୍ତ ବାରଣ୍ଡାବ୍ୟାପୀ ବିସ୍ତୃତ ଅଞ୍ଚଳ ଖାଲି ବିଷ୍ଠା, ହାଡ଼ ଓ ଖପରାରେ ପୂର୍ଣ୍ଣ । ପାଦ ଥୋଇବାକୁ ଜାଗା ନାହିଁ । ଦାଣ୍ଡ ଦରଜାରେ ଅଗ୍ନି ସଂଯୋଗ କରି ଘରକୁ ଜାଳିଦେବାକୁ ରାତି ମଧ୍ୟରେ ଚେଷ୍ଟା ହୋଇଥିଲା । ମାତ୍ର କୋଠାଘର ଯୋଗେ ନିଆଁ ସହଜରେ ଧଇଲା ନାହିଁ । ଗୁହାଳ ଫିଟାହୋଇ ଗାଈଗୋରୁଗୁଡ଼ିକ ଯାଇ କାଞ୍ଜିହାଉସରେ ଆଶ୍ରୟ ନେଇଥିଲେ-। ଦାଣ୍ଡପଟେ ଓ ବାଡ଼ିପଟେ ପହରା ଦେଉଥିବା ଦୁଇଜଣ ପାଣ ସେ ରାତ୍ରିରେ କୁଆଡ଼େ ଅଦୃଶ୍ୟ ହୋଇଗଲେ ଯେ ମାସକ ପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳିଲା ନାହିଁ । କୂଅ ଭିତରେ ଏତେ ଆବର୍ଜନା ପଡ଼ିଥିଲା ଯେ ଛଅମାସ ଯାଏ ତାହା ବ୍ୟବହାରର ଅନୁପଯୁକ୍ତ ହୋଇଥିଲା ।

ରାମହରିବାବୁ ଏ ସମସ୍ତ ଅବସ୍ଥା ଦେଖି, ଯେଉଁ ଘଟଣାର ଏ ସମସ୍ତ ପ୍ରତିକ୍ରିୟା, ତାହା ସେ ଅନାୟାସରେ ବୁଝିନେଲେ । ଏ ବିଷୟରେ ସେ କାହାକୁ କିଛି ନ କହି ସମସ୍ତ ଅବସ୍ଥା ଧୈର୍ଯ୍ୟ ସହକାରେ ସୁଧାରି ନେଲେ ଏବଂ ଯଥାବିଧି ଚଳିବାରେ ଲାଗିଲେ । ତାଙ୍କ ସାହସ ଓ ବେପରୁଆ ଭାବ ଦେଖି ରାଜପକ୍ଷୀୟ ଲୋକ ଟିକିଏ ପ୍ରମାଦ ଗଣିଲେ । ସେମାନଙ୍କ ମନରେ ଧାରଣା ହେଲା, ରାମହରି ବୋଧହୁଏ କଲେକ୍ଟରଙ୍କୁ ଏ ସମ୍ୱାଦ ଜଣାଇଛି । ସେଥିପାଇଁ ରାଜାସାହେବ କି ଜବାବ ଦେବେ, ତାର ନାନା ପ୍ରକାର ଚିନ୍ତା ଚାଲିଲା । ମାତ୍ର ଯଥାର୍ଥରେ ରାମହରିବାବୁ ସେପରି କିଛି କରି ନଥିଲେ ।

ଏ ଘଟଣାର ପ୍ରାୟ ଦୁଇବର୍ଷ ପରେ । ରାଜାଙ୍କ ଅତ୍ୟାଚାର ବଢ଼ିବା ସଙ୍ଗେ ସଙ୍ଗେ କିପରି ଗୁରୁତର ଅର୍ଥସଙ୍କଟ ତାଙ୍କୁ ଗ୍ରାସିଗଲା ଏବଂ ସେ ମ୍ୟାନେଜର ଓ ଅନ୍ୟ ମନ୍ତ୍ରୀମାନଙ୍କ ପରାମର୍ଶରେ କିପରି ଅର୍ଥାଗମର ନାନା ପନ୍ଥା ଅବଲମ୍ୱନ କରି ଶେଷରେ ସାଧାରଣର ଘୋର ଅଶାନ୍ତି ବୃଦ୍ଧି କରିଥିଲେ, ତାହା ପୂର୍ବ ଅଧ୍ୟାୟରେ ବର୍ଣ୍ଣିତ ହୋଇଅଛି । ତା’ ପରେ ଦିନେ ପ୍ରଭାତରେ କୁଆ କା’ କଲାବେଳକୁ କିଆକଣ୍ଟାର କେତେକ ଲୋକ ପଦାକୁ ବାହାରି ଆସି ପରସ୍ପରରେ କଅଣ ସବୁ ଟୁପ୍‌ଟାପ୍‌ ହେଲେ । ଭୟ ହେଉଥାଏ, କେହି ଶୁଣି ରାଜାଙ୍କୁ ଜଣାଇଦେଲେ ସେମାନଙ୍କ କଥା ସରିଯିବ । ସୂର୍ଯ୍ୟ ନଡ଼ିଆଗଛରେ ଅଧା ଚଢ଼ିଲାବେଳକୁ ଗୋଟାଏ ସମ୍ୱାଦ ଭିତରେ ଭିତରେ ଚାରିଆଡ଼େ ରାଷ୍ଟ୍ର ହୋଇଗଲା ଯେ ମ୍ୟାନେଜରଙ୍କ ଉପରେ କାଲି ରାତିରେ ଚାବୁକ ପ୍ରହାର ହୋଇଛି ଏବଂ ସେ ରାତାରାତ୍‌ କଟକ ପଳାଇ ଯାଇଛନ୍ତି । ତାଙ୍କ ଦଳ ମଧ୍ୟ ପ୍ରାଣ ଭୟରେ କ’ଣ ଗୋଟାଏ ପ୍ରତିକାର କରିବା ଆଶାରେ କିଏ କୁଆଡ଼େ ପଳାଇଛନ୍ତି । ଏ ସମ୍ୱାଦରେ ଚାରିଆଡ଼େ ଗୋଟାଏ ବଡ଼ ଆଶ୍ୱସ୍ତି ଖେଳିଗଲା । ଲୋକେ ମନେକଲେ ଯେପରି ଗୋଟାଏ ବଡ଼ ଆପଦ କଟିଗଲା ।

ମାତ୍ର ରାମହରିବାବୁ ଏ ସମ୍ୱାଦରେ ବିଶେଷ ଉତ୍ସାହିତ ହେବାର ଦେଖାଗଲା ନାହିଁ । ସେ ଜଣେ ଦୂରଦର୍ଶୀ ଓ ବିଜ୍ଞ ଲୋକ । ସେ ମନେକଲେ ଲୋକଙ୍କର ଏହା ଗୋଟାଏ ସାମୟିକ ଉତ୍ତେଜନା । ଗୋଟାଏ କଥା ଆଗରେ ଦେଖିଲେ ହଠାତ୍‌ ନାଚି ଉଠନ୍ତି; କିନ୍ତୁ ସେମାନଙ୍କର ଭାବିବା ଉଚିତ ଯେ ରାଜାଙ୍କର ସ୍ୱଭାବ ପରିବର୍ତ୍ତନ ନ ହେଲେ ଏପରି କେତେଜଣଙ୍କ ଆକସ୍ମିକ ତିରୋଧାନରେ କୌଣସି ଲାଭ ନାହିଁ । ପୁଣି ଲୋକ ଆସିବେ, ପୁଣି ପୂର୍ବ ଅବସ୍ଥା ଫେରି ଆସିବ । ଯେଉଁ ଅଶାନ୍ତିକି ସେହି ଅଶାନ୍ତି । ତେବେ ତାଙ୍କର ଗୋଟାଏ ଆଶା ଭିତରେ ଭିତରେ ଜାଗ୍ରତ ହେଉଥିଲା ଯେ ରାଜା ଯେଉଁ ଅର୍ଥ ସଙ୍କଟରେ ପଡ଼ିଲେଣି, ଯେପରି ଚାରିଆଡ଼ର ଅବସ୍ଥା ତାଙ୍କ ପକ୍ଷରେ ପ୍ରତିକୂଳ ହୋଇ ଉଠିଲାଣି, ତା’ର କଷାଘାତ ସେ ଅବଶ୍ୟ ଭୋଗିବେ ଏବଂ ପ୍ରକୃତି ତାଙ୍କୁ ସାଧାରଣ ବାଟକୁ ଆଣିବାକୁ ବାଧ୍ୟ କରିବ । ତା’ ନ ହେଲେ ଜମିଦାରୀ ନିଶ୍ଚୟ ନିଲାମ ହେବ ଏବଂ ଏ ସବୁ ରାଜକୀୟ ଫୁଟାଣି କୁଆଡ଼େ ଚୁଲୀକି ଯିବ ।

•••

 

–ଚାରି–

 

ରାମହରିବାବୁ ଏପରି ଚିନ୍ତା କରୁଥିବା ବେଳେ ଏବଂ ଲୋକଙ୍କ ମନରେ ଏପରି ଉତ୍ସାହଜନକ ପ୍ରତିକ୍ରିୟା ଘଟୁଥିଲା ବେଳେ ତେଣେ ରାଜବାଟୀରେ ଗୋଟାଏ ନୈରାଶ୍ୟ ଖେଳି ଯାଇଥିଲା । ଗତ ସନ୍ଧ୍ୟାରେ ସେ ମ୍ୟାନେଜରଙ୍କ ପ୍ରତି ଯେଉଁ ବ୍ୟବହାର କରିଥିଲେ, ତାହା ଘୋର ଉତ୍ତେଜନାରୁ ଘଟିଯାଇଥିଲା । ଏପରି ଉତ୍ତେଜନା ତାଙ୍କ ପକ୍ଷରେ ଅସହ୍ୟ ହେବାରୁ ସେ ଚାବୁକ ଧରିବାକୁ ବାଧ୍ୟ ହୋଇଥିଲେ । ତେଣୁ ସାରା ରାତି ତାଙ୍କୁ ନିଦ ହୋଇ ନଥିଲା । ଏ ଅବସ୍ଥାର ଗୋଟାଏ ବିଷମୟ ପରିଣାମ ଆଶଙ୍କା କରି ତାଙ୍କ ମନ ଭୟରେ ପୂରିଯାଇଥିଲା । ତେଣୁ ସେ ବିଚାରି ବିଚାରି ସ୍ଥିର କଲେ, ତହିଁ ଆରଦିନ ସେ ମ୍ୟାନେଜରଙ୍କ ଘରକୁ ଯାଇ ତାଙ୍କୁ କ୍ଷମା ମାଗିବେ ଏବଂ ଆବଶ୍ୟକ ହେଲେ ଗୋଡ଼ ହାତ ଧରି ପକାଇବେ । ତାଙ୍କର ଏ ଦୁର୍ଦ୍ଦିନରେ ମ୍ୟାନେଜରଙ୍କ ଛଡ଼ା ଆଉ କିଏ ସେପରି ଅକୃତ୍ରିମ ବନ୍ଧୁ ଅଛି ଯେ, ନାନା ଅର୍ଥସଙ୍କଟ ଓ ଘୋର ରାଜନୈତିକ ଆପଦରୁ ତାଙ୍କୁ ରକ୍ଷା କରିବ ? ମ୍ୟାନେଜରଙ୍କ ସଙ୍ଗେ ତାଙ୍କ ଦଳ ମଧ୍ୟ ତାଙ୍କୁ ଛାଡ଼ି ଚାଲିଗଲେ । ସୁତରାଂ ତାଙ୍କ ପକ୍ଷରେ ସବୁଆଡ଼ ଅନ୍ଧାର । ସେ ଦଳ ତାଙ୍କ ଛାତିର ଅମ୍ଳଜାନ, ବାହୁର ଶକ୍ତି, ଆଖିର ନାଗୁଣୀ । ମ୍ୟାନେଜର ଓ ତାଙ୍କ ଦଳ ଯଦି ଏ ସମୟରେ ତାଙ୍କୁ ଛାଡ଼ି ଚାଲି ଯାଆନ୍ତି, ତେବେ ସେ ମରୁଭୂମିରେ ବାଲି ସାଉଁଟିବା ଛଡ଼ା ତାଙ୍କର ଅନ୍ୟ ଗତି ନାହିଁ । ତେଣୁ ସେ ସ୍ଥିର କଲେ, ମ୍ୟାନେଜରଙ୍କୁ ଦଶମାଣ ଜମି ଦାନଦେଇ ଓ ତାଙ୍କ ସ୍ତ୍ରୀଙ୍କୁ ବାଇଶି ଭରିର ଗୋଟିଏ ଚେନ୍‌ ଉପହାର ଦେଇ ଉପସ୍ଥିତ ଅବସ୍ଥାଟାକୁ ସମ୍ଭାଳି ଯିବେ । ମାତ୍ର ‘ଯଚ୍ଚିନ୍ତିତ ତଦିହ ଦୂରତରଂ ପ୍ରୟାତି, ଯଚ୍ଚେତସା ନ ଗଣିତଂ ତଦିଦାଭ୍ୟୁପୈତି’ ଭଳି ଗୋଟାଏ ଘଟଣା ଘଟି ତାଙ୍କ ମନ ଚଇତନକୁ ଘାବରାଇ ଦେଲା । ସକାଳ ଆଠଟା ବେଳକୁ ସେ ଖବର ପାଇଲେ ଯେ ମ୍ୟାନେଜର ଓ ତାଙ୍କ ଦଳ ପୂର୍ବ ରାତ୍ରିରୁ କଟକ ବାହାରି ଯାଇଛନ୍ତି । ଏହା ଶୁଣି ସେ ଗୋଟିଏ ନିଶ୍ଚଳ ପ୍ରତିମା ପରି ଘଡ଼ିଏ କାଳ ରହିଗଲେ । ତାଙ୍କର ଆଉ ବାକ୍‌ସ୍ଫୂର୍ତ୍ତି ହେଲା ନାହିଁ । ମନ ଭିତରେ ଗୋଟାଏ କୋହ ଉଠି ଆଖିବାଟେ ଖସିଯିବାକୁ ଚେଷ୍ଟା କଲା । ମାତ୍ର ସେବକ ପରିଜନ ବେଷ୍ଟିତ ରାଜାସାହେବଙ୍କ ଆଖି ବୋଲି ତାହା ତେତେ ସାହସ କରିପାରିଲା ନାହିଁ ।

 

ମ୍ୟାନେଜର ଓ ତାଙ୍କ ଦଳଙ୍କର ଏପରି ଆକସ୍ମିକ ପଳାୟନରୁ ସେ ବୁଝିଲେ, ଏହା କେବେହେଁ ଭଲପାଇଁ ନୁହେଁ । ମ୍ୟାନେଜର କଲେକ୍ଟରଙ୍କୁ ଦେଖାକରି ନିଜର ଚାବୁକ ଦାଗ ସବୁ ଦେଖାଇବେ ଏବଂ ମିଛ ସତକରି ଗୁଡ଼ାଏ ଅଭିଯୋଗ କରି ତାଙ୍କ ବିରୁଦ୍ଧରେ ସାହେବଙ୍କ ମନକୁ ଉତ୍ତେଜିତ କରିବେ । ସାକ୍ଷୀ ସ୍ୱରୂପ ନିଜ ଦଳବାଲାଙ୍କୁ ହାଜର କରି ଘଟଣାକୁ ନାନା ବର୍ଣ୍ଣରେ ରଞ୍ଜିତ କରିବେ । ଫଳରେ ରାଜାଙ୍କ ବିରୁଦ୍ଧରେ ଗୁଡ଼ାଏ ମୋକଦ୍ଦମା ଯୋଗାଡ଼ ହୋଇଯିବ ଏବଂ ତାଙ୍କୁ ନାନାଦି ଦୁଃଖ ଯନ୍ତ୍ରଣାରେ ପଡ଼ିବାକୁ ହେବ । ପରିଣାମ କେଉଁଆଡ଼କୁ ଗତି କରିବ, କିଏ କହିପାରେ ? ନାନାଦି ଅତ୍ୟାଚାର ଫଳରେ ଏ ଷ୍ଟେଟ୍‍ର ପ୍ରଜାମାନେ ସମସ୍ତେ ତାଙ୍କ ବିପକ୍ଷରେ । ସ୍ଥାନୀୟ ଭଦ୍ରଲୋକମାନଙ୍କୁ ଦିନେ ହେଲେ ସେ ଆପଣାର କରିବାକୁ ଚେଷ୍ଟା କରିନାହାନ୍ତି । ବରଂ ସେମାନଙ୍କୁ ନାନା ଦିଗରେ ନାନା ନିର୍ଯାତନା ଦେଇ ଘୋର ବିରୋଧୀ କରି ପକାଇଛନ୍ତି । କଟକର ଓକିଲ ମୁକ୍ତାରଠାରୁ ସରକାରୀ ଅଫିସରମାନଙ୍କ ପର୍ଯ୍ୟନ୍ତ ଅଧିକାଂଶ ମ୍ୟାନେଜରର ବଶୀଭୂତ । ରାଜାଙ୍କ ଦ୍ୱାରା ଦିନେ ହେଲେ କେହି ଆପ୍ୟାହିତ ହୋଇ ନାହାନ୍ତି । ତେଣୁ ରାଜାଙ୍କ ପ୍ରତି ସବୁ ଦ୍ୱାର ରୁଦ୍ଧ ।

 

ରାଜାସାହେବ ଏ ସମସ୍ତ ଚିନ୍ତାକରି କୌଣସିଆଡ଼େ ଆଶାର ସଞ୍ଚାର ପାଇଲେ ନାହିଁ । ଚାରିଆଡ଼େ ଘୋର ଅନ୍ଧକାର, ଘୋର ନୈରାଶ୍ୟ । ସେ ନିତାନ୍ତ ଅସ୍ଥିର ହୋଇପଡ଼ିଲେ । ଆହାର ବିଶ୍ରାମ କିଛି ତାଙ୍କୁ ରୁଚି ହେଲା ନାହିଁ । ଦିନତମାମ ଏପରି ଅଶାନ୍ତିରେ କଟିଲା ପରେ ସନ୍ଧ୍ୟାକୁ ସେ ବନ୍ଧା ବକ୍ରୀ ନିରୀହ ଅମଲାମାନଙ୍କୁ ଡକାଇଲେ । ଅମଲାମାନଙ୍କ ମଧ୍ୟରୁ ଅଧିକାଂଶ ପୂର୍ବ ସନ୍ଧ୍ୟାର ବିଭୀଷିକା ସ୍ମରଣ କରି ନାନା ବାହାନା ଦେଖାଇ ଅଇଲେ ନାହିଁ । ଯେଉଁମାନେ ଟିକିଏ ସାହସୀ କିମ୍ବା ଯେଉଁମାନେ ନ ଆସି ରହିପାରିବେ ନାହିଁ, ସେହି କେତେଜଣ ଆସି ରାଜସମ୍ମୁଖରେ ଉପସ୍ଥିତ ହେଲେ । ରାଜାଙ୍କ ହସ୍ତ ସଙ୍କେତରେ ସେମାନେ ବସିଲା ପରେ ରାଜା ଘଡ଼ିଏ କାଳ କଣ ଚିନ୍ତାକରି କହିଲେ, ‘‘ଗଡ଼ନାଏକେ ! ଆଉ ଖବର କଣ ?’’ ଗଡ଼ନାଏକେ ଅମଲାମାନଙ୍କ ଭିତରେ ଟିକିଏ ମୁଖିଆ, ସେ ସିରସ୍ତାଦାର । ସେ ଡରି ଡରି କହିଲେ, ‘‘ମ୍ୟାନେଜର ବାବୁ କାଲିଠାରୁ କୁଆଡ଼େ ଚାଲି ଯାଇଛନ୍ତି । ତାଙ୍କ ସଙ୍ଗେ ସଙ୍ଗେ ସାଧୁ ବାବୁ, ଗୌରୀ ବାବୁ ଓ ତ୍ରିଲୋଚନ ବାବୁ ମଧ୍ୟ କୁଆଡ଼େ ଯାଇଛନ୍ତି ଯେ ଦିନଯାକ ସେମାନଙ୍କର ଦେଖା ମିଳୁନାହିଁ ।’’ ରାଜା ଟିକିଏ ନୀରବ ରହି ପୁଣି ପଚାରିଲେ, ‘‘କିଆକଣ୍ଟା ଲୋକେ ଏ ବିଷୟରେ କ’ଣ କହୁଛନ୍ତି ?’’ ଗଡ଼ନାଏକେ କହିଲେ, ‘‘ଆଜ୍ଞା-! ମୁଁ ସେକଥା କିଛି ଜାଣେ ନାହିଁ । ଆଜି ଦିନତମାମ ମୁଁ କଚେରୀରେ ଥିବାରୁ ବାହାର ଖବର କିଛି ପାଇ ନାହିଁ ।’’ ନରି ସାଉ ଏକାଉଣ୍ଟାଣ୍ଟ୍‌ କହିଲେ, ‘‘କିଆକଣ୍ଟା ଲୋକେ ମ୍ୟାନେଜରଙ୍କ ଉପରେ ଚାବୁକ ପ୍ରହାର ଓ ତାଙ୍କ ପଳାୟନ ସମ୍ୱାଦରେ ଟିକିଏ ସନ୍ତୁଷ୍ଟ ଥିଲେହେଁ ସେମାନଙ୍କ ନିର୍ଯାତନା ଏତିକିରେ ସରିଲା ବୋଲି ଆଶା କରୁନାହାନ୍ତି ।’’ ରାଜା ପଚାରିଲେ, ‘‘କାରଣ ?’’ ନରି ସାଉ କହିଲେ, ‘‘ଯେଉଁ କଳ ଚାଲୁ ରହିଛି, ତହିଁରେ ଯେ ଚାଳକ ହେବ, ସେ ସେୟା କରିବ । ଆଜି ଏ ମ୍ୟାନେଜର ଗଲେ, କାଲି ଆଉ ଜଣେ ଆସିବେ । ଏ ମ୍ୟାନେଜର ବି ଫେରି ଆସିପାରନ୍ତି । ତେଣୁ ଲୋକଙ୍କ ମନରେ ଉତ୍ସାହ ନାହିଁ ।’’

 

ରାଜାସାହେବ ବିଚାରିଲେ, ଯଥାର୍ଥରେ ଲୋକେ ତାଙ୍କୁ ବିଶ୍ୱାସ କରୁନାହାନ୍ତି । ମ୍ୟାନେଜର ଓ ତାଙ୍କ ଦଳ ଯୋଗେ ସିନା ତାଙ୍କର ଏ ଦଶା ହେଲା ? ସେମାନେ ତାଙ୍କୁ ନାନା ଭାବରେ ପ୍ରବର୍ତ୍ତାଇ ନାନା କାର୍ଯ୍ୟରେ ଲଗେଇଲେ । ଫଳରେ ସେମାନେ ହେଲେ ମୋଟ, ବଢ଼ିଲା ସେମାନଙ୍କର ପେଟ । ଏଣେ ରାଜାଙ୍କ ଅବସ୍ଥା ଶୋଚନୀୟ ହେବାକୁ ବସିଲା । ଏହାର ଶୀଘ୍ର ପ୍ରତିକାର ନ ହେଲେ ରାଜପଦର ସ୍ଥାୟିତ୍ୱ ମଧ୍ୟ ବିଡ଼ମ୍ୱନାପୂର୍ଣ୍ଣ । ଏ କଥା ଭାବୁ ଭାବୁ ରାଜା ଚମକି ପଡ଼ିଲେ । ଛାତି ଉଠିଲା, ପଡ଼ିଲା, ଏବଂ କପାଳରେ ଝାଳ ବିନ୍ଦୁ ବିନ୍ଦୁ ହୋଇ ଫୁଟି ଉଠିଲା । ସେ ଗୋଟାଏ ଦୀର୍ଘ ନିଶ୍ୱାସ ଛାଡ଼ି କହିଲେ, ‘‘ଗଡ଼ନାଏକେ, ମୋ ପକ୍ଷରେ ଗୋଟାଏ ସଙ୍କଟ ଆସି ଉପସ୍ଥିତ । ତୁମେ ଅମଲାମାନଙ୍କ ସହ ମୋତେ ଏଥିରେ ସାହାଯ୍ୟ କର । ମ୍ୟାନେଜରର ପରାମର୍ଶରେ ପଡ଼ି ମୁଁ ଯାହା ପ୍ରତି ଯାହା ଦୁର୍ବ୍ୟବହାର କରିଛି, ତାହା ସେ ଭୁଲିଯାଉ ଏବଂ ମୋତେ କ୍ଷମା କରୁ । ଯାହାର ଯାହା କ୍ଷତି ହୋଇଛି, ମୁଁ ତାହା ସବୁ ଏହି ମାସ ମଧ୍ୟରେ ପୂରଣ କରିବି ।’’

 

ଗଡ଼ନାଏକେ ଓ ଅନ୍ୟ ସମସ୍ତେ ଠିଆହୋଇ ହାତଯୋଡ଼ି କହିଲେ, ‘‘ଛାମୁ ଆମର ପ୍ରଭୁ-। ଛାମୁ ସଙ୍କଟରେ ପଡ଼ିଲେ ଆମେ ଅଛୁ କାହିଁକି ? ଯେତେବେଳେ ଯାହା ଆଦେଶ ହେବ, ଆମେ ତାହା ନିଶ୍ଚୟ କରିବୁଁ । ଆମେ ଛାମୁଙ୍କୁ ନିର୍ଭର ଜବାବ ଦେଉଛୁ ।’’ ରାଜାସାହେବ ତୃପ୍ତିର ଗୋଟିଏ ନିଶ୍ୱାସ ମାରି ଉଠି ସମସ୍ତଙ୍କୁ ଆଲିଙ୍ଗନ କଲେ ଏବଂ ସନ୍ତୋଷର ସହିତ ବିଦାୟ କରିଦେଲେ । ଅମଲାମାନେ ବାଟରେ ଯାଉ ଯାଉ ଭାବିଲେ ଏହା ଗୋଟାଏ କ୍ଷଣିକ ଅଭିନୟ । ଆପଦ ପଡ଼ିଥିବାରୁ ସଦ୍‌ଭାବର ଏହା ଗୋଟାଏ ଛଳନା । ଏ ଜାତିଙ୍କି ବିଶ୍ୱାସ ନାହିଁ । ସଙ୍କଟବେଳ ଗଡ଼ିଗଲେ ପୁଣି ଫଁ ଫଁ ହୋଇ ଦଂଶନ କରିବାକୁ ଟିକିଏ ତ୍ରୁଟି କରିବେ ନାହିଁ ।

 

ରାଜା ଅନ୍ଦରମହଲକୁ ଯାଇ ପୂର୍ବରାତ୍ରିପରି ବିଶ୍ରାମ କଲେ । ମାତ୍ର ଆଖିକି ନିଦ ଆସିଲା ନାହିଁ । ନାନା ଦୁଶ୍ଚିନ୍ତାର କରାଳଆବର୍ତ୍ତ ମଧ୍ୟରେ ପଡ଼ି ମନ ନାନାଆଡ଼େ ଘୂରିବାରେ ଲାଗିଲା । କେତେବେଳେ ନିଦ ଆସିଗଲା, ସେ ଜାଣି ପାରିଲେ ନାହିଁ । ଦୀର୍ଘ ମାନସିକ କ୍ଳାନ୍ତି ଓ ଅବସାଦ ହେତୁ ଯେଉଁ ଗାଢ଼ ନିଦ୍ରା ହେଲା, ତାହା ତହିଁ ଆର ଦିନ ଦଶଟାଯାଏ ଭାଙ୍ଗିଲା ନାହିଁ । ନିଦ୍ରାନ୍ତେ ସେ ଖବର ପାଇଲେ କଲେକ୍ଟର ସାହେବଙ୍କ ଚପରାଶି ବାହାର ବେହରଣରେ ଅପେକ୍ଷା କରିଛି ଏବଂ ଶୀଘ୍ର ଦେଖା କରିବାକୁ ଚାହୁଁଛି । ଏହା ଶୁଣି ରାଜାଙ୍କ ଛାତିରେ ହାତୁଡ଼ିର ପ୍ରହାର ହେଲା । ମୁଣ୍ଡରେ ଅଗ୍ନି ଜଳି ଉଠିଲା । ଦେହରୁ ଜୀବନ ଛାଡ଼ି ଯିବାପରି ଲାଗିଲା । ସେ ନାନାଦି ବିପଦ ଆଶଙ୍କା କରି ନିତାନ୍ତ ସ୍ଖଳିତ ପଦରେ ବୈଠକଖାନା ପର୍ଯ୍ୟନ୍ତ ଯାଇ ସାହେବଙ୍କ ଚପରାଶିକି ଡକାଇଲେ । ସେ ଆସି ଲମ୍ୱ ସଲାମ କରି ଖଣ୍ଡିଏ ବନ୍ଦ ଲଫାଫା ରାଜାଙ୍କ ହାତକୁ ବଢ଼ାଇଦେଲା ଏବଂ ପୁନଃ ସଲାମ କରି ଦୂରରେ ଯାଇ ଠିଆ ହେଲା । ଅତିଥିଶାଳାରେ ତା’ର ଜଳଖିଆ ପ୍ରଭୃତିର ବ୍ୟବସ୍ଥା କରି ସେଠାରେ ଅପେକ୍ଷା କରିବାକୁ ସେ ତାକୁ ପଠାଇଦେଲେ ଏବଂ ନୀଳାଚଳନାଥ ଜଗନ୍ନାଥଙ୍କୁ ମନେ ମନେ ଧ୍ୟାନ କରି କମ୍ପିତ ହସ୍ତରେ ଲଫାଫା ଖୋଲିଲେ । ତାହା ଗୁପ୍ତଭାବରେ ଖଣ୍ଡିଏ ଘରେଇ ଚିଠି ଆକାରରେ ଆସିଥିଲା । ସେ ଚିଠିର ନକଲ ବହୁ ଯତ୍ନରେ ହସ୍ତଗତ ହୋଇ ତଳେ ପ୍ରକାଶିତ ହେଲା-

 

ଗୋପନୀୟ ପତ୍ର ନଂ ୧୦୨

 

କଲେକ୍ଟର ବଙ୍ଗଳା

କଟକ

ତା ୨୪।୨।୩୭

 

ପ୍ରିୟ ରାଜାସାହେବ,

 

ଆପଣଙ୍କର ଜମିଦାରୀ ପରିଚାଳନା ସମ୍ୱନ୍ଧରେ ଘନ ଘନ ବିଶୃଙ୍ଖଳା ଘଟୁଥିବାର ସମ୍ୱାଦ ମୋ ପାଖରେ ଆସି ଜମା ହୋଇଛି । ଆପଣ ମାଇନର ଥିବାବେଳେ ଆପଣଙ୍କ ନୈତିକ ଅଧୋଗତି ଯେପରି ଚରମ ସୀମାକୁ ଉଠିଥିଲା ଏବଂ ସେଥିପାଇଁ ଆପଣଙ୍କ ଗାଦିପ୍ରାପ୍ତି ତିନିବର୍ଷ ଅଟକାଇ ଦିଆଯାଇଥିଲା, ତାହା ବୋଧହୁଏ ଆପଣ ଭୁଲି ନ ଥିବେ । ସେତେବେଳେ ଆପଣଙ୍କ ମୁରବିମାନେ ନିର୍ଭର ଜବାବ ଦେଇଥିଲେ ଏବଂ ଆପଣ ମଧ୍ୟ ପ୍ରତିଜ୍ଞା କରିଥିଲେ ଯେ ଏଣିକି ଆପଣଙ୍କର ସ୍ୱଭାବ ପରିବର୍ତ୍ତନ ହେବ ଏବଂ ଆପଣ ଠିକ୍‌ ବାଟରେ ଚାଲି ଜମିଦାରୀ ବୁଝାସୁଝା କରିବେ । ସରକାର ଆପଣଙ୍କ ପ୍ରତିଜ୍ଞାରେ ବିଶେଷ ଆସ୍ଥା ଦେଇ ନଥିଲେ । କିନ୍ତୁ ଆପଣଙ୍କ ମୁରବିମାନେ ଦେଶରେ ବିଶେଷ ପ୍ରତିପତ୍ତଶାଳୀ ଲୋକ ଥିବାରୁ ଓ ସେମାନଙ୍କ ଜବାବ ଅଧିକ ମୂଲ୍ୟବାନ ବୋଲି ସରକାର ମନେ କରୁଥିବାରୁ ସେହି ବ୍ୟକ୍ତି ମାନଙ୍କ ପ୍ରତି ସମ୍ମାନ ଦେଖାଇ ଜମିଦାରୀର ସମସ୍ତ ଅଧିକାର ଆପଣଙ୍କୁ ଦିଆଯାଇଥିଲା ।

 

ମାତ୍ର ମୁଁ ବଡ଼ ଦୁଃଖିତ ଯେ ଆପଣ ନିଜର ପ୍ରତିଜ୍ଞା ରକ୍ଷାକରି ନାହାନ୍ତି ଏବଂ ଦେଶର ଯେଉଁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଆପଣଙ୍କ ଦାୟିତ୍ୱ ମୁଣ୍ଡାଇଥିଲେ, ଆପଣ ସେମାନଙ୍କ ସମ୍ମାନରେ ଗୁରୁତର ଆଘାତ କରି ନାନା ବାଟରେ ସେମାନଙ୍କ ପ୍ରତି ଦୁର୍ବ୍ୟବହାର କରିଛନ୍ତି । କେତେକ ଅଦୂରଦର୍ଶୀ ସ୍ୱଭାବ ଚରିତ୍ରହୀନ ଯୁବକମାନଙ୍କୁ ପାଖରେ ରଖି ସେମାନଙ୍କ ଦ୍ୱାରା ଏଷ୍ଟେଟ୍‌ ପ୍ରଜାମାନଙ୍କ ପ୍ରତି ବିସ୍ତର ଅତ୍ୟାଚାର କରୁଛନ୍ତି ଏବଂ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନାନା ବାଟରେ ନିର୍ଯାତିତ ଓ ଅପମାନିତ କରୁଛନ୍ତି । ଅର୍ଥନୀତି ପ୍ରତି ଆପଣଙ୍କର ମୋଟେ ଭ୍ରୂକ୍ଷେପ ନାହିଁ । ଅମଲାମାନେ ବର୍ଷେ ହେଲା ବେତନ ପାଇନାହାନ୍ତି । ସ୍ଥାନୀୟ ଲୋକହିତକର ଅନୁଷ୍ଠାନ ସବୁ ପ୍ରାୟ ବନ୍ଦ ହେବାକୁ ବସିଲାଣି । ଆପଣଙ୍କ ଋଣ ବର୍ତ୍ତମାନ ତିନି ଲକ୍ଷ ଟଙ୍କାରୁ ଅଧିକ ହେଲାଣି । ବିଶେଷତଃ ସରକାରୀ ରାଜସ୍ୱ ତିନି କିସ୍ତି ହେଲା ଦାଖଲ ନ ହୋଇ ବାକି ପଡ଼ିଛି । ଋଣ ଓ ରାଜସ୍ୱ ବାକି ପରିଶୋଧ ପାଇଁ ଆପଣ କି ବ୍ୟବସ୍ଥା କରୁଛନ୍ତି, ତାହା ମୋତେ ସାତଦିନ ମଧ୍ୟରେ ଜଣାଇବେ ।

 

ଏହା ଛଡ଼ା ମୁଁ ଆପଣଙ୍କୁ ଜୁନ୍‌ ଶେଷ ପର୍ଯ୍ୟନ୍ତ ସମୟ ଦେଲି । ଏହି ସମୟ ଭିତରେ ଆପଣ ସ୍ୱଭାବ ପରିବର୍ତ୍ତନ କରି ଏଷ୍ଟେଟ୍‌ର ଶୃଙ୍ଖଳା ବିଧାନ ନ କଲେ ମୁଁ ସରକାରଙ୍କୁ ଜଣାଇ ଆପଣଙ୍କ ଏଷ୍ଟେଟ୍‌ ଓ୍ୱାର୍ଡସ୍‍ ଅଧୀନରେ ରଖିବାକୁ ବାଧ୍ୟ ହେବି ।

 

ଆପଣଙ୍କର ବିଶ୍ୱସ୍ତ ବନ୍ଧୁ

ଯେ, ଏନ୍‌. ବ୍ରାଇଟନ

 

ଗୋଟାଏ ବମ୍‌ ଫୁଟିଥିଲେ ଯେଉଁ ଅବସ୍ଥା ହୋଇଥାନ୍ତା, ଏ ପତ୍ର ରାଜାଙ୍କ ମନରେ ତା’ର ଚତୁର୍ଗୁଣ ଅବସ୍ଥା ଆଣିଦେଲା । ତାଙ୍କ ମୁଣ୍ଡ ଘୂରିଗଲା । ସେ ଘଡ଼ିଏ କାଳ ଅଜ୍ଞାନ ହୋଇ ଆରାମ ଚୌକିରେ ପଡ଼ିରହିଲେ । ଏଥିରୁ ଏତିକି ତଥ୍ୟ ସେ କେବଳ ସଂଗ୍ରହ କଲେ ଯେ ଚାବୁକ୍‍ ଖିଆ ମ୍ୟାନେଜର ତାଙ୍କ ବିରୁଦ୍ଧରେ ସାହେବଙ୍କଠାରେ କିଛି ଅଭିଯୋଗ ଆଣିନାହିଁ । ତାହା ହୋଇଥିଲେ ଏ ପତ୍ରରେ ତା’ର ଉଲ୍ଲେଖ ଥାନ୍ତା କିମ୍ବା କିଛି ସୂଚନା ଦିଆଯାଇଥାନ୍ତା । ସହସ୍ର ଅଶାନ୍ତି ମଧ୍ୟରେ କ୍ଷୀଣ ଆଶ୍ୱାସନା ଟିକିଏ ପାଇ ସେ ଏଣେତେଣେ ପଦଚାରଣ କଲେ ଏବଂ ଚପରାଶିକି ଦଶଟଙ୍କା ବକ୍ସିସ୍‌ ଦେଇ ବିଦାୟ କରିଦେଲେ ।

 

ଏବେ କଥା ହେଲାଣି, କଲେକ୍ଟରଙ୍କୁ ସାତଦିନ ମଧ୍ୟରେ ଚିଠିର ଜବାବ ଦେବାକୁ ହେବ-। କଅଣ ସେ ଜବାବ ଦେବେ ? ଜମିଦାରୀର ତିନି କିସ୍ତିର ବାକି ରାଜସ୍ୱ ଦୁଇଲକ୍ଷ ଚାଳିଶ ହଜାର ଟଙ୍କା ଏବଂ କଟକ ଓ କଲିକତାର ମହାଜନମାନଙ୍କ ଋଣ ତିନିଲକ୍ଷ ଟଙ୍କା । ଏପରି ପାଞ୍ଚ ଲକ୍ଷ ଚାଳିଶ ହଜାର ଟଙ୍କା ପରିଶୋଧ କରିବାକୁ ସେ କ’ଣ ବ୍ୟବସ୍ଥା କରିଛନ୍ତି ଯେ ସାହେବଙ୍କୁ ଜଣାଇ ତାଙ୍କୁ ସନ୍ତୁଷ୍ଟ କରିବେ ? ପୁଣି ଜୁନ୍‌ ଶେଷ ମଧ୍ୟରେ ଏଷ୍ଟେଟ୍‌ର କି ଶୃଙ୍ଖଳା ବା ସେ କରିପାରିବେ ? ସବୁପାଇଁ ତ ଟଙ୍କା ଦର୍କାର । ନିତାନ୍ତ ପକ୍ଷେ ସାତ ଲକ୍ଷ ଟଙ୍କା ନ ହେଲେ ଏ ଦାୟରୁ ନିଷ୍କୃତି ମିଳିବା ଅସମ୍ଭବ । କିଏ ବା ତାଙ୍କୁ ଏତେ ଟଙ୍କା ଦେବ ? ତାଙ୍କର ଏପରି ଦେୱାଲିଆ ଅବସ୍ଥାରେ କିଏ ସାହସ କରିବ ? ଆଜି ତାଙ୍କର ସବୁ ଦ୍ୱାର ରୁଦ୍ଧ, ସବୁ ଆଶା ଭରସା ଅଗ୍ନିସାତ୍‌ ।

 

ଏପରି ନାନା ଚିନ୍ତା କରୁ କରୁ ତାଙ୍କ ମନରେ ଗୁରୁତର କ୍ଷୋଭ ଜାତ ହେଲା । ସେ ନିରୋଳାରେ ବସି ବହୁତ କାନ୍ଦିଲେ । ଏ ଘୋର ଦୁର୍ଦ୍ଦଶାର ଅନ୍ଧକାର ଭିତରେ ଆଶାର ସାମାନ୍ୟ ଅଗ୍ନିସ୍ଫୁଲିଙ୍ଗଟିଏ ସୁଦ୍ଧା ତାଙ୍କ ଆଖିରେ ପଡ଼ିଲା ନାହିଁ । କ୍ଷୋଭ, ଶୋକ ଓ ଦୁଶ୍ଚିନ୍ତାର ଆଧିକ୍ୟରୁ ତାଙ୍କୁ ନିଦ୍ରା ଆସିଗଲା । ସେତେବେଳକୁ ଦିନ ତିନିଟା ।

 

ରାତି ଆଠଟା ବେଳକୁ ତାଙ୍କର ନିଦ୍ରାଭଙ୍ଗ ହେଲା । ସେ ବିଛଣାରେ ପଡ଼ି ରହି ଖାଲି ଦୁଶ୍ଚିନ୍ତାରେ ଘାରିହେଲେ । ତାଙ୍କୁ ସବୁଆଡ଼ ବିଭୀଷିକାମୟ ମନେ ହେଲା । ତେଣୁ ଉଠି ବାହାରକୁ ଯିବାକୁ ତାଙ୍କର ସାହସ ହେଲା ନାହିଁ । ସେ କ’ଣ କରିବେ, କି ଉପାୟରେ ଏ ବିପଦରୁ ରକ୍ଷା ପାଇବେ, ଏ ବିଷୟରେ ଅନେକ ଭାବି ଭାବି କିଛି କୂଳକିନାରା ପାଇଲେ ନାହିଁ । ହତାଶଭାବରେ ଘଡ଼ିଏ କାଳ ଏପଟ ସେପଟ ହେଲେ । ତା’ପରେ ପୁଣି ଭାବିଲେ, ସାତ ଦିନରୁ ଆଜି ଦିନଟି ଗଲା । ଆଉ ଛଅଦିନ ମାତ୍ର ବାକି । ଏ ମଧ୍ୟରେ ଜବାବ ନ ଗଲେ ଏ ଜମିଦାରୀ ଆଉ ହାତରେ ରହିବ ନାହିଁ । ସେ ପଡ଼ି ଗଣ୍ଡାଏ ପାଇ କେବଳ ରହିବେ । ତା’ ଅପେକ୍ଷା ମୃତ୍ୟୁ ଶତଗୁଣରେ ଶ୍ରେୟସ୍କର । ଏପରି ଚିନ୍ତାରେ ଘାରି ହେଉ ହେଉ ତାଙ୍କ ମନରେ ପଡ଼ିଗଲେ ରାମହରି ମିଶ୍ରେ । ତାଙ୍କ ଆଖି ଦଣ୍ଡେ ଉଜ୍ଜ୍ୱଳ ହୋଇ ଉଠିଲା । ପୁଣି ପରକ୍ଷଣରେ ତାହା କୁଆଡ଼େ ଲିଭିଗଲା । ସେ ଭାବିଲେ, ରାମବାବୁ ଅବଶ୍ୟ ଏ ବିପଦରେ ସାହାଯ୍ୟ ହୁଅନ୍ତେ । ମାତ୍ର ତାଙ୍କ ପ୍ରତି ସେ ଦିନେହେଲେ ସଦ୍‌ବ୍ୟବହାର ଦେଖାଇ ନାହାନ୍ତି । ବରଂ ତାଙ୍କୁ ନାନା ବାଟରେ ସେ ଅଶାନ୍ତି ଦେଇଚନ୍ତି । ତାଙ୍କ ସତ୍‌ପରାମର୍ଶ ସେ ଗ୍ରହଣ କରିନାହାନ୍ତି । ଓଲଟି ତା’ ଉତ୍ତରରେ ତାଙ୍କୁ ଅପମାନ ଓ ଦାରୁଣ ଯନ୍ତ୍ରଣା ଦେଇଚନ୍ତି । ରାମବାବୁ ଉଦାର ଲୋକ, ସବୁ ସହି ଯାଇଚନ୍ତି । ଯାହାହେଉ ଏ ବିପଦ ସମୟରେ ତାଙ୍କର ଆଶ୍ରୟଭିକ୍ଷା କଲେ ସେ ଉଦାର ଗୁଣରେ ଅବଶ୍ୟ ସବୁ ଭୁଲିଯିବେ, ଏବଂ ଏ ଗାଦି ରକ୍ଷାପାଇଁ ଉପାୟ କରିବେ ।

 

ଏ ବିଚାର ବଦ୍ଧମୂଳ ହେବାରୁ ସେ ଉଠି ପଦାକୁ ଆସିଲେ ଏବଂ ଆଲମାରୀ ଖୋଲି ତହିଁରୁ ଗୋଟିଏ ଦୁଇଶତ ଟଙ୍କା ମୂଲ୍ୟର ହୀରାବସା ମୁଦି ଓ ଷାଠିଏ ଭରି ସୁନାର ଗୋଟିଏ ବଡ଼ ଚେନ୍‌ ପକେଟରେ ରଖିଲେ । ଆଦେଶ ପାଇ ଡ୍ରାଇଭର ମଟର ଆଣି ଠିଆ କଲା । ରାଜା ଏକାକୀ ତହିଁରେ ବସି କୁଆଡ଼େ ଅଦୃଶ୍ୟ ହୋଇଗଲେ ।

•••

 

–ପାଞ୍ଚ–

 

ରାତି ଦଶଟା ସମୟରେ ରାମହରିବାବୁ ଭୋଜନରେ ବସିଥିଲେ । ତାଙ୍କ ସ୍ତ୍ରୀ ତାରାମଣି ପାଖରେ ବସି ପଙ୍ଖା କରୁଥିଲେ । ରଜାଘର କଥା, ଚାବୁକଖିଆ ମ୍ୟାନେଜର କଥା, କଟକ କଥା, ଏପରି ନାନା ଖଟା ମିଠା ଗପ ପଡ଼ିଥିଲା । ଗପର ମାଦକତା ଭିତରେ ଗୁଣ୍ଡାଟିମାନ ବାବୁଙ୍କ ଅଜ୍ଞାତରେ କୁଆଡ଼େ ଖସି ଯାଉଥିଲା । ଏ ସମୟରେ କିଏ ଜଣେ ତାଙ୍କ ନାମ ଧରି ଦାଣ୍ଡରେ ଡାକୁଥିବାର ଶୁଣାଗଲା । ସେ କହୁଥିଲା, ‘‘ରାମହରିବାବୁ, ଦରଜା ଖୋଲନ୍ତୁ । ମୁଁ ଜଣେ ଆପଣଙ୍କର ବନ୍ଧୁ । ପର ନୁହେଁ, ବହୁ ଦୂରରୁ ଆସିଛି ।’’ ରାମହରିବାବୁ ତାରାମଣିଙ୍କ ମୁହଁକୁ ଚାହିଁ ଜିଜ୍ଞାସୁ ଭାବରେ କହିଲେ, ‘‘ଇଏ କଣ ନିଧି ଆସିଲା କି ?’’ ତାରାମଣି କହିଲେ, ‘‘ହେଇପାରେ, ସୁବିଧା ହେଲେ ସେ ନିକଟରେ ଆସିବ ବୋଲି ତ ଲେଖିଥିଲା ।’’ ରାମହରିବାବୁ ଆଗନ୍ତୁକକୁ ନିଧି ମନେକରି ଟିକିଏ ରହସ୍ୟ କରି କହିଲେ, ‘‘ରାତିରେ ବନ୍ଧୁ ଆସେ ନା, ଚୋର ଆସେ । ଚୋରପାଇଁ କବାଟ ଖୋଲାଯାଏ ନାହିଁ । ବନ୍ଧୁ ହେଲେ ସେ ବାରଣ୍ଡାରେ ରାତିକ ରହନ୍ତୁ । ସକାଳେ ଦେଖି ଚାହିଁ ଘରକୁ ଅଣାଯିବ ।’’

 

ଏହା କହୁ କହୁ ଚାକର ଯାଇ କବାଟ ଖୋଲି ଦେଲା । ବନ୍ଧୁ ସେ ଭୋଜନ ସ୍ଥାନକୁ ନିଃସଙ୍କୋଚରେ ସିଧା ଚାଲି ଆସିଲେ । ରାମବାବୁ ଓ ତାରାମଣି ଚାହିଁ ଦେଖିଲେ, ସେ ଶାଳକ ନିଧି ନୁହନ୍ତି, ସ୍ୱୟଂ ଶାସକ ଭ୍ରମରବର ରାଏଟ୍‌ ସିଂହ । ସେ ଦୁହେଁ ଆବାକାବା ହୋଇ ବଲବଲ କରି ଚାହିଁ ରହିଲେ । କିଛି କର୍ତ୍ତବ୍ୟ ସ୍ଥିର କରି ପାରିଲେ ନାହିଁ । ରାଜା ଏପରି ଅପ୍ରତ୍ୟାଶିତ ଭାବରେ ଏ ଅସମୟରେ ସେମାନଙ୍କ ଘରକୁ ଆସି ସିଧା ସିଧା ଖାଇବା ଜାଗାକୁ ଚାଲିଯିବେ, ଏ କଥା ସେମାନେ କିପରି ଆଶା କରନ୍ତେ ? ଟିକିଏ ପରେ ତାରାମଣି ପ୍ରକୃତିସ୍ଥ ହୋଇ ଲଜ୍ଜାବଶତଃ ଲୁଚି ଯାଉଥିଲେ । ରାଜା ତାଙ୍କୁ ବାରଣକରି କହିଲେ, ‘‘ମୋର ଶପଥ, ଲୁଚି ଯା’ନ୍ତୁ ନାହିଁ । ମୋ କଥା ଶୁଣନ୍ତୁ । ମୁଁ ଦୁଇଦିନ ହେଲା କିଛି ଖାଇ ନାହିଁ । ମୋତେ ବଡ଼ କ୍ଷୁଧା ହେଉଛି । ମୋ ପାଇଁ ଏଠାକୁ ଖାଇବାକୁ ନେଇ ଆସନ୍ତୁ ।’’ ଏହା କହୁ କହୁ ସେ ଗୋଟିଏ ଆସନ ଧରି ରାମବାବୁଙ୍କ ସାମନାରେ ବସି ପଡ଼ିଲେ । ରାମବାବୁ ଆଗ୍ରହଭରା କଣ୍ଠରେ କହିଲେ, ‘‘ଆଉ ଚାହିଁଛ କଅଣ ? ଯାହା ଅଛି, ନେଇ ଆସ । ଭଗବାନ ତ ପୁଣି ବିଦୂରଘରେ ଶାଗଭାଜା ଓ ସୁଦାମାଠାରୁ ଖୁଦ ଖାଇଥିଲେ । ଆଣ, ଏଭାଗ୍ୟ କେତେଲୋକ ପାଆନ୍ତି ?’’ ତାରାମଣି ସ୍ଖଳିତ ପଦରେ ରୋଷଘରକୁ ଯାଇ ଯାହା ଥିଲା, ତାହାସବୁ ବଢ଼ାବଢ଼ି କରି ନେଇ ଆସିଲେ ଏବଂ ରାଜାଙ୍କ ଆଗରେ ଥୋଇ ଦେଲେ । କୁଣ୍ଡ, ଝରି, ଗ୍ଲାସ ମଧ୍ୟ ପାଖରେ ରଖିଦେଲେ । ରାଜା ମୁହଁ ଧୋଇ ଆନନ୍ଦରେ ଆକଣ୍ଠଭୋଜନ କଲେ । ମଧ୍ୟରେ କଥା ପଡ଼ିଲା,- ରାଜା ପଚାରିଲେ ‘‘ଆପଣମାନେ ମୋ ଡାକ ଶୁଣି ମୁଁ କିଏ ବୋଲି ବିଚାରି ଥିଲେ ?’’ ରାମବାବୁ କହିଲେ, ‘‘ମୋ ଶାଳକ ନିଧି ଆସିବ ବୋଲି ଆଗରୁ ପତ୍ର ଦେଇଥିଲା । ଆମେ ବିଚାରିଲୁ, ସେଇ ଆସିଛି ।’’ ରାଜା ଗୋଟାଏ ବଡ଼ ହସ ହସି କହିଲେ ‘‘ତେବେ ମୋତେ ସେହି ନିଧି ବୋଲି ମନେ କରନ୍ତୁ ।’’ ତାରାମଣିଙ୍କି ଚାହିଁ କହିଲେ, ‘‘ଆପଣ ମୋର ଆଜିଠାରୁ ଅପା-। ମୋତେ ଛୋଟ ଭାଇଟିପରି ଦେଖିବେ କି ନା କହନ୍ତୁ ?’’ ଏଥିରେ ତାରାମଣିଙ୍କ ମନରୁ ଲଜ୍ଜା, ସଂକୋଚ, ଭୟ ସବୁ ଚାଲିଗଲା । ସେ ସ୍ମିତହାସ୍ୟ କରି କହିଲେ, ‘‘ଏପରି ଜଣେ ରାଜା ଭାଇ କାହା ଭାଗ୍ୟରେ ଥାଏ ? ଛାମୁ ମୋତେ ଯଦି ଅପା ବୋଲି ଭାବିଲେ, ମୁଁ ଛାମୁଙ୍କୁ ଭାଇ ବୋଲି ନ ଭାବିବି କିପରି ?’’

 

ଏପରି ମଧୁର ଆଳାପ ଭିତରେ ଖିଆପିଆ ଶେଷ ହେଲା । ରାଜା ଓ ରାମହରିବାବୁ ହାତ ମୁହଁ ଧୋଇ ତାରାମଣିଙ୍କି ସଙ୍ଗରେ ଧରି ବୈଠକଘରକୁ ଗଲେ । ରାଜା ସେଠାରେ ପକେଟରୁ ମହାପ୍ରସାଦ ଚଉପତିଏ ବାହାର କରି ତାରାମଣିଙ୍କ ହାତରେ ଦେଇ କହିଲେ, ‘‘ଅପା ! ତମେ ଯଥାର୍ଥରେ ଆଜିଠାରୁ ମୋର ଅପା । ମୋତେ ଛୋଟ ଭାଇଟି ପରି ସ୍ନେହ ଆଦର କଲେ ମୁଁ କୃତାର୍ଥ ହେବି ।’’ ତାରାମଣି ତାହା ଗ୍ରହଣ କରି କହିଲେ, ‘‘ମୁଁ ମହାପ୍ରସାଦ ଦ୍ରୋହୀ ହେବିନାହିଁ । ଏହା ଗ୍ରହଣ କଲି । ମୁଁ ତୁମ୍ଭଙ୍କୁ ବରାବର ଭାଇ ପରି ଦେଖିବି । ପ୍ରଭୁ ତୁମ୍ଭର ମଙ୍ଗଳ କରନ୍ତୁ । ଭଲ ବୁଦ୍ଧି ଦିଅନ୍ତୁ ।’’ ରାଜା ତାଙ୍କ ଗୋଡ଼ତଳେ ମୁଣ୍ଡିଆ ମାରିସାରି ମିଶ୍ରଙ୍କ ଗୋଡ଼ତଳେ ମୁଣ୍ଡିଆ ମାଇଲା ବେଳକୁ ସେ ହଠାତ୍‌ ତାଙ୍କୁ ଉଠାଇ ଆଲିଙ୍ଗନ କଲେ । ରାଜା କହିଲେ, ‘‘ଆପଣ ମୋର ଆଜିଠାରୁ ଭିଣୋଇ । ମୋତେ ଛୋଟ ଭାଇପରି ଦେଖି ସେପରି ବ୍ୟବହାର କଲେ ମୁଁ କୃତାର୍ଥ ହେବ ।’’ ରାମବାବୁ ହସି ହସି କହିଲେ, ‘‘ମୋର ବଡ଼ ଭାଗ୍ୟ ଆଜି । ମୁଁ ରାଜାଙ୍କୁ ମୋର ଶାଳକରୂପେ ପାଇଛି ।’’

 

ରାଜା ତା’ପରେ ଅପର ପକେଟରୁ ଚେନ୍‌ଟି ବାହାର କରି ତାରାମଣିଙ୍କ ଗଳାରେ ଲମ୍ୱେଇ ଦେଇ କହିଲେ, ‘‘ଅପା ! ମୁଁ ତୁମକୁ ଉପହାର ଦେବାକୁ ଏ ହାରଟି ଆଣିଛି ।’’ ସୁନା ମୁଦିଟି ସେହିପରି ରାମହରିବାବୁଙ୍କ ଆଙ୍ଗୁଠିରେ ଗଳାଇଦେଇ କହିଲେ, ‘‘ଭିଣୋଇ ଏଇଟି ଆପଣଙ୍କର ଉପହାର ।’’ ଏ ମଧୁର ମୁହୂର୍ତ୍ତ ଅଳ୍ପ ସମୟ ସ୍ଥାୟୀ ହୋଇଥିଲା । ରାଜା ଏ ମଧ୍ୟରେ ତାଙ୍କର ଘୋର ମାନସିକ ଦୁଃଖ ଯନ୍ତ୍ରଣା ସବୁ ଭୁଲି ଯାଇଥିଲେ । ଏ ମୁହୂର୍ତ୍ତ ତାଙ୍କୁ ଏତେ ପ୍ରୀତିକର ବୋଧ ହେଉଥିଲା ଯେ, ସେ ତହିଁରେ ଘଡ଼ିଏ କାଳ ବିଭୋର ହୋଇ ଯାଇଥିଲେ । ଆବାଲ୍ୟରୁ ଏପରି ଗୋଟିଏ ସରସ ଅବସ୍ଥା ସେ କେବେହେଁ ଭୋଗି ନଥିଲେ । ଶୈଶବରୁ ପିତୃମାତୃ ହୀନ ହୋଇ ନିହାତି ଅପରିଚିତ ଲୋକମାନଙ୍କ ପରିଚାଳନାରେ ପାଠ୍ୟାବସ୍ଥା କଟାଇଥିଲେ । ଯାହାଙ୍କୁ ବିବାହ କରିଥିଲେ, ସେ ଖୁବ୍‌ ବିଦୂଷୀ ଖୁବ୍‌ ସ୍ନେହଶୀଳା ହେଲେହେଁ ତାଙ୍କ ପ୍ରାଣର ବାତ୍ସଲ୍ୟ କ୍ଷୁଧା ମେଣ୍ଟାଇପାରି ନଥିଲେ । ବର୍ତ୍ତମାନ ଏଠାରେ ତା’ର ଗୋଟିଏ କ୍ଷୀଣ ସୂଚନା ପାଇ ସେ ଜୀବନକୁ ଧନ୍ୟ ମନେ କଲେ ଏବଂ ଏହା ବୃଦ୍ଧି ପାଇବାର ଆଶା ରଖି ତହିଁରେ ମାତି ଉଠିଲେ । ଗ୍ରୀଷ୍ମର ଉତ୍ତପ୍ତ ବାୟୁମଣ୍ଡଳ ଦେହରେ ମୌସୁମୀର ଶୀତଳତା ସ୍ପର୍ଶ କଲେ ତାହା ଯେପରି ଜଳରେ ଭରି ଯାଇ ଅଗଣିତ ଧାରାରେ ବର୍ଷିଯାଏ, ଏ ମଧୁର ମୁହୂର୍ତ୍ତର ସ୍ପର୍ଶ ପାଇ ରାଜାଙ୍କ ଦୁଃଖ ଶୋକତପ୍ତ ହୃଦୟ ସେହିପରି ତରଳି ଗଲା । ସେ କାନ୍ଦିବାରେ ଲାଗିଲେ ।

 

ରାଜାଙ୍କ ଉଚ୍ଛ୍ୱସିତ ଶୋକର ଆବେଗ ଅଧଘଣ୍ଟାଏ ପର୍ଯ୍ୟନ୍ତ ଲାଗି ରହିଲା । କେତେଦିନର ଦୁଃଖ ଭାରାକ୍ରାନ୍ତ ହୃଦୟରେ ଯେଉଁ ପାହାଡ଼ଟିଏ ସୃଷ୍ଟି ହୋଇଥିଲା, ତାହା ଫାଟି ତା’ ଭିତରୁ ଗୋଟାଏ ପ୍ରବାହ ଛୁଟି ଆସିଲା । ତାରାମଣି ଓ ରାମହରିବାବୁଙ୍କ ଶତ ଆଶ୍ୱାସନା ଶତ ପ୍ରବୋଧ ବାକ୍ୟ କୌଣସିମତେ ସେ ସ୍ରୋତକୁ ଅଟକାଇ ପାରିଲା ନାହିଁ । ତାରାମଣି ତାଙ୍କ ସମସ୍ତ ଦୁର୍ବ୍ୟବହାର ଓ ଅତ୍ୟାଚାର ଭୁଲି ଯାଇ ନିଜ ଲୁଗା କାନିରେ ତାଙ୍କ ଆଖିରୁ ଲୁହ ପୋଛୁ ପୋଛୁ କହିଲେ, ‘‘ଛି ! ସୁନାଭାଇଟି ମୋର ! ଏତେ ବଡ଼ଲୋକ ହୋଇ ଏପରି ବ୍ୟାକୁଳ ହେବା ଉଚିତ ନୁହେଁ । ଶାନ୍ତ ହୁଅ ।’’ ଏ କୋମଳ ଆଶ୍ୱାସନାରେ ରାଜାଙ୍କ ଶୋକ ଦୂର ହୋଇଗଲା । ମାତ୍ର ଶୋକର ନୀରବ ପ୍ରଭାବ ତାଙ୍କୁ ଘଡ଼ିଏ କାଳ ବ୍ୟାପୃତ କରି ରଖିଥିଲା । କୋଡ଼ିଏ ମିନିଟ୍‌ ପରେ ସେ କହିଲେ, ‘‘ରାମହରିବାବୁ ! ମୁଁ ଏଠାକୁ ଆଶ୍ରୟ ଭିକ୍ଷା କରିବାକୁ ଆସିଛି । ମୁଁ ବର୍ତ୍ତମାନ ଗୁରୁତର ବିପଦର ଅକୂଳ ଜଳସ୍ରୋତରେ ଭାସୁଛି । କୂଳରେ ପହଞ୍ଚିବାକୁ ଉପାୟ ପାଉନାହିଁ । ମୋତେ ଆପଣ ଆଶ୍ରୟ ଦେବେ କି ନା କହନ୍ତୁ ।’’ ରାମହରିବାବୁ କହିଲେ, ‘‘ରାଜାସିନା ସାଧାରଣଙ୍କୁ ଆଶ୍ରୟ ଦିଅନ୍ତି । ସାଧାରଣ କ’ଣ ରାଜାଙ୍କୁ ଆଶ୍ରୟ ଦେବେ ? ଆପଣ ଓଲଟା କଥା କହୁଛନ୍ତି ।’’ ରାଜା କହିଲେ, ‘‘ଓଲଟା କଥା ହୋଇଛି ନିଶ୍ଚୟ, ତାହା କାଳଗତିର ପ୍ରଭାବରେ । ଏ ଗଣତନ୍ତ୍ର ଯୁଗରେ ସାଧାରଣ ଲୋକେ ରାଜାଙ୍କୁ ଆଶ୍ରୟ ନଦେଲେ ରାଜାମାନେ ଦଣ୍ଡେ ତିଷ୍ଠି ପାରିବେ ନାହିଁ । ସେ ଅଲଗା କଥା । ମୁଁ ବର୍ତ୍ତମାନ ଘୋର ବିପଦରେ ପଡ଼ିଛି । ମ୍ୟାନେଜର ଓ ତା’ ଦଳ ମୋ ମୁଣ୍ଡଖାଇ ମୋର ସର୍ବନାଶ କରିଛନ୍ତି । ମୋର ସର୍ବସ୍ୱ ଲୁଟିକରି ମୋତେ ନେଇ ଦାଣ୍ଡରେ ଠିଆ କରି ଦେଇଛନ୍ତି । ସ୍ଥାନୀୟ ଭଦ୍ରଲୋକ ଓ ପ୍ରଜାସାଧାରଣଙ୍କ ଭିତରେ ସେମାନେ ବାଡ଼ପରି ରହି ଆମ ଭିତରେ ଗୋଟାଏ ସମୁଦ୍ର ବ୍ୟବଧାନ କରି ଦେଇଛନ୍ତି । ମ୍ୟାନେଜରର ଅତ୍ୟାଚାର ଓ ଔଦ୍ଧତ୍ୟ ମୁଁ ସମ୍ଭାଳିନପାରି ତାକୁ ଚାବୁକ ପ୍ରହାର କରିବା ଫଳରେ ସେ ନିଜ ଦଳସହ କଟକ ପଳାଇ ଯାଇଛି । ସେଠାରେ ସେ କଅଣ ମୋ ବିରୁଦ୍ଧରେ କରୁଛି, ମୁଁ ଜାଣିପାରୁ ନାହିଁ । ମୁଁ ବର୍ତ୍ତମାନ ସହାୟସମ୍ବଳହୀନ । ମୁଁ କଅଣ କରିବି ?’’ ରାମହରିବାବୁ ତାଙ୍କୁ ଆଶ୍ୱାସନା ଦେଇ କହିଲେ, ‘‘କିଛି ଚିନ୍ତା କରନ୍ତୁ ନାହିଁ ।’’ ଏ ଅବସ୍ଥାଟା ବେଶି ସମୟ ସ୍ଥାୟୀ ହେବ ନାହିଁ । ଯେପରି ଶୀଘ୍ର ଆସିଛି, ସେପରି ଶୀଘ୍ର ଚାଲିଯିବ । ତେବେ ଏ ଦୁଃସମୟରେ ଆପଣଙ୍କୁ ସାହାଯ୍ୟ କରିବାକୁ ମୁଁ କୁଣ୍ଠିତ ନୁହେଁ । ମୋତେ କ’ଣ କରିବାକୁ କହୁଛନ୍ତି ?’’ ରାଜା କହିଲେ, ‘‘ଆପଣ ଦାଣ୍ଡକୁ ଦେଖାଇବା ପାଇଁ ମ୍ୟାନେଜର ପଦ ଗ୍ରହଣକରି ଯଥାର୍ଥରେ ମୋର ଅଭିଭାବକ କାର୍ଯ୍ୟ କରନ୍ତୁ ଏବଂ ମୋତେ ସତ୍‌ପଥରେ ପରିଚାଳିତକରି ମୋର ଉନ୍ନତି ବିଧାନ କରନ୍ତୁ । ଏତିକି ମୋର ଆପଣଙ୍କୁ ପ୍ରାର୍ଥନା ।’’ ରାମହରିବାବୁ ଟିକିଏ ଗମ୍ଭୀର ହୋଇ ତାରାମଣିଙ୍କ ଆଡ଼କୁ ଚାହିଁଲେ । ସେ କିଛି ସମୟ ନିରୁତ୍ତର ହେବାର ଦେଖି ରାଜା ପୁଣି କହିଲେ, ‘‘ଆପଣ ମୋତେ ସନ୍ଦେହ କରୁଛନ୍ତି ଏବଂ ମୋ କଥାକୁ ଅବିଶ୍ୱାସ କରୁଛନ୍ତି । ଏହା ବାସ୍ତବିକ ସ୍ୱାଭାବିକ । ଅତୀତରେ ମୁଁ ଆପଣଙ୍କ ଉପଦେଶକୁ ପାଦରେ ଠେଲି ଦେଇଛି- ଆପଣଙ୍କ ପ୍ରତି ନାନାଦି ଦୁର୍ବ୍ୟବହାର କରିଛି । ଆପଣଙ୍କୁ କେବେହେଁ ଆପଣାର କରିବାକୁ ଚେଷ୍ଟା କରିନାହିଁ । ଏହା ଖାଣ୍ଟିସତ୍ୟ । ତେବେ ଏହା ମୋର ଦୋଷ ନୁହେଁ; ମୋ ଦୁର୍ଭାଗ୍ୟର ଦୋଷ ଏବଂ ସେ କୁତ୍ସିତଦଳଙ୍କ ଦୋଷ । ଏବେ ସେ କୁତ୍ସିତଦଳ ଆଉ ନାହାନ୍ତି । ମୋର ପରିବର୍ତ୍ତିତ ଭାଗ୍ୟ ସେମାନଙ୍କୁ ମାରି ତଡ଼ି ଦେଇଛି । ମୁଁ ଆଶା କରୁଛି, ଆପଣଙ୍କ ଦ୍ୱାରା ମୋର ସୌଭାଗ୍ୟ ଉଦୟ ହେବ । ତେଣୁ ମୁଁ ଆପଣଙ୍କର ଶରଣ ପ୍ରାର୍ଥୀ ।’’

 

ତାରାମଣି କହିଲେ, ‘‘ଆଉ ଭାବୁଛ କଅଣ ? ସେ ମହାପ୍ରସାଦ ଦେଇ ମୋର ଭାଇ ହୋଇଛନ୍ତି । ସେ ଆମର ଆଶ୍ରୟ ଚାହୁଁଛନ୍ତି । ଆମେ ତାହା ଦେବା ଉଚିତ । ମନୁଷ୍ୟର ଭାଗ୍ୟ ସବୁବେଳେ ସମାନ ରହେ ନାହିଁ । କେତେବେଳେ ଉଠୁଛି ତ କେତେବେଳେ ପଡ଼ୁଛି । କେଉଁ ଅବସ୍ଥା ମୋହରେ ପଡ଼ି ମନୁଷ୍ୟ କଣ କରି ପକାଏ, ତା’ର ଠିକ୍‍ଣା ନାହିଁ । ପରକ୍ଷଣରେ ତା’ର ଅନୁଶୋଚନା ଆସେ । ସେ ମାର୍ଗ ବଦଳାଇବାକୁ ବାଧ୍ୟ ହୁଏ । ଆଜି ରାଜାଙ୍କ କଥା ସେହିପରି । ଅବସ୍ଥା ଚକ୍ରରେପଡ଼ି କେତେ ଗୁଡ଼ାଏ ଅନୀତି କରି ଦେଇଛନ୍ତି ବୋଲି ଯେ ସେ ଆଉ ଭଲଲୋକ ନ ହେବେ, ଏପରି ନୁହେଁ । ଏହା ନିଶ୍ଚୟ ତାଙ୍କ ଭାଗ୍ୟ ପରିବର୍ତ୍ତନର ଚିହ୍ନ ।’’

 

ରାମବାବୁ ଟିକିଏ କରେଇ କରେଇ ଚାହିଁ ତାରାମଣିଙ୍କି କହିଲେ, ମୁଁ ଅବଶ୍ୟ ସେ କଥା ମାନୁଛି । ତେବେ ରାଜା ମୋ କଥାରେ ଚଳିଲେ ତ ହୁଏ । ଆଜି ଉଚ୍ଛୃଙ୍ଖଳ ଦଳ ଚାଲିଯାଇଛନ୍ତି ବୋଲି ସେ ନିଜକୁ ନିଃସହାୟ ମନେ କରୁଛନ୍ତି । ପୁଣି ସେପରି ଆଉ ଦଳେ ଯୁଟିଲେ ମୋ କଥାର କୌଣସି ମୂଲ୍ୟ ରହୁନଥିବ । ଏଥିରୁ ଏହି ଫଳ ହେବ ଯେ ଯାବତ୍‌ ଅଶାନ୍ତି ସେମାନେ ମୋ ନାମରେ ସୃଷ୍ଟି କରିବେ । ସରକାରଙ୍କର ମୋ ପ୍ରତି ଯେଉଁ ଆସ୍ଥା ଅଛି, ସେ ଟିକକ ଯିବ ।

 

ରାଜା ରାମହରିଙ୍କ ହାତଧରି ପକାଇ କହିଲେ, ‘‘ମୁଁ ଜଗନାଥଙ୍କ ନାମରେ ଶପଥ କରି କହୁଛି ଆପଣଙ୍କ ବିନାନୁମତିରେ କୌଣସି ଲୋକ ମୋ ପାଖରେ ସ୍ଥାନ ପାଇବ ନାହିଁ । ଆପଣ ନିଜ ଅଭିରୁଚି ଅନୁସାରେ ମୋତେ ଚଳାଇବେ ଏବଂ ଏଷ୍ଟେଟ୍‌ ଲୋକଙ୍କ ସୁଖଶାନ୍ତି ପାଇଁ ଯାହା ବ୍ୟବସ୍ଥା କରିବେ, ତହିଁରେ ମୋର କୌଣସି ଆପତ୍ତି ରହିବ ନାହିଁ । ଆପଣ ସ୍ୱୀକୃତ ହେଲେ, ମୁଁ ଏହି ମର୍ମରେ ବର୍ତ୍ତମାନ ସରକାରଙ୍କୁ ପତ୍ର ଦେବି ।’’

 

ଶେଷରେ ରାମହରିବାବୁ ସ୍ୱୀକୃତ ହେବାରୁ, ରାଜା ଆନନ୍ଦରେ ଗଡ଼ିଗଲେ ଏବଂ ଗୋଟାଏ ବିରାଟ ଆଶ୍ୱସ୍ତି ତାଙ୍କ ସର୍ବ ଅବୟବରେ ଖେଳିଗଲା । ସେ ସେହି ମୁହୂର୍ତ୍ତରେ ରାମହରିବାବୁଙ୍କୁ ଏଷ୍ଟେଟ୍‍ ମ୍ୟାନେଜର ପଦରେ ଦୁଇଶତ ଟଙ୍କା ବେତନରେ ନିଯୁକ୍ତିକରି ପରୱାନା ଲେଖିଦେଲେ ଏବଂ ଉପରୋକ୍ତ ସରେତ ସବୁ ଲେଖି କଲେକ୍ଟରଙ୍କ ନିକଟକୁ ଖଣ୍ଡିଏ ପତ୍ର ଦେଲେ । ତାପରେ କଲେକ୍ଟରଙ୍କ ଗୋପନୀୟ ପତ୍ରଖଣ୍ଡ ପକେଟରୁ କାଢ଼ି ରାମହରିବାବାଙ୍କୁ ଦେଇ ତାର ଉପଯୁକ୍ତ ମୀମାଂସା କରିବାକୁ ଅନୁରୋଧ କଲେ । ରାମବାବୁ ପତ୍ରଟି ପଢ଼ି କହିଲେ ‘‘ହଁ, ଏହାର ଜବାବ ଦିଆଯିବ । ତେବେ ଏ ସାତଦିନ ଭିତରେ ତ ଦିଆଯାଇ ପାରିବ ନାହିଁ । ମୁଁ ସମସ୍ତ ଆୟବ୍ୟୟ ଓ ଜମିଦାରୀର ଅର୍ଥନୈତିକ ପରିସ୍ଥିତି ବୁଝି ନସାରିବା ଯାଏ, ଏହାର ଉତ୍ତର ଦେଇ ପାରିବି ନାହିଁ । ଏଥିପାଇଁ ମାସେ ସମୟ ଦେବାକୁ ମୁଁ କଲେକ୍ଟରଙ୍କୁ ଅନୁରୋଧ କରିବି ।’’

 

ଏ ଆଶ୍ୱାସନା ବାକ୍ୟରେ ରାଜାଙ୍କ ଆଖି ଆନନ୍ଦରେ ଛଳଛଳ ହୋଇଗଲା । ସେ ଏତେବେଳକେ ଗୋଟାଏ କୂଳକିନାରା ପାଇଲେ । ତା’ ପରେ କଥା ହେଲା, ରାମବାବୁ ତହିଁ ଆରଦିନ ମଟରରେ କଟକ ଯାଇ ସାହେବଙ୍କୁ ଦେଖା କରିବେ ଏବଂ ରାଜାଙ୍କ ପତ୍ର ତାଙ୍କୁ ଦେଇ ସମୟ ବୃଦ୍ଧି ପାଇଁ ଆୟୋଜନ କରିବେ । ଏପରି ନିଷ୍ପତ୍ତି ହେବାପରେ ରାଜାସାହେବ ସେ ଦୁହିଁଙ୍କୁ ନମସ୍କାର କରି ରାତି ଦୁଇଟା ସମୟରେ ବିଦାୟ ହୋଇ ଉଆସକୁ ଗଲେ ଏବଂ ରାମହରିବାବୁଙ୍କ ଦ୍ୱାରଠାରେ ସକାଳ ଆଠଟା ସମୟରେ ମଟର ଦାଖଲ କରିବାକୁ ଡ୍ରାଇଭରଙ୍କୁ କଡ଼ା ହୁକୁମ ଦେଲେ-

•••

 

–ଛଅ–

 

ରାମହରିବାବୁ ସାଢ଼େ ଆଠଟା ସମୟରେ କଟକରେ ପହଞ୍ଚି ସଙ୍ଗେ ସଙ୍ଗେ କଲେକ୍ଟରଙ୍କ କୋଠିକୁ ଗଲେ ଏବଂ ନଅଟା ସମୟରେ ସାହେବଙ୍କ ସଙ୍ଗେ ଦେଖାକଲେ । ରାମବାବୁ ସରକାରଙ୍କ ନିମକସଚ୍ଚା କର୍ମଚାରୀ ଓ କଲେକ୍ଟରଙ୍କର ଖୁବ୍‌ ବିଶ୍ୱସ୍ତ ସହକାରୀ ଥିଲେ । ସେ ଯେତେବେଳେ ଅବସର ନେବାକୁ ପ୍ରସ୍ତାବ କଲେ ସାହେବ ତାଙ୍କୁ ଛାଡ଼ିବାକୁ ନିତାନ୍ତ ଅମଙ୍ଗ ହେଉଥିଲେ । ମାତ୍ର ରାମହରିବାବୁ ନିଜ ସମ୍ପତ୍ତିର ରକ୍ଷଣାବେକ୍ଷଣ ନକଲେ ତାହା ନଷ୍ଟ ହୋଇଯିବ ବୋଲି ଯେତେବେଳେ ସେ ବୁଝିପାରିଲେ ବାଧ୍ୟହୋଇ ତାଙ୍କୁ ଅବସର ଦେଲେ । ମାତ୍ର ତାଙ୍କ ବିଶ୍ୱସ୍ତତାର ପୁରସ୍କାର ସ୍ୱରୂପ ତାଙ୍କୁ ପୁରା ପେନ୍‌ସନ୍‌ ମଞ୍ଜୁର କରାଇ ଦେଇଥିଲେ । ସୁତରାଂ ଉଭୟେ ଉଭୟଙ୍କଠାରେ ଋଣୀ ଓ ଉଭୟଙ୍କର ହିତାକାଂକ୍ଷୀ ।

 

ସାହେବ ରାମହରିବାବୁଙ୍କୁ ପରମ ବନ୍ଧୁଭାବରେ ଗ୍ରହଣକରି ତାଙ୍କୁ ଚା’ ପ୍ରଭୃତି ଅଭ୍ୟର୍ଥନା କଲେ ଏବଂ ତା’ ପରେ ତାଙ୍କ ଯିବାର କାରଣ ପଚାରିଲେ । ରାମବାବୁ ସଂକ୍ଷେପରେ ତାଙ୍କ ଯିବାର କାରଣ କହି ରାଜାଙ୍କ ପତ୍ର ଖଣ୍ଡି ବଢ଼ାଇ ଦେଲେ । ସାହେବ ତାହା ପଢ଼ି ଆନନ୍ଦିତ ହୋଇ କହିଲେ,‘‘ରାଜା ତେବେ ଭାଗ୍ୟବାନ୍‌ ଯେ ସେ ଆପଣଙ୍କୁ ମ୍ୟାନେଜର ରୂପେ ପାଇଛନ୍ତି । ମୁଁ ଆଶଙ୍କା କରିଥିଲି ଯେ ଜମିଦାରୀ ଆଉ ତାଙ୍କ ହାତରେ ରହି ପାରିବ ନାହିଁ । ମୁଁ ମନେ କରୁଛି, ଆପଣଙ୍କ ଯୋଗେ ସେ ଏ ଘାଟି ରକ୍ଷା ପାଇଗଲେ । ତେବେ ସେ ଦୀର୍ଘକାଳ ଆପଣଙ୍କ କଥାମାନି ଚଳିବେ ବୋଲି ମୋର ବିଶ୍ୱାସ ହେଉନାହିଁ । ହେଲେ, ନିଜ କୂଅରେ ନିଜେ ପଡ଼ିବେ । କାହାର କ’ଣ କ୍ଷତି ହେବ ?’’ ଏହା କହି ସେ ରାଜାଙ୍କ ନିକଟକୁ ଖଣ୍ଡିଏ ପତ୍ର ଲେଖି ରାମହରିବାବୁଙ୍କୁ ଦେଲେ ଏବଂ ଅସମୟ ଅସୁବିଧା ଘଟିଲେ ସେ ତାଙ୍କୁ ସାହାଯ୍ୟ କରିବେ ବୋଲି ନିର୍ଭର ଜବାବ ଦେଲେ ।

 

ତା’ ପରେ ରାମବାବୁ ବାର୍‌ ଲାଇବ୍ରେରୀରେ କେତେକ ବିଷୟ ବୁଝାସୁଝା କରି କିଆକଣ୍ଟାକୁ ଫେରିଲା ବେଳକୁ ସମୟ ଦୁଇଟା । ରାଜା ଅପଲକ ନେତ୍ରରେ ତାଙ୍କ ବାଟକୁ ଚାହିଁ ରହିଥିଲେ । ମଟର ଶବ୍ଦ ଶୁଣି ପଦାକୁ ଆସି ଦେଖିଲେ, ସାହେବୀ ବେଶରେ ସୁସଜ୍ଜିତ ରାମବାବୁ ଉପର ମହଲାକୁ ଉଠି ଆସୁଛନ୍ତି । ରାଜା ତାଙ୍କୁ ସମ୍ମାନର ସହିତ ଅଭ୍ୟର୍ଥନା କରି ବୈଠକ ଘର ଭିତରକୁ ନେଇଗଲେ ଏବଂ ସେଠାରେ ଦିବ୍ୟ ଆସନରେ ବସାଇ ତାଙ୍କଠାରୁ ଆଶାର କିଛି କଥା ଶୁଣିବାକୁ ଅପେକ୍ଷା କଲେ । ରାମବାବୁଙ୍କ ମୁହଁରେ ସ୍ମିତହାସ୍ୟର ଉଚ୍ଛୁଳା ଲହରୀ ଖେଳି ଯାଉଥିଲା-। ସେ ‘ସବୁ ଭଲ’ ବୋଲି ଯେତେବେଳେ ସଂକ୍ଷେପରେ କହିଲେ, ରାଜାଙ୍କ ଛାତିରେ ଆନନ୍ଦର ଗୋଟାଏ ତରଙ୍ଗ ଖେଳିଗଲା । ତା’ ପରେ ରାମବାବୁ ପକେଟରୁ ଚିଠିଟି କାଢ଼ି ତାଙ୍କ ହାତକୁ ବଢ଼ାଇ ଦେଲେ । ରାଜା ତାହା ଖୋଲି ଯାହା ପଢ଼ିଲେ, ତାର ଅବିକଳ ଅନୁବାଦ ତଳେ ଦିଆଗଲା ।

 

ଗୋପନୀୟ ପତ୍ର ନଂ ୧୧୬

 

କଟକ

ତା ୨୮ । ୨ । ୩୭

 

ପ୍ରିୟ ରାଜା ସାହେବ,

 

ଆପଣଙ୍କ କାଲିର ପତ୍ର ମୁଁ ପାଇଛି ଏବଂ ମୋର ତା ୨୫ ରିଖ ଲିଖିତ ନଂ ୧୦୨ ପତ୍ର ସଙ୍ଗେ ଯୋଗ କରି ଏ ପତ୍ର ଲେଖିଛି ଯେ, ଆପଣ ଶ୍ରୀଯୁକ୍ତ ରାମହରି ମିଶ୍ର, ବି. ଏ. ଙ୍କୁ ଏଷ୍ଟେଟ୍‌ ପରିଚାଳନାର ଭାର ଦେଇ ବିଶେଷ ବୁଦ୍ଧିମାନର କାର୍ଯ୍ୟ କରିଛନ୍ତି । ଆପଣଙ୍କ ଏଷ୍ଟେଟ୍‌ରେ ଯେଉଁ ବିଶୃଙ୍ଖଳା ଓ ଆର୍ଥିକ ଅଧୋଗତି ଘଟିଛି, ତାହା ଏଭଳି ଜଣେ ସୁପରୀକ୍ଷିତ ଓ ବିଚକ୍ଷଣ ବ୍ୟକ୍ତିଙ୍କ ଯତ୍ନରେ ଅଳ୍ପକାଳ ମଧ୍ୟରେ ଯେ ସୁଧୁରିଯିବ, ଏଥିରେ ଆଦୌ ସନ୍ଦେହ ନାହିଁ । ତେଣୁ ଓଡ଼ିଶା ସରକାରଙ୍କ ତରଫରୁ ମୁଁ ଏ ନିଯୁକ୍ତି ମଞ୍ଜୁର କଲି ଏବଂ ତାଙ୍କ ନିଯୁକ୍ତି ପାଇଁ ଆପଣ ଯେଉଁ ସରେତ ସବୁ ଗ୍ରହଣ କରିଛନ୍ତି, ତାହାସବୁ ଅନୁମୋଦନ କଲି । ଆପଣ ଯେତେ ଶୀଘ୍ର ପାରନ୍ତି, ସରକାରୀ ବାକି ରାଜସ୍ୱ ଓ ମହାଜନୀ ଦେଣା ପରିଶୋଧ ପାଇଁ ଚେଷ୍ଟା କରିବେ ଏବଂ ଏଷ୍ଟେଟ୍‌ର ସମସ୍ତ ବିଶୃଙ୍ଖଳା ଦୂରକରି ମୋତେ ଜଣାଇବେ ।

 

ମୁଁ ଆପଣଙ୍କର ମଙ୍ଗଳ କାମନା କରେ ।

 

ଆପଣଙ୍କର ବିଶ୍ୱସ୍ତ ବନ୍ଧୁ

ଯେ. ଏନ୍‌. ବ୍ରାଇଟନ୍‌

 

ଏ ପତ୍ରର ଭାଷା ଓ ବ୍ୟବହାରରେ ରାଜା ନିରତିଶୟ ପ୍ରୀତ ହୋଇ ମନର ସମସ୍ତ ଦୁଃଖ ଦୂର କରିଦେଲେ ଏବଂ ଆନନ୍ଦରେ ଗଦ୍‌ଗଦ୍‌ହୋଇ ରାମବାବୁଙ୍କୁ କୁଣ୍ଢାଇପକାଇ କହିଲେ, ‘‘ଭାଇ ! ଏ ପରିବର୍ତ୍ତନ ଆପଣଙ୍କ ଯୋଗୁଁ ସିନା ହେଲା । ଆପଣ ମୋର ଭାଗ୍ୟବିଧାତା । ଏଣିକି ଆପଣ ମୋତେ ଚଳାଇ ସବୁ ବିଶୃଙ୍ଖଳା ସଜାଡ଼ନ୍ତୁ । ରାମବାବୁ ତାଙ୍କୁ ଆଶ୍ୱସ୍ତ କରି ତାଙ୍କ ଦ୍ୱାରା ଯାହା ହୋଇପାରିବ, ତାହା କରିବାକୁ ଜବାବ ଦେଲେ ଏବଂ ସେ ନଜାଣି ଯେପରି କୌଣସି କାର୍ଯ୍ୟ ରାଜା କରି ନଦିଅନ୍ତି, ଏଥିପାଇଁ ତାଙ୍କୁ ସାବଧାନ କଲେ । ରାଜା ମଧ୍ୟ ସେଥିପାଇଁ କଠୋର ପ୍ରତିଜ୍ଞା କଲେ-। ତା’ ପରେ କଟକ ବିଷୟରେ କେତେକ ଗପ ପଡ଼ିଲା; ଏ ମଧ୍ୟରେ ଚା’ ଓ ଜଳଖିଆ ଆସି ଟେବୁଲରେ ସଜା ହୋଇଗଲା । ଉଭୟେ ଏକତ୍ର ବସି ଖାଉଖାଉ ରାଜା ପଚାରିଲେ, ‘‘ଭାଇ ! ସେ ଚାବୁକଖିଆ ମ୍ୟାନେଜର ଖବର କିଛି ପାଇଥିଲ ?’’ ରାମବାବୁ ଗୋଟାଏ ଲମ୍ବ ହସ ହସି କହିଲେ, ‘‘ଆପଣଙ୍କ ଚାବୁକଖିଆ ମ୍ୟାନେଜର ସେଠାରେବି ଚାବୁକ ପାଇଛି ।’’ ରାଜା ହସି ହସି ପଚାରିଲେ, ‘‘କଅଣ, କଅଣ?’’ ରାମବାବୁ ସ୍ମିତ ହାସ୍ୟରେ କହିଲେ, ‘‘ସେ ଆପଣଙ୍କ ବିରୁଦ୍ଧରେ କେଶ୍‌ କରିବ ବୋଲି ବହେ ନାଚକୁଦ କରିଥିଲା । କେଡ଼େ ବଡ଼ ବଡ଼ ଓକିଲଙ୍କ ସଙ୍ଗେ ପରାମର୍ଶ ବି କରିଥିଲା । ସେମାନେ ତା’ଠାରୁ ଓ ତା’ ବନ୍ଧୁମାନଙ୍କଠାରୁ ସମସ୍ତ ବିବରଣୀ ବୁଝିସାରି ମତଦେଲେ ଯେ, ‘‘ଜମିଦାରୀର ଯାବତ୍‌ ବିଶୃଙ୍ଖଳା ଓ ଅତ୍ୟାଚାର ପାଇଁ ଦାୟୀ ସେ ନିଜେ । ରାଜାଙ୍କ ଉପରେ ସାକ୍ଷାତ ଭାବରେ କୌଣସି ଦୋଷାରୋପ ହୋଇପାରିବ ନାହିଁ । ଯଦିଚ ରାଜାଙ୍କ ଇଙ୍ଗିତରେ ସବୁ ହୋଇଛି ବୋଲି କୁହାଯିବ, ତଥାପି ଯେ ଅତ୍ୟାଚାର ଭୋଗିଛି, ସେ ମ୍ୟାନେଜରଙ୍କଠାରୁ, ରାଜାଙ୍କଠାରୁ ନୁହେଁ । ସୁତରାଂ ପ୍ରମାଣର ଦାୟିତ୍ୱ ମ୍ୟାନେଜର ଉପରେ ପଡ଼ିବ ସିନା; ରାଜାଙ୍କ ପ୍ରତି କିଛି ଆଞ୍ଚ ଆସିପାରିବ ନାହିଁ । କାରଣ ସେ ମ୍ୟାନେଜର ଉପରେ ସମସ୍ତ ଦୋଷ ଲଦିଦେବା ବିଷୟରେ ଆଇନ ତାଙ୍କ ସପକ୍ଷରେ ଅଛି । ଏପରିସ୍ଥଳେ ସେ ନୀରବ ରହିବା ଛଡ଼ା ତାଙ୍କର ଆଉ କୌଣସି ଉପାୟ ନାହିଁ । ପୁଣି ସେ ସତର୍କ ରହନ୍ତୁ; ରାଜା ଯେପରି ତାଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ନ ଆଣନ୍ତି । ତା ହେଲେ ତାଙ୍କ ଉପରେ ଘୋର ବିପଦ ପଡ଼ିବ । ଏହା ଶୁଣି ସେମାନେ ବୋଧ । ଜୋକ ମୁହଁରେ ଲୁଣ ଦେଲାପରି ସେମାନେ କୁଆଡ଼େ ଦବିଯାଇ ରହିଲେଣି ।’’ ରାଜା ତାହା ଶୁଣି ଖୁବ୍‌ ଗୋଟାଏ ହସ ହସି କହିଲେ, ‘‘ମୋ ଚାବୁକ ପାହାରତ ସବୁ ନିଷ୍ପତ୍ତି କରିଦେଇଛି; ଆଉ କେଶ୍‌ କରିବି ମୁଁ କ’ଣ ? ତେବେ ଚାବୁକ ବିଷୟରେ ସେ କୌଣସି ପ୍ରତିକାର କରିବାକୁ ଚାହିଁ ନାହିଁ ?’’ ରାମବାବୁ କହିଲେ, ‘‘ସେଥିପାଇଁ ସେ କୋଉ ମୁହଁରେ ପ୍ରତିକାର କରିବ ? ଲଜ୍ଜାତ ଗୋଟାଏ ଅଛି ?’’

 

ତା’ ପରେ ରାଜା ରାମବାବୁଙ୍କୁ ସଙ୍ଗରେ ଧରି ଉଆସର ବିଭିନ୍ନ ଘର, ଦାସଦାସୀଙ୍କ ବାସସ୍ଥାନ, ଗୋଶାଳା, ବିଜୁଳିଘର, ପାଣିକଳ, ବିଭିନ୍ନ ଦେବ ମନ୍ଦିରମାନ, ସଦାବର୍ତ୍ତଘର ପ୍ରଭୃତି ଅନୁଷ୍ଠାନ ସବୁ ଦେଖାଇ ଶେଷରେ କଚେରୀକି ଆସିଲେ । ସେଠାରେ ବିଭିନ୍ନ ବିଭାଗ ଦେଖାଇ ଓ ଅମଲାମାନଙ୍କୁ ଚିହ୍ନାଇଦେଇ କହିଲେ,‘‘ ଏମାନେ ମୋର ବନ୍ଧା ବକ୍ରୀ । ମୁଁ ଏମାନଙ୍କ ପ୍ରତି ଭଲ ବ୍ୟବହାର କରିନାହିଁ । ଏମାନଙ୍କର ନାନଦି କ୍ଷତି କରିଛି । ମାସକ ଭିତରେ ଏମାନଙ୍କର କ୍ଷତିପୂରଣ କରିବି ବୋଲି ଜବାବ ଦେଇଛି । ଆପଣ ଦୟାକରି ତାହା ଦେଖିବେ’’। ଏହା କହି ରାଜା ଉଆସକୁ ଚାଲିଗଲେ । ମ୍ୟାନେଜର ଅମଲାମାନଙ୍କୁ ସେ ଦିନର ଅବଶିଷ୍ଟ ସମୟ ଛୁଟିଦେଇ ମଟରରେ ଘରକୁ ଫେରିଲେ ।

 

ନୂତନ ମ୍ୟାନେଜର ପ୍ରଥମେ କଚେରୀ ସଜାଡ଼ିବାରେ ଲାଗିଲେ । ବିଭିନ୍ନ ବିଭାଗମାନ ସ୍ୱତନ୍ତ୍ର କର୍ମଚାରୀଙ୍କ ହାତରେ ଦେଇ ତାହାସବୁ ପରିଚାଳନା ପାଇଁ ଉପଯୁକ୍ତ ନିୟମମାନ ଖଞ୍ଜିଦେଲେ । ଯେଉଁମାନଙ୍କର ଯାହା ସବୁ ଦୁଃଖ, ଅଶାନ୍ତି ଓ ଅନ୍ୟାନ୍ୟ ଅଭିଯୋଗମାନ ଥିଲା, ତାହା ସେ ଯେତେଦୂର ପାରନ୍ତି ପୂରଣ କରି ଓ ସେମାନଙ୍କ ବେତନ ହାର ଉପଯୁକ୍ତରୂପେ ବୃଦ୍ଧିକରି ସେମାନଙ୍କ ପ୍ରାଣରେ ନୂତନ ପ୍ରେରଣା ଆଣିଦେଲେ । ଯେଉଁମାନେ ଅନ୍ୟାୟ ଭାବରେ କାର୍ଯ୍ୟରୁ ଅନ୍ତରହୋଇ ବେକାର ଭାବରେ ବସିଥିଲେ, ସେମାନଙ୍କୁ ପୁଣି ଆଣି ଯଥାସ୍ଥାନରେ ରଖି ସେମାନଙ୍କର ସମସ୍ତ ସୁବିଧା କରିଦେଲେ । ଫଳରେ ଅମଲାମାନଙ୍କ ମନରେ ନୂଆ ଉତ୍ସାହ ନୂଆ ଉଦ୍ଦୀପନା ଖେଳିଗଲା ଏବଂ କଚେରୀର ମୃତପ୍ରାୟ ଜୀବନଶକ୍ତି ପୁଣି ନବମନ୍ତ୍ରରେ ଜାଗିଉଠିଲା ।

 

ତା’ ପରେ ସେ ବଜେଟ ଆଲୋଚନାରେ ଲାଗି ଦେଖିଲେ ଯେ ବଜେଟ ବୋଲି ଗୋଟାଏ କାଗଜ ନାମକୁ ମାତ୍ର ଅଛି । ତା’ର କୌଣସି କାର୍ଯ୍ୟ ହେଉ ନାହିଁ । ସେ ରାଜାଙ୍କ ସଙ୍ଗେ ଘନଘନ ପରାମର୍ଶ କରି ଏ ଅମଲାମାନଙ୍କଠାରୁ ସମସ୍ତ ହିସାବପତ୍ର ସଂଗ୍ରହ କରି ଗୋଟିଏ ଆଧୁନିକ ରୁଚିସମ୍ପନ୍ନ କାର୍ଯ୍ୟକାରୀ ବଜେଟ ଗଢ଼ିଲେ ଏବଂ ବଜେଟ ଅନୁସାରେ ସବୁ କାର୍ଯ୍ୟ ଚଳିବା ପାଇଁ ସମସ୍ତଙ୍କ ଉପରେ ଚାପାଦେଲେ । ଆୟବ୍ୟୟ ହିସାବ କରି ଦେଖିଲେ, ଅଢ଼େଇ ଲକ୍ଷ ଟଙ୍କା ପ୍ରଜାଙ୍କ ଉପରେ ବାକି । ନାଏବମାନଙ୍କ ସଙ୍ଗେ ପରାମର୍ଶ କରି ବୁଝିଲେ ଯେ ଟଙ୍କା ଆଦାୟ ହେବା ଅସମ୍ଭବ । କାରଣ ପ୍ରଜାମାନେ ନାନା ବାଟରା ଫାଙ୍କିମାରି ଟଙ୍କା ଆଦାୟ ଦେବାକୁ କୁଣ୍ଠିତ ହେଉଛନ୍ତି । ଏ ଟଙ୍କା ଆଦାୟ ନହେଲେ କୌଣସି କାର୍ଯ୍ୟ ଇଞ୍ଚିଏ ସୁଦ୍ଧା ଅଗ୍ରସର ହୋଇ ପାରିବ ନାହିଁ । ତେଣୁ ସେ ଆଦାୟ ପାଇଁ ଚେଷ୍ଟା କରିବାକୁ ମଫସଲ ଗସ୍ତରେ ବାହାରିଲେ ।

 

ତାଙ୍କ ମ୍ୟାନେଜରୀ ଖବର ଚାରିଆଡ଼େ ରାଷ୍ଟ୍ର ହୋଇଗଲା । ପ୍ରଜାସାଧାରଣଙ୍କର ଆନନ୍ଦ ଅସୀମ । ସେମାନେ ବିଚାରିଲେ, ତାଙ୍କ ଦୁଃଖହାଲ ଯଥାର୍ଥରେ ବୁଝିବାକୁ ଜଣେ ଉପଯୁକ୍ତ ବ୍ୟକ୍ତିଙ୍କୁ ଭଗବାନ ଏତେକାଳକେ ବରାଦ କଲେ । ତେଣୁ ଅନେକ ପ୍ରଜା ଆସି ତାଙ୍କୁ ଅଭିବାଦନ କଲେ ଏବଂ ନିଜନିଜ ଦୁଃଖ ହାର ଜଣାଇଲେ । ରାମବାବୁ ସମସ୍ତଙ୍କୁ ପରାମର୍ଶ ଦେଲେ ଯେ ସେ ଅବିଳମ୍ବେ ଗସ୍ତରେ ଯାଇ ସବୁ ଅଞ୍ଚଳ ଦେଖିବେ ଏବଂ ସମସ୍ତଙ୍କର ସମସ୍ତ ଅଭାବ ଅଭିଯୋଗ ବୁଝି ତାହା ଦୂର କରିବାପାଇଁ ସବୁଶକ୍ତି ପ୍ରୟୋଗ କରିବେ । ଏଥିରେ ଲୋକଙ୍କର ଆଶା ଆଶ୍ୱାସନାର ସୀମା ରହିଲା ନାହିଁ । ସେମାନେ ମ୍ୟାନେଜରଙ୍କୁ ଚାତକବତ୍ତ ଚାହିଁ ରହିଲେ ।

 

ମ୍ୟାନେଜର ଗସ୍ତରେ ଯାଇ ପ୍ରତି ସର୍କଲରେ ଦୁଇଦିନ ତିନିଦିନ ହିସାବରେ କଟାଇଲେ ଏବଂ ଲୋକଙ୍କର ସମସ୍ତ ଅଭାବ ଅଭିଯୋଗ ବୁଝି ଯାହା ରାଜାଙ୍କ ଦ୍ୱାରା ହୋଇପାରିବ, ତା’ ପାଇଁ ପ୍ଳାନ ତିଆରି କଲେ । ବଡ଼ ବଡ଼ କଥାମାନ ଅବିଳମ୍ବେ ନିଷ୍ପତ୍ତି କରିବା ପାଇଁ ରାଜାଙ୍କ ଜରିଆରେ କଲେକ୍ଟରଙ୍କୁ ଅନୁରୋଧ କଲେ । ତା’ ପରେ ଲୋକମାନଙ୍କୁ ନାନାପ୍ରକାର ବୁଝାଇ ସୁଝାଇ ବାକି ଖଜଣା ଆଦାୟ ପାଇଁ ସେମାନଙ୍କ ଉପରେ ଜୋର ଦେଲେ । ଲୋକେ ତାଙ୍କ ଆଶ୍ୱସନା ଓ ବ୍ୟବହାରରେ ଏତେ ମୁଗ୍ଧ ହୋଇଗଲେ ଯେ ସବୁଟଙ୍କା ଆଣି ଖଡ଼ଖାଡ଼୍‌ ଦାଖଲ କରିଦେଲେ । ଏପରି ଭାବରେ ସବୁ ସର୍କଲ ଘୂରି ଆସୁ ଆସୁ ତାଙ୍କୁ ପ୍ରାୟ କୋଡ଼ିଏ ଦିନ ଲାଗିଲା । ଏଇତକ ସମୟ ଭିତରେ ସମୁଦାୟ ବାକି ଟଙ୍କା ଆସି ଟ୍ରେଜେରୀରେ ଦାଖଲ ହୋଇଗଲା । ଲୋକେ ମଧ୍ୟ ସେମାନଙ୍କ ଅଭାବ ଅଭିଯୋଗମାନ ଅଚିରେ ଦୂରୀଭୂତ ହେବ ବୋଲି ଆଶାନ୍ୱିତ ହୋଇ ରହିଲେ ।

 

ସେ କିଆକଣ୍ଟାକୁ ଫେରି ଆସି ଟ୍ରେଜେରୀ ହିସାବରୁ ଦେଖିଲେ ରାଜାଙ୍କ ନ୍ୟାଯ୍ୟ ପାଉଣା, ସଲାମୀ ଓ ବାକି ଖଜଣା ମିଶି ସାମାନ୍ୟ କମ୍‌ ତିନି ଲକ୍ଷ ଟଙ୍କା ଆଦାୟ ହୋଇଛି । ରାଜା ଏ ହିସାବ ଦେଖି ଆନନ୍ଦରେ ଗଦ୍‌ଗଦ ହୋଇଗଲେ ଏବଂ ଜମିଦାରୀ ଗୋଟାଏ ନବ ମନ୍ତ୍ରରେ ଉଦ୍‌ବୁଦ୍ଧ ହୋଇଉଠିଛି ଭାବି ମ୍ୟାନେଜରଙ୍କୁ କୁଣ୍ଢେଇ ପକେଇଲେ । ମ୍ୟାନେଜର ସେହି ଟଙ୍କାରେ ସମସ୍ତ ଅଚଳ ଅବସ୍ଥାକୁ ଚାଲୁ କରିବା ଅଭିପ୍ରାୟରେ ପ୍ରଥମେ ସମସ୍ତ ଅମଲା ଓ ଅନ୍ୟାନ୍ୟ ଯେତେ ସେବକ ଓ କର୍ମଚାରୀ ଥିଲେ, ସମସ୍ତଙ୍କର ବର୍ଷେ ଦେଢ଼ବର୍ଷ ହେଲା ବାକିଥିବା ବେତନ ନିଷ୍ପତ୍ତି କରିଦେଲେ । ଯେଉଁ ହେତୁ ରାଜବାଟୀରେ ଦୈନନ୍ଦିନ ଜୀବନ ଅଚଳ ପ୍ରାୟ ହୋଇଯାଇଥିଲା, ସେ ବାବଦରେ କେତେ ସହସ୍ର ଟଙ୍କା ବ୍ୟୟ କରି ତାହା ଯଥାବିଧି ଚାଲୁ କରିଦେଲେ । ତା ପରେ ଦେବମନ୍ଦିରମାନ ଓ ସଦାବ୍ରତ ଆଦି ଅନ୍ୟାନ୍ୟ ଦାତବ୍ୟ ଅନୁଷ୍ଠାନମାନଙ୍କ ପ୍ରତି ତାଙ୍କର ଦୃଷ୍ଟି ପଡ଼ିଲା । ସେଥିପାଇଁ ଆବଶ୍ୟକ ବ୍ୟୟ ପୂରଣ ହୋଇଯିବାରୁ ତାହା ସବୁ ମଧ୍ୟ ଉପଯୁକ୍ତ ଭାବରେ ଗତିକଲେ । ମୋଟ ଉପରେ ଜମିଦାରୀର ଗୋଟାଏ ଅସ୍ୱାଭାବିକ ଅଚଳ ଅବସ୍ଥା ଭାଙ୍ଗିଗଲା ଏବଂ ତାହା ନବମନ୍ତ୍ରରେ ଉଦ୍ଦୀପିତ ହୋଇଉଠିଲା । ଚାରିଆଡ଼େ ଆନନ୍ଦ ଓ ସନ୍ତୋଷର ଗୋଟାଏ ବନ୍ୟା ଛୁଟିଲା । ଲୋକେ ରାଜାଙ୍କ ପ୍ରତି ଗୋଟାଏ ଅବିଶ୍ୱାସ ଭାବ ପୋଷି ଦିବାରାତ୍ର ଯେଉଁ ଅଭିଶାପରାଶି ତାଙ୍କ ଉପରେ ଅଜାଡ଼ୁଥିଲେ, ତାହା ଦୂର ହୋଇଗଲା । ସେମାନେ ଏଣିକି ତାଙ୍କ ସଙ୍ଗେ ସଦ୍‌ଭାବ ରଖିବାକୁ ଚେଷ୍ଟାକଲେ । ତେଣୁ ରାଜାଙ୍କ ଆନନ୍ଦର ମଧ୍ୟ ସୀମା ରହିଲା ନାହିଁ ।

 

ସରକାରୀ ରାଜସ୍ୱର ତିନି କିସ୍ତି ବାକି ଥିଲା । ମ୍ୟାନେଜର ତହିଁରୁ ଦୁଇ କିସ୍ତି ଦାଖଲ କରି ଅବଶିଷ୍ଟ ଟଙ୍କା ଆଗାମୀ କିସ୍ତିସଙ୍ଗେ ଦାଖଲ କରିବେ ବୋଲି କଲେକ୍ଟରଙ୍କୁ ଲେଖିଲେ । କଲେକ୍ଟର ତାହା ମଞ୍ଜୁର କରି ପତ୍ର ଦେଲେ । ପ୍ରଜାଙ୍କ ଅଭାବ ଅଭିଯୋଗର ଆଶାନୁରୂପ ପୂରଣ ପାଇଁ ଯେଉଁ ପତ୍ର ତାଙ୍କୁ ଦିଆଯାଇଥିଲା, ସେ ସେହି ପତ୍ରର ଉତ୍ତରରେ ଜଣାଇଦେଲେ ଯେ ସମସ୍ତ ଦାବିର ସମ୍ୟକ୍‌ ପ୍ରତିକାର ପାଇଁ ସରକାରଙ୍କୁ ଲେଖିଛନ୍ତି । ସେ ଅଚିରେ ତାହାସବୁ ପୂରଣ କରିଦେବେ । ଏ ସମ୍ବାଦ ପ୍ରଜାମାନଙ୍କ ଭିତରେ ଖେଳିଯିବା ମାତ୍ରକେ ସେମାନେ ଆନନ୍ଦରେ ଉନ୍ମତ୍ତ ହୋଇ ଉଠିଲେ ।

 

ଏ ସମସ୍ତ ବ୍ୟବସ୍ଥା ଶେଷ କରୁ କରୁ ମାର୍ଚ୍ଚମାସ ଶେଷହୋଇ ଅପ୍ରେଲ ଠାରୁ ନୂଆବର୍ଷ ଆରମ୍ଭ ହେଲା । ମ୍ୟାନେଜର ସାରାବର୍ଷର ପରିଚାଳନା ପାଇଁ ଗୋଟିଏ ଉତ୍ତମ ବଜେଟ୍‍ ତୟାର କଲେ । ସେଥିରୁ ଦେଖାଗଲା ଯେ ଗତବର୍ଷର ଆୟରୁ ଯଥାର୍ଥ ଖର୍ଚ୍ଚ ବାଦଯାଇ ଦଶହଜାର ଟଙ୍କା ବଳିପଡ଼ିଥିଲା । ମ୍ୟାନେଜର ପ୍ରଜାମାନଙ୍କୁ ଦେଇଥିବା ଅଙ୍ଗୀକାରମାନ ଯଥାଶକ୍ତି ପୂରଣ କରିବା ଉଦ୍ଦେଶ୍ୟରେ ବଜେଟ ହିସାବରେ ଚାଳିଶ ହଜାର ଟଙ୍କା ରଖିଥିଲେ । ତାହା ବ୍ୟୟିତ ହୋଇ କେଉଁଠାରେ ବନ୍ଧ, ପୋଖରୀ ଓ କୂଅସବୁ ମରାମତି ହେଲା । କେଉଁଠାରେ ନୂଆ ବନ୍ଧ କରାଗଲା ଏବଂ ତହିଁରେ ସଞ୍ଚିତ ହେବା ଜଳରେ ହଜାର ହଜାର ମାଣ ଜମିରେ ଫସଲ ରକ୍ଷାହେବ ବୋଲି ଆଶା କରାଗଲା । କେଉଁଠାରେ କେତେ କୂଅ ମଧ୍ୟ ଖୋଳା ହେଲା । କେଉଁଠାରେ ସ୍କୁଲ ବସିଲା । କେଉଁ ଗ୍ରାମରେ ଭାଗବତ ଘର ଓ ଆଖଡ଼ାଘର ସବୁ ନିର୍ମିତ ହେଲା । ଏସବୁ କାର୍ଯ୍ୟ ଦେଖି ରାଜା ଓ ମ୍ୟାନେଜରଙ୍କ ପ୍ରତି ଲୋକଙ୍କ ସ୍ନେହଶ୍ରଦ୍ଧା ଶତଗୁଣ ବଢ଼ିଗଲା ।

 

ସେବର୍ଷ ଏକ ପଇସା ଖଜଣା ବାକି ରହିଲା ନାହିଁ । ମ୍ୟାନେଜର ସରକାରୀ ରାଜସ୍ୱ ସମସ୍ତ ପରିଶୋଧ କରିଦେଲେ । ଏଥିପାଇଁ କଲେକ୍ଟର ରାଜାଙ୍କୁ ଧନ୍ୟବାଦ ଦେଇ ପତ୍ର ଲେଖିଲେ-। ତା’ ପରେ ମହାଜନୀ ଦେଣା ପରିଶୋଧ ପାଇଁ ଚେଷ୍ଟା ଚାଲିଲା । ମ୍ୟାନେଜର ସେମାନଙ୍କୁ କହିବୋଲି ସେମାନଙ୍କ ଦାବିର ଅଧା ସେ ବର୍ଷ ନିଷ୍ପତ୍ତି କଲେ ଏବଂ ଅପରାର୍ଦ୍ଧ ଆଗାମୀ ବର୍ଷକୁ ରଖିଲେ । ଏଥିରେ ସମସ୍ତେ ସନ୍ତୁଷ୍ଟ ହୋଇ ସ୍ୱୀକୃତି ଜଣାଇଲେ ।

•••

 

–ସାତ–

 

ବହୁକାଳରୁ ଘଟିଥିବା ଅଶାନ୍ତି ଦୂର ହୋଇଗଲା । ବର୍ଷ ଗୋଟାକ ଭିତରେ ଜମିଦାରୀ ହସିଉଠିଲା । ଚାରିଆଡ଼େ ଗୋଟାଏ ଆନନ୍ଦର ସ୍ରୋତ ଛୁଟିଲା । ଟଙ୍କା ପଇସା ମଧ୍ୟ ଟ୍ରେଜେରୀରେ ପ୍ରଚୁର ପରିମାଣରେ ଜମା ହୋଇଗଲା । ସମୁଦାୟ ଜଞ୍ଜାଳ, ଯାହା ଯେଉଁ ଆଡ଼ୁ ଉଠି ଆସୁଥିଲା, ତାହା ମ୍ୟାନେଜରଙ୍କଠାରେ ପ୍ରତିହିତ ହେଉଥିଲା । ରାଜାଙ୍କୁ କିଛି ଲାଗିଲା ନାହିଁ । କେଉଁଆଡ଼ୁ କିଛି ସୁଖ ଦୁଃଖର ହାୱା ବୋହି ଆସୁଥିଲେ ସେ ତହିଁରୁ ସୁଖକର ହାଓ୍ୱାଟିକ ବାଛି ରଖି ଦୁଃଖଟିକ ମ୍ୟାନେଜରଙ୍କ ଆଡ଼କୁ ପେଲି ଦେଉଥିଲେ । ମ୍ୟାନେଜର ମଧ୍ୟ ତାହା ହଜମ କରିବାକୁ ମଜଭୁତ ଥିଲେ ।

 

ଏଣିକି ରାଜାଙ୍କ ମନଫୁଲାଣିଆ ଅବସ୍ଥା ବଢ଼ିଲା । ଆଉ ଦୁଃଖ ଶୋକର ଅନୁଭୂତି ତାଙ୍କ ସୀମା ସ୍ପର୍ଶ କରି ପାରିଲା ନାହିଁ । ଆଉ ଅଭାବ ଅସୁବିଧାର ଉତ୍କଟ ଦଂଶନ ତାଙ୍କୁ ଭୋଗିବାକୁ ହେଲା ନାହିଁ । ଆଉ କଲେକ୍ଟରଙ୍କ ବିକଟ ରକ୍ତଚକ୍ଷୁ ତାଙ୍କୁ ଦିବାରାତ୍ର ଥରହର କଲା ନାହିଁ । ଆଉ ମହାଜନମାନଙ୍କ ବିଷ ଉଦ୍‌ଗୀରଣ ଓ ଅଗ୍ରଗାମୀ ପ୍ରଜାସାଧାରଣଙ୍କ ଅଭିଶାପ ତାଙ୍କୁ କିଲବିଲ୍‌ କଲା ନାହିଁ । ସେ ଏଣିକି ମୁକ୍ତ ବିହଙ୍ଗମ ପରି ମୁକ୍ତ ଅନ୍ତରୀକ୍ଷରେ ଘୂରି ବୁଲିଲେ । ଆଉ ତାଙ୍କୁ କିଆକଣ୍ଟାରେ ବେଶି ସମୟ ରହିବାକୁ ପଡ଼ିଲା ନାହିଁ । ଆଜି କଟକ ବୋଇଲେ କାଲି କଲିକତା, ପଅରଦିନ ବମ୍ବେ ହେଲେ ତା’ ଆରଦିନ ଦିଲ୍ଲୀ, ଅନବରତ ଘୂରି ବୁଲି ବିଳାସ ଆମୋଦରେ ମାତିଲେ । କେଉଁଠାରେ ସିନେମା, କେଉଁଠାରେ ଥିଏଟର ଦେଖା ଚାଲିଲା, କେଉଁଠାରେ ନୂଆ କାର୍‌, ନୂଆ ପୋଷାକ, ନୂଆ ଆସବାବ କିଣା ଚାଲିଲା । ଚାହିଁଲା ମାତ୍ରକେ ମ୍ୟାନେଜର ତ ରାଶି ରାଶି ଟଙ୍କା ପଠାଉଥିଲେ, ପରୱା କଅଣ ? ଏଥିରେ ଏଷ୍ଟେଟ୍‌ର ଖର୍ଚ୍ଚ କେତେ ବଢ଼ୁଥିଲା, ତାହା ଭାବିବାକୁ ଅବସର ନ ଥିଲା । ଭାବିବାକୁ ତ ଜଣେ ଅଛି, ସେ କାହିଁକି ମୁଣ୍ଡ ଘୂରାଇବେ ?

 

ବିଭିନ୍ନ ସ୍ଥାନରେ ଘୂରିଲାବେଳେ ଯେଉଁ କର୍ମଚାରୀ ଜଣେ ଦି ଜଣ ସାଙ୍ଗରେ ଯାଉଥିଲେ, ସେମାନେ ତାଙ୍କର କିଛି ସୁବନ୍ଦୋବସ୍ତ କରି ପାରୁ ନଥିଲେ । ଜଣେ ଉପଯୁକ୍ତ ଲୋକ ପାଖରେ ନରହିଲେ ଆଉ ଚଳିଲା ନାହିଁ । ତେଣୁ ସେ ମ୍ୟାନେଜରଙ୍କ ସଙ୍ଗେ ପରାମର୍ଶ କରି ଜଣେ ଯୁବକକୁ ପ୍ରାଇଭେଟ୍‌ ସେକ୍ରେଟାରୀ କାମରେ ନିଯୁକ୍ତ କଲେ ଏବଂ ତାକୁ ନିଜର ଛାଇ ପରି ବରାବର ପାଖେ ପାଖେ ରଖିଲେ । ସେ ସାଧାରଣରେ ସେକ୍ରେଟେରୀ ବାବୁ ବୋଲି ପରିଚିତ ହେଲେ ।

 

ରାଜା ତାଙ୍କ ଉପରେ ସମସ୍ତ ଅନୁଗ୍ରହ ଭଲବାସା ମାଠିଆ ମୁହଁର ଢାଳିବାରେ ଲାଗିଲେ-। ଫଳରେ ସେକ୍ରେଟାରୀ ବାବୁ ଫୁଲି ଉଠିଲେ । ତାଙ୍କ ମନ ଏତେ ଉଚ୍ଚସ୍ତରକୁ ଚଢ଼ିଗଲା ଯେ ସେ ଧରାକୁ ସରା ଜ୍ଞାନ କରିବାକୁ ଲାଗିଲେ । ସେ କ୍ରମଶଃ ଅମଲା ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କ ଉପରେ ଅସୀମ ପ୍ରଭାବ ବିସ୍ତାର କଲେ । ସମସ୍ତେ ତାଙ୍କୁ ଦେଖିଲେ ଡରି ଥରିଯାଉଥିଲେ । ଲୋକେ ରାଜା ବା ମ୍ୟାନେଜରଙ୍କ ହୁକୁମ ପାଦରେ ଠେଲିପାରନ୍ତି କିନ୍ତୁ ସେକ୍ରେଟାରୀଙ୍କ କଥାରେ ଟିକିଏ ଆଡ଼ବାଙ୍କ ହେଲେ ଆଉ ରକ୍ଷା ନାହିଁ । ସେ ତାଙ୍କ ଯୋଗ୍ୟତା କେବଳ ରାଜାଙ୍କ ବିଳାସ ଓ ଆମୋଦ ଆୟୋଜନରେ ଯେତେ ଦେଖାଇ ପାରୁଥିଲେ, ଏଷ୍ଟେଟ୍‌ ପରିଚାଳନାରେ ତା’ର କାଣିଚାଏ ସୁଦ୍ଧା ଦେଖାଇ ନଥିଲେ । କିନ୍ତୁ ସେ ସମସ୍ତଙ୍କ ଉପରେ ନିଜର ପ୍ରଭୁତ୍ୱ ବିସ୍ତାର କରିବାକୁ ଚାହିଁଥିଲେ ।

 

ଏ ଅବସ୍ଥା ଉତ୍ତରୋତ୍ତର ବଢ଼ି ଉଠିଲା । ଲୋକେ ମ୍ୟାନେଜରଙ୍କ ଆଦେଶ ଟାଳିଦେଇ ସେକ୍ରେଟାରୀଙ୍କ ଆଦେଶ ପାଳନ କରିବାକୁ ବାଧ୍ୟ ହେଉଥିଲେ । ମ୍ୟାନେଜରଙ୍କ ଆଜ୍ଞାତରେ କେତେକ କର୍ମଚାରୀ କାର୍ଯ୍ୟରୁ ବର୍ଖାସ୍ତ ହେଲେ ଏବଂ ଆଉ କେତେକ ନବ ନିଯୁକ୍ତି ପାଇଲେ । ମ୍ୟାନେଜରଙ୍କ ଅନେକ ପ୍ରସ୍ତାବ ବା ବ୍ୟବସ୍ଥା ରାଜା ପାଇ ତା ସମ୍ବନ୍ଧରେ ସେକ୍ରେଟାରୀଙ୍କ ସଙ୍ଗେ ପରାମର୍ଶ ନକରି ମଞ୍ଜୁର ଦେଉ ନଥିଲେ । ସେକ୍ରେଟାରୀଙ୍କ ମନକୁ ଯାହା ପାଉନଥିଲା, ତାହା ଅଳିଆ ଟୋକେଇରେ ସାଇତା ହେଉଥିଲା । ବର୍ଷ ଦୁଇଟା ଭିତରେ ମ୍ୟାନେଜରଙ୍କ ମୂଲ୍ୟ ଯେତିକି କମିବାକୁ ଲାଗିଲା, ସେକ୍ରେଟାରୀଙ୍କ ମୂଲ୍ୟ ସେତିକି ବା ତାର ଦୁଇଗୁଣ ଜୋରରେ ବଢ଼ିବାକୁ ଲାଗିଲା । ନାନା ଘଟଣାରେ ଯେବେ ଉଭୟଙ୍କ ଭିତରେ ଟଣାଟଣି ଲାଗୁଥିଲା, ରାଜା ତାହା ସେକ୍ରେଟାରୀଙ୍କ ସପକ୍ଷରେ ନିଷ୍ପତ୍ତି କରି ମ୍ୟାନେଜରଙ୍କୁ ବରାବର ଅପମାନିତ କରୁଥିଲେ ।

 

ସେକ୍ରେଟାରୀ ଏଣିକି ମ୍ୟାନେଜରଙ୍କର ପ୍ରକାଶ୍ୟ ଶତ୍ରୁରୂପେ ଠିଆ ହେଲେ ଏବଂ ନାନା ଘଟଣାରେ ତାଙ୍କୁ ଅପମାନିତ କରିବା ସଙ୍ଗେ ସଙ୍ଗେ ତାଙ୍କ ବିରୁଦ୍ଧରେ ନାନାକଥା ଯୋଡ଼ି ରାଜାଙ୍କ ମନକୁ ବିଷାକ୍ତ କରିବାରେ ଲାଗିଲେ । ପ୍ରଜା ଓ କର୍ମଚାରୀମାନେ ରାଜାଙ୍କୁ ଖାତିର କରୁନାହାନ୍ତି । ମ୍ୟାନେଜର ସେମାନଙ୍କ ଦୃଷ୍ଟିରେ ଏଷ୍ଟେଟ୍‌ର ରାଜା । କେତେ ଭଦ୍ରଲୋକ, କେତେ ବିଶିଷ୍ଟ ଓ ଅବିଶିଷ୍ଟ ପ୍ରଜା ମ୍ୟାନେଜରଙ୍କ ଦ୍ୱାରେ ଅଧ୍ୟାପଡ଼ି ଦିବାରାତ୍ର ଗହ ଗହ ଧ୍ୱନିରେ କମ୍ପାଉଛନ୍ତି । ମ୍ୟାନେଜର ଯୁଆଡ଼େ ଗଲେ ଯେପରି ଆଦର ଅଭ୍ୟର୍ଥନା ପାଉଛନ୍ତି, ରାଜା ତା’ର କାଣିଚାଏ ସୁଦ୍ଧା ପାଉ ନାହାନ୍ତି । ପ୍ରଜାମାନେ ତାଙ୍କ ଜମିବାଡ଼ି ଚାଷକରି ଫସଲ ଆମଦାନି କରି ଖାଉଛନ୍ତି । ସେଥିପାଇଁ ତାଙ୍କର କଡ଼ାଏ କଉଡ଼ି ଖର୍ଚ୍ଚ ହେଉନାହିଁ । ମାତ୍ର ଏଣେ ରାଜାଙ୍କ ଜମି ଚାଷ ପାଇଁ ଅସୁମାର ଖର୍ଚ୍ଚ ଚାଲିଛି । ଦୁନିଆ ଯାକର ପନିପରିବା, ମାଛ ମାଂସ ଓ ଖଜାପିଠା ମ୍ୟାନେଜରଙ୍କ ଘରେ ଜମା ରହି ପଚି ସଢ଼ି ଯାଉଛି, ଏଣେ ରାଜାଙ୍କ ଉଆସ ଖାଲି । ଏପରି ଭାବରେ ନାନା ଖଚ, ଚୁଗୁଲି ଦିବାରାତ୍ର ରାଜାଙ୍କ କାନରେ ପଡ଼ି ତାଙ୍କୁ ଉତ୍ତପ୍ତ କରିଦେଲା । ସେ ମନେ ମନେ ମ୍ୟାନେଜରଙ୍କ ନାମରେ ରକ୍ତଚାଉଳ ଚୋବାଉଥିଲେ ମଧ୍ୟ ପ୍ରକାଶ୍ୟରେ କିଛି କହି ପାରୁନଥିଲେ । ଅନେକ ସମୟରେ ବିବେକ ଚେଇଁ ଉଠି ନିଜର ଅତୀତ ଘଟଣାବଳୀ ଚେତାଇ ଦେଉଥିଲା । ମାତ୍ର ସେଭଳି ମହାପୁରୁଷମାନଙ୍କ ଠାରେ ବିବେକର ଶକ୍ତି କେତେ ? ପୁଣି ପିଶାଚ ଆସି ରାଜା ମସ୍ତକରେ ଆସନ ଭିଡ଼ି ବସିଲା । ରାଜା ଏଣିକି ମ୍ୟାନେଜରଙ୍କୁ ସମ୍ମାନ ଦେଖାଇବା ଦୂରେଥାଉ ଖାତିର ସୁଦ୍ଧା କଲେ ନାହିଁ । ଅନେକ ସମୟରେ ପ୍ରକାଶ୍ୟରେ ଓ ପରୋକ୍ଷରେ ତାଙ୍କୁ ଅପମାନ ଦେବାକୁ ଲାଗିଲେ । ତାଙ୍କ ଦ୍ୱାରକୁ ଯେଉଁ ଲୋକ ଗଲା ସେ ନାନାଦି ନିର୍ଯାତନା ଭୋଗିଲା ଏବଂ ରାଜଅନୁଗ୍ରହରୁ ବଞ୍ଚିତ ହେଲା । ଯେଉଁ କର୍ମଚାରୀ ମ୍ୟାନେଜରଙ୍କ ଆଦେଶ ପାଳନ କଲା, ସେ ନାକବାଳ ଦଣ୍ଡ ଭୋଗିଲା କିମ୍ବା ନାଲପଟାରେ ଚଢ଼ିଲା । ଅବସ୍ଥାଟା ମ୍ୟାନେଜରଙ୍କ ବିରୁଦ୍ଧରେ ଖୁବ୍‌ ସାଙ୍ଘାତିକ ହୋଇ ଉଠିଲା ।

 

ରାମହରିବାବୁ ସେପରି ଜଣେ ନଗଣ୍ୟ ବ୍ୟକ୍ତି ନଥିଲେ କିମ୍ବା ଖୋସାମଦ ବା ଅନୁସରଣ କରି ମ୍ୟାନେଜରୀ ପାଇ ନଥିଲେ । ମ୍ୟାନେଜର ପଦ ତାଙ୍କୁ ଅନୁସରଣ କରି ଓ ଖୋସାମଦ କରି ତାଙ୍କଠାରେ ଶରଣ ପଶିଥିଲା । ତେଣୁ ସେ ଆହାର ନିଦ୍ରାପ୍ରତି ଭ୍ରୂକ୍ଷେପ ନ କରି ଦିବାରାତ୍ର ନିଜ କର୍ତ୍ତବ୍ୟ କାର୍ଯ୍ୟରେ ଲାଗିଥିଲେ । ରାଜାଙ୍କ ମଙ୍ଗଳ ଓ ପ୍ରଜାସାଧାରଣଙ୍କ ହିତ ସାଧନା ତାଙ୍କର ଏକମାତ୍ର ଧ୍ୟାନ ଧାରଣା ଥିଲା । ତେଣୁ ସେ ନିରପେକ୍ଷ ଓ ନିଷ୍ଠାପରଭାବରେ କର୍ତ୍ତବ୍ୟ ପୂରଣ କରି ରାଜାଙ୍କର ତଥା ସାଧାରଣଙ୍କର କୃତଜ୍ଞତା ଅର୍ଜନ କରିଥିଲେ । ମାତ୍ର ତାଙ୍କର ସମ୍ମାନରେ ଦିନୁଦିନ ଆଘାତ ଲାଗିବାରୁ ଓ ସେ ପଦେ ପଦେ ଅପମାନ ଉପରେ ଅପମାନ ଭୋଗିବାରୁ ଆଉ ମ୍ୟାନେଜର ପଦ ରକ୍ଷା କରିବାକୁ ମନ ବଳେଇଲେ ନାହିଁ । ତାକୁ ଫିଙ୍ଗିଦେବାକୁ ସୁବିଧା ସୁଯୋଗ ଖୋଜୁଥିଲେ ।

 

ଦିନେ ରାଜା ସେକ୍ରେଟାରୀଙ୍କ ଉତ୍ତେଜନାରେ ପଡ଼ି ମ୍ୟାନେଜରଙ୍କୁ ନାନା ଖରାପ ଭାଷାରେ ତିରସ୍କାର କରିବସିଲେ । ସେଠାରେ କେତେକ କର୍ମଚାରୀ ଓ ନିଜେ ସେକ୍ରେଟାରୀବାବୁ ଉପସ୍ଥିତ ଥିଲେ । ମ୍ୟାନେଜର ତିରସ୍କାରସବୁ ଶୁଣିସାରି କହିଲେ, ‘‘ରାଜାସାହେବ ! ନିଜ ଜନ୍ମଭୂମିର ମଙ୍ଗଳକାମନା ଓ ଆପଣଙ୍କୁ ନାନା ବିପଦରୁ ଉଦ୍ଧାର କରିବା ଆଶାରେ ଆପଣଙ୍କ ଅନୁରୋଧ ମତେ ମୁଁ ଏ ମ୍ୟାନେଜରୀ ଗ୍ରହଣ କରିଥିଲି । ମୁଁ ନିଷ୍ଠାପର ଭାବରେ ମୋର କର୍ତ୍ତବ୍ୟ ପାଳନ କରି ଯାହା ଯାହା କରିଛି, ତାହା ଆପଣଙ୍କୁ ଅବିଦିତ ନାହିଁ । ଏଣିକି ମୋର ମ୍ୟାନେଜରୀ ଆଉ ଆପଣଙ୍କର ଆବଶ୍ୟକ ହେଉ ନାହିଁ । ମୋତେ ଏପରି ଅପମାନିତ କରିବା ପରିବର୍ତ୍ତେ ଆପଣ ସରଳ ଭାବରେ ତାହା କହିଦେଲେ ବଡ଼ ଭଲ ହୋଇଥାନ୍ତା । ତା’ ନ କରି ଆପଣ ଏପରି ଅନ୍ୟାୟ ପନ୍ଥା ଧରିବା ଉଚିତ ହୋଇନାହିଁ । ମୁଁ ବର୍ତ୍ତମାନ ଏହି ମ୍ୟାନେଜର ପଦ ପରିତ୍ୟାଗ କରି ଆପଣଙ୍କଠାରୁ ବିଦାୟ ନେଇ ଯାଉଛି ।’’ ଏହା କହି ସେ ଆଉ କୌଣସି କଥାକୁ ଅପେକ୍ଷା ନ କରି ଓ କୌଣସି ଆଡ଼କୁ ନ ଚାହିଁ ଦ୍ରୁତପଦରେ ସେଠାରୁ ଚାଲିଗଲେ ।

 

ବୈଠକଖାନାରେ କିଛି ସମୟ ନୀରବତା ଖେଳିଗଲା । ସେକ୍ରେଟାରୀ ତାହା ଭଙ୍ଗ କରି କହିଲେ, ‘‘ବାହାଦୂରୀ ତ କିଛି କମ୍‌ ନୁହେଁ । ତାଙ୍କ ମନେ ମନେ, ସେ ଏ ଜମିଦାରୀଟା ଟେକି ଧରିଥିଲେ । ତାଙ୍କ ଅଭାବରେ ଏହା ତଳେ କଚାଡ଼ିହୋଇ ପଡ଼ିବ !’’

 

ରାଜା ସ୍ମିତହାସ୍ୟ କରି ଏ କଥା ଶୁଣୁଥିଲେ ଏବଂ ସିଗାରେଟ୍‌ ଧୂଆଁରେ ବୈଠକରେ ଥିବା ବ୍ୟକ୍ତିମାନଙ୍କୁ ଆମୋଦିତ କରୁଥିଲେ । ସେ କହିଲେ, ‘‘ମୁଁ ସେଥିପାଇଁ ଚିନ୍ତିତ ନୁହେଁ । ତୁମେ ତ ବର୍ଷେ ହେଲା ସେକ୍ରେଟାରୀ କାମ କଲଣି । ସବୁ କଥାତ ଜାଣି ବୁଝିଗଲଣି । ଏ କାମ ସଙ୍ଗେ ମ୍ୟାନଜରୀ କାମ ଚଳାଇ ପାରିବ ?’’

 

ସେକ୍ରେଟରୀ ଗମ୍ଭୀର ହୋଇ କହିଲେ, ‘‘ମୁଁ କ’ଣ, ଛାମୁ ଯାହା ଉପରେ ଭାର ଦେବେ, ସେ ଚଳାଇ ପାରିବ । ଛାମୁ ସାହାଯ୍ୟ କଲେ ଏହା ଏପରି ଗୋଟାଏ ବଡ଼ କଥା ନୁହେଁ ଯେ ମୁଁ ଚଳାଇ ନ ପାରିବି । ରାମହରି କିଛି ସ୍ୱର୍ଗର ଦେବତା ନୁହଁନ୍ତି ।’’

 

ସମସ୍ତ ରାଜନୀତି ଓ ଅର୍ଥନୀତିରେ ଧୁରନ୍ଧର ଥିବା ଭଳି ଗୋଟାଏ ଅସ୍ୱାଭାବିକ ଭାବ ଦେଖାଇ ରାଜା କହିଲେ, ‘‘ଆରେ, ଏଇଟା କିଛି ବଡ଼ କଥା ନୁହେଁ । ଏକା ମୋର କଲମ ଗାରକୁ ସବୁ ନିଅଣ୍ଟ । ମାତ୍ର ଏତେ ଦୈନନ୍ଦିନ ଖୁଣ୍ଟିନାଣ୍ଟି ବୁଝିବା ମୋ ଦେହୀ ହୋଇପାରେନାହିଁ । ସେଥିଲାଗି ମୁଁ ଜଣେ ମ୍ୟାନେଜର ରଖିବାକୁ ଚାହୁଁଛି । ତୁମେ କାମକର । ମୁଁ ବରାବର ସାହାଯ୍ୟ କରିବି ।’’

 

ସେକ୍ରେଟାରୀ ଯେପରି ସବୁ କାମରେ ଧୂରନ୍ଧର, କୌଣସି କାର୍ଯ୍ୟ ଯେପରି ତାଙ୍କୁ ଅଟକାଇ ପାରେ ନା, ଏବଂ ସରକାରଙ୍କ ସଙ୍ଗେ ଯେପରି ତାଙ୍କର କେତେକାଳର ସମ୍ବନ୍ଧ, ଏହି ଭାବରେ ଗୋଟାଏ ଚେହେରା ମୁହଁରେ ଫୁଟାଇ କହିଲେ, ‘‘ଯେଉଁ କାମ ଦିଆଯିବ, ମୁଁ କରିବାକୁ ପ୍ରସ୍ତୁତ ଅଛି ।’’

 

ତା’ ପରେ ରାଜା ତାଙ୍କୁ ମ୍ୟାନେଜର ପଦ ଦେଇ ପରଓ୍ୱାନା ଲେଖିଦେଲେ । ଗାଦି ବେଶୀ ସମୟ ଖାଲି ପଡ଼ିଲା ନାହିଁ, କିମ୍ବା ମ୍ୟାନେଜରଟିଏ ଖୋଜିବାକୁ ରାଜାଙ୍କୁ କୌଣସି କଷ୍ଟ ଭୋଗିବାକୁ ପଡ଼ିଲା ନାହିଁ । ଚାହିଁଲା ମାତ୍ରକେ ମ୍ୟାନେଜର ଖାଡ଼ା । ନିଯୁକ୍ତି ମାତ୍ରକେ ନୂଆ ମ୍ୟାନେଜର କାମ ଜାରି କରିଦେଲେ । କଚେରୀକୁ ଯାଇ ସେ କେତେ ପ୍ରକାର ହୁକୁମ ପ୍ରଚାର କଲେ ଏବଂ ଯୁଆଡ଼େ ଗଲେ ସେଆଡ଼େ ଲୋକେ ତାଙ୍କୁ ଯେପରି ମାନିବେ, ଭୟ ଭକ୍ତି କରିବେ, ଏଥିପାଇଁ ସମସ୍ତ ପ୍ରକାର ଆୟୋଜନ କଲେ । ପୂର୍ବତନ ଯୁଗ ସାମାନ୍ୟ ଅଦଳବଦଳ ହୋଇ ପୁଣି ଫେରିଆସିଲା । ପୁଣି ଗୋଟାଏ ଅସ୍ୱାଭାବିକ ପରିସ୍ଥିତି, ଯାହା କିଛିକାଳ ଏଷ୍ଟେଟ୍‌ରୁ ବିଦାୟ ନେଇଥିଲା ତାହା ନବ ଆଲୋକରେ ଦୀପ୍ତିମାନ ହୋଇ ଉଠିଲା ।

 

ରାଜା ଓ ମ୍ୟାନେଜରଙ୍କ ଭିତରେ ବନ୍ଧୁତା ଏତେ ବଢ଼ିଲା ଯେ ଦୁହିଁଙ୍କ ଭିତରେ ଆଉ ପାଣି ଗଳିଲା ନାହିଁ । ରାଜାଙ୍କୁ କେହି ଅପମାନସୂଚକ କଥା କହୁଥିଲେ ମ୍ୟାନେଜର ସହୁ ନଥିଲେ କି ମ୍ୟାନେଜର ଅପମାନ ପାଇଲେ ରାଜା ସହୁ ନଥିଲେ । ସଙ୍ଗେ ସଙ୍ଗେ କଠୋର ପ୍ରତିକାର ହେଉଥିଲା । ଏ ସମସ୍ତ ପ୍ରତିକାର ପାଇଁ ଦଳେ ଲୋକ ପୋଷାହେଲେ । ସେମାନଙ୍କର ଯେ ଦଳପତି, ତାର ନାମ ବୈରୀଗଞ୍ଜନ । ସେ ଗୋଟାଏ ଷଣ୍ଡା ପଞ୍ଚହତା ମର୍ଦ୍ଦ, ଜାତିରେ ପାଣ । ପୂର୍ବେ ସେ ଗୋଟାଏ ପ୍ରଧାନ ଚୌକିଦାର ଥାଇ ଅନେକ ଚୋର ବଦମାସଙ୍କୁ ସାଧ୍ୟ କରିଥିଲା ଏବଂ ପୁଲିସ୍‌ରେ ଗୋଟାଏ ସୁନାମ ତା’ର ଥିଲା । ସେ ଚାଲିଲେ ଦଶଜଣ ଲୋକ ଚାଲିଲାପରି ଶବ୍ଦ ହେଉଥିଲା ଏବଂ ପିତ୍ତଳ ମୁଠାମରା ଚିତ୍ତାଏ ଉଚ୍ଚର ଠେଙ୍ଗା ସବୁବେଳେ ତା ହାତରେ ଥିଲା । ଯାହାକୁ ସେ ଉଂଛିକରି ଠେଙ୍ଗାଏ ଦେଉଥିଲା, ତହିଁରେ ସେ ଖତମ ହୋଇ ଯାଉଥିଲା । ମାତ୍ର ପୁଲିସ୍‌ ଲୋକେ ସୁପାରିଶ ଥିବାରୁ ଓ ସେ ନିଜ ଚେଷ୍ଟାରେ ଲାସ୍‌କୁ ଖତମକରି ତା’ର ଚିହ୍ନବର୍ଣ୍ଣ ଲୋପକରି ଦେଉଥିବାରୁ ତା’ ନାମରେ ମାଲି ମୋକଦ୍ଦମା କିଛି ସଫଳ ହେଉନଥିଲା । ସେ ଏତେ ଦ୍ରୂତବେଗରେ ଯାଇ ଆସି ପାରୁଥିଲା ଯେ ଏକା ରାତିକେ କୋଡ଼ିଏ ମାଇଲ କ୍ଷେପି ଯାଇ ଭୋର ପୂର୍ବରୁ ସ୍ୱସ୍ଥାନରେ ଆସି ହାଜର ହୋଇଯାଉଥିଲା । ତାକୁ ଧରିବା କାଠିକ୍‍ର ପାଠ ।

 

ଅନ୍ୟାୟ କାର୍ଯ୍ୟ ଚିରଦିନ ନିରାପଦରେ ଯାଏ ନାହିଁ । ଦିନେ ହେଲେ ତା’ର ଦୁରନ୍ତ ପ୍ରତିକ୍ରିୟା ଆସି ଘଟେ । ବୈରୀଗଞ୍ଜନ ସେଥିରୁ ବାଦ ଯିବ କିପରି ? ଦିନେ ସେ ଗୋଟାଏ ଲୋକଙ୍କୁ ଖୁନ୍‍ କରି ଧରା ପଡ଼ିଗଲା, ଏବଂ ସଙ୍ଗେ ସଙ୍ଗେ ଚାଲାଣ ହେଲା । ସେଥିରେ ତା’ର ଜେଲ୍‍ ହେଲା ଦଶବର୍ଷ । ଜେଲରୁ ଫେରି ସେ ଦେଖେ ତ ତା’ର ଭିଟାମାଟି ଉଠିଯାଇଛି । ସ୍ତ୍ରୀ, ବାଳକମାନେ ଖାଇବା ଅଭାବରେ ସିଲଟ ପଳାଇ ଯାଇଛନ୍ତି ଏବଂ ଜମିବାଡ଼ି ବାକି ଖଜଣାରେ ନିଲାମ ହୋଇଯାଇଛି । ସେ ସର୍ବସ୍ୱାନ୍ତ ହୋଇ ଯେତେବେଳେ ଦାଣ୍ଡରେ ଠିଆହେଲା, ତା’ର ମୁଣ୍ଡ ଘୂରିଗଲା ଏବଂ ସେ ଦୀର୍ଘକାଳ ଅଚେତ ହୋଇ ପଡ଼ିଗଲା । ପାଣଟାକୁ ଭଦ୍ରଲୋକମାନେ ଛୁଅଁନ୍ତେ କିପରି ଯେ ତାକୁ ସାଷ୍ଟମ କରନ୍ତେ । କେତେକ କଂଗ୍ରେସବାଲା ଆସି ତାକୁ ସଚେତ କଲେ ଏବଂ ତା’ ପାଇଁ କିଛି ସାମୟିକ ବ୍ୟବସ୍ଥା କରିଗଲେ । ସେ କିଛିଦିନ ଏଣେତେଣେ ବୁଲି ଭିକ୍ଷାକରି ଖାଇଲା । ଦିନେ ସେ ନୂଆ ମ୍ୟାନେଜରଙ୍କ ହାବୁଡ଼େ ପଡ଼ିବାରୁ ତା’ର ଭାଗ୍ୟୋଦୟ ହେଲା । ସେ ଗୋଟାଏ ଗୁଣ୍ଡାଦଳର ଦଳପତି ହେଲା ।

 

ବୈରୀଗଞ୍ଜନ ଯଥାର୍ଥରେ ବୈରୀମାନଙ୍କର ଗଞ୍ଜନକାରୀ । କେଉଁ ପୁରୁଷରୁ ତାର ଏ ଉପାଧିଥିଲା କେଜାଣି ? ତା’ରି ଅମଳରେ ଉପାଧିର ଯଥାର୍ଥ ସାର୍ଥକତା ଦେଖାଗଲା । ସେ ରାଜା ଓ ନୂଆ ମ୍ୟାନେଜରଙ୍କ ବୈରୀମାନଙ୍କୁ ଗଞ୍ଜନକରି ସେମାନଙ୍କୁ ସମୁଚିତ ଶିକ୍ଷା ଦେବା କାର୍ଯ୍ୟରେ ନିଯୁକ୍ତ ହେଲା । ଉକ୍ତ ଗୁଣ୍ଡାଦଳ ହେଲେ ମ୍ୟାନେଜରଙ୍କ ହାତବାରେଶୀ । ତାଙ୍କୁ ସେ ଯେଉଁ କାର୍ଯ୍ୟରେ ଲଗାଇ ଦେଉଥିଲେ, କୁକୁର ଧାଇଁଯାଇ ଶିକାରକୁ ମାଡ଼ି ବସିଲାପରି, ବୈରୀଗଞ୍ଜନର ଦଳ ସେ କାର୍ଯ୍ୟକୁ ମାଡ଼ି ବସୁଥିଲେ । ଗଗନରୁ ତାରା ତୋଳି ଆଣିବାକୁ ହୁକୁମ ହେଲେ, ତାହା ସେମାନଙ୍କ ପକ୍ଷରେ ବିଚିତ୍ର ନଥିଲା । ସେମାନଙ୍କ ପାହାରରେ କେତେ ଲୋକଙ୍କର ମୁଣ୍ଡ ଫାଟିଲା । କେତେ ବୋହୂ ଭୂଆଶୁଣି ବେଇଜ୍ଜତ ହେଲେ । କେତେ ଲୋକଙ୍କର ଘର ଭୂମୀସାତ୍‌ ହେଲା । କେତେ ଦେଉଳ ଓ ସମାଧିର ସତ୍ତା ରହିଲାନାହିଁ । କେତେ ପାଚିଲା ଧାନ କିଆରୀ ସକାଳକୁ ମରୁଭୂମିରେ ପରିଣତ ହେଲା । କେତେ କଞ୍ଚା କିଆରୀ କାଦୁଅରେ ମିଶାଇ ଦିଆଗଲା । କେତେ ଗୋରୁଗାଈ ଚିରକାଳ ପାଇଁ ଅଦୃଶ୍ୟ ହେଲେ । ଏ ସମସ୍ତ କାଣ୍ଡ ରାତି ମଧ୍ୟରେ ଖୁବ୍‌ ଗୁପ୍ତରେ ହେଉଥିଲେ ମଧ୍ୟ, ଲୋକେ ତା’ର ସାକ୍ଷାତ ଫଳ ଭୋଗିଲେ । ପୋଲିଶ ଏ ସବୁର କୌଣସି ପତ୍ତା ପାଇଲା ନାହିଁ । ଲୋକେ ସୂର୍ଯ୍ୟାସ୍ତ ଠାରୁ ସୂର୍ଯ୍ୟୋଦୟ ଯାଏ ଭୟରେ ଘରୁ ପଦାକୁ ବାହାରି ପାରିଲେ ନାହିଁ । ଆଜି ଖବର ହେଲା ଅମକ ଗାଁ ବାସୁ କରଣଙ୍କ ଘର ଉଜାଡ଼ି ହୋଇଯାଇଛି । କାଲି ଖବର ହେଲା ଅମକ ଗାଁର ଚୈତନ ଚୌଧୁରୀଙ୍କ ଧାନ ଅମାର ମାଟିରେ ମିଶିଯାଇଛି । ତା’ ଆରଦିନ ଶୁଣାଗଲା, ବାଇଧର ମନ୍ତ୍ରୀଙ୍କି କିଏ ମାରି ଅଜ୍ଞାନ କରି ବନ୍ଧ ହୁଡ଼ାରେ ପକାଇ ଦେଇଥିଲା-। ତାଙ୍କୁ କଟକ ଡାକ୍ତରଖାନାକୁ ନିଆଗଲାଣି । ସେ ମରିବେ କି ଜୀଇବେ କହି ହେଉନାହିଁ । ଏପରି ବିଭୀଷିକାପୂର୍ଣ୍ଣ ଖବର ସବୁ ନାନାରଙ୍ଗରେ ରଞ୍ଜିତ ଓ ନାନା ସାଜରେ ସଜ୍ଜିତ ହୋଇ ଚାରିଆଡ଼େ ବ୍ୟାପିଗଲା ।

 

କିଆକଣ୍ଟାର ବିଭିନ୍ନ ବସ୍ତି ମଧ୍ୟ ଏ ବିଭୀଷିକାରୁ ବାଦ୍‌ପଡ଼ିଲା ନାହିଁ । ସମସ୍ତେ ଏ ଅଚାନକ ଭୟରେ ଥରିବାକୁ ଲାଗିଲେ । କାହାର ଚାଳ ଉଠିଗଲା । କାହାର ଦୋକାନ ଲୁଟ୍‌ ହୋଇଗଲା । ଗୁଣ୍ଡାମାନେ କାହା ଘରେ ପଶି ବଂଶ ତମାମ ପିଟିଗଲେ । କାହାର ପିଲା କବିଲା ଓ ଯୁବତୀ ଝିଅ ବୋହୂମାନେ ହରଣଚାଲ ହୋଇଗଲେ ଏବଂ ଆଠ ଦିନରେ ପୁଣି ଫେରି ଆସିଲେ । ଦିନେ ସକାଳେ ଦେଖାଗଲା, ପୁରୁଣା ମ୍ୟାନେଜର ରାମହରିବାବୁଙ୍କ ସିମେଣ୍ଟକରା ପଥର ପାହାଚ ସବୁ କୁଆଡ଼େ କୁହୁକ ବଳରେ ଉଭେଇ ଯାଇଛି । ଆଉ ଦିନେ ଦେଖାଗଲା, ତାଙ୍କ ବାଡ଼ି ବଗିଚାର ସମସ୍ତ ଗଛ କାଟି ପଦା ହୋଇଯାଇଛି । ଆଉ ଦିନେ ଶୁଣାଗଲା, ତାଙ୍କ ଉପରେ ରାତି ଅଧିଆ ଶକତ ମାଡ଼ କରିବାକୁ ଦୁଇଜଣ ଗୁଣ୍ଡାଙ୍କ ଉପରେ ଭାର ଦିଆଯାଇଥିଲା । ମାତ୍ର ସେ ଦୁହେଁ ରାମବାବୁଙ୍କ ପ୍ରତି ନାନାଭାବରେ କୃତଜ୍ଞ ଥିବାରୁ ତାଙ୍କୁ ଆଗରୁ ଗୁପ୍ତ ଭାବରେ ସତର୍କ କରାଇ ଦେଇଥିଲେ । ଫଳରେ ରାମବାବୁ ସେଦିନ ରକ୍ଷା ପାଇଗଲେ । ଆଉ ଦିନେ ତାଙ୍କର କେତେକ ଫସଲ ନଷ୍ଟ କରି ଦିଆଗଲା । ଦିନେ ତାଙ୍କ ଘରେ ନିଆଁ କରି ଦେବାର ସମସ୍ତ ଆୟୋଜନ ହୋଇଥିଲା । ମାତ୍ର ଅଳ୍ପକେ ତାହା ଭଣ୍ଡୁର ହୋଇଗଲା ।

 

ଏପରି ଅତ୍ୟାଚାର ସବୁ ସାରା ଜମିଦାରୀର ଲୋକେ ଯେପରି ଭୋଗିଲେ, ରାମବାବୁ ମଧ୍ୟ ସେପରି ଊଣା ଅଧିକେ ଭୋଗିଲେ । ଗୋଟିଏ ମହାମାରୀ ଆସି ଘୋଟିଲେ, ଲୋକେ ଯେପରି ସଂନ୍ତ୍ରସ୍ତ ହୋଇପଡ଼ନ୍ତି, ଏହି ଅବସ୍ଥାରେ ଲୋକେ ସେଇଆ ଭୋଗିଲେ । କାହାରି ମନରେ ଶାନ୍ତି ସୁଖ ରହିଲା ନାହିଁ । ପୋଲିସ ପ୍ରମାଣ ଅଭାବରୁ କିଛି ପ୍ରତିକାର କରିପାରିଲା ନାହିଁ । ଲୋକେ ଏ ସବୁକଥା ଆସି ରାଜାଙ୍କୁ ଘନଘନ ଜଣାଇଲେ । ମୌଖିକ ସହାନୁଭୂତି ଛଡ଼ା ଆଉ କିଛି ଫଳପ୍ରଦ ବ୍ୟବସ୍ଥା ସେ କରିବାର ଦେଖାଗଲା ନାହିଁ । ମ୍ୟାନେଜରଙ୍କୁ କହିଲେ, ସେ ମଧ୍ୟ ସେହି ପନ୍ଥା ଧଇଲେ । ଓଲଟି ଫଳ ହେଲା ଯେ, ମୁଖିଆ ଲୋକମାନେ ଦିନେ ଦୁଇଦିନ ଭିତରେ ଗୁରୁତର ଶାସ୍ତି ଭୋଗିଲେ । ଯେଉଁ ମ୍ୟାନେଜର ରାଜାଙ୍କ ଇଙ୍ଗିତରେ ଏ ସବୁ ଗୁରୁତର କାଣ୍ଡର କର୍ତ୍ତା, ସେ ଆଉ କି ପ୍ରତିକାର ଅଧିକ କରନ୍ତେ ?

•••

 

Unknown

–ଆଠ–

 

ରାମହରିବାବୁ ନାନା ଅଶାନ୍ତି ଭୋଗିଭୋଗି ସମୟ କଟାଇବାରେ ଲାଗିଲେ । ତାଙ୍କୁ ଚାରିଆଡ଼ ଶୂନ୍ୟମୟ ଦେଖାଗଲା । ରାଜା ଭୟରେ କେହି ତାଙ୍କ ସଙ୍ଗେ କଥା ହେଉନଥିଲେ କିମ୍ବା ତାଙ୍କ ସୀମାକୁ ଆସୁନଥିଲେ । ତାଙ୍କ ହଳିଆ ମାନଙ୍କ ଉପରେ ଦିନେ ରାତି ଅଧିଆ ହୋଇ ଯିବାରୁ, ସେମାନେ ତାଙ୍କଠାରୁ ବିଦାୟ ନେଇ ଚାଲିଗଲେ । ମାତ୍ର ନିମକସଚ୍ଚା ଚାକର ଚାକରାଣୀ ଗୁଡ଼ିକ ହଜାର ବିପଦ ଆଶଙ୍କା କରିଥିଲେ ମଧ୍ୟ ତାଙ୍କ ଘର ଛାଡ଼ି ପାରିଲେ ନାହିଁ । ଏତିକି ମାତ୍ର ଆଶ୍ୱାସନା ସେ କେବଳ ପାଉଥିଲେ ।

 

ନିଃସଙ୍ଗଭାବରେ ଜୀବନ ଯାପନ କରିବା ଜୀବର ପ୍ରକୃତି ନୁହେଁ । ପଶୁପକ୍ଷୀମାନେ ସଙ୍ଗମେଳ ନଥାଇ ରହି ପାରନ୍ତି ନାହିଁ । କୀଟ ପତଙ୍ଗ ପର୍ଯ୍ୟନ୍ତ ସମସ୍ତେ ଏହି ପ୍ରକୃତିର ଅଧୀନ । ଜୀବଶ୍ରେଷ୍ଠ ମାନବ ସଙ୍ଗ ବିହୀନ ହୋଇ କିପରି ବଞ୍ଚିପାରିବ ? ରାମବାବୁ ପରିବାର ଅନ୍ତର୍ଗତ ଥାଇ ମଧ୍ୟ ଏ ଅବସ୍ଥାଟା ପ୍ରାଣେ ପ୍ରାଣେ ଅନୁଭବ କଲେ । ସେ ଅବଶ୍ୟ ଜଣେ ସବଳମନା—ବେପରୁଆ ଲୋକ । ତେବେ କେତେଦିନ ଏ ମନୋଭାବ ରଖି ଚଳି ପାରିବେ ? ବର୍ଷ ଗୋଟାକ ଭିତରେ ତାଙ୍କ ମନର ଏ ଅବସ୍ଥା ଭାଙ୍ଗି ପଡ଼ିଲା । ତାହା ତାଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ବିସ୍ତାର କଲା । ଦିନା କେତେ ପରେ ସେ ବେମାରରେ ପଡ଼ିଗଲେ । ସ୍ତ୍ରୀ ତାରାମଣି ଦେବୀ ଯେତେ ଦୂର ପାରନ୍ତି ବୈଦ କବିରାଜ ଲାଗାଇ ନାନାଦି ଚେଷ୍ଟା କଲେ । ମାତ୍ର ମାନସିକ ଆଶାନ୍ତିରୁ ଉତ୍ପନ୍ନ ଯେଉଁ ରୋଗ, ତାହା ଏପରି ସାଧାରଣ ଚିକିତ୍ସାରେ ଭଲ ହେବ କାହୁଁ ? ପୁଣି କବିରାଜମାନେ ରାଜାଙ୍କ ଭୟରେ କେବଳ ଗୁପ୍ତଭାବରେ ଆସି ଯେ ଚିକିତ୍ସା ଚଳାଉଥିଲେ, ତା’ର ସୁଫଳ ଆଶା କରିବା ବିଡ଼ମ୍ବନା । ତଦ୍ଦ୍ୱାରା ରୋଗ ବୃଦ୍ଧି ପାଇଁ ଯଥେଷ୍ଟ ସମୟ ମିଳିଲା । ସ୍ଥାନୀୟ ଡାକ୍ତର ତାଙ୍କର ଚିକିତ୍ସା କରିବାକୁ ମଙ୍ଗିଲେ ନାହିଁ ।

 

ତାରାମଣି ଏଥିରେ ଘୋର ପ୍ରମାଦ ମନେ କଲେ । ସ୍ୱାମୀଙ୍କ ବିଷୟରେ ତାଙ୍କୁ ଦଶଦିଗ ଅନ୍ଧକାର ଦେଖାଗଲା । ରାଜା ତାଙ୍କ ହାତରେ ମହାପ୍ରସାଦ ଦେଇ ଏପରି ଯେ ବ୍ୟବହାର କରୁଛନ୍ତି ଏଥିପାଇଁ ତାଙ୍କ ମନରେ ଘୋର ଦୁଃଖ ଜାତହେଲା । ରାଜାଟା କି ଆର୍ତ୍ତହୋଇ, କି ଦୁଃଖଯନ୍ତ୍ରଣାରେ ଛଟପଟ ହୋଇ ତାଙ୍କ ସ୍ୱାମୀଙ୍କଠାରେ ଶରଣ ପଶିଥିଲା । ସ୍ୱାମୀ ମଧ୍ୟ ଆହାର ନିଦ୍ରା ଭୁଲି ଦିବାରାତ୍ର ତାହାରି କାର୍ଯ୍ୟରେ ଲାଗି କି ଉପକାର କରିନଥିଲେ ? ଶେଷରେ ସେ ଏଇୟା କଲା ? ସ୍ୱାମୀ ସେତେବେଳେ ଯଥାର୍ଥରେ ରାଜାପ୍ରତି ସନ୍ଦେହ ପ୍ରକାଶ କରିଥିଲେ । କିନ୍ତୁ ତାରାମଣି ରାଜାର ଲୋତକଭରା ଚକ୍ଷୁ ଦେଖି ଭଳି ପଡ଼ିଥିଲେ ଏବଂ ତହିଁରେ ପ୍ରଭାବିତ ହୋଇ ରାଜାଙ୍କ ଅନୁରୋଧ ରକ୍ଷାକରିବାକୁ ସ୍ୱାମୀଙ୍କୁ ପ୍ରବର୍ତ୍ତାଇ ଥିଲେ । ଏଥିପାଇଁ ସେ ସ୍ୱାମୀଙ୍କ ଦୂରଦୃଷ୍ଟିକି ମନେମନେ ଶତ ପ୍ରଶଂସାକରି ନିଜକୁ ଅନେକ ନିନ୍ଦା କଲେ ଏବଂ ସ୍ୱାମୀଙ୍କ ଏ ବେମାରୀ ଦେଖି ତାଙ୍କ ପ୍ରାଣ ଶୁଖିଗଲା । ସେ ଆର୍ତ୍ତ ସ୍ୱରରେ ଚିତ୍କାର କରି ଉଠିଲେ ଏବଂ ଧବଳାଲିଙ୍ଗଙ୍କୁ ଧ୍ୟାନ କରି ତାଙ୍କଠାରେ ଆତ୍ମସମର୍ପଣ କରିଦେଲେ । ତାଙ୍କ ମନରେ ଏହି କାମନା ହେଲା ଯେ, ସ୍ୱାମୀ ଆରୋଗ୍ୟ ଲାଭକଲେ ସେ ଧବଳେଶ୍ୱର କ୍ଷେତ୍ରକୁ ଯାଇ ପ୍ରଭୁଙ୍କୁ ଜଳଶାୟୀ କରିବେ ଏବଂ ଆଚଣ୍ଡାଳ ବ୍ରାହ୍ମଣ ଏକ ସହସ୍ର ବ୍ୟକ୍ତିଙ୍କି ଭୂରିଭୋଜନ ଦେବେ ।

 

ଧବଳାଳିଙ୍ଗ ଏ କରୁଣଡାକ ବୋଧହୁଏ ଶୁଣିଲେ । ତାରାମଣିଙ୍କ ଭାଇ ନିଧି ଆକସ୍ମିକ ଭାବରେ ଆସି ଉପସ୍ଥିତ ହେଲେ । ତାଙ୍କୁ ଦେଖି ତାରାମଣିଙ୍କ ଶୋକସିନ୍ଧୁ ଉଚ୍ଛୁଳି ପଡ଼ିଲା । ସେ କରୁଣ କଣ୍ଠରେ ବହୁକଷ୍ଟରେ ସ୍ୱାମୀଙ୍କ ବୋମାରୀ ସମ୍ବାଦ ତାଙ୍କୁ ଜଣାଇଲେ । ନିଧି ସଙ୍ଗେ ସଙ୍ଗେ ରାମବାବୁଙ୍କୁ ଦେଖିଲା ମାତ୍ରକେ ତାଙ୍କ ମନର ଅବସ୍ଥା ଦବିଗଲା । ରାମବାବୁ ତାଙ୍କୁ ଦେଖି ଆନନ୍ଦିତ ହେଲେ ଯେତିକି ଶୋକାକୁଳ ମଧ୍ୟ ହେଲେ ସେତିକି । ନିଧି ଆଉ କାଳବିଳମ୍ବ ନ କରି ସଙ୍ଗେ ସଙ୍ଗେ କଟକ ଯିବାପାଇଁ ପ୍ରସ୍ତାବ କଲେ । ଅଧଘଣ୍ଟାକ ଭିତରେ ଯାତ୍ରାର ସବୁ ଆୟୋଜନ ହୋଇଗଲା । ନିଧି ଯେଉଁ ଟାକ୍ସିରେ କଟକରୁ ଆସିଥିଲେ, ସେହି ଟାକ୍ସିରେ ସମସ୍ତେ କଟକ ଗଲେ ।

 

କଟକ ବଡ଼ ଡାକ୍ତରଖାନାରେ ସଙ୍ଗେସଙ୍ଗେ ଚିକିତ୍ସା ଚାଲିଲା । କଟକର ଅନେକ ବନ୍ଧୁ ରାମବାବୁଙ୍କୁ ଦେଖିବାପାଇଁ ଅନବରତ ଆସିବାରେ ଲାଗିଲେ । ସେମାନଙ୍କ ସଙ୍ଗେ ମଧୁର ଆଳାପ, ଚିକିତ୍ସା ବିଜ୍ଞାନର ଅମୂଲ୍ୟପ୍ରଭାବ ଏବଂ ସେବିକାମାନଙ୍କ କୋମଳ ବ୍ୟବହାର ଫଳରେ ପ୍ରାୟ ଦଶଦିନ ମଧ୍ୟରେ ରାମବାବୁ ରୋଗମୁକ୍ତ ହୋଇଗଲେ । ତା’ ପରେ ସ୍ୱାସ୍ଥ୍ୟଲାଭ ପାଇଁ ଆଉ ଦଶଦିନ ହସ୍ପିଟାଲରେ ଅବସ୍ଥାନ କରି ସେଠାରୁ ସେ ବିଦାୟ ହେଲେ । ନିଧି ଗୁରୁତର କାର୍ଯ୍ୟବଶତଃ ସେଠାରୁ ସ୍ୱସ୍ଥାନକୁ ଚାଲିଗଲେ । ରାମବାବୁ ଆଉ କିଆକଣ୍ଟାକୁ ନଫେରି ସେଠାରୁ ସପରିବାରରେ ଧବଳେଶ୍ୱର ଗଲେ । ସେଠାରେ ସେ ଦମ୍ପତି ଏକ ସପ୍ତାହ ଅବସ୍ଥାନ କରି, ନିଜର ‘ମାନସିକ’ କ୍ରିୟା ସମାପନକଲେ ଏବଂ ଶେଷରେ ଯେଉଁ ମନୋଭାବ ଧରି ଫେରିଲେ, ତାହା ପାଠକମାନଙ୍କୁ ଅବିଦିତ ନାହିଁ ।

 

ରାମହରିବାବୁ କଟକରେ ପନ୍ଦରଦିନ ଅବସ୍ଥାନ କରି ମନର ପରିବର୍ତ୍ତନ ଓ ସ୍ୱାସ୍ଥ୍ୟୋନ୍ନତି ପାଇଁ ଆୟୋଜନ କଲେ । ଚାନ୍ଦମଣିର ସେତେବେଳକୁ ମାଟ୍ରିକ ପରୀକ୍ଷା ଖୁବ୍‍ ନିକଟ । ତାଙ୍କ ଉଦ୍ଦେଶ୍ୟଥିଲା, ପରୀକ୍ଷା ପରେ ଚାନ୍ଦମଣିକି ସଙ୍ଗରେ ଧରି ଘରକୁ ଫେରିବେ । ଚାନ୍ଦମଣି ସେତେବେଳେ ବୋର୍ଡିଂରେ ଥାଇ ପରୀକ୍ଷା ପାଇଁ ଖୁବ୍ ଯତ୍ନ କରୁଥିଲା । ଦିନେ ରାଧାପ୍ରସନ୍ନବାବୁ ବୋର୍ଡିଂରେ ଉପସ୍ଥିତ ହୋଇ ଚାନ୍ଦମଣି ସଙ୍ଗେ ଦେଖାକଲେ ଏବଂ ତା ସଙ୍ଗେ ଆଳାପ କରି ମନରେ ଗୋଟାଏ ଉଦ୍‌ବେଗ ଦୂରକରିବେ ବୋଲି ବିଚାରିଥିଲେ । ମାତ୍ର ପାଠପଢ଼ାରେ ତାର ଗଭୀର ମନୋନିବେଶ ଦେଖି ତାକୁ ବ୍ୟସ୍ତ କରିବାକୁ ସେ ଚାହିଁଲେ ନାହିଁ । ହେଲେ, ଲୁହା ଚୁମ୍ବକର ଆକର୍ଷଣ ପାଇଲେ ଥୟ ଧରେ କେତେକେ ? ଉଭୟେ ଉଭୟଙ୍କ ଦର୍ଶନରେ ମାତାଲ ହୋଇ ଉଠିଲେ । ଚାନ୍ଦମଣି ଆଗ କହିଲା, ‘‘ଆପଣ ସେ ଦିନୁ ଆସିଲେଣି । ଏତେଦିନ ପରେ ଦେଖା ?’’ ରାଧାପ୍ରସନ୍ନ କହିଲେ, ‘‘ମୁଁ ଧବଳେଶ୍ୱରରୁ ଫେରିଲା ଦିନଠାରୁ ଅବଶ୍ୟ ନିଶ୍ଚିନ୍ତରେ ନାହିଁ । ତୁମେ ମୋର ଧ୍ୟାନ ଧାରଣା ହୋଇଛ ଏବଂ ମୋର ଆହାର ବିହାର ସବୁ ଉପରେ ତୁମ୍ଭର ପ୍ରଭାବ ପଡ଼ିରହିଛି । ତୁମେ କେଉଁଠାରେ ରହି ପଢ଼ାଶୁଣା କରୁଛ ତାହା ଜାଣିବାକୁ ମୋତେ ଏତେ ସମୟ ଲାଗିଗଲା । ତୁମେ ଏଠାରେ ଥିବାର ସମ୍ବାଦ କାଲି ପାଇ ଆଜି ଏତେ ଶ୍ରୀଘ୍ର ଧାଇଁଛି ।’’

 

ଚାନ୍ଦମଣିର ମନ ଆନନ୍ଦରେ ଭରିଗଲା । ସେ ନିଜେ ପ୍ରସନ୍ନ ବାବୁଙ୍କୁ ଅହୋରାତ୍ର ସେହିପରି ଭାବୁଥିଲା । ତାଙ୍କ ମୂର୍ତ୍ତିଟି ହୃଦୟର ଗୋଟିଏ ନିଭୃତ ମନ୍ଦିରରେ ସ୍ଥାନ ଦେଇ ମନଶ୍ଚକ୍ଷୁରେ ତାହା ନିରନ୍ତର ଦେଖୁଥିଲା । ଆଜି ତାଙ୍କୁ ସମ୍ମୁଖରେ ଦେଖି ଯେ ସୁଖ ଅନୁଭବ କଲା, ତାହା ସେ ଏପର୍ଯ୍ୟନ୍ତ ପାଇନଥିଲା । ସେ ସୁଖ ତାକୁ ଗୋଟାଏ ଅନନୁଭୂତ ଗୋଲାପି ରାଜ୍ୟରେ ନେଇ ଠିଆ କରିଦେଲା । ସେ ଅଧୀର ଆବେଗରେ କହିଲା, ‘‘ଆପଣ ମୋତେ ଦୟା କରୁଥିବାରୁ ମୁଁ କୃତଜ୍ଞ, ଏହି ଦୟା ଯଦି ସ୍ଥାୟୀ ହୁଏ ।’’ ପ୍ରସନ୍ନବାବୁ ସ୍ମିତହାସ୍ୟ କରି କହିଲେ, ‘‘ସେଥିପାଇଁ ସ୍ୱୟଂ ଧବଳେଶ୍ୱର ସାକ୍ଷୀ ।’’ ଚାନ୍ଦମଣିର ପିତା ମାତା ସେତେବେଳେ ସହରରେ ଥିଲେ ଏବଂ ତା’ର ପରୀକ୍ଷା ଶେଷ ପର୍ଯ୍ୟନ୍ତ ରହିବେ, ଏକଥା ଚାନ୍ଦମଣି ତାଙ୍କୁ କହି ତାଙ୍କ ବସା ଠିକ୍‍ଣା ବତାଇଦେଲା । ରାଧାପ୍ରସନ୍ନ କହିଲେ, ‘ତୁମେ ପଢ଼ାପଢ଼ିରେ ଲାଗିପଡ଼ ଓ ପରୀକ୍ଷାରେ କୃତକାର୍ଯ୍ୟ ହୁଅ, ମୁଁ ଏହା କାମନା କରୁଛି । ମୁଁ ଆଉ ପରୀକ୍ଷା ଭିତରେ ଆସି ପାରିବି ନାହିଁ । ତଦ୍ଦ୍ୱାରା ତୁମ୍ଭର ପଢ଼ାରେ ବାଧା ହେବ । ମୁଁ ବର୍ତ୍ତମାନ ଯାଇ ତୁମ ନନା ଓ ବୋଉଙ୍କ ସଙ୍ଗେ ଦେଖା କରିବି । ଏହା କହି ସେ ଗୋଟିଏ ସୁନ୍ଦର ହୀରାବସା ମୁଦି ଚାନ୍ଦମଣି ଆଙ୍ଗୁଠିରେ ପିନ୍ଧାଇଦେଇ କହିଲେ ‘‘ବାଃ ! ବେଶ୍‌ ତ ସୁନ୍ଦର ଦିଶିଲା ।’’ ଏତିକି କହି ଚାନ୍ଦମଣିର କରମର୍ଦ୍ଦନ କରି ସେଠାରୁ ଚାଲିଗଲେ । ଚାନ୍ଦମଣିର ମନର ଆନନ୍ଦ ବହୁଗୁଣ ବଢ଼ିଗଲା । ସେ ବିପୁଳ ଆଗ୍ରହରେ ପଢ଼ାପଢ଼ିରେ ଲାଗିପଡ଼ିଲେ ।

 

ପ୍ରସନ୍ନବାବୁ ସେଠାରୁ ଫେରି ସଙ୍ଗେ ସଙ୍ଗେ ଯାଇ ରାମହରିବାବୁଙ୍କ ବସାରେ ପହଞ୍ଚିଲେ-। ରାମହରି ଓ ତାରାମଣି ତାଙ୍କୁ ଆକସ୍ମିକ ଭାବରେ ଦେଖି ବିସ୍ମିତ ହେଲେ ଯେତିକି, ଆନନ୍ଦିତ ମଧ୍ୟ ହେଲେ ତେତିକି । ରାମବାବୁ ପଚାରିଲେ, ‘‘ପ୍ରସନ୍ନବାବୁ ଯେ ! ଆସଆସ, ଆଜି ହଠାତ୍ କୁଆଡ଼ୁ ଆସିଲେ, ବାପା ?’’ ତାରାମଣି ଏ ଡାକ ଶୁଣି ସେଠାକୁ ବାହାରି ଆସିଲେ ଏବଂ ପ୍ରସନ୍ନକୁ ଦେଖି ଅତିଶୟ ପ୍ରସନ୍ନ ହୋଇଗଲେ । ପ୍ରସନ୍ନ ଉଭୟଙ୍କୁ ମୁଣ୍ଡିଆମାରି ରାମବାବୁଙ୍କ ପାଖରେ ବସି କହିଲେ, ‘‘ମୁଁ ଆଜି ଗାର୍ଲସ୍କୁଲ ବୋର୍ଡିଂକୁ ଯାଇଥିଲି । ସେଠାରେ ଚାନ୍ଦମଣିଙ୍କଠାରୁ ଶୁଣିଲି, ଆପଣମାନେ ଏଠାରେ ଅଛନ୍ତି । ସେଠାରୁ ସିଧା ଏଠିକି ଆସିଛି ।’’ ଏକଥା ଶୁଣି ଉଭୟ ସ୍ୱାମୀ ସ୍ତ୍ରୀ ଆଖିରେ ଆଖିରେ ବହୁତ କଥା ହୋଇଗଲେ ଏବଂ ଆନନ୍ଦର ଶେଷ ସୀମାରେ ଯାଇ ପହଞ୍ଚିଲେ । ତା’ ପରେ ପ୍ରସନ୍ନର ପରୀକ୍ଷା କଥା, ପିତାମାତାଙ୍କ କଥା ଓ ଆହୁରି ଅନେକ କଥା ପଡ଼ିଗଲା । ତାରାମଣିଙ୍କ ଆଗ୍ରହରେ ପ୍ରସନ୍ନ ସେଠାରେ ଖିଆପିଆକରି ଟିକିଏ ବିଶ୍ରାମ କଲେ ଏବଂ ବିଦାୟ ବେଳେ ତାରାମଣି କହିଲେ, ‘‘ବାପା ! ଆମେ ଏଠାରେ ଥିବାଯାଏ ପ୍ରତ୍ୟେହ ଚାରିଟାବେଳେ ଏଠାକୁ ନିଶ୍ଚୟ ଆସି ଜଳଖିଆ କରୁଥିବ । କଲେଜ ବୋର୍ଡିଂକି ରାଣୀହାଟ ତ ବେଶି ଦୂର ନୁହେଁ ?’’ ଏ ବାତ୍ସଲ୍ୟ ମମତାପୂର୍ଣ୍ଣ ଅନୁରୋଧ କେଉଁ ଲୋକ ଏଡ଼ିପାରେ ଯେ ପ୍ରସନ୍ନବାବୁ ଏଡ଼ିଦେବେ ? ସେ ନତମସ୍ତକରେ ତାହା ସ୍ୱୀକାର କରି ଉଠୁଉଠୁ ରାମବାବୁ କହିଲେ, ‘‘ବାପା ! ନନାଙ୍କୁ ଟିକିଏ ଖବର ଦିଅନ୍ତ । ସେ ଦୟାକରି ଏଠାକୁ ଆସନ୍ତେ ।’’ ପ୍ରନନ୍ନ ଏଥିରୁ ନାନା ଅର୍ଥ କଳ୍ପନା କରି ଆନନ୍ଦରେ ଅଧୀର ହୋଇଗଲେ ଏବଂ ତାହା ମଧ୍ୟ ସ୍ୱୀକାର କରି ସେଠାରୁ ସାଇକେଲ ଚଢ଼ି କଲେଜ ଆଡ଼େ ଅଗ୍ରସର ହେଲେ ।

 

ରାମବାବୁ ତା ପରେ ସହରର ଅନେକ ସ୍ଥାନରେ ଅନେକ ପରିଚିତ ବ୍ୟକ୍ତିଙ୍କ ସଙ୍ଗେ ଦେଖାକଲେ ଏବଂ କେଉଁଠାରେ ଜମିଦାରୀ କଥା, ଉପସ୍ଥିତ ଦୌରାତ୍ମ୍ୟ କଥା, କେଉଁଠାରେ କଳା ରାହାଙ୍ଗ ଗ୍ରାମର ବିନୋଦବିହାରୀ ନନ୍ଦଙ୍କ ବିଷୟରେ ଆଲୋଚନା କରୁଥିଲେ । ଲୋକେ ଜମିଦାରୀ କଥାଶୁଣି ବଡ଼ ଦୁଃଖିତ ହେଉଥିଲେ ଏବଂ ତା’ର ପ୍ରତିକାର ପାଇଁ ନାନା କଳ୍ପନା ଜଳ୍ପନା କରୁଥିଲେ । ଅନେକେ ବିନୋଦବିହାରୀଙ୍କ ବିଷୟରେ ମତ ଦେଲେ ଯେ ସେ ନିତାନ୍ତ ନିମ୍ନ କୋଟୀର ବ୍ରାହ୍ମଣ । ରାମବାବୁଙ୍କ ସଙ୍ଗେ ଆଭିଜାତ୍ୟରେ କଦାପି ସମାନ ହୋଇ ପାରିବେ ନାହିଁ । ସୁତରାଂ ଏ କ୍ଷେତ୍ରରେ ବିବାହ ଅସମ୍ଭବ । ଆଉ କେତେକ ଆଧୁନିକ ରୁଚିସମ୍ପନ୍ନ ବ୍ୟକ୍ତି ମତଦେଲେ, ଆଜିର ଏ ଗାନ୍ଧୀଯୁଗରେ ପୁଣି ସଂକୀର୍ଣ୍ଣ ଆଭିଯାତ୍ୟର ସ୍ଥାନ ଅଛି ? ଏହା ଗୋଟିଏ ପ୍ରାଚୀନ ସଂସ୍କାର ଜଡ଼ିତ କେତେକ ସ୍ୱାର୍ଥସେବୀ ଲୋକଙ୍କର ପ୍ରଚାର । ତାହା ଏ ଯୁଗର ସଂସ୍କାର ସ୍ରୋତର ଭାସିଯାଇ କୁଆଡ଼େ ଲୋପ ପଇଗଲାଣି । ଏହା କେବଳ ସମାଜର କେତେକ ଶୁଖିଲା ଆତ୍ମାଭିମାନୀ ବ୍ୟକ୍ତିଙ୍କଠାରେ ଆବଦ୍ଧ ଅଛି; ସେ ସଂଖ୍ୟା କେତେ ? ପୁଣି ସେମାନଙ୍କ ଶକ୍ତି ବା କେତେ ? ଯେଉଁ ଯୁଗରେ ବଣିଆ ଗାନ୍ଧିଜୀଙ୍କ ପୁଅ ବ୍ରାହ୍ମଣ ରାଜଗୋପାଳାଚାରୀଙ୍କ କନ୍ୟାକୁ ବିବାହ କରିପାରନ୍ତି ଏବଂ ପଣ୍ଡିତ ଜହରଲାଲଙ୍କ ଆଦରିଣୀ କନ୍ୟା ଶ୍ରୀମତୀ ଇନ୍ଦିରା ଫିରୋଜ ଗାନ୍ଧୀଙ୍କ ବରଣ କରିପାରନ୍ତି, ସେ ଯୁଗରେ ପୁଣି ଏପରି ସଂକୀର୍ଣ୍ଣ କୁତ୍ସିତ ଆଭିଜାତ୍ୟ କଳ୍ପନା ଆଇଲା କୁଆଡ଼େ ? ଯେଉଁଠାରେ ଆତ୍ମାର ଆତ୍ମା ସଙ୍ଗେ ମିଳନ ହୁଏ, ସେଠାରେ ଶରୀରର ମିଳନ ହେବା ସ୍ୱାଭାବିକ । ତା’ ନହେଲେ ଭୀଷଣ ପରିଣାମ ଘଟେ । ଆଉ କେତେକ ମତଦେଲେ, ବିନୋଦବିହାରୀ ନନ୍ଦେ ଆଭିଜାତ୍ୟରେ ଊଣା ନୁହନ୍ତି । ସେ ଦାନଭୋଗୀ ବିଶିଷ୍ଟ ବ୍ରାହ୍ମଣ । କାଳକ୍ରମେ ଅବସ୍ଥା ଚକ୍ରରେ ପଡ଼ି ତାଙ୍କ ପୂର୍ବବଂଶ ଆଭିଜାତ୍ୟ ହରାଇଥିଲେ । ସଂପ୍ରତି ବିନୋଦବାବୁ ଓକିଲାତିରେ ଆଶାତୀତ ଅର୍ଥ ଉପାର୍ଜନ ସଙ୍ଗେ ସମାଜରେ ଯଥେଷ୍ଟ ଖ୍ୟାତି ପ୍ରତିପତ୍ତି ଲାଭ କରିଛନ୍ତି ଏବଂ ପ୍ରଗତିଶୀଳ ମାନବ ସମାଜରେ ତାଙ୍କ ନାମ ସ୍ୱର୍ଣ୍ଣାକ୍ଷରରେ ଲେଖାଯାଇଅଛନ୍ତି । ଆଜି ତାଙ୍କ ସଙ୍ଗ ସମ୍ବନ୍ଧ ସଂପର୍କ ପାଇଁ ଉତ୍କଳର କେଉଁ ଶ୍ରେଷ୍ଠ ବ୍ୟକ୍ତିମାନେ ବ୍ୟାକୁଳ ନୁହନ୍ତି ?

 

ଏପରି ପରସ୍ପର ବିରୋଧୀ ବହୁ ଯୁକ୍ତି ଗବେଷଣାମାନ ଶୁଣି ଶୁଣି ରାମହରିଙ୍କ ମନ ଅସ୍ଥିର ହୋଇ ଉଠିଲା । ସେ ସମାଜରେ ସଂକୀର୍ଣ୍ଣତା ପ୍ରତି ଆଗରୁ ଅସହିଷ୍ଣୁ ଥିଲେ । ସେ ଦିନେ ହେଲେ ସମାଜର ଶୁଷ୍କ ଆତ୍ମାଭିମାନୀ ଓ ଭିତରେ ଭିତରେ ଘୋର ବିପଥଗାମୀ ବଡ଼ପଣ୍ଡାମାନଙ୍କ ଆସ୍ଫାଳନ ଶୁଣିବାକୁ ତାଙ୍କ ସୀମାକୁ ଯାଉନଥିଲେ । ଅନ୍ତରରେ ସେ ଜଣେ ଖାଣ୍ଟି ସଂସ୍କାରବାଦୀ ଓ ସଂସ୍କାର ପ୍ରୟାସୀ ଯୁବକମାନଙ୍କର ଅକୃତ୍ରିମ ପୃଷ୍ଠପୋଷକ । ଏପରି ଗୋଟାଏ ଫମ୍ପା ଆଭିଜାତ୍ୟର ସେ ବଡ଼ ବିରୋଧୀ । କେବଳ ବନ୍ଧୁମାନଙ୍କ ସଙ୍ଗେ ପରାମର୍ଶ କରି ତାଙ୍କ ପକ୍ଷ ସମର୍ଥନ ପାଇଁ ଗୁଡ଼ିଏ ମତ ସଂଗ୍ରହ କରୁଥିଲେ । ଯାହା ପାଇଲେ, ସେଥିରେ ସେ ସନ୍ତୁଷ୍ଟ ହୋଇ ବସାକୁ ଫେରିଲେ ଏବଂ ତାରାମଣିଙ୍କି ଟିକିଏ ଆମୋଦ ପାଇଁ କହିଲେ, ‘‘ପ୍ରସନ୍ନ ସଙ୍ଗେ ଚାନ୍ଦମଣିର ବିବାହ ହୋଇପାରିବ ନାହିଁ ।’’

 

ତାରାମଣି—‘‘କାହିଁକି ?’’

 

ରାମବାବୁ—‘‘ତାଙ୍କ ଆଭିଜାତ୍ୟ ନିତାନ୍ତ ନୀଚ । ସେ ବଂଶ ଗୁଡ଼ାଏ ନୀଚ ସେବକ ଶ୍ରେଣୀରୁ ଉତ୍ପନ୍ନ । ବଂଶମର୍ଯ୍ୟାଦା ସେମାନଙ୍କର ଆଦୌ ନାହିଁ ।’’

 

ତାରାମଣି—‘‘ସେ ବଂଶ ସେବକ ଶ୍ରେଣୀରୁ ଉତ୍ପନ୍ନ ବୋଲି ରାଧାପ୍ରସନ୍ନର କ’ଣ ଗଲା-? ସେ କ’ଣ ନୀଚ ସେବକ ଶ୍ରେଣୀୟ ? ଯେଉଁମାନେ ନୀଚ ପାଶବିକ ବୃତ୍ତି ଅବଲମ୍ବନ କରି ଭିତରେ ନର୍କ ସାଉଁଟୁଛନ୍ତି, ଯେଉଁମାନେ ମଦସ୍ରୋତରେ ପହଁରି, ଗୁଳା ଧୂଆଁର ବାଦଲରେ ଉଡ଼ି ଅଫିମର କାଦୁଅ ଚକଟୁଛନ୍ତି, ଯେଉଁମାନେ ହିନ୍ଦୁ ବିଧବାକୁ ନାନାପ୍ରଲୋଭନରେ ଭୁଲାଇ ସେମାନଙ୍କର ସତୀତ୍ୱ ଅପହରଣ କରୁଛନ୍ତି, ପୁଣି ସେମାନଙ୍କର ଭ୍ରୂଣହତ୍ୟାରେ ସାହାଯ୍ୟ କରୁଛନ୍ତି, ଯେଉଁ ଲମ୍ପଟୀ ପଶୁଗୁଡ଼ାକ ଚାଣ୍ଡାଳକାମିନୀ ଉପଭୋଗ କରି ସେମାନଙ୍କ ସଙ୍ଗେ ଏକତ୍ର ଆହାର କରିବାକୁ କୁଣ୍ଠାବୋଧ କରୁନାହାନ୍ତି, ସେମାନେ ଦାଣ୍ଡରେ ମର୍ଯ୍ୟାଦାବନ୍ତ ଓ ଆଭିଜାତ୍ୟସମ୍ପନ୍ନ ? ଯେଉଁ ଗୁଡ଼ାକଙ୍କର ସୋଦର ପ୍ରୀତିନାହିଁ, ଯେଉଁ ନର୍କର କୀଟଗୁଡ଼ାକ ଖାଲି ଜଘନ୍ୟ ଈର୍ଷା ଅହଙ୍କାରରେ ବୁଡ଼ିରହି ଅହରହ ଲୋକଙ୍କ ଅନିଷ୍ଟ ଚିନ୍ତାକରି ସୁଖବୋଧ କରୁଛନ୍ତି, ସେଗୁଡ଼ାକଙ୍କ ଦେହରେ ପବିତ୍ର ରକ୍ତ ବୋହୁଛି; ଆଉ ରାଧାପ୍ରସନ୍ନର ରକ୍ତ ଅପବିତ୍ର, କୃଷ୍ଣବର୍ଣ୍ଣ ? ମୁଁ ସେ ମର୍ଯ୍ୟାଦା ଓ ଆଭିଜାତ୍ୟକୁ ଚୁଲିରେ ଦେଇ ମୋର କନ୍ୟାକୁ ନିଶ୍ଚୟ ପ୍ରସନ୍ନକୁ ଦେବି । ମୋର ଅନ୍ତର ଏହା ଚାହୁଛି । ମୁଁ ମନେକରେ, ତାହା ହିଁ ମୋ ଅନ୍ତର୍ଦେବତାଙ୍କ ଆଦେଶ । ଏଥିପାଇଁ ମୁଁ କୌଣସି ସ୍ୱାର୍ଥାନ୍ଧ ବ୍ୟକ୍ତିଙ୍କ ହଳାହଳମୟ ଉପଦେଶ ଲୋଡ଼ୁନାହିଁ ।’’

 

ରାମବାବୁ ନିର୍ବାକ୍ ଭାବରେ ତାରାମଣିଙ୍କ ମୁହଁଙ୍କୁ ଚାହିଁ ରହିଥିଲେ । ସେ ଦିନେହେଲେ ତାଙ୍କଠାରୁ ଏପରି ଓଜସ୍ୱିନୀ ଭାଷା ଶୁଣିନଥିଲେ । ତାଙ୍କ ଦୁଇଚକ୍ଷୁରେ ଅଗ୍ନିସ୍ଫୁଲିଙ୍ଗମାନ ନିର୍ଗତ ହୋଇ ତାଙ୍କ ବଦନମଣ୍ଡଳକୁ ଝଲସାଇ ଦେଉଥିଲା । ରାମବାବୁ ଏହା ଦେଖି ମନେମନେ ବଡ଼ ଆତ୍ମତୃପ୍ତି ଅନୁଭବ କରୁଥିଲେ । କାରଣ ସେ ଯାହା ଚାହୁଥିଲେ, ଯାହା ଏ ପର୍ଯ୍ୟନ୍ତ ଜୀବନରେ ଅଭ୍ୟାସ କରି ଆସିଥିଲେ, ସେହି ଉକ୍ତି ସେ ତାରାମଣିଙ୍କ ଠାରୁ ପାଇଲେ । ତେଣୁ ତାଙ୍କ ଆନନ୍ଦର ସୀମା ରହିଲା ନାହିଁ । ସେ ହସହସ ମୁହଁରେ କହିଲେ, ‘‘ତେବେ ‘ଯୋଗ୍ୟଂ ଯୋଗ୍ୟେନ ଯୋଜୟେତ୍’, କଥାଟା ଅଛି କାହିଁକି ?’’

 

ତାରାମଣି କହିଲେ, ‘‘ମୁଁ ସେଥିରେ ତ୍ରୁଟି କରିବାକୁ ଚାହୁନାହିଁ । ମୁଁ ମୋର ଯୋଗ୍ୟ କନ୍ୟାକୁ ଯୋଗ୍ୟତର ବର ପ୍ରସନ୍ନକୁ ଦେବାକୁ ଚାହୁଛି । ଗୋଟାଏ ଭାଣ୍ଡ ଗୁଲିଖୋର, ମଦ୍ୟପ ହାତରେ ମୋର ପ୍ରାଣଧନକୁ ସମର୍ପି ଦେଇ ଚିରଦିନ ରକ୍ତ କାନ୍ଦିବା ମୋର ଇଚ୍ଛା ନୁହେଁ ।’’

 

ରାମବାବୁ ସ୍ମିତହାସ୍ୟ କରି କହିଲେ, ‘‘ମୋର ମଧ୍ୟ ସେହି ମତ ଏବଂ ମୋର ପ୍ରଗତିଶୀଳ ବନ୍ଧୁମାନେ ମୋତେ ସେଥିପାଇଁ ଉତ୍ସାହିତ କରିଛନ୍ତି ।’’

 

ତାରାମଣି ଆଶ୍ୱସ୍ତ ହୋଇ କହିଲେ, ‘‘କୁଳବୁଡ଼ା ଗାତପଶା ଗୁଡ଼ାଏ ଆସି ନାନା ସମୟରେ ନାନା ଅନିଷ୍ଟକର କଥାଗୁଡ଼ାଏ କହିବେ । ସେ କଥାଗୁଡ଼ାକ ଶୁଣିବା ଆମର ଉଚିତ ନୁହେଁ । କେହି ଆସି ଆମର ଘର କରିଦେବେ ନାହିଁ କି ଆମ ସୁଖ ଦୁଃଖରେ ଭାଗୀ ହେବେନାହିଁ । କିଆକଣ୍ଟା ବ୍ରାହ୍ମଣଗୁଡ଼ାଙ୍କୁ ତ ପରୀକ୍ଷାକରି ଦେଖିଛ । କିଏ ତୁମ ପାଖରେ କେତେ ଭାବରେ ଋଣୀ ନୁହନ୍ତି ? ଆପଦ ବେଳେ କିଏ ଟିକିଏ ଆସି ପାଖରେ ଠିଆ ହେଲେ ? ସେ ସ୍ୱାର୍ଥାନ୍ଧ ନୀଚାଶୟ ବର୍ବରମାନଙ୍କ ପରାମର୍ଶ ଆମର କେବେ କୌଣସି ହିତ କରିପାରେ ?’’

 

ଏ ସମୟରେ ଗୋଟାଏ ଘୋଡ଼ାଗାଡ଼ି ଆସି ରାମହରିବାବୁଙ୍କ ଦ୍ୱାର ନିକଟରେ ଅଟକିଲା । ସେ ହଠାତ୍ ଉଠିଯାଇ କବାଟ ଫିଟାଇ ଦେଖିଲେ, ଗାଡ଼ିରୁ ପ୍ରସନ୍ନ ବାବୁ ଓହ୍ଲାଇ ଆସୁଛନ୍ତି ଏବଂ ତା’ ଭିତରେ ଜଣେ ପ୍ରୌଢ଼ବ୍ୟକ୍ତି ରହିଛନ୍ତି । ସେ ଚଟ୍‌କରି ବୁଝିପାରିଲେ ଯେ, ସେ ପୌଢ଼ବ୍ୟକ୍ତି ବିନୋଦବିହାରୀ ନନ୍ଦ । ସେ ଗାଡ଼ିପାଖକୁ ଚାଲିଯାଇ କହିଲେ, ‘‘ଏ କି କଥା, ବିନୋଦ ବାବୁ ? ଗାଡ଼ିରେ ବସି ରହିଛନ୍ତି କାହିଁକି ?’’ ଏହା କହି ରାମହରି ବନୋଦଙ୍କ ହାତ ଧରି ଘରକୁ ନେଇଗଲେ ଏବଂ ବୈଠକ ଘରେ ବସାଇ ସ୍ତ୍ରୀଙ୍କି ଏ ସମ୍ବାଦ ଜଣାଇବାକୁ ଭିତରକୁ ଗଲେ । ପ୍ରସନ୍ନ ଆଉ ସେଠାରେ ରହିବା ଆବଶ୍ୟକ ମନେ ନକରି କଲେଜକୁ ଫେରିଗଲେ । ରାମବାବୁ ସେଠାକୁ ଆସି ପ୍ରସନ୍ନଙ୍କୁ ଖୋଜିବାରୁ ବିନୋଦ ବାବୁ କହିଲେ, ‘‘କଲେଜରେ ଗୋଟାଏ ସଭା ହେଉଥିବାରୁ ପ୍ରସନ୍ନ ଚାଲିଯାଇଛି । ଆପଣ ବସନ୍ତୁ । ଆପଣ ମୋତେ ଡକାଇଥିବାରୁ ମୁଁ ଆସିଛି । ଆପଣଙ୍କ ଭଳି ଜଣେ ଉଦାର ଉନ୍ନତମନା ବ୍ୟକ୍ତିଙ୍କି ଦେଖି ମୁଁ ନିଜକୁ ଧନ୍ୟ ମନେକରୁଛି । ଆପଣଙ୍କ ନାମ ମୁଁ ବହୁବାର ଶୁଣିଥିଲି । ଆଜି ସାକ୍ଷାତରେ ମୁଁ ଆପଣଙ୍କୁ ଦେଖିବା ଦ୍ୱାରା ମୋର ଭାଗ୍ୟୋଦୟ ହୋଇଛି ।’’

 

ରାମବାବୁ ହସିହସି କହିଲେ, ‘‘ଏ ସବୁ ଓକିଲାତି ମୁଖବନ୍ଧ ସେତିକି ହେଉ । ଆପଣ ଆସିଲେ କେତେବେଳେ ?’’

 

ବିନୋଦବାବୁ କହିଲେ, ‘‘ଏହି ଏଗାରଟା ଗାଡ଼ିରେ । ସାଙ୍ଗେ ସାଙ୍ଗେ ତ ଏଠାକୁ ଆସିଛି-।’’

 

ରାମବାବୁ ଟିକିଏ ଜଳଯୋଗ ପାଇଁ କହିବାରୁ ବିନୋଦବାବୁ ମନାକରି କହିଲେ, ‘‘ଆଉ ଏ ବୟସରେ ତିନି ପ୍ରହର ଖାନା ଏ ଦେହରେ ଯାଉନାହିଁ । ସକାଳ ସନ୍ଧ୍ୟାରେ ଦୁଇଚାନ୍ଦ ।’’

 

ରାମବାବୁ ଏ ବ୍ୟଙ୍ଗରେ ଟିକିଏ ହସିଦେଇ କହିଲେ, ‘‘ତେବେ କଟକରେ ଯେତେ ଦିନ ରହବେ, ସେତିକି ଚାନ୍ଦ ଏ ଘରେ ଚଳାଇବାକୁ ହେବ ।’’

 

ବିନୋଦବାବୁ କହିଲେ, ‘‘ଆହା ହା, ମୋତେ ଅଡ଼ୁଆରେ ପକାଉଛନ୍ତି । ‘କଟକରେ ଯେତେଦିନ ରହିବେ, ସେତିକି ଡବଲ ଚାନ୍ଦ’ ବୋଲି କହନ୍ତୁ । ଆପଣଙ୍କ ଘରେତ ଡବଲ ଚାନ୍ଦର ଅଭାବ ନାହିଁ ।

 

ରାମବାବୁ ହସି ହସି ତାହା ସ୍ୱୀକାର କଲେ । ତା’ ପରେ ଉଭୟଙ୍କର ଭିତରେ କାର୍ଯ୍ୟର କଥା ପଡ଼ିଲା । ସାମାନ୍ୟ ଦୁଇପଦ କଥାରେ ଉଭୟେ ଉଭୟଙ୍କଠାରେ କିଣି ହୋଇଗଲେ । କେତେବେଳେ ହସର ଫୁଆରା ଉଠୁଥାଏ, କେତେବେଳେ ମାଧୁରୀର ବନ୍ୟା ବୋହି ଯାଉଥାଏ । ଏହିପରି କଥା ହଉହଉ ଚାନ୍ଦମଣି ଓ ରାଧାପ୍ରସନ୍ନଙ୍କ ବିବାହ ବିଷୟ ନିଷ୍ପତ୍ତି ହୋଇଗଲା । ଉଭୟେ ଯେପରି ମନେ ମନେ ସବୁ ସ୍ଥିର କରିସାରିଥିଲେ । ସାମାନ୍ୟ ସୂତା ଟିକିଏ ମାତ୍ର ଅନ୍ତରାୟ ଥିଲା । ତାହା ଶୁଭମୁହୂର୍ତ୍ତରେ ଦେଖାହେଲା ମାତ୍ରକେ ଛିଡ଼ିଗଲା ।

 

ବିନୋଦବାବୁ ବି.ଏ.ବି.ଏଲ୍ ପାଶ୍‌କରି କଟକ ବାର୍‍ରେ କୋଡ଼ିଏ ବର୍ଷ ପର୍ଯ୍ୟନ୍ତ ସୁଖ୍ୟାତିର ସହିତ ଓକିଲାତି କରିଥିଲେ । ସୁଖ୍ୟାତି, ଅର୍ଥାଗମ ଓ ଦେଶସେବା ସବୁ ଏକାସଙ୍ଗେ ଚାଲିଥିଲା । ବ୍ୟବସାୟରେ ଦଶବର୍ଷ ନପୂରୁଣୁ ସେ ଖୁବ୍ ଧନଶାଳୀ ହୋଇ ଉଠିଲେ ଏବଂ ଧନର ସଦ୍‌ବ୍ୟବହାର କରି ନିଜର ବାଡ଼ିବୃତ୍ତି ବୃଦ୍ଧି କରିବା ସଙ୍ଗେ ସଙ୍ଗେ ଲୋକସେବାରେ ମଧ୍ୟ ଅଜସ୍ର ଅର୍ଥ ଢାଳିଦେଉଥିଲେ । ଏଥିରେ ତାଙ୍କର ଲୋକପ୍ରିୟତା ଖୁବ୍ ବଢ଼ି ଉଠୁଥିଲା । ୧୯୩୨ ମସିହାରେ ଭୀଷଣ କଂଗ୍ରେସ ଆନ୍ଦୋଳନ ବେଳେ ଛାତ୍ର ଓ ନିରୀହ ଲୋକମାନଙ୍କ ଉପରେ ପୁଲିସର ଅତ୍ୟାଚାର ଓ ସରକାରଙ୍କ କଠୋର ଦମନନୀତି ପ୍ରାଣେ ପ୍ରାଣେ ଅନୁଭବ କରି ସେ ବଡ଼ ଅସ୍ଥିର ହୋଇପଡ଼ିଲେ । ସରକାରଙ୍କ ବିଚାରରୂପ ଯନ୍ତ୍ରଶାଳା ତାଙ୍କୁ ମୋଟେ ଭଲଲାଗିଲା ନାହିଁ । ସେ ଦମନର ପ୍ରତିବାଦ ସ୍ୱରୂପ ଓକିଲାତି କାର୍ଯ୍ୟକୁ ଜଳାଞ୍ଜଳି ଦେଇ ଘରକୁ ଚାଲିଗଲେ ଏବଂ ସେଠାରେ ମହାତ୍ମାଜୀଙ୍କ ଗଠନମୂଳକ କାର୍ଯ୍ୟରେ ବହୁତ ଆତ୍ମପ୍ରସାଦ ଲାଭକଲେ । ସେ ଜଣେ ବିଚକ୍ଷଣ ବୁଦ୍ଧିମାନ ଲୋକ ଏବଂ ଏପରି ଆମୋଦପ୍ରିୟ ଯେ, ଯେ କୌଣସି ଲୋକ ହଠାତ୍ ତାଙ୍କର ଆପଣାର ହୋଇଯାଏ । ରାଧାପ୍ରସନ୍ନ ତାଙ୍କର ଏକମାତ୍ର ପୁତ୍ର । ସେ ତା’ ପ୍ରତି ଶୈଶବରୁ କଠିନ ଦୃଷ୍ଟିଦେଇ ଏପର୍ଯ୍ୟନ୍ତ ତାକୁ ଗଢ଼ି ଆଣିଥିଲେ । ତାକୁ କଲେଜରେ ରଖି ମଧ୍ୟ ତାଙ୍କର ତୀକ୍ଷ୍ଣ ଦୃଷ୍ଟି ତା’ ଉପରେ ନିରନ୍ତର ଘୂରି ବୁଲୁଥିଲା । ତା’ର ପ୍ରତ୍ୟେକ ଗତିବିଧି ସେ ଦୂରରେ ରହି ମଧ୍ୟ ଲକ୍ଷ୍ୟ କରୁଥିଲେ । ସୁତରାଂ ଧବଳେଶ୍ୱରର ପ୍ରତ୍ୟେକ ଘଟଣା, ବୋର୍ଡିଂରେ ଚାନ୍ଦମଣିକି ମୂଲ୍ୟବାନ୍ ମୁଦ୍ରିକା ଦେବାଠାରୁ ଆରମ୍ଭକରି ରାମହରିବାବୁ ଓ ତାଙ୍କ ସ୍ତ୍ରୀଙ୍କ ଅନାବିଳ ସ୍ନେହମମତା ଓ ତାଙ୍କ ଘରେ ପ୍ରତ୍ୟହ ଜଳଖିଆ, ଏ ସମସ୍ତ ସମ୍ବାଦ ସେ ଠିକ୍‍ଠିକ୍‍ ବୁଝି ନେଇଥିଲେ । ଏଥରେ ଗୋଟାଏ ନିଭୃତ ସୌନ୍ଦର୍ଯ୍ୟ ଓ ନିର୍ମଳ ସୁଖ ଥିବାର କଳ୍ପନା କରି ସେ ଏଥିରେ ବାଧା ଦେଉ ନଥିଲେ । ତେଣୁ ରାମହରିଙ୍କ ନିମନ୍ତ୍ରଣ ରକ୍ଷା କରି ସେ ଅବିଳମ୍ବେ ଆସି ତାଙ୍କୁ ଦେଖାଦେଲେ । ତେଣୁ ଖେଳ ଖେଳିଲା ପରି ବୈବାହିକ ସମ୍ବଦ୍ଧ ସ୍ଥିର ହୋଇଗଲା । ଉଭୟେ କୋଳାକୋଳି ହୋଇ ହସର ଫୁଆରା ଛୁଟାଇଦେଲେ ।

•••

 

–ନଅ–

 

ମାଟ୍ରିକ ପରୀକ୍ଷା ସରିଲା । ରାମହରିବାବୁ ଚାନ୍ଦମଣି ପ୍ରଭୃତିଙ୍କୁ ସଙ୍ଗରେ ଧରି କିଆକଣ୍ଟା ଫେରି ଆସିଲେ । ସେ ଦୀର୍ଘଦିନ ଅନୁପସ୍ଥିତ ଥିବାରୁ ଯାହା ଅସୁବିଧା ଘଟିଯାଇଥିଲା ତାହା ସେମାନେ କମ ସମୟ ମଧ୍ୟରେ ସଜାଡ଼ି ନେଲେ । ତାଙ୍କ ଅନୁପସ୍ଥିତି ମଧ୍ୟରେ ବୈରୀଗଞ୍ଜନର ଉତ୍ପାତ ତାଙ୍କ ଘର କିମ୍ବା ବିଷୟବାଡ଼ି ଉପରେ ପଡ଼ିନଥିଲା । ଏଥିପାଇଁ ସେ ମନରେ ଟିକିଏ ଶାନ୍ତିଲାଭ କଲେ । ମାତ୍ର ସେ ଉତ୍ପାତ ଏଷ୍ଟେଟ୍‌ ମଧ୍ୟରେ ଓ ଖୋଦ କିଆକଣ୍ଟାରେ ଅତି ଉତ୍କଟ ହୋଇ ଉଠିଥିଲା । ଲୋକଙ୍କର ଭୟ ବ୍ୟସ୍ତତାର ସୀମାନଥିଲା । ମାତ୍ର ଦୁର୍ବୃତ୍ତମାନଙ୍କର ସାକ୍ଷାତ ଅଭାବରେ କୌଣସି ପ୍ରତିକାର ହୋଇ ପାରୁନଥିଲା ।

 

ଚାନ୍ଦମଣିର ବିବାହ ଆଉ ପ୍ରାୟ ମାସେ ରହିଲା । ରାମବାବୁ ସେ ବିଷୟରେ ଖୁବ୍ ମନୋଯୋଗୀ ହୋଇ ଉଠିଲେ । ତାଙ୍କର ସ୍ଥାନୀୟ ବନ୍ଧୁମାନେ ରାଜାଙ୍କ ଭୟରେ ତାଙ୍କ ସଙ୍ଗେ କୌଣସି ପ୍ରକାଶ୍ୟ ସମ୍ବଦ୍ଧ ରଖିପାରୁନଥିଲେ । ଭିତରେ ଭିତରେ ଯେତିକି ପାରୁଥିଲେ କରୁଥିଲେ । ଏଥିରେ ରାମବାବୁ ହତାଶ ହୋଇ କଟକସ୍ଥ କେତେକ ବନ୍ଧୁଙ୍କର ସାହାଯ୍ୟ ଲୋଡ଼ିଲେ । ସେମାନେ କିଆକଣ୍ଟାକୁ ଘନଘନ ଆସି ଆଶାତୀତ ଭାବରେ ସାହାଯ୍ୟ କଲେ । ରାମବାବୁଙ୍କ କାର୍ଯ୍ୟ ଅନେକ ଆଗେଇ ଚାଲିଲା । ମନଥିଲେ କୌଣସି କଥା ଅଟକେ ନାହିଁ; ବରଂ ଧନଥିଲେ ଅଟକି ପାରେ । ପୁଣି ମନ ଓ ଧନ ଥାଇ ମଧ୍ୟ ଯେବେ ଜନର (ଲୋକ ସାହାଯ୍ୟର) ଅଭାବ ଘଟେ, ତେବେ ମଧ୍ୟ ଅଟକି ଯାଏ । କିନ୍ତୁ ଯେଉଁଠାରେ ମନ, ଧନ ଓ ଜନର ଏକତ୍ର ମିଳନ ହୁଏ, ସେଠାରେ ଧରାରେ ସ୍ୱର୍ଗସୃଷ୍ଟି କରାଯାଏ । କିଆକଣ୍ଟାର ସାହାଯ୍ୟ ଅଭାବ ସତ୍ତ୍ୱେ ରାମବାବୁ ବାହାରୁ ଆଶାତୀତ ସାହାଯ୍ୟ ପାଇ କାର୍ଯ୍ୟକ୍ଷେତ୍ରକୁ ଖୁବ ବଢ଼ାଇ ନେଲେ ।

 

ରାଜାଙ୍କ ଦଳର ଲୋକେ ଏ ବିବାହ ସମ୍ବାଦ ପାଇ ମ୍ୟାନେଜରଙ୍କୁ ଜଣାଇଲେ । ସେ ଅନେକ ଦିନରୁ ଏପରି ଗୋଟାଏ ସୁଯୋଗ ଖୋଜୁଥିଲେ । ରାମହରିକୁ ଖାପଚାରେ ପକେଇବାକୁ ଏ ଗୋଟାଏ ଶୁଭମୁହୂର୍ତ୍ତ । ତେଣୁ ସେ ଗୁପ୍ତଚର ପ୍ରୟୋଗକରି ଖବର ବୁଝିଲେ ଯେ ରାମହରି ଅମୁକ ସ୍ଥାନରେ ଅମୁକ ବରାଦ କରିଛି । ଏଠାରେ ଇୟା କରିଛି, ସେଠାରେ ସେୟା କରିଛି । ଯେଉଁମାନେ ଯେଉଁ ବରାଦ ନେଇଥିଲେ, ସେମାନଙ୍କୁ ସେ ନିଜ କୋଠିକୁ ଡକାଇ ଆଣି ଧମକ ଦେଇ କହିଲେ, ‘‘କିରେ ତୁ ଦୁଧ ବରାଦ ନେଇଛୁ ? ତୁ କଦଳୀ ବରାଦ ନେଇଛୁ ? ତୁ ଆଳୁ ବନ୍ଦୋବସ୍ତ କରୁଛୁ ? ଆରେ ତୁ ବାଜା ବନ୍ଦୋବସ୍ତ କରିବାକୁ ବରାଦ ନେଇଛୁ ? ଇତ୍ୟାଦି ।’’ ସେମାନେ ଭୟକରି ତାହା ସ୍ୱୀକାର କଲେ ଏବଂ ହୁକୁମ ହେଲେ ବରାଦ ଓ୍ୱାପସ ଦେବାକୁ ଜଣେଇଲେ । ମ୍ୟାନେଜର କଡ଼ା ଧମକ ଦେଇ କହିଲେ, ‘‘ଆରେ, ଶଳା ! ତୁମେ ଜାଣ ନାହିଁ ସେ ଗୋଟାଏ ରାଜଦ୍ରୋହୀ ବୋଲି ? ତୁମେ କେଉଁ ସାହସରେ ତାହାର ବରାଦ ନେଲ ?’’ ସେମାନେ ଧମକରେ ଥରିଯାଇ କହିଲେ, ‘‘ଆଜ୍ଞା ! ଆମ୍ଭେ ଏତେକଥା ଜାଣୁ ନାହିଁ । ଯାହା ହୁକୁମ ହେବ ତାହା କରିବୁ ।’’ ମ୍ୟାନେଜର କହିଲେ, ‘‘ତୁମେ ବଇନା ସେହିପରି ରଖିଥାଅ ଏବଂ ଜିନିଷ ଦେବ ବୋଲି ଜବାବ ଦେଇଥାଅ । ଯେତେବେଳେ କାମ ବେଳ ପଡ଼ିବ, ଆଉ ତା’ର ସୀମାକୁ ଯିବନାହିଁ । ତାକୁ ହରକତରେ ପକେଇବା ଓ ତା’ ବାହାଘର ଭଣ୍ଡୁର କରିଦେବା ରାଜାଙ୍କ ଇଚ୍ଛା ।’’ ସେମାନେ ତାହା ମାନି ସେହିପରି କରିବେ ବୋଲି ଜବାବ କରି ବିଦାହେଲେ । ଏହିପରି ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ଯେତେ ଯେତେ ବରାଦ ଯେଉଁମାନେ ନେଇଥିଲେ ସେମାନେ ଧରାହୋଇ ଆସି କିଏ ନାକ ଘୋଷରା, କିଏ କାନମୋଡ଼ା, କିଏ ନାକବାଳ ଦଣ୍ଡପାଇ ରାମବାବୁଙ୍କୁ ଯଥାକାଳରେ ଦଗା ଦେବାକୁ ପ୍ରତିଜ୍ଞା କରି ଫେରିଲେ । ଯଥାକାଳରେ ରାଜା ଏ ସମ୍ବାଦ ପାଇ ମ୍ୟାନେଜରଙ୍କ ସରସ ବୁଦ୍ଧିକୁ ଶତ ପ୍ରଶଂସା କଲେ ।

 

ଯେଉଁମାନେ ମ୍ୟାନେଜରଙ୍କଠାରେ ନାନା ଶାସ୍ତି ଭୋଗି ଶପଥ କରି ଆସିଥିଲେ ଯେ ରାମହରିବାବୁଙ୍କୁ ନାନାପ୍ରକାର ଅସୁବିଧାରେ ପକେଇବେ, ସେମାନେ ପ୍ରତ୍ୟେକେ ରାମବାବୁଙ୍କଠାରେ ନାନା ଭାବରେ ୠଣୀ ଓ ତାଙ୍କର ସ୍ନେହମତାରେ ଆବଦ୍ଧ । ସେମାନେ ତାଙ୍କୁ ହଇରାଣ କଲେ ଈଶ୍ୱରଦ୍ରୋହୀ ହେବେ ବୋଲି ଭଲକରି ଗୁପ୍ତରେ ଆସି ଦେଖାକରି ମ୍ୟାନେଜରଙ୍କ ଯାବତ ସମ୍ବାଦ କହିଲେ, ଏବଂ ଯେପରି ପ୍ରତିଜ୍ଞା କରି ଆସିଥିଲେ ସେ କଥା ଜଣାଇଲେ । ରାମହରିବାବୁ ଏପରି ସମ୍ବାଦ ଶୁଣିଶୁଣି ଅଭ୍ୟସ୍ତ । ସେ ତତ୍‌କ୍ଷଣାତ୍ ନିକଟବର୍ତ୍ତୀ ପୋଲିସ ଥାନାକୁ ଯାଇ ଦାରୋଗାଙ୍କ ସଙ୍ଗେ ଦେଖାକଲେ ଏବଂ ମ୍ୟାନେଜର କୃତ ଅସୁବିଧା ସବୁ ଜଣାଇଲେ । ଦାରୋଗା ରାମହରିବାବୁଙ୍କୁ ପିତୃତୁଲ୍ୟ ଶ୍ରଦ୍ଧା କରନ୍ତି, ଏବଂ ସରକାରରେ ତାଙ୍କ ଉଚ୍ଚ ପଦବୀ ଓ ଉଚ୍ଚ ଖାତିରି ସମ୍ବାଦ ଜାଣି ତାଙ୍କଠାରେ ବରାବର ନତମସ୍ତକ ଥାଆନ୍ତି । ସେ ଏପର୍ଯ୍ୟନ୍ତ ବିବାହ ଆୟୋଜନରେ ଯଥାସାଧ୍ୟ ସାହାଯ୍ୟ କରି ନ ଥିବାରୁ ଘୋର ଦୁଃଖିତ ହେଲେ, ଏବଂ ରାମବାବୁଙ୍କଠାରେ କ୍ଷମାଭିକ୍ଷା କରି କାହିଲେ, ‘ଏ ସମସ୍ତ ଭାର ମୋ ଉପରେ ରହିଲା । ମୁଁ ଯଥା ସମୟରେ ଯଥା ନିୟମରେ ଏ ସମସ୍ତ ବରାଦ ଆପଣଙ୍କ ଘରଠାରେ ନେଇ ଦାଖଲ କରିବି ଏବଂ ମୋ କର୍ମଚାରୀମାନଙ୍କ ସହ ଆପଣଙ୍କ ଆଦେଶକୁ ଅପେକ୍ଷାକରି ରହିବି । ଆପଣ ନିଶ୍ଚିନ୍ତ ହୁଅନ୍ତୁ ଏବଂ ସେହି ବରାଦୀ ତାଲିକାଟା ମୋ ପାଖରେ ରହୁ । ଦେଖିବି, କେଉଁ ମ୍ୟାନେଜର କ’ଣ କରିପାରେ ?’’ ରାମବାବୁ ଶଏ ଟଙ୍କା ଆଡ଼ଭାନ୍ସ ସ୍ୱରୂପ ତାଙ୍କ ହାତରେ ଦେଇ ଆନନ୍ଦମନରେ ଘରକୁ ଫେରିଗଲେ ।

 

ଦାରୋଗା ସିପାହୀ ପଠାଇ ବରାଦ ନେଇଥିବା ଲୋକମାନଙ୍କୁ ଥାନାକୁ ଧରାଇଆଣିଲେ । ମ୍ୟାନେଜର ସେମାନଙ୍କ ପ୍ରତି ଯେଉଁ ଦଣ୍ଡ ବିଧାନ କରି ରାମବାବୁଙ୍କୁ ଯଥାକାଳରେ ଦଗା ଦେବାକୁ ସେମାନଙ୍କୁ ହୁକୁମ ଦେଇଥିଲେ, ତାହା ସବୁ ସେମାନେ ତାଙ୍କୁ ଗୋଟି ଗୋଟି କରି ଜଣେଇଲେ । ଦାରୋଗା ସେ ସମସ୍ତ ତାଙ୍କର ଡାଏରୀରେ ଅନ୍ତର୍ଗତ କରି ଲୋକମାନଙ୍କୁ ଆଦେଶ ଦେଲେ ଯେ, ଯେଉଁମାନେ ଯେଉଁ ବରାଦ ନେଇଚନ୍ତି, ତାହା ଯଥାକାଳରେ ରାମବାବୁଙ୍କ ଘରଠାରେ ପଇଠ କରିବେ । ସେଥିରେ ତ୍ରୁଟି କଲେ ଗୁରୁତର ଶାସ୍ତି ଭୋଗିବାକୁ ହେବ । ଲୋକେ ତାହା ମାନି ଯଥା ସମୟରେ ସମସ୍ତ ପଇଠ କରିବାକୁ ପ୍ରତିଜ୍ଞା କରି ଖୁସିମନରେ ଫେରିଗଲେ । ରାମହରିବାବୁଙ୍କ ପ୍ରତି ବିଶ୍ୱାସଘାତକତା କରିବା କାହାର ଇଚ୍ଛାନୁହେଁ । ମାତ୍ର ରଜାଘର ଭୟ ସେମାନଙ୍କୁ ଖାଉଁ ଖାଉଁ ଗୋଡ଼ାଉଥିଲା, କିନ୍ତୁ ଦାରୋଗାଙ୍କଠାରୁ ଅଭୟ ପାଇ ଖୁସିରେ ସେମାନେ ଘରକୁ ଫେରିଲେ ଏବଂ ସମସ୍ତେ ଆୟୋଜନରେ ଲାଗିଗଲେ ।

 

ରାମହରିବାବୁ ଦାରୋଗାଙ୍କ ଶିଷ୍ଟାଚାରରେ ମୁଗ୍ଧହୋଇ ଓ ତାଙ୍କ ଜବାବ ଉପରେ ନିର୍ଭର କରି ଘରକୁ ଫେରିଲେ । କଟକର ବହୁତ ସରକାରୀ ଓ ବେସରକାରୀ ବିଶିଷ୍ଟ ଲୋକେ ତାଙ୍କର ବନ୍ଧୁ । ରାମବାବୁ ସେମାନଙ୍କ ନିକଟକୁ ପତ୍ର ଲେଖି ଚାନ୍ଦମଣିର ବିବାହ କଥା ସେମାନଙ୍କୁ ଜଣାଇଥିଲେ ଏବଂ ତାଙ୍କୁ ନାନାଦିଗରେ ହଇରାଣ କରିବାକୁ ରାଜାଘର ତରଫରୁ ଯେପରି ଚକ୍ରାନ୍ତ ଚାଲିଥିଲା, ତାହା ମଧ୍ୟ ଉଲ୍ଲେଖ କରିଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରସ୍ତାବକରି ପତ୍ର ଲେଖିଥିଲେ ଯେ ଏତେ ଅସୁବିଧା ଭିତରେ କିଆକଣ୍ଟାରେ ବିବାହ ଅନୁଷ୍ଠାନ କରିବା ଅପେକ୍ଷା କଟକରେ କଲେ ସର୍ବାଙ୍ଗସୁନ୍ଦର ହୁଅନ୍ତା ଏବଂ କଟକବାସୀ ବନ୍ଧୁମାନେ ତହିଁରେ ପୂର୍ଣ୍ଣପ୍ରାଣରେ ଯୋଗଦେଇ ସବୁ ଆୟୋଜନ କରନ୍ତେ । ଆଉ କେତେକ ବନ୍ଧୁ ଓ ନିଜେ ବିନୋଦନବାବୁ ମଧ୍ୟ ପତ୍ରରେ ଜଣାଇଥିଲେ ଯେ ଯେଉଁ ଧବଳାଲିଙ୍ଗ ଏ ଶୁଭକାର୍ଯ୍ୟର ପ୍ରଜାପତି, ତାଙ୍କର ପବିତ୍ର ପୀଠରେ ଏହା କଲେ ବୋଧହୁଏ ସର୍ବାଙ୍ଗସୁନ୍ଦର ହୁଅନ୍ତା । ମାତ୍ର ରାମବାବୁ ଏ ଦୁଇଟିଯାକ ପ୍ରସ୍ତାବକୁ ପ୍ରତ୍ୟାଖାନ କରି ପତ୍ର ଲେଖିଲେ ଯେ କିଆକଣ୍ଟାରେ ସେ ଏଥିପାଇଁ ଅନେକ ଦୂର ଆଗେଇ ଯାଇଛନ୍ତି । ଏତେବେଳେ ଏ ପ୍ରସ୍ତାବ ଭାଙ୍ଗିଦେଲେ ରାଜାଘରଦଳ ମନେ କରିବେ ଯେ ସେମାନଙ୍କ ଭୟରେ ସେ ଏ କାର୍ଯ୍ୟ କରିପାରିଲେ ନାହିଁ । ଫଳରେ ତାଙ୍କର ଗୋଟାଏ ନୈତିକ ଅଧୋଗତି ଏହାଦ୍ୱାରା ପ୍ରମାଣିତ ହୋଇଯିବ ଏବଂ ଲୋକସାଧାରଣଙ୍କ ଉପରେ ଏହାର ଗୋଟାଏ ଉତ୍କଟ ପ୍ରଭାବ ପଡ଼ିବ । ଆଉ ଭବିଷ୍ୟତରେ ଲୋକେ ରଜାଘର ଦୌରାତ୍ମ୍ୟର ପ୍ରତିବାଦ କରିବାକୁ ସାହସ କରବେ ନାହିଁ । ତେଣୁ ସେ ଆତ୍ମପ୍ରତିଷ୍ଠା ଓ ଦେଶାତ୍ମବୋଧ ଏ ଉଭୟ ପ୍ରଭାବରେ ପ୍ରଭାବିତ ହୋଇ ଯାହା ବାଧା ପ୍ରତିବନ୍ଧକ ଆସୁ ତାହା ଏଡ଼ି ଚାଲିବା ପାଇଁ ବଦ୍ଧପରିକର ହେଲେ । ବନ୍ଧୁମାନେ ତାଙ୍କର ଆତ୍ମପ୍ରତ୍ୟୟ ଓ ସାହାସ ଦେଖି ଆଶାତୀତ ଭାବରେ ସନ୍ତୁଷ୍ଟ ହେଲେ ଏବଂ ତାଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହାନୁଭୂତି ଦେଖାଇବାରେ ଲାଗିଲେ ।

 

ଏଣେ ରାଜା ଓ ମ୍ୟାନେଜର ଦେଖିଲେ ଯେ ରାମହରିଙ୍କି ଯେତେ ଅସୁବିଧାରେ ପକାଇ ତାଙ୍କ ଉତ୍ସବକୁ ଭଣ୍ଡୁର କରିବାକୁ ସେମାନେ ଚେଷ୍ଟା କଲେ, କୌଣସିମତେ ତାଙ୍କୁ ପକେଇ ପାରିଲେ ନାହିଁ । ଦାରୋଗାଙ୍କ ନାଲି ଆଖିକି ଡରି ଲୋକମାନେ ବରାଦୀ ଜିନିଷମାନ ଯୋଗାଡ଼ କରିବାକୁ ଲାଗିଲେ । ମ୍ୟାନେଜରଙ୍କ ଧମକ କୌଣସି କାର୍ଯ୍ୟରେ ଆସିଲା ନାହିଁ । ରାଜା ବା ମ୍ୟାନେଜରଙ୍କର ଦାରୋଗା ଉପରେ କେଉଁ ହାତ ଅଛି, ଯେ ସେମାନେ ତାଙ୍କ ମୁଣ୍ଡ ନୁଆଁଇବାକୁ ଚେଷ୍ଟା କରିବେ ଏବଂ ତାଙ୍କ ଉଦ୍ଧତ ସ୍ୱଭାବ ଯୋଗୁଁ ତାଙ୍କୁ ଉପଯୁକ୍ତ ଶିକ୍ଷା ଦେବେ । ଏଥିରେ ସେମାନେ ନିଷ୍ଫଳ ହୋଇ କଟକ ଦୌଡ଼ିଲେ ଏବଂ ପୁଲିସ ସାହେବଙ୍କ ସଙ୍ଗେ ଦେଖାକରି ଦାରୋଗାଙ୍କ ବିରୁଦ୍ଧରେ ତାଙ୍କୁ ଅନେକ କଥା କହିଲେ । ମାତ୍ର ସାହେବଙ୍କୁ ଜମିଦାରୀର ଗୋଳମାଳ ବା ଅତ୍ୟାଚାରର କଥା ଛପା ନଥିଲା, ଥାନାର ଗୋପନୀୟ ରିପୋର୍ଟମାନ ତାଙ୍କ ନିକଟରେ ଜମା ରହିଥିଲା । ସେ ରାଜାଙ୍କୁ ସତର୍କ କରି ଜାଣାଇଦେଲେ ଯେ ରାଜା ଯେବେ ସାବଧାନ ନହେବେ ଏବଂ ନିଜର ସୀମାରେ ରହି ନଚଳିବେ ତେବେ ଘୋର ବିପଦ ଭୋଗିବେ । ତା’ପରେ ମ୍ୟାନେଜରଙ୍କ ଆଡ଼କୁ ଦୃଷ୍ଟି ପକାଇ ତାଙ୍କୁ କଡ଼ା ଶବ୍ଦରେ ଗୁଡ଼ାଏ ଗାଳି ଦେଲେ ଏବଂ କହିଲେ, ‘‘ସେ ଯେବେ ରାଜାଙ୍କୁ କୁଶିକ୍ଷା ଦେଇ ଅସତ୍‌ପଥରେ ଚଳାନ୍ତି, ତେବେ ଅଚିରେ ତାଙ୍କର ହାତରେ ହାତକଡ଼ି ପଡ଼ିଯିବ ଏବଂ ଶ୍ରୀମନ୍ଦିର ଭିତରେ ତାଙ୍କ ପାଇଁ ସ୍ଥାନ କରାଯିବ । ଏହା ଶୁଣି ପ୍ରବଳ ପ୍ରତାପୀ ମ୍ୟାନେଜରଙ୍କ ଛାତି ଦମ୍ ଦମ୍ ପଡ଼ିଲା, ଓଠ ଶୁଖିଗଲା ଏବଂ କପାଳରେ ଝାଳ ବିନ୍ଦୁ ବିନ୍ଦୁ ହୋଇ ଫୁଟି ଉଠିଲା । ସେ ତଳକୁ ମୁହଁକରି ବସି ରହିଲେ । ତାଙ୍କ ମୁହଁରୁ କୌଣସି କଥା ନ ବାହାରିବା ଦେଖି ରାଜା କ’ଣ ଗୋଟାଏ କହିବାକୁ ଉଦ୍ୟତ ହେଲେ । କିନ୍ତୁ ସାହେବ ଆଉ କୌଣସି କଥା ଶୁଣିବାକୁ ରାଜି ନହୋଇ ସେ ସ୍ଥାନ ଛାଡ଼ି ଚାଲିଯିବାକୁ ସେମାନଙ୍କୁ ଆଦେଶ ଦେଲେ । ତହୁଁ ସେ ଦୁହେଁ ବିନୀତ ଭାବରେ ସଲାମ କରି ଫେରି ଆସିଲେ ।

•••

 

–ଦଶ–

 

କିଆକଣ୍ଟାର ଯେଉଁ ଅଂଶରେ ରାମହରିବାବୁଙ୍କ ଘର, ସେ ଅଞ୍ଚଳର ଟିକିଏ ଦୂରରେ ଅନେକ ଗୁଡ଼ିଏ ବ୍ରାହ୍ମଣ ମଧ୍ୟ ବସତି କରି ରହିଥିଲେ । ଆଗରୁ ଜଣାଯାଇଛି ଯେ ସେ ବସ୍ତିର ନାମ ନଟବରପୁରର ଶାସନ । ରାଜା ନଟବର ରାୟଟ୍ ସିଂହ ତାହା ସ୍ଥାପନ କରିଥିଲେ । ତାହା ଆଜକୁ ପଚାଶ ବର୍ଷ ତଳର କଥା । ଯେଉଁ ବ୍ରାହ୍ମଣମାନଙ୍କୁ ଦାନବୃତ୍ତି ଦିଆଯାଇ ସେଠାରେ ସ୍ଥାନ ଦିଆଯାଇଥିଲା, ସେମାନେ ପ୍ରାୟ ଅଧିକାଂଶ ମରିଯାଇଥିଲେ । ବର୍ଣ୍ଣିତ ସମୟକୁ ଯେଉଁମାନେ ଥିଲେ, ସେମାନେ ତାଙ୍କର ପୁତ୍ର ପୌତ୍ରାଦି, ଏମାନଙ୍କ ମଧ୍ୟରେ ରାମହରିବାବୁଙ୍କ ପରି ଦୁଇ ଚାରିଜଣ ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କଠାରୁ ଆରମ୍ଭକରି ନିତାନ୍ତ ନୀଚ ଅଧମପନ୍ଥୀଙ୍କ ପର୍ଯ୍ୟନ୍ତ ଲୋକଗୁଡ଼ିଏ ଥିଲେ । ପ୍ରତ୍ୟେକ ପରସ୍ପରର ବନ୍ଧୁବାନ୍ଧବ ଏବଂ ପରସ୍ପର ସଙ୍ଗେ ନାନାଭାବରେ ସଂପୃକ୍ତ, ଉଚ୍ଚ ଶିକ୍ଷିତ ବ୍ୟକ୍ତିମାନଙ୍କ ଭିତରେ କେହି ଡେପୁଟି, କେହି ଡାକ୍ତର, କେହି ଓକିଲ ଓ ଆଉ କେହି ଉଚ୍ଚଧରଣର ବ୍ୟବସାୟୀ, ତେଣୁ ସେମାନେ କିଆକଣ୍ଟାରେ ନରହି ବରାବର ସ୍ଥାନାନ୍ତରରେ ଓ କଟକରେ ରହନ୍ତି ଏବଂ କେବେ କିପରି ସ୍ୱଗ୍ରାମକୁ ଆସି ଟିକିଏ ବୁଲଚାଲ କରିଯାଆନ୍ତି । ସେମାନଙ୍କ ଭିତରେ ରାମବାବୁ ଟିକିଏ ଅଧିକ ଅଗ୍ରଗାମୀ ଓ ଅଧିକ ସଂପଦଶାଳୀ । ତେଣୁ ତାଙ୍କର ଘର ନିର୍ମାଣ ପରିପାଟୀ ଖୁବ୍‌ ଚମତ୍କାର ଓ ଆଧୁନିକ ଧରଣର, ପୁଣି ବିଷୟ ବାଡ଼ି ତାଙ୍କର ବହୁତ ବେଶି । ସରକାରୀ ଚାକିରିରୁ ତାଙ୍କର ଯାହା ଆୟହୁଏ, ବିଷୟବାଡ଼ିରୁ ତା’ର ଚାରିଗୁଣ ଆୟହୁଏ । ଏଣୁ ସେ କେବେହେଲେ ପରମୁଖାପେକ୍ଷୀ ନହୋଇ ବରାବର ଆତ୍ମନିର୍ଭରଶୀଳ ହୋଇ ଚଳନ୍ତି ।

 

ଏହାଛଡ଼ା ଆଉ ଯେତେ ବ୍ରାହ୍ମଣ ସେଠାରେ ଥିଲେ, ସେମାନଙ୍କ ଭିତରେ ଯେଉଁମାନେ ଦରପାଠୁଆ, ସେମାନଙ୍କ ଭିତରୁ କେହି କଚେରୀରେ ମୋହରିର, କେହି ଚପରାଶି, କେହିକେହି ମୋଟର କ୍ଳିନର, କେହିବା ଅନ୍ୟପ୍ରକାର ରାଜସେବାରେ ନିଯୁକ୍ତ । ଅବଶିଷ୍ଟ ଲୋକଗୁଡ଼ିକଙ୍କ ମଧ୍ୟରେ କେହି ମଦୁଆ, କେହି ଗୁଲିଆ, କେହି ଗଞ୍ଜଡ଼, କେହି ତ୍ରିପଥୀ, କେହି ଦ୍ୱିପଥୀ । କେହି ନିରକ୍ଷର ମୂଲିଆ କେହି ବା କୁଶପାତ୍ରଧାରୀ ଜଣେ ଜଣେ ଅଧମ ପୁରୋହିତ ସଙ୍କଳ୍ପ ପାଠ ଆସୁ ବା ନଆସୁ । ଯେଉଁମାନେ ବ୍ରହ୍ମକୁ ବା ବେଦକୁ ଜାଣନ୍ତି, ସେମାନଙ୍କୁ ‘ବ୍ରାହ୍ମଣ’ କୁହାଯାଏ ବୋଲି ପାଠକ ଅବଶ୍ୟ ବୁଝିଥିବେ । ଏ ମହାଶୟମାନଙ୍କୁ କେଉଁ ବେଦ ମାଲୁମ ଅଛି ତାହା ଅବଶ୍ୟ କହି ହେଉନାହିଁ-। ତଥାପି ଏମାନେ ବୋଲନ୍ତି ବ୍ରାହ୍ମଣ, ଦାବି ମଧ୍ୟ କରନ୍ତି ସେହିପରି । ଏ ଦାବି ଅବଶ୍ୟ ପରଂବ୍ରହ୍ମଙ୍କଠାରୁ ବିଭୂତିପାଇଁ ନୁହେଁ, ଇନ୍ଦ୍ରଙ୍କଠାରୁ ଜଳପାଇଁ ନୁହେଁ କିମ୍ବା ଅଗ୍ନିଙ୍କଠାରୁ ତେଜପାଇଁ ନୁହେଁ, ଦାବି କେବଳ ନିରୀହ ହିନ୍ଦୁ ଉପରେ, ସମାଜର ନିଗୂଢ଼ ବନ୍ଧନରେ ବଦ୍ଧ ନିରକ୍ଷର କୃଷକ ଉପରେ । ତାହା ଗୋଟାଏ ପାର୍ଶ୍ୱପତ୍ରପାଇଁ କିମ୍ବା ଦି’ ପଇସା ଅଧିକା ଦକ୍ଷିଣା ପାଇଁ କିମ୍ବା କେତେ ଅଣା ଜାତୀୟ ମର୍ଯ୍ୟାଦାପାଇଁ କିମ୍ବା କାହା ମୁଣ୍ଡରେ ହାତ ବୁଲାଇ ଚାରିପଇସା ତେଲଲୁଣ ପାଇଁ । ଏହି ହେଲା କିଆକଣ୍ଟିଆ ବ୍ରାହ୍ମଣମାନଙ୍କର ଜାତୀୟ ଗୌରବ ଓ ଜାତୀୟ ମର୍ଯ୍ୟାଦା, ଚିତା ପଇତା ନାମମାତ୍ର ଏମାନଙ୍କର ଭେକ ଏବଂ ଭୋଜନ ଓ ଶ୍ରାଦ୍ଧ ସଞ୍ଚା ଅସୁଲ ପାଇଁ ଗୋଟାଏ ହୁଦା ମାତ୍ର ।

 

ଯେଉଁ ମଧ୍ୟମ ଶ୍ରେଣୀୟ ଗୋସାଇଁମାନେ ରାଜସେବାକରି କିଛିକିଛି ଅର୍ଥ ସଞ୍ଚୟ କରନ୍ତି, ସେମାନଙ୍କୁ ମାନ୍ୟକରି ଦିପଦ ନକହିଲେ ଅବସ୍ଥା ଶୋଚନୀୟ ହୋଇପଡ଼ିବ । ସେମାନଙ୍କ ପ୍ରଜାପତି ନିଶ, ବହୁସ୍ତର ବିନ୍ୟସ୍ତ ଟେରୀ ଓ ସୁନ୍ଥା, ଫ୍ରେଞ୍ଚ୍‍କଟ୍‌ ଦାଢ଼ି, ମୁହଁରେ ବିଡ଼ି ସିଗ୍ରେଟ ଓ ପରିଧାନରେ ବହୁ ରଙ୍ଗରଞ୍ଜିତ ଲୁଙ୍ଗି, ଏସବୁ ଦେଖି କେହି ଜଣେ ବଦ୍‌ରସିକ ଲୋକ ଏମାନଙ୍କୁ ନଟବରପୁରର ଗୋସାଇଁ ମହାପ୍ରଭୁ କହିବ କି ଆଉ କ’ଣ କହିବ କହି ହେଉନାହିଁ । ସେମାନେ ରାଜମର୍ଯ୍ୟାଦା ଆକଣ୍ଠ ଆପ୍ୟାୟନ କରି ଯେତେବେଳେ ଦାଣ୍ଡକୁ ବାହାରି ପଡ଼ନ୍ତି, କିମ୍ବା ଚଉପାଡ଼ିରେ ଯାଇ ବଇଠକ କରନ୍ତି, ସେମାନଙ୍କ ମହିମା ଅଲୌକିକ । ସେମାନଙ୍କ ଯୁକ୍ତି ଅଖଣ୍ଡନୀୟ, ସେମାନଙ୍କ ମତ ସମାଜର ଶିରୋଧାର୍ଯ୍ୟ ଏବଂ ସେମାନେ ବିଜ୍ଞବାଦରେ ଧୂରନ୍ଧର । ମାତ୍ର ସେମାନଙ୍କ କାନ୍ଧରେ ପଇତା ଥାଏ କି ନା, ସେମାନେ ଚଳୁ ସନ୍ଧ୍ୟା ଜାଣନ୍ତି କି ନା ଏବଂ ମୋଟ ଉପରେ ସେମାନେ ନିଜକୁ ବ୍ରାହ୍ମଣ ବୋଲି କହିବାର ଅଧିକାର ସେମାନଙ୍କର ଅଛି କି ନା, ଏ କଥା ନିଷ୍ପତ୍ତି କରିବା ସହଜକଥା ନୁହେଁ ।

 

ଉପରୋକ୍ତ ତିନି ଶ୍ରେଣୀ ଆଉ ଗୋଟାଏ ସ୍ପେଶାଲ ବା ସ୍ୱତନ୍ତ୍ର ଶ୍ରେଣୀ କିଆକଣ୍ଟାରେ ଅଛନ୍ତି । ସେମାନେ ସାଧାରଣତଃ ଶାସନ ମଧ୍ୟରେ ମୁରବି ଭଳିଆ ଚଲା ଫେରା କରନ୍ତି । ଏମାନଙ୍କୁ କୁହାଯାଇପାରେ ନଟବରପୁର ଶାସନର କର୍ଣ୍ଣଧାର । ଏହି କର୍ଣ୍ଣଧାର ଶବ୍ଦ ନାନାଅର୍ଥରେ ଅଭିଧାନରେ ବ୍ୟବହୃତ ହୋଇଥିବାରୁ ଆମ୍ଭମାନଙ୍କୁ ସାଧାରଣତଃ ଘାବରେଇବାକୁ ପଡ଼େ । ପ୍ରଥମେ କର୍ଣ୍ଣଧାର ଶବ୍ଦର ଅର୍ଥ ମଙ୍ଗୁଆଳ, ଅର୍ଥାତ୍‌ ଯେଉଁ ଅଭିଜ୍ଞ ନାବିକ ଡଙ୍ଗାକୁ ନିରାପଦ ସ୍ରୋତରେ ଚଳାଇ ନିଏ, ସେହି କିଆକଣ୍ଟାର ଏ ମହାପୁରୁଷମାନେ ସେ ଶ୍ରେଣୀର କର୍ଣ୍ଣଧାର ବୋଲି କହି ପାରିବୁ ନାହିଁ । କାରଣ ସମାଜକୁ ଘୋର ଦୁର୍ଗତିରୁ ରକ୍ଷା କରି ତାକୁ ନୀତିପୂର୍ଣ୍ଣ ମାର୍ଗରେ ଚଳାଇବାର କ୍ଷମତା ଏମାନଙ୍କର ନାହିଁ । ବରଂ ଏମାନେ ତାକୁ ଦୁର୍ଗତି ଆଡ଼କୁ ପେଲିଦେଇ ଆନନ୍ଦ ଅନୁଭବ କରୁଥିବାର ଦେଖାଯାଏ । ତଥାପି ଏମାନେ ମଙ୍ଗୁଆଳ ବା କର୍ଣ୍ଣଧାରର ଛଳନା କରି ସମୟ ବିଶେଷରେ ଖୁବ୍‌ ନାଚକୁଦ କରନ୍ତି ଏବଂ ତଦ୍ଦ୍ୱାରା ସମାଜରେ ଏମାନଙ୍କ ମାଲିକାନା ଜାହିର କରିବାର ଆତ୍ମପ୍ରସାଦ ଅନୁଭବ କରନ୍ତି ।

 

ଦ୍ୱିତୀୟ ଶ୍ରେଣୀର କର୍ଣ୍ଣଧାର ଅର୍ଥ, ଯେ କର୍ଣ୍ଣଧରି ତା’ ରନ୍ଧ୍ରକୁ ବିସ୍ତାର କରି ତହିଁରେ ମହାମନ୍ତ୍ର ଭର୍ତ୍ତି କରିଦିଏ ଅର୍ଥାତ୍‌ ମନ୍ତ୍ରଗୁରୁ । ଏ ଭଳି ଗୁଡ଼ିଏ ମନ୍ତ୍ରଗୁରୁ ଏହି ସ୍ପେଶାଲ ଶ୍ରେଣୀରେ ଥିବାର ଆମ୍ଭେମାନେ ଜାଣୁ । ଏମାନେ ଏହାକୁ ଗୋଟାଏ ଲାଭଜନକ ବ୍ୟବସାୟରେ ପରିଣତ କରି ଏହି ଧନ ବଳରେ କୁଟୁମ୍ବ ପୋଷଣର ବ୍ୟବସ୍ଥା କରନ୍ତି । ଯେଉଁମାନେ ଏହି ମନ୍ତ୍ର କାନରେ ଇଞ୍ଜେକ୍‌ସନ୍‌ କରାନ୍ତି, ସେମାନେ କି ଫଳ ତହିଁରୁ ପାଆନ୍ତି, କେତେଟା ସ୍ୱର୍ଗର ପାହାଚ ଏମାନେ ଅଲଭ୍ୟରେ ପ୍ରମୋସନ୍‌ ପାଇଁ ଯାଆନ୍ତି, ତାହା ଜାଣିବା କଠିନ । ମାତ୍ର ଶିଷ୍ୟଟି ମନ୍ତ୍ରଗୁରୁଙ୍କର ଲେଉଟିଆ କିଆରୀରେ ପରିଣତ ହୁଏ । ଗୁରୁଙ୍କର ଯେତେବେଳେ ଯାହା ଗୁପ୍ତରେ ବା ପ୍ରକାଶ୍ୟରେ ଆବଶ୍ୟକ ହୁଏ ତାହା ସେ ଯୋଗାଇବାକୁ ବାଧ୍ୟ ହୁଏ । ଏହା ଫଳରେ ଗୁରୁ ଗୋଟାଏ ନେତୃତ୍ୱ ଜାହିର କରନ୍ତି ଏବଂ ସମାଜରେ ଓଜନଦାର ଆସନ ଭିଡ଼ି ବସି ଆଦେଶ ପ୍ରଚାର କରିବାକୁ ଚେଷ୍ଟା କରନ୍ତି । ଗୋଟାଏ ଗଳ୍ପ ଥରେ ଶୁଣା ଯାଇଥିଲା ଯେ ଜଣେ ଗୁରୁ ଜଣେ ଶିଷ୍ୟାର କର୍ଣ୍ଣରେ ମନ୍ତ୍ର ଦେଉଥିଲାବେଳେ ତାର ଗୋଲାପ ପାଟଳି ଗଣ୍ଡଦ୍ୱୟ ଦେଖି ଯୌବନ ତାଙ୍କଠାରେ ଉଙ୍କି ମାଇଲା । ସେ ଗୋଟାଏ ମୋହରେ ଘାରି ହୋଇ ପଡ଼ିଲେ । ତାଙ୍କ ମନ୍ତ୍ର ଉଚ୍ଚାରଣ କମ୍ପିତ ଓଷ୍ଠଦ୍ୱୟ ଯାହା ତା ଗଣ୍ଡଠାରୁ ଏକ ଇଞ୍ଚ ବ୍ୟବଧାନରେ ଥିଲା ତାହା ଆସି ଗଣ୍ଡ ଉପରେ ପଡ଼ିଗଲା । ଶିଷ୍ୟା ଇଜ୍ଜତ ହାନି ଭୟରେ ଗୁରୁଙ୍କ ବକ୍ଷରେ ଏକ ମୁଷ୍ଟି ଦକ୍ଷିଣା ଦେଇ ଯେତେବେଳେ ସେହିଘରୁ ପଳାଇଗଲା, ସେତେବେଳେ ଯାଇ ତାଙ୍କର ଜ୍ଞାନୋଦୟ ହେଲା । ଏ ଗଳ୍ପର ସତ୍ୟତା ବିଷୟରେ ଆମେ ଜବାବ ଦେଇପାରିବୁ ନାହିଁ କିମ୍ବା ନଟବରପୁରର ଗୁରୁମାନଙ୍କ ମଧ୍ୟରେ ଏପରି ବ୍ୟକ୍ତି ଅଛନ୍ତି କି ନାହିଁ ଆମେ ଜାଣି ନାହୁଁ କି ଶୁଣି ନାହୁଁ । ସେ ଯାହାହେଉ ଏ ଗୁରୁ ଶ୍ରେଣୀର ବ୍ୟକ୍ତିମାନେ ଦ୍ୱିତୀୟଶ୍ରେଣୀର କର୍ଣ୍ଣଧାର ବୋଲି ଆମର ମତ ।

 

ତା’ ପରେ ତୃତୀୟ ଶ୍ରେଣୀର କର୍ଣ୍ଣଧାର, ଯେ କାନ ଧରେ ଅର୍ଥାତ୍‌ କାନ ମୋଡ଼େ । ଏପରି ଲୀଳା ଅବଶ୍ୟ ଚାଟଶାଳୀମାନଙ୍କରେ ବହୁତ ଦେଖିବାକୁ ମିଳେ । କିଆକଣ୍ଟାରେ ତାହାର ଅଭାବ ନାହିଁ, ମାତ୍ର ସ୍ପେଶାଲ ପୁରୁଷମାନେ ଏ ଶ୍ରେଣୀର କର୍ଣ୍ଣଧାର ତାଲିକାରେ ଯାଇପାରିବେ କି ନା କହି ହେଉନାହିଁ । କାରଣ ଆମ୍ଭେମାନେ ଜାଣୁ, ଏମାନଙ୍କ ହସ୍ତ ସାଧାରଣଙ୍କ କର୍ଣ୍ଣ ଧରିବାକୁ ସର୍ବଦା ଉତ୍ତୋଳିତ, ମାତ୍ର କର୍ଣ୍ଣ ତା’ ନିକଟକୁ ଆସେ ନାହିଁ । ଉତ୍ତୋଳିତ ହସ୍ତ ବର୍ଣ୍ଣର ସୀମା ସ୍ପର୍ଶ କଲାବେଳକୁ କର୍ଣ୍ଣଧାରୀମାନଙ୍କ ଚପେଟିକା ସେମାନଙ୍କ ଗଣ୍ଡଦ୍ୱୟରେ ସମାନ୍ତର ରେଖା ଆଙ୍କିଦେବାକୁ ସର୍ବଦା ପ୍ରସ୍ତୁତ । ସେମାନେ ଘୋର ଅହଙ୍କାରମତ୍ତ, ଈର୍ଷ୍ୟାରେ ଭରପୁର, ବିବାଦ, ବିରୋଧ ଓ କଳହପାଇଁ ସର୍ବଦା ଆଗଭର । ନିଜଘରେ ଶତଶତ ନର୍କ, ଶତଶତ ପାପ ପରି ସଢ଼ୁଥିଲେ ମଧ୍ୟ ଏବଂ ଦିନରାତି ଘରଭିତରେ ପିଶାଚର ତାଣ୍ଡବଲୀଳା ଚାଲିଥିଲେ ମଧ୍ୟ, ବାହାରେ ସେମାନେ ଭଦ୍ରବେଶଧରି ଦେଖାଦିଅନ୍ତି ଏବଂ ସମାଜର ଯେଉଁମାନେ ଦୁର୍ବଳ, ଯେଉଁମାନେ କ୍ଷୁଧାରେ କାତର ଓ ହା’ ହତାଶରେ ଯେଉଁମାନଙ୍କର ଆଖି ନିରନ୍ତର ଛଳ ଛଳ ସେହିମାନଙ୍କ ଉପରେ ସାମାଜିକ ପ୍ରଭୁତ୍ୱ ବିସ୍ତାର କରନ୍ତି । ଏଥିରୁ ସମୟେ ସମୟେ ଲାଞ୍ଚ ସୂତ୍ରରେ, ‘ମହତ୍ୱ’ ସୂତ୍ରରେ ବା ଅନ୍ୟ କୌଣସି ସୂତ୍ରରେ ଦୁଇପଇସା ଲାଭ ହୁଏ ଏବଂ ତଦ୍ଦ୍ୱାରା ଅଫିମ ଗଞ୍ଜେଇ ଖର୍ଚ୍ଚ ଦିନେ ଦୁଇଦିନ ଚଳିଯାଏ ।

 

ଏହି ଭଦ୍ରଲୋକମାନଙ୍କୁ ସମାଜରେ କେହିଁ କିଛି ମୂଲ୍ୟ ଦେଉ ବା ନଦେଉ ଏମାନେ କିନ୍ତୁ ନିଜକୁ ବହୁତ ମୂଲ୍ୟବାନ ମନେ କରନ୍ତି ଏବଂ ନିଜର ମୂଲ୍ୟବାନ ଚାପା ସମାଜ ଉପରେ ପ୍ରୟୋଗ କରିବାକୁ ଖୁବ୍‌ଚେଷ୍ଟା କରନ୍ତି । ମାତ୍ର ସେହି ଚେଷ୍ଟା ହିଁ ସାର ହୁଏ, ଚାପାଟା ସମାଜଯାଏ ଯାଇପାରେ ନାହିଁ । ଏଥିପାଇଁ ଏମାନେ ପଦେପଦେ ଲାଞ୍ଛିତ, ଅପମାନିତ ଓ ଧିକୃତ ହେଲେ ମଧ୍ୟ ତାହା ସବୁ ପିଠିକି ପକାଇ ଦେଇ ପୁଣି ନିଜ ବେଶଧରି ଠିଆ ହୋଇପଡ଼ନ୍ତି । କାରଣ ସେମାନେ ସମାଜର କର୍ତ୍ତା, ନିୟାମକ ଓ ତାହାର କର୍ଣ୍ଣଧାର; ସେମାନେ ନୀରବ ହେଲେ ଚଳିବ କିପରି ?

 

ମାତ୍ର ସେ ନିର୍ବୋଧମାନେ ବୁଝିପାରନ୍ତି ନାହିଁ ଯେ ସେ ପ୍ରାଚୀନ ସମାଜ ଆଉ ନାହିଁ, ତାହା କେତେ ଶତାବ୍ଦୀ ପୂର୍ବରୁ ଲୋପପାଇ ଗଲାଣି । ତାହା ଆଉ ଗୋଟାଏ ନୂତନ ଆଲୋକର ପ୍ରଭାତ ଦେଖି ସେ ଆଡ଼କୁ ବାତୁଳପରି ଛୁଟି ଯାଉଛି । ସେଠାରେ ସଂକୀର୍ଣ୍ଣ ଜାତୀୟତା ନାହିଁ ବା ବେଦ ବିଧ୍ୱଂସୀ ବ୍ରାହ୍ମଣର ନିଷ୍ଫଳ ଆସ୍ଫାଳନ ନାହିଁ । ତାହା ବିରାଟ ମାନବୀୟ ସମାଜ । ତାହା ମାନବ ସମାଜର ଗଣତନ୍ତ୍ର । ତାହା ଗୀତାର ରଣ ଦୁନ୍ଦୁଭିରେ ଉଦ୍‌ବୋଧିତ । ଭଗବତ୍‌ ପ୍ରେରଣାରେ ସେପରି ଗୋଟାଏ ମହାମାନବ ସମାଜ ଅଲକ୍ଷ୍ୟରେ ଗଢ଼ି ହୋଇଯାଉଛି । ତାକୁ ପ୍ରତିରୋଧ କରିବାର ଶକ୍ତି କାହାର ନାହିଁ । ସମସ୍ତଙ୍କ ମନର ସ୍ରୋତ ସେହି ଲକ୍ଷ୍ୟ ଆଡ଼କୁ ଛୁଟୁଛି, ତୁମେ ଚାହଁ ବା ନଚାହଁ । ସେହି ନବଯୁଗ ପ୍ରବର୍ତ୍ତକ ମହାପୁରୁଷ ମହାତ୍ମା ଗାନ୍ଧୀଙ୍କ ମଙ୍ଗଳ ମହୁରୀ ଚାରିଆଡ଼େ ଝଙ୍କାରି ଉଠିଲାଣି, ତାହା ବାୟୁମଣ୍ଡଳର ପ୍ରତିସ୍ତରକୁ ଭେଦକରି ଦେଶେ ଦେଶେ ବ୍ୟାପିଗଲାଣି । ସେଠାରେ ସଂକୀର୍ଣ୍ଣତା ନାହିଁ, ନୀଚତା ନାହିଁ, ହୃଦୟର ଦୁର୍ବଳତା ମଧ୍ୟ ନାହିଁ ।

 

ଆଜି ଯୁବକ ପ୍ରାଣ ସେ ମଙ୍ଗଳମହୁରୀ ଶ୍ରବଣରେ ଉଲ୍ଲସିତ ହେଉଥିଲାବେଳେ କିଆକଣ୍ଟାର ଏ ନୀଚାଶ୍ରୟ ସ୍ୱାର୍ଥପର କର୍ଣ୍ଣଧାରମାନଙ୍କ କଥାକୁ ଶୁଣିବ କିଏ, ମାନିବ କିଏ ? ତେଣୁ ସେମାନଙ୍କ ମନରେ ଘୋର ଅଶାନ୍ତି ଯେ ତାଙ୍କ କଥା କେହି ଶୁଣୁନାହାନ୍ତି ବା ତାଙ୍କ ଉପଦେଶ କେହି ମାନୁନାହାନ୍ତି । ତେଣୁ ସେମାନେ ବୈଠକ ପରେ ବୈଠକ କରି କେବଳ ଏହିପରି ନୀଚ ଚର୍ଚ୍ଚାରେ କାଳ କଟାନ୍ତି । ସେଠାରେ ବେଦ ପୁରାଣର ଆଲୋଚନା ନାହିଁ । ଅଗ୍ରଗାମୀ ଯୁଗର କୌଣସି ସମ୍ବାଦର ସେମାନେ ଧାର ଧାରନ୍ତି ନାହିଁ କିମ୍ବା ନବଯୁଗର ମହାପୁରୁଷମାନେ ମାନବର ଭବିଷ୍ୟତ ପ୍ରଗତି ପାଇଁ ଯେଉଁ ବୈଜ୍ଞାନିକ କଳ୍ପନା ଜଳ୍ପନାମାନ କରୁଛନ୍ତି, ତା’ର କଣିକାଏ ସୁଦ୍ଧା ଏମାନେ ମୁଣ୍ଡକୁ ନିଅନ୍ତି ନାହିଁ । କେବଳ ଗୁଡ଼ାଏ ନୀଚ ଜନୋଚିତ ବିଚାରରେ ନିଜକୁ ବ୍ୟାପୃତ ରଖି ତହିଁରେ କାଳ କଟାଇଦିଅନ୍ତି । ସେ ବିଚାର ପରମ୍ପରା କୌଣସି ଭଦ୍ରଲୋକ ଥରେ ଶୁଣିଲେ ସେ କାନରେ ହାତ ନଦେଇ ରହିପାରିବ ନାହିଁ ।

 

ଏହିପରି ଗୋଟାଏ ବୈଠକକୁ ଦିନେ ଗୋଟିଏ ସମ୍ବାଦ ଚାଲିଆସିଲା ଯେ ରାମହରିବାବୁ ତାଙ୍କ କନ୍ୟାକୁ କଳାରାହାଙ୍ଗ ଗ୍ରାମର ବିନୋଦବିହାରୀ ନନ୍ଦଙ୍କ ପୁଅସଙ୍ଗେ ବିବାହ ଦେଉଚନ୍ତି । ଏହା ଗୋଟାଏ ବଜ୍ରପାତ ପରି ସେମାନଙ୍କୁ ଲାଗିଲା । ଜଣେ ମହାପୁରୁଷ ତାଙ୍କ ଆସନକୁ ଆଉ ଟିକିଏ ଭିଡ଼ିଦେଇ ସଳଖିହୋଇ ବସି କହିଲେ, ‘‘ହଇ ହେ ! ରାମହରି କ’ଣ କଲା-ଝିଅଟାକୁ ଭସାଇ ଦେବାକୁ ଯାଉଛି ? ଆହେ ବିନୋଦବିହାରୀ ସେ ମଧୁ ନନ୍ଦ ପୁଅ ନା ?’’ ମହାପାତ୍ରେ ଟିକିଏ ଗଳା ସଫାକରି କହିଲେ, ‘‘ହଁ, ହଁ, ସେଇ ମଧୁନନ୍ଦ ପୁଅ ।’’ ସଦସ୍ୟେ ପ୍ରଥମ ବ୍ୟକ୍ତି । ସେ ପଚାରିଲେ, ‘‘କିଏ, ସେ ପରା ଗୋଟାଏ ପଣ୍ଡା ? ଠାକୁର ସେବାକରି ପେଟ ପୋଷେ-? ରାମ ମିଶ୍ରେ ସେଥିରେ କିପରି ଭଳିଗଲେ ହେ ?’’ ଅନନ୍ତ ରଥେ କହିଲେ, ‘‘ସେ ମଧୁଆର ବୋପା ଥିଲା ଚଇତନ ପଣ୍ଡା, ସଟିଆ ରଜାଙ୍କ ଖନ୍ଦାରେ ସୁଆର ଥିଲା । ରାଜା ଦିନେ ତା’ ଉପରେ କୌଣସି କାରଣରୁ (କାରଣଟା ସେ ଅବଶ୍ୟ ଜାଣିଥିଲେ ) ଖୁବ ଖୁସିହୋଇ ବରଟିଏ ଯାଚିଲେ । ଚଇତନ କହିଲା, ‘ଯେବେ ଅନୁଗ୍ରହ ହେଲା, ତେବେ ମୋତେ ଆଜିଠାରୁ ବ୍ରାହ୍ମଣ କରି ଦିଆଯାଉ ।’ ରାଜା ତାକୁ ସାଙ୍ଗେ ସାଙ୍ଗେ ବ୍ରାହ୍ମଣ କରିଦେଇ ଚଇତନ ନନ୍ଦ ବୋଲି ନାଁ ଦେଲେ ଏବଂ ଦି’ ମାଣ ଜମି ଦାନସ୍ୱତ୍ୱରେ ଖଞ୍ଜିଦେଲେ । ସେହିଦିନୁ ସେ ବ୍ରାହ୍ମଣ । ଅନନ୍ତ ରଥଙ୍କୁ ଦୁନିଆର କେଉଁ କଥା ଅମାଲୁମ ? ସେ କାରଣଟା ଅବଶ୍ୟ ଢୋକି ଢୋକି କହିଲେ, ମାତ୍ର ଆମେ ତାହା ଲିପିବଦ୍ଧ କରିବାକୁ ଅକ୍ଷମ । ଏହା ଶୁଣି ସଦସ୍ୟେ ଲମ୍ବା ହସଟାଏ ହସି କହିଲେ, ‘‘ମାଇଲା ରେ ମାଇଲା । ଇମିତି ଏବେ ସେ ନନ୍ଦ ? ତେବେ ପଣ୍ଡାଟାଏ ନନ୍ଦ ହୋଇଛି ବୋଲି ମୁଁ ଶୁଣିଥିଲି ।’’ ଏ ସମୟରେ ସୁଦର୍ଶନ ବାହିନୀପତି ତାଙ୍କ ଦାଣ୍ଡଦୁଆରେ ଠିଆହୋଇ ପାନ ମଳୁଥିଲେ । ତାଙ୍କୁ ସଦସ୍ୟେ ଡାକ ଛାଡ଼ିଲେ, ‘‘କକେଇ ! ଆସ, ଆସ, ଗୋଟାଏ ମଜାକଥା ଶୁଣିବ ଆସ ।’’

 

ବାହିନୀପତି ଯଥାର୍ଥରେ ସମାଜର ବାହିନୀପତି । ତାଙ୍କ ମନକୁ ଲଙ୍ଗଳ ଦଉଡ଼ି ପାଏନାହିଁ । ସେ ବିଚାରନ୍ତି ସେ ଏ ଯୁଗରେ କାଳୀୟଦଳନ କରି ଗୋଟାଏ ଗୋବର୍ଦ୍ଧନ ପର୍ବତ ଟେକିଛନ୍ତି । ତାଙ୍କପରି ଜଣେ ମହାବୀର ମହାପୁରୁଷ ଦୁନିଆରେ ଆଉ କିଏ ଅଛି ? ତାଙ୍କ ସାଙ୍ଗକୁ ସଦସ୍ୟେ ଜଣେ ଉପଯୁକ୍ତ ଯୋଡ଼ି । ଉଭୟେ ମିଶି ସମାଜ ରୂପ ନନ୍ଦିଘୋଷ ରଥକୁ ଟାଣିନେଇ ଚାଲିଛନ୍ତି । ସେ ସଦସ୍ୟଙ୍କ ଡାକରାରେ ‘କ’ଣ’ ‘କ’ଣ’ କହି ପାନ ମଳୁମଳୁ ସେଠାରେ ଆସି ପହଞ୍ଚିଗଲେ ଏବଂ ଦଳିତ ପାନକୁ ପାଟିରେ ପକେଇ ହାତତାଳି ଦେଇ ବସିପଡ଼ିଲେ । ସଦସ୍ୟେ କହିଲେ, ‘‘କକେଇ, ଶୁଣିଲଣି ? ରାମ ମିଶ୍ରେ କଳାରାହାଙ୍ଗର ବିନୋଦ ନନ୍ଦ ଘରେ ଝିଅକୁ ବିବାହ ଦେଉଛନ୍ତି ।’’ ବାହିନୀପତି ଟିକିଏ ପାଟି ଦୁଇଥର ପାକୁଳେଇଦେଇ କହିଲେ, ‘‘କଅଣ ହେଲା, ରାମ ମିଶ୍ରେ ? କେଉଁ ରାମ ମିଶ୍ରେ ହେ ? ଆମ ରାମହରିବାବୁ ?’’ ମହାପାତ୍ରେ ହେ ହେ ହୋଇ ତିନି ଚାରିଥର ହସିଦେଇ କହିଲେ, ‘‘ହଁ, ହଁ, ଆମରି ରାମହରିବାବୁ ।’’ ବାହିନୀପତି ଟିକିଏ ନାକ ଟେକିଦେଇ କହିଲେ, ‘‘କି ଅଭାଗ୍ୟ କଥା ଏ ? ସେ ପଣ୍ଡା ଘରଟାକୁ ଇଏ ଯାଉଛନ୍ତି କିଆଁ ହେ ? ୟାଙ୍କୁ କ’ଣ କୁଳୀନ ଘରେ ବରପାତ୍ର ମିଳିଲେ ନାହିଁ ?’’ ମହାପାତ୍ରେ କହିଲେ, ‘ସେ ପରା ମେ ମେ ପାଶ କରିଛନ୍ତି ! ଏବର୍ଷ ଲ ଗୋଟାଏ କ’ଣ ପରୀକ୍ଷା ଦେବେ । ପୁଣି ତାଙ୍କ ଝିଅ ସଙ୍ଗେ ସେ ବାବୁଙ୍କର କୁଆଡ଼େ ପ୍ରେମ ହୋଇଯାଇଛି ।’ ସଦସ୍ୟେ ଟିକିଏ ବ୍ୟଙ୍ଗ କ୍ରୋଧରେ କହିଲେ, ‘‘ସେଥିରୁ ଆମକୁ କି ମିଳିବ ? ସେ ଗୁଡ଼ାକ କିଆଁ କହୁଛ ?’’ ବାହିନୀପତି କହିଲେ, ‘‘ଇଏ କଂଗ୍ରେସ ସରକାର ଅମଳ । ସହି ସମ୍ଭାଳି କଥା ନ କହିଲେ ବିପଦ ପଦେ ପଦେ । ଛାଡ଼ ସେ କଥା । ଆମକୁ ସେଥିରୁ କି ମିଳିବ ? ଯାହାକୁ ଯାହା ଖୁସି ହେଲା, ସେ କରୁ । ଆମରାସ୍ତା ଧରି ଆମେ ଚଳିଲେ ହେଲା ।

 

ଏହି ବିଷୟ ନେଇ ବରାବର ଟୁପ୍‌ଟାପ୍‌ ଭୁଟ୍‌ଭାଟ୍‌ ଚାଲିଲା । ମାତ୍ର ପ୍ରଭାବ ପ୍ରତିପ୍ରତ୍ତିଶାଳୀ ରାମବାବୁଙ୍କ ବିଷୟରେ କେହି କୌଣସି ଆଲୋଚନା ପ୍ରକାଶ୍ୟରେ କରିବାକୁ କୁଣ୍ଠିତ ହେଲେ । ସେମାନଙ୍କର ମତ ହେଲା, ଲୋକ ଚୋରି କରୁ, ମୂର୍ଖହେଉ, ନିଶା ବେଶ୍ୟାରେ ଦିନକଟାଉ ପଛକେ, ଯେବେ ତା’ର ଆଭିଜାତ୍ୟ ଅଛି ତେବେ ତାକୁ କନ୍ୟା ସମର୍ପଣ କରିବ । ସେଠାରେ କନ୍ୟାଦାନର ଫଳ ଅଛି ମାତ୍ର ଲୋକ ଯେତେ ଗୁଣୀ ବିଦ୍ୱାନ୍‌ ହେଉ, ଯେତେ ସଦାଚାର ସମ୍ପନ୍ନ ହେଉ ପଛକେ, ଯେବେ ତା’ର ଆଭିଜାତ୍ୟ ନାହିଁ, ତେବେ ସେଠାରେ କନ୍ୟାଦାନ ଚାଣ୍ଡାଳକୁ ଦାନ ଦେବା ସଙ୍ଗେ ସମାନ । ଏ ବିଚାରରେ ସେମାନେ ଦୃଢ଼ ହେଲେ ମଧ୍ୟ ଘୋର ସାମାଜିକ ଦୁର୍ବଳତାକୁ ଲକ୍ଷ୍ୟକରି ଦବି ଯିବାକୁ ଲାଗିଲେ ।

 

ରାମହରିବାବୁଙ୍କ ପ୍ରତି ସେମାନଙ୍କର ଗୋଟାଏ ବିଜାତୀୟ ଈର୍ଷାଭାବ ବହୁଦିନରୁ ଗଜରିଥିଲା । କାରଣ ରାମହରିଙ୍କ ଉଚ୍ଚଶିକ୍ଷା, ଉଚ୍ଚପଦବୀ, ଉଚ୍ଚସମ୍ମାନ, ପୁଣି ସମ୍ପତ୍ତିବୃଦ୍ଧି ସେମାନଙ୍କ ଦେହସୁହା ହେଉନଥିଲା । ସେମାନଙ୍କ ବଂଶରେ କେହି ଏତେ ଶିକ୍ଷିତ ନଥିଲେ କିମ୍ବା ଏତେ ସମ୍ପତ୍ତିର ଅଧିକାରୀ ହୋଇ ନଥିଲେ । ତାହା ଉକ୍ତ ଈର୍ଷାରେ ନାନାଭାବରେ ଆହୁତି ଦେଉଥିଲା । ତେଣୁ ଈର୍ଷାରୁ କ୍ରୋଧ ଓ କ୍ରୋଧରୁ ଶତ୍ରୁତା ଜାତ ହୋଇ ଭିତରେଭିତରେ କୁହୁଳୁଥିଲା-। ତେଣୁ ରାମହରିଙ୍କ ପ୍ରତି ରାଜାଙ୍କ ତରଫରୁ ଯେତେବେଳେ ଯେଉଁ ଦୌରାତ୍ମ୍ୟ ଘଟୁଥିଲା, ତାହାଦେଖି ଏମାନେ ବେଶ ଆତ୍ମତୃପ୍ତି ଅନୁଭବ କରୁଥିଲେ । କିନ୍ତୁ ସେମାନେ ସେ ରାଜକୀୟ ଦୌରାତ୍ମ୍ୟ ନିଜର ପିଠିରେ ମୁଣ୍ଡରେ ନାନାଭାବରେ ଭୋଗୁଥିଲେ ମଧ୍ୟ ତାହାପ୍ରତି ଭ୍ରୂକ୍ଷେପ ନ କରି ରାମହରିଙ୍କ ସମ୍ବନ୍ଧରେ ବିଶେଷ ଚୁଗୁଲି ଯୋଡ଼ି ଦେଉଥିଲେ ।

 

ମାତ୍ର ରାମହରିବାବୁ ଉଦାରମନା ଲୋକ । ସେ ଏମାନଙ୍କ ଈର୍ଷାଦ୍ୱେଷ ପ୍ରାଣେ ପ୍ରାଣେ ଅନୁଭବ କରୁଥିଲେ ମଧ୍ୟ ଏହା ମନୁଷ୍ୟର ଗୋଟାଏ ସ୍ୱାଭାବିକ ଦୁର୍ବଳତା ବୋଲି ବିଚାରୁଥିଲେ ଏବଂ ସେଥିପ୍ରତି ଭ୍ରୂକ୍ଷେପ ନ କରି ସେମାନଙ୍କ ପ୍ରତି ଯଥୋଚିତ ସମ୍ମାନ ଦେଖେଇବାରେ ତ୍ରୁଟି କରୁ ନଥିଲେ । ସମୟ ଅସମୟରେ ସେମାନଙ୍କୁ ଯଥେଷ୍ଟ ସାହାଯ୍ୟ କରୁଥିଲେ । ସେମାନେ କୌଣସି ଆପଦରେ ପଡ଼ିଲେ, ସେମାନଙ୍କୁ ତହିଁରୁ ରକ୍ଷାକରିବାକୁ ଆର୍ଥିକ ସାହାଯ୍ୟ ଦେବା ସଙ୍ଗେ ସଙ୍ଗେ କଚେରୀରେ ସେମାନଙ୍କ ପାଇଁ ନାନା ଯତ୍ନ କରୁଥିଲେ । ଏହାସତ୍ୱେ ସେମାନେ ତାଙ୍କପ୍ରତି ଦିନେହେଲେ କୃତଜ୍ଞତା ଦେଖାଉନଥିଲେ । ଘୋର ଈର୍ଷାଗ୍ନିରେ କୃତଜ୍ଞତା କୁଆଡ଼େ ପୋଡ଼ିଜଳି ଯାଉଥିଲା, କିନ୍ତୁ ରାମହରିବାବୁ ଏମାନଙ୍କୁ ଦୁର୍ବଳତା ଲୋକବୋଲି ମନେକରି ତାଙ୍କ ଈର୍ଷା ବା କୃତଜ୍ଞତାକୁ ମନରେ ସ୍ଥାନ ଦେଉନଥିଲେ ।

•••

 

–ଏଗାର–

 

ରାଜା ଓ ମ୍ୟାନେଜର ଗୋଟାଏ ବଡ଼ ଆଶା କରି ପୋଲିସ ସାହେବ ପାଖକୁ ଦଉଡ଼ିଥିଲେ । ସାହେବ ସେ ଦୁହିଁଙ୍କ କଥାରେ ଭଳି ଯାଇଥିଲେ, ସେମାନେ ତାଙ୍କୁ ଦାରୋଗାର ଉଦ୍ଧତ ସ୍ୱଭାବ ପ୍ରଜାମାନଙ୍କ ପ୍ରତି ତା’ର ଅଯଥା ଅତ୍ୟାଚାର, ତା’ର ଭୀଷଣ ଲାଞ୍ଚ ରିସ୍‌ୟତ୍‌ ଖାଇବା, ଏ ସବୁ ଘଟଣାମାନ ନାନା ବର୍ଣ୍ଣରେ ଓ ନାନାଆକୃତିରେ ଜଣାଇଥାନ୍ତେ । ସାହେବ ତାକୁ ଡକାଇ ଯେବେ ଗୋଟାଏ ରଗଡ଼ ଦେଇଥାନ୍ତେ, ତେବେ ସେମାନେ ଦାରୋଗାକୁ ହାତକୁ ଆଣି ତାହା ସାହାଯ୍ୟରେ ରାମହରିକୁ ଆଶାତୀତଭାବରେ ହଇରାଣ କରିଥାନ୍ତେ । ମାତ୍ର ଫଳ ହେଲା ଓଲଟା । ସାହେବ ଓଲଟି ତାଙ୍କୁ ରଗଡ଼ ଦେଇ ବିଦା କରିଦେଲେ । ଆଉ କି ଉପାୟରେ ସେମାନେ ରାମହରିକୁ ଦାଗେ ଦେବେ, ଦିବା ରାତ୍ର ଏହି ଚିନ୍ତା କରିବାରେ ଲାଗିଲେ ।

ଦିନେ ସେମାନେ ଖବର ପାଇଲେ ଯେ ନଟବରପୁର ଶାସନରେ ବ୍ରାହ୍ମଣମାନେ ଏ ବିବାହକୁ ପସନ୍ଦ କରୁନାହାନ୍ତି । ବରଘର ଗୋଟାଏ ପଣ୍ଡା ଜାତି ବୋଲି ଏମାନେ ନାନାଘଟଣାରେ ଆକ୍ଷେପ କରୁଛନ୍ତି । ସେମାନଙ୍କୁ ହାତକରି ଟିହାଇଲେ ସେମାନେ ଯଦି ସମାଜ ତରଫରୁ ବିରୋଧ ସୃଷ୍ଟି କରନ୍ତି, ତେବେ ବିବାହ କାର୍ଯ୍ୟ ଅନୁଷ୍ଠିତ ହେବା ଅସମ୍ଭବ । ବନ୍ଧୁବାନ୍ଧବମାନେ ତାଙ୍କ ଦ୍ୱାରକୁ ନଗଲେ, ସମାଜବାଲା ତାଙ୍କଦ୍ୱାରେ ସଭା ନକଲେ କିମ୍ବା ଅନ୍ୟ ସମାଜର ସାହାଯ୍ୟ, ଯଥା–ଗଉଡ଼, ହାଡ଼ି, ଡମ ଏମାନଙ୍କୁ ନ ପାଇଲେ ବିବାହ କାର୍ଯ୍ୟ ମନକୁ ବନ୍ଦ ହୋଇଯିବ । ରାଜାଘର ତରଫରୁ କୌଣସି ବାଧା ପ୍ରକାଶ୍ୟରେ ଦିଆଗଲା ବୋଲି କେହି ଦୋଷ ଦେଇ ପାରିବେ ନାହିଁ । ଅଥଚ ଏଣେ ବାହାରେ ବାହାରେ କାର୍ଯ୍ୟଟା ହାସଲ ହୋଇଯିବ । ଏ ଚିନ୍ତା ମୁଣ୍ଡରେ ଢ଼ୁକି ଶେଷ ନିଷ୍ପତ୍ତି ହୋଇଯିବା ମାତ୍ରକେ ସେମାନଙ୍କ ଆନନ୍ଦର ସୀମା ରହିଲା ନାହିଁ । ସେଦିନ ଚାରି ପାଞ୍ଚଟା କୁକୁଡ଼ା ରୋଷ୍ଟ ଓ ତିନି ବୋତଲ ହୁଇସ୍କି ସେ ଦୁହିଁଙ୍କ ଭିତରେ ଉଡ଼ିଗଲା । ଉଭୟେ ଗଡ଼ାଗଡ଼ି ଓ ଖୁବ ଡ଼ିଆଁଡେଇଁ ପ୍ରସ୍ତେ କଲେ ଏବଂ ନିଶାଟା ଯେତେବେଳେ ଆଚ୍ଛାକରି ଜମିଆସିଲା ସେ ଦୁହେଁ ବନ୍ଧୁକ ଧରି ମଟର ଚଢ଼ି ରାତି ଶିକାରକୁ ବାହାରି ପଡ଼ିଲେ ।

ସକାଳେ ନଟବରପୁରକୁ ଗୁପ୍ତଭାବରେ ଖବର ଗଲା ଯେ ଭୈରବ ଚରଣ ସଦସ୍ୟ, ସୁଦର୍ଶନ ବାହିନୀପତି, ବ୍ରଜବନ୍ଧୁ ମହାପାତ୍ର ଓ ଅନନ୍ତ ରଥ ଏମାନେ ଦ୍ୱିପ୍ରହର ବାରଟା ବେଳେ ଉଆସକୁ ଯିବେ । ସେମାନଙ୍କ ଯିବା ସମ୍ବାଦ କେହି ଯେପରି ଜାଣି ନପାରିବେ ସେଥିପାଇଁ ସେମାନେ ସାବଧାନ ଥିବେ । ଏ ସମ୍ବାଦ ପାଇ ସେମାନଙ୍କର ପିଳେହି ପାଣି ହୋଇଗଲା । ସମାଜରେ ସେମାନଙ୍କର ସିନା ମହାବଳ ପରି ପରାକ୍ରମ, ରାଜାଘର ନାଁ ଶୁଣିଲେ ସେ କଥା ରହିପାରେ ନାହିଁ । ସେମାନେ ବେଜାଏ ଡରିଗଲେ ଏବଂ ନାନାଦି ଅଶୁଭ ଆଶଙ୍କା କରିବାକୁ ଲାଗିଲେ । ତଥାପି ରାଜାଜ୍ଞା ଲଙ୍ଘନ କଲେ ବିପଦ ପଦେ ପଦେ ଥିବାରୁ ବାଧ୍ୟ ହୋଇ ଚାରିଜଣଯାକ ଗୁପ୍ତ ଭାବରେ ଉଆସରେ ଯାଇ ଉପସ୍ଥିତ ହେଲେ ।

ରାଜା ଓ ମ୍ୟାନେଜର ଏମାନଙ୍କୁ ଆଗରୁ ଅପେକ୍ଷା କରିଥିଲେ । ଏମାନେ ପହଞ୍ଚିବାରୁ ଗୋଟାଏ ଉତ୍ତମ ଆସନ ଏମାନଙ୍କୁ ଦିଆଗଲା । ରାଜା କହିଲେ, ‘‘ବ୍ରାହ୍ମଣମାନେ ଛତିଶ ପାଟକରେ ରାଜା, ସମସ୍ତେ ତାଙ୍କୁ ସେହିପରି ମାନନ୍ତି । ମାତ୍ର ବ୍ରାହ୍ମଣମାନେ ଯେତେବେଳେ ନିଜର ଜାତୀୟ ମର୍ଯ୍ୟାଦା ରକ୍ଷାକରି ପାରୁନାହାନ୍ତି, ଅନ୍ୟ ପାଟକମାନେ ତାଙ୍କୁ ମାନିବେ କିପରି ?’’

ବାହିନୀପତି କହିଲେ, ‘‘ଛାମୁ ଯାହା କହି ଆଜ୍ଞା ହେଲେ ତାହା ଅକ୍ଷରେ ଅକ୍ଷରେ ସତ । ଯେଉଁମାନେ ସମାଜର ମୁଣ୍ଡ, ସେମାନେ ନିଜ ନିଜର ମର୍ଯ୍ୟାଦା ରକ୍ଷା ନ କଲେ ସବୁ ଜାତୀୟତା କୁଆଡ଼େ ଭୁଶୁଡ଼ି ପଡ଼ିବ ।’’

ରାଜା—ଆପଣମାନଙ୍କୁ କୁଳୀନ ଭଦ୍ରଲୋକ ବୋଲି ବିବେଚନା କରି ମୋ ପିତା ଶାସନରେ ରଖାଇଥିଲେ; ଆପଣମାନେ ତ କୁଳିନତା ପ୍ରତି ମୋଟେ ଦୃଷ୍ଟି ଦେଉନାହାନ୍ତି ? ଶାସନରେ ରହି ଦାନ ଭୋଗିବାରେ ଆପଣଙ୍କର କି ଅଧିକାର ଅଛି ?

ସଦସ୍ୟେ—ଆମେ ତାହା ମାନୁଛୁ; ଯେଉଁମାନେ କୁଳିନତା ରକ୍ଷା ନ କଲେ, ବିପଥକୁ ଗଲେ, ସେମାନଙ୍କୁ ବାହାରକରି ଦିଆଯାଉ; ଆମର କିଛି ଆପତ୍ତି ନାହିଁ । ତେବେ କଥା କ’ଣ ଆଜ୍ଞା ହେଉ ।

ମ୍ୟାନେଜର—ଆପଣମାନେ ତ ଜାଣନ୍ତି, ରାମହରିବାବୁ କେଉଁଠାରେ ତାଙ୍କ କନ୍ୟାକୁ ବିବାହ ଦେଉଚନ୍ତି ? ସେ ବରପାତ୍ର କ’ଣ କୁଳୀନ ?

ସଦସ୍ୟେ—ନାହିଁ ଆଜ୍ଞା, ସେ ଗୋଟାଏ ନିପଟ ପଣ୍ଡା, ଦିନାକେତେ ହେଲା ବ୍ରାହ୍ମଣ ବୋଲାଇଛି । ଆମେ ସେ ବିଷୟରେ ନିକଟରେ ଆଲୋଚନା କରୁଥିଲୁ, କିଛି ଠିକ୍‌ କରିନାହୁଁ ।

ମ୍ୟାନେଜର—ଆଉ ଠିକ୍‍ କରିବେ କେବେ ? ବିବାହ ତ ଆଉ ସାତ ଦିନ ମାତ୍ର ରହିଲା-। ବିବାହ ଶେଷରେ ଠିକ୍‌କରି ଲାଭ କ’ଣ ? ଚୋର ଚୋରି କରି ସାରି ଚାଲିଗଲା ପରେ କବାଟ କିଳିଲେ ଲାଭ କ’ଣ ?

ବାହିନୀପତି—ସେ କଥା ସତ ଆଜ୍ଞା, ତେବେ ରାମହରିବାବୁ ବଡ଼ ଲୋକ । ଛାମୁଙ୍କର ତାଙ୍କ ପ୍ରତି ସହାନୁଭୂତି ଅଛି । ଆମେ ହଜାରେ ପାଟି କଲେ କ’ଣ କରିପାରିବୁ ? ରାଜାନୁଗତୋ ଧର୍ମ୍ମଃ ।

ରାଜା—ଆମର ତାଙ୍କ ପ୍ରତି ସହାନୁଭୂତି ନିଶ୍ଚୟ ଅଛି । ଏଥିପାଇଁ କ’ଣ ସମାଜ ଉପରେ ଆମର ବଳ ଅଛି ? ନିଜ ନିଜ କୁଳୀନତା ରକ୍ଷା ପାଇଁ ଆପଣମାନେ ତାଙ୍କ ବିରୁଦ୍ଧରେ ପ୍ରତିକାର କଲେ ଆମ୍ଭେ ଆପଣଙ୍କର ପ୍ରତି ମଧ୍ୟ ସହାନୁଭୂତି ଦେଖାଇବାକୁ ପ୍ରସ୍ତୁତ ଅଛୁ ।

ସଦସ୍ୟେ—ଛାମୁଙ୍କ ବଳ ପାଇଲେ ଆମ୍ଭମାନେ ନକରିପାରୁଁ କଣ ? ଆମେ ସମାଜ ପକ୍ଷରୁ ରୋକି ଦେଲେ ସେ ବିବାହରେ ଠିଆ ହେବା ଅସମ୍ଭବ । ଯଦି ସେ କୌଣସିମତେ କରିଯାଏ ତେବେ ତାକୁ ଏକଘରିଆ କରି ଏପରି ଗୋଟାଏ ହଇରାଣ କରିବୁ ଯେ ସେ ଏ ଇଲାକା ଛାଡ଼ି ବାହାରିଯିବାକୁ ବାଧ୍ୟ ହେବ । ଅସାମାଜିକ ହୋଇ କୌଣସି ଲୋକ ଦଣ୍ଡେ ଚଳିପାରିବ ?

ରାଜା—ତା’ ସତ, ତେବେ ବିବାହଟା ଯେପରି ହୋଇନପାରିବ ସେପରି ଚେଷ୍ଟା କରିବା ଆମର ମତ ।

ବାହିନୀପତି— ତାହା ତ ଆମର ପ୍ରଥମ ଯତ୍ନ; ଆମେ ସେଥିପାଇଁ ଅଣ୍ଟା ଭିଡ଼ି ବାହାରି ପଡ଼ିବୁ । ତେବେ ଏତିକି ଅନୁରୋଧ, ଶାସନର ଯେଉଁମାନେ ଛାମୁଙ୍କ ପାଖରେ କର୍ମଚାରୀ ଭାବରେ ଅଛନ୍ତି, ସେମାନେ ଆମ କଥା ମାନନ୍ତି ନାହିଁ ବା ଶୁଣନ୍ତି ନାହିଁ । ସେମାନଙ୍କୁ ଟିକିଏ ତାଗିଦ୍‌ କରିଦେଲେ ସେମାନେ ଯଦି ଆମ କଥାରେ ମିଶିବେ, ତାହାହେଲେ ସବୁ ଠିକ୍‌ଠାକ୍‌ ହୋଇଯିବ

ତାହା ଅବିଳମ୍ବେ ଠିକ୍‌ କରିଦେବାକୁ ରାଜା ମ୍ୟାନେଜରଙ୍କୁ ଆଦେଶ ଦେଲେ । ଏଥିରେ ଯାହା ଖର୍ଚ୍ଚ ହେବ ରାଜା ତାହା ଦେବାକୁ ସ୍ୱୀକାର କଲେ ଏବଂ ସଙ୍ଗେ ସଙ୍ଗେ କୋଡ଼ିଏ ଟଙ୍କା ସେମାନଙ୍କ ହାତକୁ ଚଢ଼ାଇଦେଲେ । ତା’ ପରେ ମିଷ୍ଟାନ୍ନ ଦୁଇ ସେର ଲେଖାଏଁ ସେମାନଙ୍କୁ ଦେଇ ମଟରରେ ଶାସନକୁ ପଠାଇ ଦେଲେ ।

ନଟବରପୁରର ଯେଉଁ ଯୁବକ କର୍ମୀମାନେ ରାଜସେବାରେ ନିଯୁକ୍ତ ଥିଲେ, ମ୍ୟାନେଜର ସେମାନଙ୍କୁ ସେଦିନ ଉପରବେଳା ଏକତ୍ରକରି କହିଲେ, ‘‘ଦେଖ, ତୁମ ଶାସନର ବ୍ରାହ୍ମଣମାନେ ବଡ଼ ବ୍ୟସ୍ତ ହୋଇ ଆଜି ରାଜାସାହେବଙ୍କୁ ଜଣାଉଥିଲେ ଯେ ରାମହରିବାବୁ ଗୋଟାଏ ଘୋର ସାମାଜିକ ଦୁଷ୍କର୍ମ କରୁଚନ୍ତି । ସେଥିଲାଗି ସେମାନେ ତାଙ୍କ ପ୍ରତି ସାମାଜିକ ପ୍ରତିକାର କରିବାକୁ ଇଚ୍ଛୁକ । ମାତ୍ର ତୁମ୍ଭେମାନେ ସେମାନଙ୍କ କଥାରେ ଚଳୁ ନଥିବାରୁ ସେମାନଙ୍କର କୌଣସି କଥା କରିବାକୁ ବଳ ପାଉନାହିଁ । ସେମାନେ ତୁମ୍ଭ ସମାଜର ନେତୃସ୍ଥାନୀୟ ବ୍ୟକ୍ତି, ତୁମେ ସବୁ ସେମାନଙ୍କ କଥା ମାନି ଚଳୁନାହଁ କାହିଁକି ?’’

ସେମାନଙ୍କ ଭିତରୁ ଜଣେ ଅଗ୍ରଗାମୀ ଯୁବକ କହିଲେ, ‘‘ସେମାନେ କଥା କହିଲେ ସିନା ଆମେ ମାନିବୁ । ଅକଥା ଗୁଡ଼ାଏ କହିଲେ ଆମେ ମାନିବୁ କିପରି ?’’

ମ୍ୟାନେଜର—ତା’ ଠିକ୍‌, ତେବେ ସମାଜର ମର୍ଯ୍ୟାଦାରେ ଯେଉଁଠାରେ ହାନି ଘଟିବ, ସେଠାରେ ତୁମ ସାହାଯ୍ୟ ସହାନୁଭୂତି ସେମାନେ ଚାହିଲେ ତୁମେ ଦେବନାହିଁ ?

ଯୁବକ—ତା’ କରିବାକୁ ଆମେ ପ୍ରସ୍ତୁତ, ତେବେ ସାହାଯ୍ୟ ମାଗିଲା ଭଳି ଭାଷାରେ ସିନା ଚାହିଁଲେ ସେମାନେ ତାହା ପାଇବେ । ହାକିମୀ କରି ହୁକୁମ ଦେଲେ ପାଇବେ କୁଆଡ଼ୁ ? ମ୍ୟାନେଜର ଟିକିଏ ହସି ଦେଇ କହିଲେ, ‘‘ସେଗୁଡ଼ାକ ସନାତନୀ ରକ୍ଷଣଶୀଳ ଲୋକ । କଥା କହି ଜାଣନ୍ତିନାହିଁ ବା ବ୍ୟବହାର କରି ଜାଣନ୍ତିନାହିଁ । ତେବେ ସେମାନଙ୍କୁ ଆଶ୍ରୟ କରି ସମାଜଟା ନାମକୁ ମାତ୍ର କୌଣସିମତେ ଚାଲିଛି । ତୁମେ ସବୁତ ସମାଜବୋଲି ଗୋଟାଏ ଅଛି, ଏ କଥା ଆଦୌ ଭାବୁନାହଁ । ଯେଉଁମାନେ ଭାବୁଚନ୍ତି ସେମାନଙ୍କୁ ଟିକିଏ ସାହାଯ୍ୟ ଦେବା ଦର୍କାର ।

ଯୁବକ—ହଁ ଆଜ୍ଞା ଯଥାର୍ଥ କଥାରେ ଆମେ ସାହାଯ୍ୟ ଦେବାକୁ ପ୍ରସ୍ତୁତ । ସେମାନେ କେବେ ସେପରି ଚାହିଁ ନାହାନ୍ତି କିମ୍ବା ଚାହିଁବାର ଅଧିକାର ରଖିନାହାନ୍ତି । ପାଇବେ କୁଆଡ଼ୁ ?

ମ୍ୟାନେଜର—ରାମହରିବାବୁଙ୍କ କନ୍ୟା ବିବାହ ସମ୍ପର୍କରେ ସେମାନେ ତୁମର ସାହାଯ୍ୟ ଚାହୁଛନ୍ତି । ତୁମ୍ଭେ ତାହାଦେଇ ସମାଜର ମର୍ଯ୍ୟାଦା ରକ୍ଷାକର ।

ଯୁବକ—ଶାସନରେ ଭିତରେ ଭିତରେ ଗୋଟାଏ ଆନ୍ଦୋଳନ ଚାଲିଛି ଏ କଥା ଆମେ ଜାଣୁ । କିନ୍ତୁ ରାମହରିବାବୁଙ୍କର ଏ ବିବାହରେ ଅପରାଧ କ’ଣ ? ସେତ ତାଙ୍କ କନ୍ୟାକୁ ଅପାତ୍ରରେ ଦେଉନାହାନ୍ତି ? ଏଥିଲାଗି ତାଙ୍କ ବିରୁଦ୍ଧରେ ଗୋଟାଏ ପ୍ରତିକାର କ’ଣ ହେବ ?

ମ୍ୟାନେଜର—(ଟିକିଏ ରାଗିଯାଇ କଡ଼ା ସ୍ୱରରେ) କ’ଣ ? ସେ ଅପାତ୍ରରେ ଦେଉ ନାହାନ୍ତି ? ସେ ବର ଗୋଟାଏ ପଣ୍ଡା ନୁହେଁ ? ସେପରି ଗୋଟାଏ ପାତ୍ର ଠିକ୍‌କରି ସେ ନଟବରପୁରର ମର୍ଯ୍ୟାଦା ବୁଡ଼ାଇବାକୁ ବସିନାହାନ୍ତି ? ଏ ବିବାହ କୌଣସି ମତେ ହେବା ଉଚିତ ନୁହେଁ । ତୁମ୍ଭେମାନେ ଏଥିପାଇଁ ଶାସନର ବଡ଼ ମଣିଷମାନଙ୍କ ସଙ୍ଗେ ଯୋଗ ନଦେଲେ ଶକତ ସଜା ପାଇବ । ଚାକିରି ଯିବ । ବୈରୀଗଞ୍ଜନର ପାହାର ମୁଣ୍ଡରେ ଯାଇ ବାଜିବ । ସାବଧାନ !

ନିରୀହ ଯୁବକମାନେ ସିନା ଗୋଟାଏ ହୁ’ରେ ମାତି କହି ଯାଉଥିଲେ; କିନ୍ତୁ ଭିତର ଖବର ଜାଣିନଥିଲେ । ମ୍ୟାନେଜରଙ୍କ ନାଲି ଆଖିଦେଖି ସେମାନଙ୍କ ପ୍ରାଣ କଣ୍ଠାଗ୍ରତ । ସେମାନେ ଭୟରେ ଜଡ଼ସଡ଼ ହୋଇ କହି ପକାଇଲେ, ‘‘ଯେପରି ହୁକୁମ ହେବ, ସେପରି କରିବାକୁ ଆମ ପ୍ରସ୍ତୁତ ।’’

ମ୍ୟାନେଜର ଗମ୍ଭୀର ହୋଇ କହିଲେ, ‘‘ଶାସନର ବଡ଼ ବଡ଼ମାନେ ଯେପରି କହିବେ, ଯାହା ବରାଦ କରିବେ, ସେଇ ଅନୁସାରେ କାମକର ।’’

ଭୟରେ ନଇଁପଡ଼ି ‘ଆଜ୍ଞା ହଉ’ ବୋଲି କହି ସେମାନେ ବିଦାହେଲେ । ତା’ପରେ ମ୍ୟାନେଜର ଗଉଡ଼ ବେହେରା, ହାଡ଼ି ବେହେରା ଓ ଡମ ବେହେରାଙ୍କୁ ତଲବ କରି ଆଣିଲେ । ସେମାନେ କିଆକଣ୍ଟା ଜମିଦାରୀ ଭିତରେ ଥିବା ସମସ୍ତ ଗଉଡ଼, ହାଡ଼ି ଓ ଡୋମମାନଙ୍କ ଉପରେ ସରକାରୀ କରନ୍ତି ଏବଂ ରାଜାଙ୍କ ପାଖରେ ଖଟନ୍ତି । ସମାଜରେ ସେମାନଙ୍କ କ୍ଷମତା ଅପ୍ରତିହତ ଏବଂ ରାଜାଜ୍ଞା ପରି ସର୍ବତ୍ର ପ୍ରଚାରିତ ହୁଏ । ସେମାନଙ୍କୁ କୁହାଯାଏ ଜାତି ବେହେରା । ସେହି ବେହେରାମାନେ ଦଣ୍ଡବତ କରି ହାତ ଯୋଡ଼ି ଠିଆହେଲା ମାତ୍ରକେ ମ୍ୟାନେଜର କହିଲେ, ‘‘ଆରେ, କୌଣସି ସମାଜବାଲା ଯଦି ତାଙ୍କର କୌଣସି ଲୋକଙ୍କୁ ସାମାଜିକ ଦଣ୍ଡ ଦିଅନ୍ତି, ତୁମେ ସବୁ ଯାଇ ସେମାନଙ୍କୁ କାମଦାମ କର ?’’

ଜଣେ ବେହେରା, ‘‘ନାହିଁ, ଆଜ୍ଞା ! ତା ପୁଣି କିମିତି ହବ ? ଜଣେ ଯେବେ ସମାଜରେ ଦଣ୍ଡ ପାଇଲା, ଅନ୍ୟ ସମାଜ ବାଲା ତା କାମ କରିବେ କିମିତି ?’’

ମ୍ୟାନେଜର—ଆରେ ! ଶାସନର ରାମହରିବାବୁ କୁଆଡ଼େ ଗୋଟାଏ ପଣ୍ଡାଘରେ ଝିଅକୁ ବାହା କରୁଛନ୍ତି ବୋଲି ତାଙ୍କ ସମାଜ ତାଙ୍କୁ ଅଟକେଇଛି । ତାଙ୍କ ଘରକୁ କେହି ଯାଉନାହାନ୍ତି କି ତାଙ୍କ ସଙ୍ଗେ କେହି କଥା ହେଉନାହାନ୍ତି ।

ବେହେରା—ଆମକୁ ସେ ଆଗରୁ ବହିନା ଦେଇଛନ୍ତି । ଦାରୋଗାବାବୁ ବି ଧମକେଇଛନ୍ତି । ଆମେ ବଡ଼ ଦୋଘାଇରେ ପଡ଼ି ମଲୁ ।

ମ୍ୟାନେଜର—ଆରେ, ମରିବ କାହିଁକି ? ଜାତିକି ହାତୀ ସରି ନୁହେଁ । ଦାରୋଗା ତୁମ୍ଭଙ୍କୁ ପଚାରିଲେ କହିବ, ‘ସେ ଯେତେବେଳେ ତାଙ୍କ ଜାତିରେ ବାସନ୍ଦ ହୋଇଛନ୍ତି, ଆମେ କିପରି ତାଙ୍କ କାମକରିବୁ ? ଏହା ଆମ ଜାତି ପାଟକ କଥା । ଅନ୍ୟ ମୁଲକର ଜାତି ଭାଇମାନେ ଆମକୁ ଆଉ ପାଖରେ ପୁରାଇବେ ?’ ଏହା କହିଲେ ଦାରୋଗା କ’ଣ ତୁମ୍ଭଙ୍କୁ ଫାଶୀ ଦେଇଦେବ ?

ବେହେରା—ହଉ, ଆଜ୍ଞା ! ସେୟା କରିବୁ । ଆଜି ଯାଉଛୁ ବହିନା ଫେରେଇ ଦେଇ ସେ କଥା କହି ଆସିବୁ ।

ମ୍ୟାନେଜର—ନା, ନା, ଆଜି କିଆଁ ଫେରାଇବ ? ବାହାଘର ଦିନ ଯାଇ ଫେରେଇ ଦେବ ଯେ ସବୁ ସୁବିଧା ହେବ । ଛଅ ଦିନ ଠୋଉଁ ଫେରେଇଲେ ଦାରୋଗା ତୁମ୍ଭଙ୍କୁ ବେଶି ହର୍କତ କରିବ । ସେ ଦିନ ସେ ପଚାରିଲେ କହିବ, ‘ବ୍ରାହ୍ମଣେ ଏପରି ବାସନ୍ଦ କରିବା କଥା ଆମେ ଜାଣିନଥିଲୁ । ଜାଣିଲା ମାତ୍ରକେ ଧାଇଁଛୁ ।’

ବେହେରାମାନେ—ଠିକ୍‌, ଠିକ୍‌, ଏଇଆତ କହିବା । ଆମେ କିଆଁ ଏତେ ବଲେଇରେ ପଶିବା ହୋ ? ଆମକୁ ସେ କ’ଣ ଗୁଡ଼ାଏ ଦେଇ ପକେଇବେ କି ?

ଏହା କହି ସେମାନେ ମ୍ୟାନେଜରଙ୍କୁ ମୁଣ୍ଡିଆମାରି ବିଦାହୋଇ ଗଲେ । ମ୍ୟାନେଜର ଦୁଇଟା ଜଟିଳ ବିଷୟ ମୀମାଂସା କରି ଗୋଟାଏ ଗଡ଼ ଜିଣିଲା ପରି ବୋଧ କଲେ । ତା’ ପରେ ସେ ରାଜାଙ୍କୁ ଏ ଶୁଭ ସମ୍ବାଦ ଜଣାଇଲେ । ରାଜାଙ୍କ ଆନନ୍ଦ ଦେଖେ କିଏ ? ମ୍ୟାନେଜର ପରି ଗୋଟାଏ ବୁଦ୍ଧିମାନ ଲୋକ ଲାଟସାହେବଙ୍କର ଆଡ଼ଭାଇଜର ହେବା ଉପଯୁକ୍ତ । ରାଜା ସୁପାରିଶ କଲେ ତାହା ଯେ ଦିନେ ନ ହୋଇପାରିବ, କିଏ କହିବ ? ରାଜା ଏପରି ଗୋଟାଏ ମଧୁର କଳ୍ପନା କରି ଭାରି ଖୁସି ହୋଇଗଲେ ଏବଂ ଗୋଟାଏ ଦାମିକା ପୋଷାକରେ ମ୍ୟାନେଜରଙ୍କର ସର୍ବାଙ୍ଗ ମଣ୍ଡିଦେଲେ । ମ୍ୟାନେଜର ବାବୁ ସମ୍ମାନ ପୋଷାକ ଯାଇ ସାଧାରଣ ସ୍ତରରୁ ହାତେ ଉପରକୁ ଉଠିଗଲେ । ମନରେ ଆନନ୍ଦ କହିଲେ ନ ସରେ । ରାଜାଙ୍କ ଆନନ୍ଦ ଦେଖେ କିଏ ? ସେ ଦିନ ସନ୍ଧ୍ୟାରେ ମଧ୍ୟ ଉଭୟଙ୍କ ଭିତରେ ରୋଷ୍ଟ ଓ ସେବାର ବନ୍ୟା ଛୁଟିଲା । କେତେ ନାଚକୁଦ ହେଲା, ଆଉ କେତେ କ’ଣ ହେଲା, ତାହା ସବୁ ଏଠାରେ ଉଲ୍ଲେଖଯୋଗ୍ୟ ନୁହେଁ ।

ତହିଁ ଆର ଦିନ ମ୍ୟାନେଜରବାବୁ ଖୁବ୍‌ ସକାଳେ ଆସି ଶ୍ରୀଛାମୁରେ ଦେଖା କଲେ । ତାଙ୍କୁ ଦେଖି କିଛି ଗୁରୁତର କଥା ଅଛିବୋଲି ରାଜାଙ୍କର ଧାରଣା ହେଲା । ଉଭୟେ ଏକତ୍ର ହୋଇ ଖୁବ୍‌ଗୁଡ଼ାଏ ରାଜନୈତିକ ଆଲୋଚନା କଲେ । ରାମହରି ବିରୁଦ୍ଧରେ ଯେଉଁ ସାମାଜିକ କଟକଣା ସେପର୍ଯ୍ୟନ୍ତ କରାଯାଇଥିଲା, ତାହା ଅବଶ୍ୟ ବିବାହ ବିଷୟରେ ନାନା ପ୍ରତିବନ୍ଧକ ସୃଷ୍ଟି କରିବ । ହୁଏତ ବିବାହ କରାଇ ଦେବନାହିଁ । କିନ୍ତୁ ଏ ପ୍ରତିବନ୍ଧକ ସତ୍ତ୍ୱେ ରାମହରି ଯଦି ବିବାହକାର୍ଯ୍ୟ କରିଯାଏ, ତେବେ ଉପାୟ କଅଣ ? ଏଥିପାଇଁ ବହୁତ ଚିନ୍ତା ପଡ଼ିଲା । ବହୁତ ଆଲୋଚନା ହେଲା-। ଶେଷରେ ସ୍ଥିର ହେଲା; ବରଯାତ୍ରୀମାନେ ଯଦି ଆସି ନପାରନ୍ତି ଏବଂ ତାଙ୍କୁ ବାଟରେ ଧରି ଲମ୍ବ ଦଣ୍ଡ କରିଦିଆଯାଏ, ତେବେ ସବୁ ଶେଷ । ବର ତ ଯାଇ ଡାକ୍ତରଖାନାରେ ପଡ଼ିବ, ଆଉ ବାହାହେବ କିଏ ? ଏଥିପାଇଁ ସ୍ଥିର ହେଲା; କିଆକଣ୍ଟାଠାରୁ ଛଅ ମାଇଲ ଦୂରରେ ଯେଉଁ ପ୍ରକାଣ୍ଡ ଆମ୍ବ ତୋଟା ଓ କିଆବଣ ଅଛି, ସେଠାରେ ରାସ୍ତାଟା ଅପ୍ରଶସ୍ତ । ସେଠାରେ ରାସ୍ତା ବନ୍ଦ କରିଦେଲେ ଆଉ ପାଞ୍ଚ ମାଇଲ ମଧ୍ୟରେ ବୁଲି ଆସିବାକୁ ଉପାୟ ନାହିଁ । ବୈରୀଗଞ୍ଜନ ତା’ ଦଳକୁ ଧରି ସେଠାରେ ବଡ଼ବଡ଼ ପଥର ଓ କାଠଗରମାନ ପକାଇ ରାସ୍ତାଟା ବନ୍ଦ କରିଦେବ ଏବଂ ସେଠାରେ ସମସ୍ତଙ୍କୁ ଧରି ଲୁଚି ରହିବ । ବରଯାତ୍ରୀମାନେ ମଟର ଓ ଲରୀମାନଙ୍କରେ ଆସିବେ । ରାସ୍ତା ବନ୍ଦ ଥିବାରୁ ଛଅ ମାଇଲଠାରେ ସମସ୍ତେ ଆସି ଅଟକି ଯିବେ । ଏ ସମୟରେ ସେ ନିଜ ଦଳବଳ ସହ ସେମାନଙ୍କୁ ଆକ୍ରମଣ କରି ଚଲେଇବ ଠେଙ୍ଗା, ତା ପରେ ଯାହାହେବ; ଦେଖାଯିବ ।

ଏ ବିଚାର ଠିକ୍‍ ହେଲା ପରେ ମ୍ୟାନେଜର ବୈରୀଗଞ୍ଜନକୁ ଡାକି ସବୁ କଥା ବୁଝାଇ ଦେଲେ ଏବଂ ମଦ ମାଂସ ଖାଇବାକୁ ଦଶଟଙ୍କା ଦେଲେ । ବୈରୀଗଞ୍ଜନ ନିଜ ଦଳବାଲାଙ୍କୁ ଏକାଠେଇ କରି ମ୍ୟାନେଜରଙ୍କ ହୁକୁମ ଜଣେଇଲା ଏବଂ କିପରି ଦିନବେଳେ ଏପରି ଗୋଟାଏ ଗୁରୁତର କାମ କରିହେବ, ସେଥିପାଇଁ ବହୁତ ଆଲୋଚନା କଲା । ଏଥିରେ ବିପଦ ପଦେପଦେ ବୋଲି ସେମାନେ ମନେ କଲେ ଏବଂ ଭାବି ଚିନ୍ତି ଶେଷରେ ସ୍ଥିର କଲେ, ରାତିରୁ ରାସ୍ତାଟାକୁ କାଠପଥରରେ ପୋତି ଦେବେ । ସକାଳ ହେଲେ ମୁଣ୍ଡଠାରୁ ପାଦଯାଏ କଳା ବୋଳି ହୋଇ ଠେଙ୍ଗାମାନ ଧରି ଛପି ରହିବେ । ବରଯାତ୍ରୀ ଦଳର ମଟର ଓ ଲରୀ ସବୁ ଅଟକି ଯିବା ମାତ୍ରକେ ସେମାନେ ଠିକ୍‍ଣା କାମ କରିବେ । ଏ ବିଚାର ଠିକ୍‍ ହେଲା ପରେ ସେମାନେ ମଦ ମାଂସ ଖାଇ ବେଶ ମଜା କଲେ ।

ବୈରୀଗଞ୍ଜନ ଯେ ଏ କାର୍ଯ୍ୟ ସଫଳତାର ସହିତ କରିପାରିବ ଏ ବିଷୟରେ ମ୍ୟାନେଜରଙ୍କର ଘୋର ସନ୍ଦେହ ହେଲା । କାରଣ ସେ ଓ ତା’ ଦଳ ଦିବାଲୋକରେ କାର୍ଯ୍ୟ କରିବାକୁ ଆଦୌ ଅଭ୍ୟସ୍ତ ନୁହନ୍ତି । ତେଣୁ ସେ ଆଉ ଗୋଟାଏ ପାଞ୍ଚ ଠିକ୍‌କରି ସଦସ୍ୟ ଓ ବାହିନୀପତିଙ୍କୁ ମଟର ପଠାଇ ଶାସନରୁ ଡକାଇ ଆଣିଲେ ଏବଂ ତାଙ୍କ ସଙ୍ଗେ ନିଜ ପାଞ୍ଚ ବିଷୟରେ ଆଲୋଚନା କଲେ । ବରଯାତ୍ରୀମାନେ ଆସି ପହଞ୍ଚିଲା ପରେ ଯେତେବେଳେ ଉଭୟ ପକ୍ଷର ମିଳନ ହେବ ଓ ବାଟବରଣ କାର୍ଯ୍ୟ ଚାଲିବ, ସେଇଟା ଅବଶ୍ୟ ଗୋଟାଏ ହଇଚଇ ମୁହୂର୍ତ୍ତ । ସମସ୍ତ ଦୃଷ୍ଟି ଗୋଟାଏ ନିର୍ଦ୍ଦିଷ୍ଟ ଚେଷ୍ଟାରେ ଆବଦ୍ଧ ଥିବ । ସେତିକିବେଳେ ପଦ ଶାସନର ଟୋକା ସଞ୍ଜ ଆଗରୁ ସଜିଲ ହୋଇ ଠେଙ୍ଗା ପାହାର ଚଳାନ୍ତି ଓ ବରକୁ ବେଶି ଘାଇଲା କରିଦିଅନ୍ତି, ତେବେ କିସ୍ତିମାତ୍‌ ହୋଇଯିବ ।

ତା ପରେ ଦ୍ୱିତୀୟ ପ୍ରସ୍ତାବ ମ୍ୟାନେଜର କଲେ ଯେ ଏଥିରେ ଯଦି ବିଶେଷ କିଛି ଫଳ ନହୁଏ ତେବେ ଆଉ ଗୋଟାଏ ଉପାୟ କରିବାକୁ ହେବ । ରାମହରି ସେଦିନ ଉତ୍ସବରେ ଉନ୍ମତ୍ତ ଥିବ ଏବଂ ଅନେକ ବନ୍ଧୁ ସେଦିନ ପିଲା କବିଲା ଧରି ତା’ ଘରେ ରୁଣ୍ଡ ହୋଇଥିବେ । ଘରର ସମସ୍ତ ଧନ ସମ୍ପତ୍ତି ଚାରିଆଡ଼େ ବିଲିଥି ହୋଇ ପଡ଼ିଥିବ । ରାତିରେ ଭୋଜିଭାତର ଧୁମ୍‌ ଚାରିଆଡ଼େ ଲାଗିଥିଲାବେଳେ ସେ ଘରେ ଯଦି ନିଆଁ କରି ଦିଆଯାଏ, ତେବେ ଶୁଖିଲା ଡାଳ ଛାମୁଣ୍ଡିଆମାନଙ୍କରେ ସେ ନିଆଁ ଧଇଲା ମାତ୍ରକେ ଚାରିଆଡ଼େ ହୁ ହୁ ହୋଇ ଜଳି ଉଠିବ ଏବଂ ସବୁ ଘରର ଭିତରେ ବାହାରେ ଚାରିଆଡ଼େ ପ୍ରବଳ ବେଗରେ ମାଡ଼ିଯିବ । ସେତେବେଳେ ରାମହରି କିପରି ସମ୍ଭାଳିବ ଦେଖିବା । ସମାଜ ବିରୁଦ୍ଧରେ ଗୋଟାଏ କାର୍ଯ୍ୟ କଲେ ତାର କିପରି କୁଫଳ ଫଳେ ତାହା ସେ ଭୋଗିବା ସଙ୍ଗେସଙ୍ଗେ ଅନ୍ୟମାନେ ତହିଁରୁ ଉତ୍ତମ ଶିକ୍ଷା ପାଇବେ । ଯେଉଁ ଦି’ଚାରିଜଣ ଯୁବକ ଏ କାର୍ଯ୍ୟଭାର ପାଇବେ, ସେମାନେ ପେଟ୍ରୋଲ ତିନ୍ତା କନାବିଣ୍ଡା ସବୁ ଓ ଦିଆସିଲି ଧରି ତା’ ଘରର ଚାରିପଟେ ସନ୍ଧ୍ୟାରୁ ଛପି ରହିଥିବେ ଏବଂ ରାତି ବାରଟାବେଳେ ନିଆଁ କରିଦେବେ ।

ଏ ଦୁଇଟି ଅତି ଗୁରୁତର କାର୍ଯ୍ୟର ଭାର ବ୍ରାହ୍ମଣମାନଙ୍କ ଉପରେ ପଡ଼ିଲା । ସାମାଜିକ ପ୍ରତିକାରର ଏହା ଗୋଟାଏ ଅଙ୍ଗ ହେବ ବୋଲି ସେମାନେ କଳ୍ପନା କରିନଥିଲେ । ଏହାର ପରିଣାମ ଚିନ୍ତା କରି ସେମାନଙ୍କ ଛାତି ଥରି ଉଠିଲା । ଏ ବିଷୟରେ ସେମାନେ ସାହସ କରିପାରିଲେ ନାହିଁ । ନାନା ବିପଦ ଏଥିରୁ ଜାତ ହେବ ବୋଲି ସେମାନେ ଆଶଙ୍କା କଲେ । କିନ୍ତୁ ମ୍ୟାନେଜର ସେମାନଙ୍କୁ ଏ ବିଷୟରେ ବହୁତ ଅଭୟ ଦେଲେ ଏବଂ ନ କଲେ ରାଜାଙ୍କ କୋପଦୃଷ୍ଟି ସେମାନଙ୍କ ଉପରେ ପଡ଼ିବ ବୋଲି ଭୟ ଦେଖାଇଲେ । ରାଜାଙ୍କ କୋପଦୃଷ୍ଟି ପଡ଼ିଲେ କି ଫଳ ଫଳେ ତାହା ସେମାନେ ଊଣା ଅଧିକେ ଭୋଗ କରି ଆସୁଥିଲେ । ତେଣୁ ତାହା ସ୍ୱୀକାର କରି ଖର୍ଚ୍ଚ ବାବଦକୁ ପଚାଶଟଙ୍କା ମ୍ୟାନେଜରଙ୍କଠାରୁ ପାଇଲେ । ତା’ ପରେ ସମସ୍ତ ବ୍ୟବସ୍ଥା କରିବାକୁ ତାଙ୍କୁ ନିର୍ଭର ଜବାବଦେଇ ସେ ଦୁହେଁ ମଟରରେ ଶାସନରୁ ଫେରି ଆସିଲେ ।

ସମାଜର ସେହି ମହାବୀର ଭୀମାର୍ଜୁନ ଦୁହେଁ ମଟରରେ କିଆକଣ୍ଟା ଭିତରେ ବୁଲି ଶାସନକୁ ଆସିଲେ । ଏତେକାଳକେ ସେମାନେ ରାଜଅନୁଗ୍ରହ ପାଇଛନ୍ତି । ରାଜା ଓ ମ୍ୟାନେଜରଙ୍କ ସଦ୍‌ଭାବ ସେମାନଙ୍କ ପ୍ରତି କାହିଁରୁ କ’ଣ ବଢ଼ି ଯାଇଛି । ଏ ଶୁଭ ମୁହୂର୍ତ୍ତରେ ରାଜାଙ୍କ ଇଚ୍ଛାମୁତାବକ କାର୍ଯ୍ୟ କଲେ ଆମରଣ ଗୋଟାଏ ମର୍ଯ୍ୟାଦା ସେମାନେ ଉପଭୋଗ କରିବେ ଏବଂ ଲାଭ ମଧ୍ୟ କମ ହେବନାହିଁ । ରାମହରି ସାମାନ୍ୟ ଲୋକ । ସେ ତାଙ୍କର କି ଉପକାର କରିବ କି ? ହଜାରେ ରାମହରି ହେଲେବି ଏକା ରାଜାନୁଗ୍ରହ ସଙ୍ଗେ ସମାନ ହେବେ ନାହିଁ । ତେଣୁ ରାମହରିଙ୍କ ପ୍ରତି ଏମାନଙ୍କର ଗୋଟାଏ ଶତ୍ରୁତା ବଢ଼ିଲା । ରାଜାନୁଗ୍ରହ ଆକଣ୍ଠ ପାନ କରି ଯେତେବେଳେ ସେମାନେ ମଟରରୁ ଓହ୍ଲାଇ ପଡ଼ିଲେ, ତାଙ୍କ ପାଦ ଆଉ ଭୂଇଁରେ ଲାଗିଲା ନାହିଁ । ଦୁଇ ହାତକୁ ଆଛା କରି ହଲାଇ ମତ୍ତଗଜ ଠାଣିରେ ପାହୁଲ ଉପରେ ପାହୁଲ ପକାଇ ମୁହଁରେ ଗାମ୍ଭୀର୍ଯ୍ୟର ଗୋଟାଏ ହାଓ୍ୱା ଖେଳାଇ ଯେତେବେଳେ ସେମାନେ ବଇଠକ ଜାଗାକୁ ଗଲେ, ତାଙ୍କୁ ଦେଖି ଲୋକେ ଶଙ୍କିଗଲେ । ଏପରି ମହତ ପ୍ରତିପତ୍ତିଶାଳୀ ଲୋକ ଦୁନିଆରେ ଆଉ ଥିବେ କି ନା ସନ୍ଦେହ । ସେଠାରେ ଦୁଇ ଚାରିଜଣ ସମାଜ ମାଲିକ ଆଗରୁ ଅପେକ୍ଷା କରି ବସିଥିଲେ । ମହାବୀର ଦୁହେଁ ତାଙ୍କ ନିକଟରେ ଆସନ ଭିଡ଼ି ବସିଲା ପରେ ଖୁବ୍‌ ତାକତର୍କରେ ଚାରିଆଡ଼କୁ ଚାହିଁ ରାଜାଘର ପ୍ରସ୍ତାବ ଗୋଟି ଗୋଟି କରି ସମସ୍ତଙ୍କୁ ଜଣାଇ ଦେଲେ । ଅନ୍ୟମାନେ ଏହା ଶୁଣି ଭୟରେ କମ୍ପି ଉଠିଲେ ଏବଂ ଏଥିରେ ହାତ ଦେଲେ କି ବିପଦସବୁ ଘଟିବ ତା’ର ବିସ୍ତର ଆଲୋଚନା ଆରମ୍ଭ କଲେ । ମାତ୍ର ମହାବୀର ଦ୍ୱୟ ସେମାନଙ୍କୁ ଖୁବ୍‌ ଆଶ୍ୱାସନା ଦେଇ ଏବଂ ରଜାଘରର ଅଭୟ ବାର୍ତ୍ତା ସମସ୍ତଙ୍କୁ ଜଣାଇ ଦେଇ କହିଲେ, ‘‘ଏ କାର୍ଯ୍ୟରେ ତ୍ରୁଟି କଲେ ଘୋର ବିପଦ ପଡ଼ିବ । ରାଜାଙ୍କ କୋପଦୃଷ୍ଟି ପଡ଼ିଲେ ଶାସନର କି ଅବସ୍ଥା ହେବ ସମସ୍ତେ ଚିନ୍ତାକର ।’’ ସମସ୍ତେ ତାହା ମଧ୍ୟ ଚିନ୍ତା କରି ଶେଷରେ ଏକମତ ହେବାରୁ ଶାସନର ବଛାବଛା ଗୁଣ୍ଡା ଯୁବକମାନଙ୍କୁ ଠିକ୍‍ କରାଗଲା । ଏବଂ କିଏ କିପରି କେଉଁ କାର୍ଯ୍ୟର ଭାରନେବ ତାହା ମଧ୍ୟ ଠିକ୍‌ କରି ଦିଆଗଲା । ଯେଉଁ ଗୁଣ୍ଡାମାନେ ବାଟ ବରଣ ବେଳର ଗଣ୍ଡଗୋଳ ପାଇଁ ଭାର ନେଲେ ସେମାନେ ଗୋଟାଏ ଦଳ ଏବଂ ଘରପୋଡ଼ି ପାଇଁ ଆଉ ଗୋଟିଏ ଦଳ ସଜିଲ ହେଲେ । ଉଭୟ ଦଳ ନିଜ ନିଜ କାର୍ଯ୍ୟପାଇଁ ଖୁବ୍ ଗୁପ୍ତଭାବରେ ପ୍ରସ୍ତୁତ ହେବାକୁ ଲାଗିଲେ ।

ଶାସନର ବ୍ରାହ୍ମଣମାନେ ଆଗରୁ ସଭା କରି ଠିକ୍ କରିଥିଲେ ଯେ ରାମହରିବାବୁଙ୍କ ନିମନ୍ତ୍ରଣ ସେମାନେ ଗ୍ରହଣ କରିବେ ନାହିଁ କିମ୍ବା ତାଙ୍କ କନ୍ୟା ବିବାହ କାର୍ଯ୍ୟରେ କୌଣସିମତେ ଯୋଗଦେବେ ନାହିଁ । ଏହା ଛଡ଼ା ବାହାରର ଅନ୍ୟ ଯେଉଁ ଶାସନ ସବୁ ଜମିଦାରୀ ଭିତରେ ଅଛି ସେଥିରୁ କୌଣସି ବ୍ରାହ୍ମଣ ଯଦି ଆସି ତାଙ୍କ କାର୍ଯ୍ୟରେ ଯୋଗ ଦିଏ, ତେବେ ତାକୁ ମଧ୍ୟ ସେମାନେ କଠୋର ଶାସ୍ତି ଦେବେ ବୋଲି ଗୋଟାଏ ଧମକ ଦେଇ ଆଦେଶ ପ୍ରଚାର କରି ଦେଇଥିଲେ । ଏହି ବିବାହ ବିଷୟ କେବଳ ସେମାନଙ୍କର ଏହି କେତେଦିନ ଧ୍ୟାନ ଧାରଣାର ସାମଗ୍ରୀ ହୋଇଥିଲା । ନାନା ତର୍କ ବିତର୍କ ନାନା ଆଲୋଚନା ବହୁତ ସମୟରେ ସେମାନଙ୍କ ଭିତରେ ଉଠୁଥିଲା । ଥରେ ଗୋଟାଏ କଥା ଉଠିଲା, ସେମାନେ ଗୋଟାଏ ସମାଜରେ ଆବଦ୍ଧ ଥାଇ ଯଦି ରାମହରିଙ୍କ ନିମନ୍ତ୍ରଣ ଗ୍ରହଣ ନକରନ୍ତି ଏବଂ ତାଙ୍କ କାର୍ଯ୍ୟରେ ଏପରି ବାଧା ସୃଷ୍ଟି କରନ୍ତି, ତେବେ ସେ କଟକରେ ଦରଖାସ୍ତ କରି ସମସ୍ତଙ୍କୁ ହଟହଟା କରିପାରେ । ତା’ର ବଳ ସେଠାରେ ବହୁତ ବେଶି । ତା’ ହେଲେ ଶାସନର ସମସ୍ତେ ବିବାଦୀ ପକ୍ଷ ହୋଇ ବହୁତ ହଲାପଟା ହେବେ । ରାଜା ଅବଶ୍ୟ ସେମାନଙ୍କୁ ସାହାଯ୍ୟ କରିବେ ଏବଂ ଉପଯୁକ୍ତ ଓକିଲ ମୁକ୍ତାର ଦେଇ ତାଙ୍କପାଇଁ ଲଢ଼ିବେ । କିନ୍ତୁ ଯେଉଁ ଟଣା ଓଟରାଟା ହେବ ସେଥିରେ ସେମାନଙ୍କୁ ବହୁତ ହଇରାଣ ହେବାକୁ ପଡ଼ିବ । ଏଥିପାଇଁ ଆଗରୁ ସାବଧାନ ହୋଇ ବାଟ ନକଲେ ଚଳିବ କିପରି ? ସେଥିପାଇଁ ମାମଲତକାରମାନେ ଆସି ବହୁତ ଯୁକ୍ତିତର୍କ ଓ ଆଲୋଚନା କରି ସ୍ଥିର କଲେ ଯେ ସେମାନେ ରାଜାଙ୍କ ନିକଟରେ ଗୋଟାଏ ଦର୍ଖାସ୍ତ ଲେଖି ଦାଖଲ କରିବେ । ତହିଁରେ ଉଲ୍ଲେଖ ରହିବ ଯେ ରାମହରି ସମାଜ ଗର୍ହିତ କାର୍ଯ୍ୟ କରିଥିବାରୁ ସେମାନେ ତାକୁ ବାସନ୍ଦ କରିଛନ୍ତି ଏବଂ ତା’ ଘରେ ଫୁଲସଭା କରି ରାଜାଶୀର୍ବାଦ କରିବାକୁ ପ୍ରସ୍ତୁତ ନୁହନ୍ତି । ଏଥିପାଇଁ ଭବିଷ୍ୟତରେ ରାମହରି କୌଣସି ଆପତ୍ତି କଲେ ସେମାନେ ସେଥିପାଇଁ ଦାୟୀ ହେବେ ନାହିଁ । ଏପରି ବିଚାର ସର୍ବବାଦି ସମ୍ମତ କ୍ରମେ ସ୍ଥିର ହେବାରୁ ସେମାନେ ସେପରି ଗୋଟାଏ ଦର୍ଖାସ୍ତ ଲେଖି ତହିଁରେ ଦସ୍ତଖତ କଲେ ଏବଂ ଅବିଳମ୍ବେ ରାଜାଙ୍କ ନିକଟରେ ନେଇ ଦାଖଲ କଲେ ।

ରାଜା ଓ ମ୍ୟାନେଜର ସେ ଦର୍ଖାସ୍ତ ପାଇ ବ୍ରାହ୍ମଣମାନଙ୍କର ମାମଲତକାରୀ ବୁଦ୍ଧିକି ବହୁତ ପ୍ରଶଂସା କଲେ ଏବଂ ଏ ବିଷୟରେ ଅଗ୍ରୀମ ପ୍ରମାଣ ଦାଖଲ କରିବାକୁ ଗୋଟାଏ ତାରିଖ ଧାର୍ଯ୍ୟ କଲେ । ସେ ତାରିଖ ଏପରି କୌଶଳରେ ଠିକ୍‌ହେଲା ଯେ ବିବାହ ତାରିଖର ପାଞ୍ଚଦିନ ପରେ ତାହା ଯେପରି ପଡ଼ିବ । ତା ହେଲେ ରାମହରିର କାର୍ଯ୍ୟ ବିଗିଡ଼ିଗଲା ପରେ ସେମାନେ ଏ ବିଷୟରେ ଆଲୋଚନା କରିବାକୁ ସମୟ ପାଇବେ ।

ଏପରି ଭାବରେ ରାମହରିଙ୍କ କନ୍ୟା ବିବାହରେ ଯାବତ ଅଶାନ୍ତି ଓ ଗଣ୍ଡଗୋଳ ଘଟେଇବା ପାଇଁ ରାଜାଙ୍କ ତରଫରୁ ଓ ବ୍ରାହ୍ମଣମାନଙ୍କ ସମାଜ ତରଫରୁ ସମସ୍ତ ପ୍ରକାର ଆୟୋଜନ ଶେଷ ହୋଇଗଲା । ଏଣିକି ବାକି ରହିଲା ଭୀଷ୍ମ ଓ ଦ୍ରୋଣ ପର୍ବର ଅଭିନୟ । ତା’ର ଉପାୟ ଠିକ୍‍ ହୋଇଗଲା ପରେ ରାଜାଙ୍କ ମନ ଆନନ୍ଦରେ ଭରିଗଲା । ସେ ଖୁବ୍‌ ଖାଇଲେ, ଖୁବ୍‌ ପିଇଲେ ଏବଂ ମଟର ଚଢ଼ି ଏଣେତେଣେ ଖୁବ୍‌ ବୁଲିଲେ । ମ୍ୟାନେଜର ଛାୟାପରି ତାଙ୍କ ପାଖେ ପାଖେ ବରାବର ରହୁଥିଲେ । ସେ ଦଣ୍ଡେ ଛାଡ଼ିଗଲେ ରାଜାଙ୍କୁ ସଂସାରଟା ଶୂନ୍ୟ ବୋଧ ହେଉଥିଲା ।

•••

 

–ବାର–

 

ରାମହରିବାବୁଙ୍କ ଘର ଜିଲ୍ଲା ବୋର୍ଡ ରାସ୍ତାକରରେ ଗୋଟିଏ ଢିପ ଜାଗାରେ ଅବସ୍ଥିତ । ବ୍ରାହ୍ମଣ ଶାସନ ସେଠାରୁ ପ୍ରାୟ ଦୁଇ ଫର୍ଲଂ ଦୂରରେ । ମଧ୍ୟରେ ରାମହରିବାବୁଙ୍କର ଓ ଅନ୍ୟ କେତେ ଜଣଙ୍କର ବାଗ ବଗିଚା ଅଛି । କିଆକଣ୍ଟାର ସାଧାରଣ ବସ୍ତିଠାରୁ ମଧ୍ୟ ଶାସନ ଥୋଡ଼ାଏ ଦୂର ତଫାତ୍‌ । ମଝିରେ ଗୋଟାଏ ପୋଖରୀ ଓ ଦଶ ପନ୍ଦରମାଣ ବିଲ ବ୍ୟବଧାନ । ଦୋକାନ ବଜାର ଯାହା ସବୁ କିଆକଣ୍ଟାରେ । ତା’ର ପଶ୍ଚିମରେ ଜମିଦାରଙ୍କ ଉଆସ । ଛୋଟଖାଟର ସେ ଗୋଟିଏ ଗ୍ରାମ । କିଆକଣ୍ଟାଠାରୁ ଦୁଇ ମାଇଲ ଦୂରରେ ମୁକୁନ୍ଦପୁରଠାରେ ସର୍କାରୀ ଥାନା ଓ ଡାକବଙ୍ଗଳା ଅଛି । ତାହା ସେହି ଜିଲ୍ଲା ବୋର୍ଡ ରାସ୍ତାକରରେ ପଡ଼େ ।

 

ରାମହରିଙ୍କ ବିରୁଦ୍ଧରେ ଶାସନରେ ଯେଉଁ ସାମାଜିକ କଟକଣାମାନ ଚାଲିଥିଲା ଏବଂ ଶାସନର ମୁରବୀମାନେ ରାଜାଙ୍କ ସଙ୍ଗେ ପରାମର୍ଶ କରି ଯେଉଁ ବ୍ୟବସ୍ଥା ସବୁ କରୁଥିଲେ ତାହା ତାଙ୍କ ଆଖି ଆଗରେ ଘଟୁ ନଥିଲା । ତେଣୁ ସେ ସାମାଜିକ ବିଷୟରେ ମନ ଧ୍ୟାନ ନଦେଇ ତାଙ୍କ ଆୟୋଜନରେ ପୂରା ଦମରେ ଚାଲିଥିଲେ । ତାଙ୍କ ଦୂରବର୍ତ୍ତୀ ବନ୍ଧୁମାନେ ଆଗରୁ ଆସି ସମସ୍ତ ଆୟୋଜନରେ ନିଜ ନିଜର ଭାଗ ମିଶାଇ କାର୍ଯ୍ୟକୁ ସନ୍ତୋଷଜନକ ଭାବରେ ଠିଆ କରିବାକୁ ଖୁବ୍‌ ଲାଗିପଡ଼ିଥିଲେ । କଟକର ବନ୍ଧୁମାନେ କାର୍‌, ସାଇକେଲ୍‌ ଓ ବସ୍‌ରେ ଆସି ଆଶାତୀତ ଭାବରେ ସମସ୍ତ ବ୍ୟବସ୍ଥା କରୁଥିଲେ । ଏଥିରେ ରାମହରିବାବୁ ଓ ତାରାମଣିଙ୍କର ଆନନ୍ଦର ସୀମା ରହୁନଥିଲା ।

 

ବିବାହ ପ୍ରାୟ ଆଉ ସାତଦିନ ଅଛି; ଦିନେ ସନ୍ଧ୍ୟାରେ ଜଣେ ଗୋସେଇଁ ନଟବରପୁରରୁ ଅନାହୂତ ଭାବରେ ଆସି ଗୋପନୀୟ ଭାବରେ ରାମହରିବାବୁଙ୍କୁ ଜଣାଇଲେ, ‘‘ଶାସନରେ ଆପଣଙ୍କ ବିରୁଦ୍ଧରେ ଗୁରୁତର ଚକ୍ରାନ୍ତ ଚାଲିଛି । ଯେଉଁ କୃତ୍ରିମ ଲୋକ ଦୁଇ ତିନିଟା ଆପଣଙ୍କର ଆତ୍ମୀୟ ବୋଲି ଦେଖେଇ ହୁଅନ୍ତି ସେଗୁଡ଼ାକ ଆପଣଙ୍କର ଘୋର ଶତ୍ରୁ । ସେଗୁଡ଼ାକ ଶାସନଟାକୁ ବିଭ୍ରାଟ କରିବାକୁ ବସିଛନ୍ତି । ତାଙ୍କ ବୋଲରେ ଶାସନରେ କେହି ଆପଣଙ୍କର ନିମନ୍ତ୍ରଣ ରଖିବେ ନାହିଁ । ବାଟବରଣ ବେଳେ ଦଙ୍ଗା ହାଙ୍ଗାମା କରିବେ ଏବଂ ଅନ୍ୟ ଶାସନର ବ୍ରାହ୍ମଣେ ଯେପରି ଆପଣଙ୍କର ନିମନ୍ତ୍ରଣ ନରଖିବେ ସେଥିପାଇଁ ଆୟୋଜନ ଚାଲିଲାଣି’’ ଇତ୍ୟାଦି ଇତ୍ୟାଦି ଅନେକ କଥା ସେ ଜଣାଇଲେ । ସେଥିରୁ କେତେ କଥା ସତ୍ୟମୂଳକ, କେତେକଥା ଖାଣ୍ଟି ମନ ଗଢ଼ା ଓ କେତେ କଥା ଅଯଥା ନାନା ବର୍ଣ୍ଣରେ ଚିତ୍ରିତ । ସେ ଗୋଟାଏ ଅସଦାଚାରୀ, ଗୁପ୍ତ ପ୍ରତାରକ, ଭୀଷଣ ଚୁଗୁଲିଆ ପ୍ରକୃତିର ଲୋକ । ତା’ର ଏପରି ଖଳ ପ୍ରକୃତି ଯୋଗେ ଶାସନର କେହି ତା’ ପ୍ରତି ସ୍ନେହ ସହାନୁଭୂତି ଦେଖାନ୍ତି ନାହିଁ । ଚୁଟିଆ ମୂଷାଟାଏ ଯେପରି ଏ ଘରେ ଗାତରେ ପଶି ଆର ଘରେ ଯାଇ ବାହାରେ, ପୁଣି ସେ ଘରୁ ଯାଇ ଆଉ ଗୋଟାଏ ଘରେ ନାନା ଅନିଷ୍ଟ ଘଟାଏ, ସେ ଲୋକଟା ସେହିପରି ଏ ସ୍ଥାନର ଚୁଗୁଲି ସେଠାରେ କହୁ, ସେଠାର ଚୁଗୁଲି ଆଉଠାରେ କହି ସବୁଆଡ଼େ ଗୋଟାଏ ଅହେତୁକ କନ୍ଦଳ ଲଗାଇ ଦିଏ । ମାତ୍ର ନିଜେ ଗୋଟିଏ ନିରୀହ, ମଧୁ ପ୍ରକୃତିର ଲୋକ ଓ ଦେବଦେବୀଙ୍କ ସେବାରେ ଖୁବ୍‌ ଲାଗିପଡ଼ି ଥିବାପରି ଛଳନା ଦେଖାଏ । ଏଥିପାଇଁ ଶାସନରେ କେହି ତାକୁ ଭଲପାଆନ୍ତି ନାହିଁ । ଯୁବକମାନେ ବଖତ୍‌ ପାଇଲେ ତାକୁ ଗୋଟା କେତେ ଉତ୍ତମ ମଧ୍ୟମ ଦେବାକୁ ମଧ୍ୟ ଛାଡ଼ନ୍ତି ନାହିଁ ।

 

ରାମହରିବାବୁ ସେ ଲୋକର ସ୍ୱଭାବ ଚରିତ୍ର ବିଷୟରେ ସମ୍ପୂର୍ଣ୍ଣ ଅନଭିଜ୍ଞ । ସେ ତା’ କଥା ଶୁଣି ତହିଁରେ ଆସ୍ଥା ନଦେଇ ରହି ପାରିଲେ ନାହିଁ । ସେଥିପାଇଁ ତାଙ୍କ ଆତ୍ମୀୟମାନଙ୍କ ପ୍ରତି ମଧ୍ୟ ତାଙ୍କର ଅବିଶ୍ୱାସ ଭାବ ଆସିଗଲା । ଶାସନର ଯେଉଁ ଆତ୍ମୀୟମାନେ ତାଙ୍କ ପାଇଁ ଆତ୍ମବଳି ଦେବାକୁ ପ୍ରସ୍ତୁତ ଏବଂ ସମସ୍ତ ଚକ୍ରାନ୍ତକୁ କଳେ ବଳେ କୌଶଳେ ପଣ୍ଡ କରିବା ପାଇଁ ଚେଷ୍ଟିତ, ସେମାନେ ହେଲେ ତାଙ୍କର ଅବିଶ୍ୱାସୀ । ତେଣୁ ରାମବାବୁ ସେମାନଙ୍କ ସଙ୍ଗେ ଆଉ ବିବାହ ବିଷୟରେ କୌଣସି ପରାମର୍ଶ ନ କରି ସବୁକଥା ତାଙ୍କଠାରେ ଗୁପ୍ତ ରଖିଲେ ଏବଂ ନିଜ ଉପାୟରେ ସବୁକାର୍ଯ୍ୟରେ ଅଗ୍ରସର ହେଲେ । ଅବଶ୍ୟ ଆତ୍ମୀୟମାନେ ଆର୍ଥିକ ପରିସ୍ଥିତିରେ ଦୁର୍ବଳ ଏବଂ ଶାସନରେ ସେତେଦୂର ପ୍ରତିଷ୍ଠାଶାଳୀ ଲୋକ ନଥିଲେ । ତେଣୁ ସେମାନଙ୍କୁ କରଛଡ଼ା କରିବାଦ୍ୱାରା ରାମହରିବାବୁଙ୍କ କାର୍ଯ୍ୟରେ କିଛି ବାଧା ଆସିଲା ନାହିଁ । ତଦ୍ଦ୍ୱାରା ଏହି ଫଳ ହେଲା ଯେ ଆତ୍ମୀୟ ଜଣେ ଦିଜଣ ଉଭୟକୂଳ ହରାଇଲେ । ସେମାନେ ରାମବାବୁଙ୍କ ଆତ୍ମୀୟ ଓ ତାଙ୍କ ମଙ୍ଗଳପାଇଁ ଚେଷ୍ଟିତ ଥିବାରୁ ସମାଜବାଲା ତାଙ୍କ ସଙ୍ଗେ ଅସହଯୋଗ କରୁଥିଲେ ଏବଂ ତାଙ୍କୁ ଘୋର ଅବିଶ୍ୱାସ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଥିଲେ । ଏ ଅବସ୍ଥା କ୍ରମେ ଏପରି ଆକାର ଧରି ଆସିଲା ଯେ ବ୍ୟକ୍ତିଗତ ଅସହଯୋଗ ସାମାଜିକ ଅସହଯୋଗରେ ପରିଣତ ହୋଇଗଲା । ପ୍ରତିବେଶୀଭାବ କଟିଗଲା । ଆତ୍ମୀୟମାନେ ଏଥିକି ଭ୍ରୁକ୍ଷେପ ନ କରି ତାଙ୍କ ରାସ୍ତାରେ ଚାଲିଥିଲେ । କିନ୍ତୁ ରାମହରିଙ୍କଠାରୁ ସେମାନେ ସେହି ଅବସ୍ଥା ଭୋଗି ଅତ୍ୟନ୍ତ ବିଚଳିତ ହୋଇପଡ଼ିଲେ । ରାମବାବୁ ଯେବେ ଗୋଟାଏ ଛୋଟ ଲୋକର ଚୁଗୁଲିରେ ଏତେ ଭାସି ନ ଯାଇ ଧୈର୍ଯ୍ୟଧରି ଘଟଣାଟା ପରୀକ୍ଷାକରି ନେଇଥାନ୍ତେ ତେବେ ଅବସ୍ଥାଟା ସହଜରେ ସୁଧୁରି ଯାଇଥାନ୍ତା । କିନ୍ତୁ ସେ ତାହାନକରି ଗୋଟାଏ ନୈତିକ ଅଧୋଗତି ଦେଖାଇ ଦେଲେ ଏବଂ ଆତ୍ମୀୟମାନଙ୍କୁ ଅବଳୀଳାକ୍ରମେ କୂଅକୁ ପେଲି ଦେଇ ଚିରଦିନ ପାଇଁ ସେମାନଙ୍କ ଆତ୍ମୀୟତା ଓ ସହଯୋଗ ହରାଇଲେ । ମନୁଷ୍ୟ ଶକ୍ତିଶାଳୀ ଥିଲାବେଳେ ସମସ୍ତ ପ୍ରକାର ସୁବିଧା ସୁଯୋଗ ତା’ ନିକଟକୁ ଅଲଭ୍ୟରେ ଆସେ । କିନ୍ତୁ ସେ ଯେତେବେଳେ ଶକ୍ତିହୀନ ହୋଇପଡ଼େ, ସେତେବେଳପାଇଁ ବ୍ୟବସ୍ଥା କଅଣ ? ସେ ଦୁର୍ବଳ ଅବହେଳିତ ଆତ୍ମୀୟମାନେ ଲୋଡ଼ା ହୁଅନ୍ତି କି ନାହିଁ ।

 

ରାମହରିବାବୁ ନଟବରପୁର ଶାସନକୁ ନିଜେଯାଇ ନିମନ୍ତ୍ରଣ କାର୍ଯ୍ୟ ଚଳାଇବାକୁ ସ୍ଥିରକଲେ । ତଦ୍ଦ୍ଵାରା ସେ ଅବସ୍ଥାଟା ନିଜେ ଅନୁଭବ କରିବେ ଏବଂ ତା’ର ପ୍ରତିକାରପାଇଁ ଚେଷ୍ଟା କରିବେ । ସୁତରାଂ ସେ ନିଜେ ଯାଇ ଆମନ୍ତ୍ରଣ କରିବାରୁ ସମସ୍ତେ ଆଗ୍ରହରେ ତାହା ରକ୍ଷା କଲେ । କେହି ପଦେହେଲେ ବାଧାଦେବା ଭଳି କୌଣସି କଥା କହିଲେ ନାହିଁ । ଶାସନର ମୁରବୀ ଦୁଇଚାରିଜଣ ସେତେବେଳେ ଚେଷ୍ଟାକରି ଘରମାନଙ୍କରୁ ଅନୁପସ୍ଥିତ ହୋଇପଡ଼ିଲେ । ତେଣୁ ରାମବାବୁଙ୍କ ନିମନ୍ତ୍ରଣ ତାଙ୍କ ପରିବାରରେ ଅର୍ପିତ ହେଲା । ତା’ପରେ ଅନ୍ୟ ଶାସନମାନଙ୍କରେ ମଧ୍ୟ ଯଥାବିଧି ନିମନ୍ତ୍ରଣ ଚଳିଲା ଏବଂ ସମସ୍ତେ ତାଙ୍କ କାର୍ଯ୍ୟରେ ଯୋଗଦେବେ ବୋଲି ଜବାବ ଦେଲେ । କେବଳ ରାଜା ନିମନ୍ତ୍ରଣ ରକ୍ଷା ନ କରି ବ୍ରାହ୍ମଣମାନଙ୍କ ଆପତ୍ତି ବିଷୟ ଜଣାଇ ତାହା ଫେରାଇ ଦେଲେ ।

 

ବିବାହଦିନ ନିକଟ ହୋଇଆସିଲା । ଜିନିଷପତ୍ରର ଆୟୋଜନ ଯୁଆଡ଼େ ଯେପରି ହୋଇଥିଲା, ସବୁ ଯଥାସମୟରେ ଯଥାରୀତିରେ ଆସି ପହଞ୍ଚିଲା । ଜମିଦାରୀର ଯେଉଁ ଲୋକଙ୍କୁ ଯେଉଁ ବରାଦ ଦିଆଯାଇଥିଲା ସେ ସବୁ ଜିନିଷ ବୁଝିରଖି ସେମାନଙ୍କ ମୂଲ୍ୟ ସଙ୍ଗେ ସଙ୍ଗେ ଦିଆଗଲା । ସେଥିପାଇଁ ଦାରୋଗା ଜଣେ କର୍ମଚାରୀକି ମୁତୟନ କରିଥିଲେ ।

 

ମଙ୍ଗନଦିନ ରାମହରିବାବୁ ଓ ଦାରୋଗା ବାରଣ୍ଡାରେ ବସି କଥାବର୍ତ୍ତା ହେଉଥିଲାବେଳେ ହାଡ଼ି, ଡୋମ ଓ ଗଉଡ଼ ବେହେରାମାନେ ଆସି କହିଲେ, ‘ଆଜ୍ଞା ! ଆପଣଙ୍କୁ ବ୍ରାହ୍ମଣେ ସମାଜରୁ ଅଟକ କରିଛନ୍ତି ବୋଲି ଆମେ ଶୁଣୁଛୁ । ଆପଣଙ୍କ ଦ୍ୱାରେ ଆମେ କାମ କରିବୁ କିପରି ? ଏହା ଜାତିପାଟକର କଥା; ଆମ ଜାତିଭାଇମାନେ ଆମକୁ ରଖି ଥୋଇଦେବେ ନାହିଁ । ଆପଣ ବହିନା ରଖନ୍ତୁ ।’ ଏହା କହି ସେମାନେ ବହିନା ଟଙ୍କା ତାଙ୍କ ଗୋଡ଼ତଳେ ଥୋଇଦେଲେ ।

 

ରାମବାବୁ—କାହିଁକି ମୋତେ ତ କୌଣସି ବ୍ରାହ୍ମଣ ଅଟକ କରି ନାହାନ୍ତି । ମୁଁ ସମସ୍ତଙ୍କୁ ନିମନ୍ତ୍ରଣ କରିଛି । କେହି ମୋ ନିମନ୍ତ୍ରଣ ଫେରାଇ ନାହାନ୍ତି ?

 

ସେମାନେ—ଆମେ କି ଜାଣୁ ? ଆଜ୍ଞା ! ଶୁଣିଲୁ ବୋଲି କହିଲୁ ।

ଦାରୋଗା—କିଏ ତୁମ୍ଭଙ୍କୁ ଏକଥା କହିଲା ? ବ୍ରାହ୍ମଣ ଶାସନର କେହି ?

 

ସେମାନେ—ନାହିଁ, ବ୍ରାହ୍ମଣ କେହି କହି ନାହାନ୍ତି । ଯେ କହିଲେ, ସେଥିରୁ ଆପଣ କଅଣ ପାଇବେ ?

 

ଦାରୋଗା ସେମାନଙ୍କୁ ପଛକରି ବସିଥିଲେ । ଚୌକି ବୁଲାଇ ସେମାନଙ୍କ ଆଡ଼କୁ ମୁହଁକରି କହିଲେ, ‘‘କିରେ ? କିଏ ତୁମ୍ଭଙ୍କୁ ଏ କଥା କହିଲା ?’’

 

ଏତେବେଳଯାଏ ସେମାନେ ତାଙ୍କୁ ଦାରୋଗା ବୋଲି ଜାଣି ପାରିନଥିଲେ । ଯେତେବେଳେ ତାଙ୍କ ସ୍ୱରୂପ ଦେଖି ପକେଇଲେ ବୁଦ୍ଧି କୁଆଡ଼େ ସାତ କିଆବାଡ଼ ଡେଇଁ ପଳେଇଲା-। ସେମାନେ ତାଙ୍କ ପାଦତଳେ ପଡ଼ି ହାତଯୋଡ଼ି କହିଲେ, ‘‘ପ୍ରଭୁ ! ମେହେଞ୍ଜର ବାବୁ ଆମକୁ କହିଥିଲେ । ଆମର ଦୋଷ କଅଣ ? ତା’ପରେ ମ୍ୟାନେଜର ତାଙ୍କୁ କିପରି ବତେଇ ଥିଲେ ଓ ସେଥିପାଇଁ କିପରି ଟ ୧୦୧ ବକ୍ସିସ୍‌ ଦେଇଥିଲେ ତାହା ସବୁ ସେମାନେ ଦାରୋଗାଙ୍କ ଜାରାରେ ଗୋଟିଗୋଟି କରି କହିଗଲେ । ଦାରୋଗା ତାହା ସବୁ ଟିପି ସାରିଲା ପରେ ଧମକ ଦେଇ କହିଲେ, ‘‘ନିଅ, ଶାଲା ! ବଇନା ! ଉଠା । ଯାଅ । ଏହିକ୍ଷଣି ଆସି ତୁମ୍ଭ କାର୍ଯ୍ୟ ଏଠାରେ କର ।’’ ସେମାନେ କରପତ୍ର ଯୋଡ଼ି ବଇନା ନେଇ ଚାଲିଗଲେ ଏବଂ ଅଧ ଘଣ୍ଟାକ ଭିତରେ ନିଜନିଜ ଦଳଧରି ଆସି ସ୍ୱ ସ୍ୱ କାର୍ଯ୍ୟରେ ହାଜର ହୋଇଗଲେ । ହାଡ଼ି ଡମମାନେ ବାଜା ବଜାଇଲେ ଏବଂ ଗଉଡ଼ମାନେ ପାଣିବୋହିବା ଓ ସବାରୀ ପାଲିଙ୍କି ଠିକ୍‌ କରିବାରେ ଲାଗିଲେ ।

 

ଶାସନରେ ବ୍ରାହ୍ମଣମାନେ ବସି ବିଚାର କଲେ ଯେ ଯେପର୍ଯ୍ୟନ୍ତ ବିବାହ ହୋଇନାହିଁ ସେ ପର୍ଯ୍ୟନ୍ତ ରାମହରି ଅପବିତ୍ର ନୁହନ୍ତି । ବିବାହ ଦିନ ତାଙ୍କ କାର୍ଯ୍ୟରେ ଯୋଗଦେବା ଉଚିତ ନୁହେଁ । କିନ୍ତୁ ମଙ୍ଗନ ଦିନତ ତାଙ୍କର କୌଣସି ଅପରାଧ ନାହିଁ ? ସୁତରାଂ ତାଙ୍କ ନିମନ୍ତ୍ରଣ ରକ୍ଷାକରି ସେମାନେ ମଙ୍ଗନ ଦିନ ସନ୍ଧ୍ୟାରେ ତାଙ୍କ ଘରଠାରେ ଉପସ୍ଥିତ ହୋଇ ଖୁବ୍‌ ଆତ୍ମୀୟତା ଦେଖାଇଲେ ଏବଂ ଯଥାଯୋଗ୍ୟ ସତ୍କାର ଓ ଚଉବନୀ ଭୋଜନପାଇ ଫେରିଲେ । ସେମାନଙ୍କ ଏସବୁ ବିଚାର, ରାଜା ଓ ମ୍ୟାନେଜରଙ୍କ ସଙ୍ଗେ ଘନ ଘନ ପରାମର୍ଶ ଏବଂ ରାମବାବୁଙ୍କ ବିରୁଦ୍ଧରେ ଗୁରୁତର ଚକ୍ରାନ୍ତ, ଏ ସବୁକଥା ରାମବାବୁ ଏଥିମଧ୍ୟରେ ବୁଝିନେଇଥିଲେ । ସେ କୌଣସି କଥାକୁ ଭ୍ରୂକ୍ଷେପ ନକରି ନିଜ କାର୍ଯ୍ୟରେ ଲାଗି ପଡ଼ିଥିଲେ । ତାଙ୍କର ପୂର୍ଣ୍ଣ ବିଶ୍ୱାସ ହେଉଥିଲା ଯେ ଭଗବାନ ତାଙ୍କ କାର୍ଯ୍ୟରେ କେବେହେଁ ଅନ୍ତରାୟ ହେବେ ନାହିଁ । ଯେଉଁ ଧବଳାଲିଙ୍ଗ ଏ ଶୁଭକାର୍ଯ୍ୟରେ ସ୍ୱୟଂ ପ୍ରଜାପତି, ସେ କାର୍ଯ୍ୟରେ ମନୁଷ୍ୟ ବାଧା ଦେଇପାରେ ? ଏହି ବିଶ୍ୱାସକୁ ନିରନ୍ତର ହୃଦୟରେ ଧ୍ୟାନ କରି ସମସ୍ତ କାର୍ଯ୍ୟ ବିବେକର ଅନୁଶାସନ ବଳରେ କରି ଯାଉଥିଲେ ।

•••

 

Unknown

–ତେର–

 

କିଆକଣ୍ଟାର ପଶ୍ଚିମରେ ୬ ମାଇଲଠାରେ ଗୋଟାଏ ବଡ଼ ଆମ୍ବ ତୋଟା ଅଛି । ସେହି ତୋଟା ଭିତରେ ସରକାରୀ ସଡ଼କ କଟକଠାରୁ ପୂର୍ବକୁ ବହୁଦୂରଯାଏ ଯାଇଛି । ସଡ଼କର ଦୁଇ କଡ଼ରେ ତୋଟା ଭିତରେ ଓ ବାହାରେ ଅନେକ ଦୂରଯାଏ ଯେଉଁଆଡ଼େ ଦେଖିବ ଖାଲି କିଆବଣ । ସେ ବଣ ଏତେ ଘଞ୍ଚ ଯେ ତା’ ଭିତରେ ପଲେ ହାତୀ ଦିନବେଳେ ଲୁଚିଲେ ମଧ୍ୟ ଜାଣିବାର ଉପାୟ ନାହିଁ । ରାସ୍ତାର ସେଇ ଅଂଶଟାକୁ ବାଟୋଇମାନେ ବରାବର ଭୟ କରନ୍ତି । ରାତିରେ ସେଇ ବାଟେ ଯିବାକୁ କେହି ସାହସ କରନ୍ତି ନାହିଁ । ପୂର୍ବେ ସେଠାରେ ଥରେ ଅଧେ ଚୋରି ଡକାୟତି ହୋଇଥିଲା ବୋଲି ଶୁଣାଯାଏ । ଏବେ ସେ କଥା ଅବଶ୍ୟ ନାହିଁ । କିନ୍ତୁ ସେ ଭୟଟା ଲୋକଙ୍କ ମଜ୍ଜା ଭିତରେ ଆଜିଯାଏଁ ରହିଛି । ତାହା କେତେ କାଳ ଏପରି ରହିବ କେଜାଣି ?

 

ବୈରୀଗଞ୍ଜନ ଦଳ ନିଜର ଉଦ୍ଦେଶ୍ୟ ସିଦ୍ଧିପାଇଁ ସେହିସ୍ଥାନ ଉପଯୁକ୍ତ ବୋଲି ସ୍ଥିର କରି ରାତିଯାକ ବହୁତ ପରିଶ୍ରମ କରି ଅନେକ ପଥର ସଂଗ୍ରହ କଲେ ଏବଂ ମୋଟା ଆମ୍ବଡାଳ ମାନ କାଟି ତାହା ସବୁ ଗର କରିଦେଲେ । ସେହି ଗରମାନ ରାସ୍ତାରେ ଗୋଟାଏ ବନ୍ଧ ପରି ସଜାଇ ଭିତରେ ଭିତରେ ପଥରମାନ ସନ୍ଧି ଦେଲେ । ରାସ୍ତାଟା ଆଚ୍ଛାରୂପେ ବନ୍ଦ ହୋଇଗଲା । ଆଉ ମଟର ଛାଡ଼ି ମହାମଟର ଆସିଲେ ମଧ୍ୟ ତାକୁ ପାର ହୋଇ ଚାଲିଯିବା ଅସମ୍ଭବ ।

 

ଏ କାର୍ଯ୍ୟ ଶେଷ ହେଉ ହେଉ ସକାଳ ହୋଇଗଲା । ସେମାନେ ଖୁବ୍‌ ତରତର ହୋଇ କାଛିଆମାନ ପିନ୍ଧି ସର୍ବାଙ୍ଗରେ କଳା ବୋଳି ହୋଇ ପଡ଼ିଲେ । ତା’ପରେ ପଲଙ୍ଗାଏ ଲେଖାଏଁ ମାଂସ ଓ ବୋତଲେ ଲେଖାଏଁ ମଦ ଟକ୍‌ଟାକ୍‌ ଶେଷ କରିଦେଇ ନିଜ ନିଜର ଜିନିଷପତ୍ର ଗୋଟାଏ କିଆବୁଦା ଭିତରେ ଲୁଚାଇ ଦେଲେ । ପିତଳ ମୁଠା ଓ ଲୁହା ଗୋବ ବସା ଚିତାଏ ଉଚ୍ଚର ଶକତ ଠେଙ୍ଗେଣୀମାନ ଆଗରୁ ସଜିଲ ହୋଇଥିଲା । ସେଥିରେ ଚାରି ପାହାର ଦେଲେ ହାତୀଭଳି ଜନ୍ତୁ ଶୋଇ ପଡ଼ିବ । ସେମାନେ ସେ ଠେଙ୍ଗାମାନ ଧରି ଦଳପତି ବୈରୀଗଞ୍ଜନଙ୍କୁ ସଲାମ ଦେଲେ । ବୌରୀଗଞ୍ଜନ ସବୁ ଠିକ୍‍ଠାକ ଥିବାର ଦେଖି ଖୁସି ହୋଇଗଲା ଏବଂ ସମସ୍ତଙ୍କୁ ବୁଝାଇ କହିଲା, ‘‘ଭାଇମାନେ ଗୋଟାଏ ବଢ଼ିଆ କାମ କରିବାକୁ ଆସିଛ । ମୋ କଥା ଆଉଥରେ ଭଲକରି ଶୁଣ, ସେମାନେ ମଟର ଓ ଲରୀମାନଙ୍କରେ ଆସିବେ । ଏଠାରେ ସବୁ ଅଟକି ଗଲା ପରେ ଆମେ ଏକସଙ୍ଗେ ବାହାରିବା ଏବଂ ଖୁବ୍‌ଜୋର୍‌ରେ ଯାଇ ଆଗ ଲୋକଗୁଡ଼ାଙ୍କୁ ପିଟି ତଳେ ପକାଇଦେବା । ମଟର ଓ ଲରୀଗୁଡ଼ାକରୁ ଜିନିଷମାନ ଖାଲି କରି ଆଣି ତା’ ପରେ ସେ ଗୁଡ଼ା ପିଟି ଗୁଣ୍ଡା କରିଦେବା-। ତା’ର ପର କିଆବଣ ଭିତରେ ଯେଉଁ ଚୁଆ ଅଛି ତା’ ଭିତରେ ପଶି ସଫାସୂତ୍ର ହୋଇ ଭଲଲୋକଙ୍କ ପରି ଘରକୁ ଫେରିଯିବା । ଜିନିଷ ଯାହା ମିଳିବ ସେଥିରୁ ତୁମ୍ଭର ବାରପଣ ମୋର ଚାରିପଣ । ଏ କାମ ଠିକ୍‌ରୂପେ କରି ପାରିଲେ ମ୍ୟାନେଜର ସାହେବ ଶହେ ଟଙ୍କା ବକ୍ସିସ ଦେବେ ବୋଲି ହୁକୁମ କରିଛନ୍ତି । ମନେ ଅଛି ତ ? ସମସ୍ତେ ତାହା ସ୍ୱୀକାର କରି ସବୁ ବିଷୟରେ ପ୍ରସ୍ତୁତ ବୋଲି ଜଣେଇଲେ ।

 

ବୈରୀଗଞ୍ଜନ ସେମାନଙ୍କୁ ସଡ଼କଠାରୁ ଶହେ ହାତ ଦୂରରେ ଖୁବ୍‌ ଘଞ୍ଚ କିଆବଣ ଭିତରେ ଲୁଚାଇ ଦେଲା ଏବଂ ନିଜେ ସେମାନଙ୍କ ନିକଟରେ ଏପରି ଗୋଟାଏ ଜାଗାରେ ରହିଲା ଯେ କଟକଆଡ଼ୁ ଯେତେ ଗାଡ଼ି ମଟର ଆସିବ ତାହା ସେସବୁ ଯେପରି ଏକମାଇଲ ଦୂରରୁ ଅନାୟାସରେ ଦେଖିପାରିବ । ସେମାନେ ଖୁବ୍‌ ତାକତରକରେ ରହିଲେ । ବୈରୀଗଞ୍ଜନ ଇସାରା ଦେଲା ମାତ୍ରକେ ସେମାନେ ବଳିଆ କୁକୁର ପରି ମାଡ଼ିଯାଇ ଶିକାର ଉପରେ ଝାମ୍ପି ପଡ଼ିବେ । ବୈରୀଗଞ୍ଜନ ଜୁଆଁଇ କି ଗୋଟାକେତେ ପାହାର ଦେଇ ଆଗ ସାବାଡ଼ କରିବ ବୋଲି ଖୋଦ ମ୍ୟାନେଜରଙ୍କଠାରୁ ହୁକୁମ ପାଇଥିଲା । ଏଥିପାଇଁ ସେ ଆଙ୍ଗୁଠି ସବୁ ଫୁଟାଇ ହାତକୁ ବାରମ୍ବାର ସଳଖୁଥିଲା । ସତେ ଯେପରି ସେ ହାତ ଓ ଆଙ୍ଗୁଠିର ଗଣ୍ଠିସବୁ ଅଏଲିଂ କରୁଥିଲା ।

 

ଆଠଟା ସମୟରେ ଦୂରରୁ ଖୁବ୍‌ଧୂଳି ଉଡ଼ିବାର ଦେଖାଗଲା । ବୈରୀଗଞ୍ଜନ ବହୁତ ଲକ୍ଷ୍ୟ କରି ଦେଖିଲା ଗୋଟାଏ ମୋଟରକାର ଖୁବ୍‌ ଦ୍ରୁତ ଗତିରେ ଛୁଟି ଆସୁଛି । ସେ ଏ କଥା ତା’ ଦଳକୁ ଇସରାରେ ଜଣାଇଦେଲା । ସମସ୍ତେ ସାବଧାନ ହୋଇଗଲେ । ମୋଟର ମୁହୂର୍ତ୍ତକ ଭିତରେ ମାଡ଼ି ଆସି ସେହି କାଠ ପଥର ଗଦାଠାରେ ଅଟକିଗଲା । ବୈରୀଗଞ୍ଜନ ପୁଣି ଚାହିଁ ଦେଖିଲା, ଗୋଟାଏ ଖୁବ୍‌ ବଡ଼ ଲରୀ ମଧ୍ୟ ମାଡ଼ି ଆସୁଛି । ତାହା ଆସି ପହଞ୍ଚିବା ପର୍ଯ୍ୟନ୍ତ ସେମାନେ ଅପେକ୍ଷା କଲେ । ଏ ସମୟରେ ଜଣେ ସାହେବ ମୋଟରରୁ ବାହାରି ପଡ଼ି ଚାରିଆଡ଼କୁ ଚାହିଁଲେ । ସେ ଦଳ ବିଚାରିଲେ ସେହି ଜଣକ ବୋଧହୁଏ ଜୁଆଇଁ । ଆଜିକାଲି ସମସ୍ତେ ସାହେବ ପାଲଟି ଗଲେଣି । ସାହେବ ବେଶରେ ବି ବାହାହୋଇ ଆସିଲେଣି । ଆଉ କ’ଣ ପୂର୍ବକାଳିଆ ବରବେଶ ଅଛି ? ସେହି ଜୁଆଇଁ ରହିଲା ବୈରୀଗଞ୍ଜନ ଭାଗରେ । ପୁଣି ତାରି ଭିତରୁ ଆଉ ଦୁଇ ଚାରିଜଣ ସାହେବ ବାହାରି ପଡ଼ିଲେ । ସେମାନେ ନିଶ୍ଚୟ ଜୁଆଇଁ ସଙ୍ଗେ ଆସିଥିବେ ବରଯାତ୍ରୀ ହୋଇ । ଆଜିକାଲି ସବୁ ତ ସାହେବମୟ; ବରଯାତ୍ରୀ ସାହେବ ନହେବେ କିପରି ?

 

ହଠାତ୍‌ ଲରୀଟା ଆସି ପହଞ୍ଚିଲା ଓ ମୋଟର ପଛରେ ଠିଆ ହୋଇଗଲା । ଏହା ଉପଯୁକ୍ତ ସମୟ ଭାବି ସେ ଦଳ ଫସ୍‌ଫାସ୍‌ ପଦାକୁ ବାହାରି ପଡ଼ିଲେ ଏବଂ ବିଜୁଳି ବେଗରେ ସେ ଆଡ଼କୁ ମାଡ଼ିଗଲେ । ଜୁଆଇଁ ସାହେବ ହଠାତ୍‌ ପିସ୍ତଲ ଫୁଟାଇ ଠିଆ ହୋଇଯିବାକୁ ସେମାନଙ୍କୁ ହୁକୁମ ଦେଲେ । ମାତ୍ର ଏ ପିସ୍ତଲକୁ ବୈରୀଗଞ୍ଜନ ଖାତିର କରିଛି ? ସେ ଜୀବନରେ ଏପରି କେତେ ପିସ୍ତଲ ଦେଖିଛି, କେତେ ପିସ୍ତଲମାଡ଼ ଖାଇଛି ତା’ର ଠିକ୍‍ଣା ନାହିଁ । ସେ ଓ ତା’ର ଦଳ ହୁକୁମ ନ ମାନି ସେହିପରି ଆକ୍ରମଣ ଉଦ୍ଦେଶ୍ୟରେ ଧାଇଁବାରୁ ଜୁଆଇଁ ସାହେବ ଗୁଳି ଚଳାଇବାକୁ ଲରୀରେ ଥିବା ବରଯାତ୍ରୀମାନଙ୍କୁ ହୁକୁମ ଦେଲେ । ସେମାନେ କଳ ଚାଲିଲାପରି ଲରୀରୁ ଡେଇଁପଡ଼ି ଗୁଳି କଲେ । ଗୁଳିଚୋଟ ବାଜି ଦଳରୁ ୪ ଜଣ ପଡ଼ିଗଲେ । ଏ ସମୟରେ ସେମାନେ ଚାହିଁ ଦେଖିଲେ ଯେ ଲରୀବାଲା ବରଯାତ୍ରୀ ନୁହନ୍ତି, ବନ୍ଧୁକଧାରୀ ସିପେଇ । ବୈରୀଗଞ୍ଜନ ବି ଚିହ୍ନିଲା, ସେ ଜୁଆଇଁ ନୁହନ୍ତି, ଖୋଦ୍‌ ପୋଲିସ ସାହେବ ଓ ଅନ୍ୟମାନେ ସାନ ସାହେବ । ସେମାନଙ୍କର ଅକଲ ଗୁଡ଼ୁମ ହୋଇଗଲା । ସେମାନେ ଠେଙ୍ଗାମାନ ତଳେ ପକେଇଦେଇ ହାତ ଉପରକୁ ଟେକି ଠିଆ ହୋଇପଡ଼ିଲେ ।

 

ସଙ୍ଗେ ସଙ୍ଗେ ସିପେଇମାନେ ସେମାନଙ୍କୁ ଘେରିଯାଇ ସମସ୍ତଙ୍କ ହାତରେ ଗୋଟି ଗୋଟି କରି ହାତକଡ଼ି ଓ ଗୋଡ଼ରେ ବେଡ଼ି ପିନ୍ଧେଇଦେଇ ଲରୀ ଭିତରେ ନେଇ ବସେଇଦେଲେ । ଆହତ ହୋଇଥିବା ଚାରିଜଣଙ୍କ ଗୋଡ଼ରେ କନା ପଟି ଭିଡ଼ି ଦେଇ ସେମାନଙ୍କୁ ମଧ୍ୟ ନେଇ ଲରୀରେ ରଖିଲେ । ଚାରିଜଣ ବନ୍ଧୁକଧାରୀ ସିପେଇ ସେମାନଙ୍କୁ ଜଗି ରହିଲେ । ଅପର ସିପେଇମାନେ ଓ ପୋଲିସ୍‌ ସାହେବଙ୍କ ସମେତ ଅନ୍ୟ ସାନ ସାହେବମାନେ ରାସ୍ତା ଅବରୁଦ୍ଧ କରିଥିବା କାଠ ପଥରମାନ ହଟାଇ ଦୂରକୁ ଫିଙ୍ଗିଦେଲେ । ଏଥିଲାଗି ସେମାନଙ୍କୁ ଦେଢ଼ଘଣ୍ଟାରୁ କମ୍‌ ସମୟ ଲାଗିଲା ନାହିଁ । ତା’ପରେ ସାହେବ ଡକାୟତମାନଙ୍କୁ କେତେକ ପ୍ରଶ୍ନ କଲେ । ମାତ୍ର ସେମାନେ କୌଣସି ଉତ୍ତର ଦେଲେ ନାହିଁ । ସିପେଇମାନେ କିଆବଣରେ ଏଣେ ତେଣେ ଅନୁସନ୍ଧାନ କରି ମଦ ବୋତଲ, ମାଂସପଲଙ୍ଗା, ଟାଙ୍ଗିଆ, କଟୁରି, ଲୁଗାପଟା, କଳା ରଙ୍ଗଥିବା ଆଟିକା, ଏ ସବୁ ସଂଗ୍ରହ କରିନେଲେ । ସାହେବ ସିପେଇମାନଙ୍କୁ ଆଦେଶ ଦେଲେ ଯେ ସେମାନେ ଡକାୟତମାନଙ୍କୁ ସଙ୍ଗରେ ନେଇ କଟକ ଥାନାରେ ଛାଡ଼ି ଅବିଳମ୍ବେ ମୁକୁନ୍ଦପୁର ଥାନାକୁ ଫେରିଆସିବେ । ସିପେଇମାନେ ଲରୀନେଇ କଟକ ଗଲେ । ସାହେବ ସହକାରୀମାନଙ୍କ ସଙ୍ଗେ କିଆକଣ୍ଟା ଆଡ଼କୁ ଆସିଲେ ।

•••

 

–ଚଉଦ–

 

ଆଜି ବିବାହ, ପ୍ରଭାତରୁ ଶୁଭଶଙ୍ଖ ବାଜି ଉଠିଲା । ତାହା ଶୁଣି ଡମ ଓ ହାଡ଼ିମାନେ ତାଙ୍କ ଯନ୍ତ୍ରମାନଙ୍କରେ ନାନାବିଧ ତାନ ଦେଇ ଚାରିଆଡ଼ କମ୍ପମାନ କଲେ । ପୁରକାମିନୀମାନେ ହୁଳହୁଳି ଧ୍ୱନିରେ ଚାରିଆଡ଼ ମୁଗ୍ଧାମୋଦରେ ପରିପୂର୍ଣ୍ଣ କରିଦେଲେ । ଏ ମଙ୍ଗଳ ଧ୍ୱନିରେ କିଆକଣ୍ଟାର ସବୁ ଲୋକ ଜାଗରିତ ହୋଇ ଗୋଟାଏ ଅପୂର୍ବ ଆନନ୍ଦ ଉପଭୋଗ କଲେ । ପୁରକାମିନୀମାନେ ପ୍ରଦୀପମାଳା ଓ ମଙ୍ଗଳ ଦ୍ରବ୍ୟ ସବୁ ହସ୍ତରେ ଧରି ଗୋଟିଏ ଶୋଭାଯାତ୍ରାରେ ଗ୍ରାମଦେବୀଙ୍କ ମନ୍ଦିରକୁ ଗଲେ ଏବଂ ସେଠାରେ ତାଙ୍କର ଶୁଭାର୍ଚ୍ଚନା କରି ତାଙ୍କ ଆଶୀର୍ବାଦ ଧରି ଫେରିଆସିଲେ ।

 

ରାମହରିବାବୁଙ୍କ ଘର ବାହାର ଓ ଚଉବେଢ଼ନ୍ତିରେ ଗୋଟାଏ ଅବିରାମ କର୍ମସ୍ରୋତ ମାଡ଼ିଗଲା । ସମସ୍ତେ ଉତ୍ସାହ ଉନ୍ମାଦନାରେ ଘୋର ବ୍ୟସ୍ତ । କାହାକୁ କୌଣସି ବିଷୟରେ ଫୁରସତ୍‌ ନାହିଁ । ଏ ସମୟରେ ଆଠଟା ବେଳକୁ ହଠାତ୍‌ ଗୋଟାଏ ସମ୍ବାଦ ଆସିଲା ଯେ ଛଅମାଇଲ ଠାରେ ଗୋଟାଏ ଭୀଷଣ ଡକାୟତି ହୋଇଯାଇଛି । ଡକାଏତମାନେ ରାସ୍ତାକୁ ବଡ଼ ବଡ଼ କାଠ ପଥରରେ ବନ୍ଦ କରି ଗୋଟାଏ ଲରୀକୁ ଆକ୍ରମଣ କରିଛନ୍ତି । ତା’ର ଅଧଘଣ୍ଟାକ ପରେ ପୁଣି ସମ୍ବାଦ ଆସିଲା, ସେ ଡକାଏତମାନେ ଧରା ହୋଇଛନ୍ତି । ପୁଣି ନଅଟା ବେଳକୁ ଖବର ହୋଇଗଲା, ସେଇଟା ଗୋଟାଏ ପୋଲିସ ଲରୀ । ଡକାଏତମାନେ ତାକୁ ଆକ୍ରମଣ କରିବାକୁ ଆସୁଆସୁ ପୋଲିସମାନଙ୍କ ଗୁଳିରେ ଖଣ୍ଡିଆ ଖାବରା ହୋଇଛନ୍ତି ଏବଂ ସମସ୍ତେ ଧରା ପଡ଼ିଛନ୍ତି ।

 

ଏ ସମ୍ବାଦ କିଆକଣ୍ଟାରେ ଆସି ଦୁଲ ଦାଲ୍‍ ହୋଇ ଆବାଜ କଲା । ରାମହରିବାବୁଙ୍କ ବୈବାହିକ କର୍ମସ୍ରୋତ ଏଥିପାଇଁ ଘଡ଼ିଏ କାଳ ଅଟକିଗଲା । ସେ ଘୋର ଚିନ୍ତାରେ ବୁଡ଼ିଗଲେ । ଏ ଡକାଏତ ଦଳ କିଏ, ରାସ୍ତା ବନ୍ଦକଲେ କେଉଁ ଉଦ୍ଦେଶ୍ୟରେ । ବରଯାତ୍ରୀମାନଙ୍କ ଗାଡ଼ିମାନଙ୍କୁ ଲୁଟ୍‌କରିବା ଅଭିପ୍ରାୟରେ ନୁହେଁ ତ ? ଏପରି ଚିନ୍ତାକରି ସେ ଦାରୋଗାଙ୍କୁ ଡାକି ଆଣିବାକୁ ଥାନାକୁ କାର୍‌ ପଠାଇଦେଲେ ଏବଂ ଘୋର ମନବ୍ୟସ୍ତରେ ଖାଲି ଏପଟ ସେପଟ ହେବାକୁ ଲାଗିଲେ ।

 

ପ୍ରାୟ ଦଶ ମିନିଟ୍‌ ପରେ ଗୋଟାଏ କାର୍‌ ଛ’ ମାଇଲ ଆଡ଼ୁ ଆସି ରାମହରିବାବୁଙ୍କ ଦ୍ୱାର ସାମନାରେ ରହି ଘନ ଘନ ଆବାଜ କଲା । ରାମ ବାବୁ କାର୍‌ ପାଖକୁ ଧାଇଁଯାଇ ଦେଖିଲେ, ନିଜେ ପୋଲିସ୍‌ ସାହେବ ଓ ଚାରିଜଣ ପୋଲିସ୍‌ ଅଫିସର ସେଥିରେ ଅଛନ୍ତି । ରାମବାବୁଙ୍କୁ ଦେଖି ସାହେବ ଓ ଅଫିସରମାନେ ଖୁବ୍‌ ଖୁସି ହୋଇ କରମର୍ଦ୍ଦନ କଲେ ଏବଂ କଥାବାର୍ତ୍ତା ହେବାକୁ ଆରମ୍ଭ କରୁ କରୁ ଦୂରରୁ ଗୋଟାଏ କାର୍‌ ଦ୍ରୁତବେଗରେ ଆସୁଥିବାର ଦେଖିଲେ । ଡକାଏତି ଗୋଳମାଳ ଶୁଣି ରାମବାବୁ ଦାରୋଗାଙ୍କୁ ଡାକିଆଣିବାକୁ କାର ପଠାଇଥିଲେ ବୋଲି କହିବାରୁ ସାହେବ ଖୁବ୍‌ ଖୁସି ହୋଇଗଲେ । ଚାହୁଁ ଚାହୁଁ କାର୍‌ ଆସି ପହଞ୍ଚିଲା । ଦାରୋଗା ଓ ଚାରିଜଣ ସିପେଇ ତା’ ଭିତରେ ସଙ୍ଗୀନ୍‌ ଧରି ବସିଥିଲେ । ସାହେବ ସଂକ୍ଷେପରେ ସମସ୍ତ ଖବର ଦାରୋଗା ଓ ରାମହରିବାବୁଙ୍କୁ ଜଣାଇଦେଲେ । କାଠ ପଥରଦ୍ୱାରା ସଦର ରାସ୍ତାକୁ ଏପରି ବନ୍ଦକରି ଦିନରେ ଡକାଏତି କରିବାକୁ ଚେଷ୍ଟା କରିବା କମ୍‌ ଦୁଃସାହସର କଥା ନୁହେଁ । କାର୍‌, ଲରୀ ଆସି ଅବରୁଦ୍ଧ ରାସ୍ତାରେ ବନ୍ଦ ହୋଇଯିବା ମାତ୍ରକେ ଡକାଏତମାନେ ସେମାନଙ୍କୁ ଆକ୍ରମଣ କରିବାକୁ କିଆବଣ ଭିତରୁ ଧାଇଁ ଆସିଲେ । ହଠାତ୍‌ ସାହେବ ପିସ୍ତଲ ଫୁଟାଇ ଠିଆ ହୋଇ ଯିବାକୁ ସେମାନଙ୍କୁ ହୁକୁମ ଦେଲେ । ମାତ୍ର ସେମାନେ ଆଦେଶ ନ ମାନି ମାଡ଼ିଆସିବାରୁ ସଙ୍ଗେ ସଙ୍ଗେ ଗୁଳି କରିବାକୁ ସିପେଇମାନଙ୍କୁ ଆଦେଶ ଦିଆଗଲା । ସିପେଇମାନେ ଚାରି ଗୁଳି ଫୁଟାଇ ସେମାନଙ୍କ ଭିତରୁ ଚାରିଜଣଙ୍କ ଗୋଡ଼ ଖଣ୍ଡିଆ କରି ତଳେ ପକାଇ ଦେବା ମାତ୍ରକେ ବାକି ଥିବା ଆଠଜଣ ଠେଙ୍ଗାମାନ ତଳେ ଥୋଇ ଭୟରେ ହାତଯୋଡ଼ି ଠିଆହେଲେ । ସଙ୍ଗେ ସଙ୍ଗେ ସମସ୍ତଙ୍କୁ ଗ୍ରେପ୍ତାର କରାଗଲା ଏବଂ ଲରୀରେ ନେଇ ଆବଦ୍ଧ କରି ରଖାଗଲା । ତା’ ପରେ ସିପାଇମାନେ ରାସ୍ତାଟା ସଫା କରିଦେଇ ଆସାମୀମାନଙ୍କୁ ଧରି କଟକ ଯାଇଛନ୍ତି । ସେମାନେ ଫେରିଲେ ସମସ୍ତେ ଚାଳିଶ ମାଇଲ ଦୂରରେ ଗତ ରାତ୍ରିରେ ଘଟିଥିବା ଭୟଙ୍କର ଚୋରି କେଶ୍‌ ତଦନ୍ତ କରିବାକୁ ଯିବେ । ଦାରୋଗାଙ୍କ ପ୍ରଶ୍ନର ଉତ୍ତରରେ ସାହେବ କହିଲେ ସେ ଡକାଏତ ଗୁଡ଼ାକ କୌଣସି ଜବାବ ଦେଲେ ନାହିଁ । ମୁଁ ସଦରକୁ ଫେରିଲେ ଅବଶ୍ୟ ସେ ବିଷୟରେ ବ୍ୟବସ୍ଥା କରିବି ।’’

 

ରାମବାବୁଙ୍କ ଆଦର ଅଭ୍ୟର୍ଥନାରେ ସାହେବ ଓ ତାଙ୍କ ସହକର୍ମୀମାନେ ସନ୍ତୁଷ୍ଟ ହୋଇ ତାଙ୍କ ଘରକୁ ଗଲେ ଏବଂ ବିଶିଷ୍ଟ ଭଦ୍ରବ୍ୟକ୍ତିମାନଙ୍କ ପାଇଁ ରୁଚିକର ଭାବରେ ସୁସଜ୍ଜିତ ହୋଇଥିବା ବୈଠକ ଘରେ ଯାଇ ବସିଲେ । ସେମାନଙ୍କ ସତ୍କାରର ଯେଉଁ ବ୍ୟବସ୍ଥା ହେଲା ତହିଁରେ ସାହେବ ଓ ଅଫିସରମାନେ ଅତିଶୟ ମୁଗ୍ଧ ହୋଇଗଲେ । ରାମବାବୁ ତାଙ୍କ ପ୍ରତି ଯେଉଁ ଅପ୍ରୀତିକର ଘଟନା ସବୁ ଏ ଷ୍ଟେଟ ପକ୍ଷରୁ ଘଟିଯାଇଛି ଏବଂ ସେ ଦିନ ମଧ୍ୟ ଘଟିବ ବୋଲି ଯେଉଁ ଆଶଙ୍କା ଅଛି ଏବଂ ଦାରୋଗାଙ୍କ ସୌଜନ୍ୟ ହେତୁ ସେ ଯେପରି ଏତେଦୂର ଅଗ୍ରସର ହୋଇ ପାରିଛନ୍ତି, ତାହା ସବୁ ଗୋଟି ଗୋଟି କରି ସାହେବଙ୍କୁ ଜଣାଇଲେ । ସାହେବ ଧୀର ସ୍ଥିର ଭାବରେ ସମସ୍ତ ଶୁଣିସାରି ମେଜ ବାଡ଼େଇ ଚିତ୍କାର କରି କହିଲେ, ‘‘Oh, now I find the clue, the cause of the decoity, Dam" ! ଅର୍ଥାତ୍‌ ‘ଏତେବେଳକେ ମୁଁ ଅସଲ ସୂତ୍ର, ସେ ଡକାଏତୀର କାରଣଟା ପାଇଲି ।’ ଏହା କହି ସେ ଗମ୍ଭୀର ହେବାରୁ କୌଣସି ଅଫିସର ତାଙ୍କୁ ସାହସ କରି କିଛି ପଚାରି ପାରିଲେ ନାହିଁ । ତା’ ପରେ ସେ ଦାରୋଗାଙ୍କୁ ବହୁତ ଧନ୍ୟବାଦ ଦେଲେ ଏବଂ ରାମବାବୁଙ୍କ ପ୍ରତି ସେ ଯେଉଁ ସହାନୁଭୂତି ଦେଖାଇ ତାଙ୍କୁ ଗୋଟାଏ ଘୋର ସଙ୍କଟରୁ ରକ୍ଷା କରିଛନ୍ତି, ଏ କଥା ସେ ବେଶ ମନେ ରଖିବେ ବୋଲି ଜଣାଇଲେ । ତା’ ପରେ ସେମାନେ ରାମ ବାବୁଙ୍କ ସମସ୍ତ ବୈବାହିକ ଅନୁଷ୍ଠାନମାନ ଦେଖି ଅତିଶୟ ପ୍ରୀତ ହେଲେ । ଦାରୋଗା ନିଜର ସିପେଇ ଦଳସହ ରାମ ବାବୁଙ୍କ କାର୍ଯ୍ୟ ଶେଷ ପର୍ଯ୍ୟନ୍ତ ସେଠାରେ ଅବସ୍ଥାନ କରି ନିରାପଦରେ ସମସ୍ତ କାର୍ଯ୍ୟ ଯେପରି ନିର୍ବାହିତ ହେବ ତା’ ପାଇଁ ବ୍ୟବସ୍ଥା କରିବେ ବୋଲି ସାହେବ ତାଙ୍କୁ ଆଦେଶ ଦେଲେ । ଦାରୋଗା ସେଥିରେ ସମ୍ମତି ଜଣାଇ ସାଲିଉଟ୍‌ କଲେ । ଏପରି ଅପ୍ରତ୍ୟାଶିତ ସହାନୁଭୂତି ପାଇଁ ରାମବାବୁ ସାହେବଙ୍କୁ ହୃଦୟର ଅଶେଷ କୃତଜ୍ଞତା ଜଣାଇଲେ । ଏ ସମୟରେ ପୋଲିସ୍‌ ଲରୀ ଆସି ପହଞ୍ଚି ଯିବାରୁ ସାହେବଙ୍କ ଦଳ ସେଠାରୁ ବିଦାୟ ହୋଇଗଲେ ।

 

ଠିକ୍‌ ବାରଟା ବେଳକୁ ବମ୍ବାଜି ବାଣ ଗୁଡ଼ୁମ୍‌ ଗୁଡ଼ୁମ୍‌ ହୋଇ ଫୁଟିଲା । ତହିଁରୁ ସୂଚନା ମିଳିଲା ଯେ ବରଯାତ୍ରୀମାନେ ଦୁଇମାଇଲ ଠାରେ ଆସି ପହଞ୍ଚି ଗଲେଣି । ତା ପରେ ଗୋଟିଏ ସୁସଜ୍ଜିତ ଲରୀ ଆସି କିଆକଣ୍ଟା ଉପକଣ୍ଠରେ ପହଞ୍ଚିଲା । ତହିଁରେ କଟକର ବିଖ୍ୟାତ ବ୍ୟାଣ୍ଡ ଦଳ ବସି ମଧୁର ସ୍ୱରରେ ଯନ୍ତ୍ରମାନ ବଜାଇ କର୍ଣ୍ଣ ମନ ଆମୋଦିତ କରି ଦେଉଥିଲେ । ତା’ ପରେ ରାଧାପ୍ରସନ୍ନ ବାବୁ ଓ ତାଙ୍କ କଲେଜ ବନ୍ଧୁମାନଙ୍କୁ ଧରି ଚାରିଟା କାର୍‌ଆସି ସେଠାରେ ପହଞ୍ଚିଲା । ସମସ୍ତ କାର୍‌ ଆଧୁନିକ ରୁଚିରେ ସୁସଜ୍ଜିତ ହୋଇଥିଲେ । ତା’ ପରେ ଦୁଇଟା ବୃହତ୍‌ ଲରୀରେ ଆଧୁନିକ, ମଧ୍ୟମ ଓ ପ୍ରାଚୀନ ଯୁଗୀୟ ରୁଚିସମ୍ପନ୍ନ ଯାତ୍ରୀମାନେ ସେଠାରେ ପହଞ୍ଚିଲେ । ପୂର୍ବ ବ୍ୟବସ୍ଥା ଅନୁସାରେ ସେଠାରେ ଦେଶୀୟ ହାଡ଼ି ଓ ଡମ ବାଜାବାଲା ପ୍ରସ୍ତୁତ ହୋଇଥିଲେ । ସମସ୍ତେ ଏକସଙ୍ଗେ ଶୋଭାଯାତ୍ରା କରି କିଆକଣ୍ଟା ଭିତର ଦେଇ ଯିବାକୁ ଲାଗିଲେ । ଏ ଉତ୍ସବ ଦେଖିବା ପାଇଁ ବହୁତ ଦୂର ଗ୍ରାମମାନଙ୍କରୁ ବହୁଲୋକ ଆସି ଜମା ହୋଇଥିଲେ । ତହିଁ ସଙ୍ଗେ କିଆକଣ୍ଟାର ଲୋକ ମିଶିଯିବାରୁ ଜନତା ଏତେ ବଢ଼ିଗଲା ଯେ ଆଉ ସୋରିଷଟିଏ ପକାଇବାକୁ ସ୍ଥାନ ମିଳିଲା ନାହିଁ । ସେ ବିରାଟ ଜନତାକୁ ଆୟତ୍ତାଧୀନରେ ରଖି ତହିଁରେ ଶାନ୍ତି ସ୍ଥାପନ କରିବାକୁ ବହୁତ ପୋଲିସ ବ୍ୟବସ୍ଥା ହୋଇଥିଲା । ସମସ୍ତେ କ୍ରମେ କ୍ରମେ ରାମହରିବାବୁଙ୍କ ଗୃହାଭିମୁଖେ ଅଗ୍ରସର ହେଲେ । ରାମବାବୁଙ୍କ କନ୍ୟାଯାତ୍ରୀ ଦଳ ମନୋରମ ଶୋଭାଯାତ୍ରା କରି ବରଯାତ୍ରୀମାନଙ୍କୁ ଅର୍ଦ୍ଧପଥରେ ଭେଟିବାକୁ ଅଗ୍ରସର ହେଲେ । ଖଣ୍ଡେ ଦୂରରେ ଉଭୟ ପକ୍ଷର ଯେଉଁ ମିଳନ ହେଲା, ସେଠାରେ ପରସ୍ପର ମଧ୍ୟରେ ପ୍ରେମାଲିଙ୍ଗନ ଓ ସସ୍ନେହ କୋଳାକୋଳିରେ କିଛି ସମୟ କଟିଗଲା । ତା’ ପରେ ସମସ୍ତେ ଏକସଙ୍ଗେ ବିବାହ ବେଦିକା ଆଡ଼କୁ ଅଗ୍ରସର ହେଲେ । ଏ ମିଳନ ସ୍ଥାନରେ ଗଣ୍ଡଗୋଳ କରି ବରଯାତ୍ରୀମାନଙ୍କ ତାଳୁ ଫଟାଇଦେବାକୁ ଶାସନର ଯେଉଁ କୌରବ ବୀରମାନେ ଆଗରୁ ସଜ୍ଜିତ ହୋଇଥିଲେ, ସେମାନେ ପୋଲିସ ଦଳର ନାଲିପଗଡ଼ି ଓ ରାଇଫଲ୍‌ ବନ୍ଧୁକ ଦେଖି ସେ ଦୁନିଆ ଛାଡ଼ି କୁଆଡ଼େ ଅନ୍ତର୍ହତ ହୋଇଗଲେ ଯେ ପନ୍ଦରଦିନ ଯାଏ ସେମାନଙ୍କର ପତ୍ତା ମିଳିଲା ନାହିଁ । ରାତ୍ରିର ଘରପୋଡ଼ି ଦଳ ମଧ୍ୟ ପୋଲିସର ଏପରି ବିରାଟ ବିଭୀଷିକାରେ ତ୍ରସ୍ତ ହୋଇ ସେ ଅଞ୍ଚଳ ଛାଡ଼ି ଦିନାକେତେ ଯାଏ କୁଆଡ଼େ ଅଦୃଶ୍ୟ ହୋଇଗଲେ ।

 

ବିବାହ କାର୍ଯ୍ୟ ସୁରୁଖୁରୁରେ ସରିଗଲା । ବସ୍ତ୍ରାବୃତା ଅବଗୁଣ୍ଠନବତୀ ଚାନ୍ଦମଣିର ଚମ୍ପକକଢ଼ି ସଦୃଶ ଅଙ୍ଗୁଳି ଯେତେବେଳେ ରାଧାପ୍ରସନ୍ନଙ୍କ କରସଙ୍ଗେ ମିଳିତ ହେଲା ସେତେବେଳେ ଉଭୟଙ୍କ ଦେହରେ ଗୋଟାଏ ଅଭାବନୀୟ ବିଦ୍ୟୁତ୍‌ପ୍ରବାହ ଖେଳିଗଲା । ସେ ମୁହୂର୍ତ୍ତ ଉଭୟଙ୍କ ପକ୍ଷରେ ସ୍ୱର୍ଗୀୟ ଆନନ୍ଦରେ ଭରା । ସେ ଯୁଗଳ ଯେତେବେଳେ ବିବାହ ଶେଷରେ ବେଦିରୁ ବିଦାୟ ହେଲେ, ସେ ମୁହୂର୍ତ୍ତରେ ଦର୍ଶକମାନେ ସେ ଶୋଭା ଦେଖି ଆନନ୍ଦରେ ଉନ୍ମତ୍ତ ହୋଇଗଲେ-। ସମସ୍ତଙ୍କ ହର୍ଷ ଆନନ୍ଦ ମିଶା ଆଶୀଷଧ୍ୱନିରେ ସେ ବିବାହସ୍ଥଳୀ ଶବ୍ଦାୟମାନ ହୋଇଉଠିଲା ।

 

ବରଯାତ୍ରୀମାନଙ୍କର ସଂଖ୍ୟା ଷାଠିଏରୁ କମ୍‌ ନୁହେଁ । ରାଧାପ୍ରସନ୍ନଙ୍କ ବନ୍ଧୁ ପନ୍ଦରଜଣ କଲେଜ ଛାତ୍ର, ବିନୋଦବାବୁଙ୍କର ବନ୍ଧୁ ଓକିଲ, ଶିକ୍ଷକ, ପ୍ରଫେସର ଓ କଂଗ୍ରେସର ଉଚ୍ଚପଦସ୍ଥ ନେତା କେତେଜଣ ମିଶି ସମୁଦାୟ କୋଡ଼ିଏ । ଏହା ଛଡ଼ା ତାଙ୍କର ଜ୍ଞାତି କୁଟୁମ୍ବ ଏବଂ ବାରିକ ଚାକର ଦ୍ୱାରା ଗୋଟିଏ ରୁଚିକର ବରଯାତ୍ରୀଦଳ ଗଠିତ ହୋଇଥିଲା । ଏମାନେ ଖୁବ୍‌ ଉଚ୍ଚକୋଟିର ବ୍ରାହ୍ମଣ । ଆଭିଜାତ୍ୟର ଶ୍ରେଷ୍ଠ ସମ୍ପଦ ସେମାନଙ୍କଠାରେ ପରିପୂର୍ଣ୍ଣ । ସେମାନେ ଯେପରି ଗୁଣବାନ୍‌, ସେପରି ବିଦ୍ୱାନ, ସେହିପରି ମାନବିକ ମର୍ଯ୍ୟାଦାର ବିଭିନ୍ନ ସ୍ତରରେ ମଣ୍ଡିତ । ସେମାନେ ଆଳାପନା ପାଇଁ ଯେତେବେଳେ ନଟବରପୁରର ବ୍ରାହ୍ମଣମାନଙ୍କୁ ନିମନ୍ତ୍ରଣ କଲେ, ବରଯାତ୍ରୀଗୁଡ଼ାକ ନୀଚ, ଅବୈଦିକ ଓ ବଣବୁଲା ଡାଳପତ୍ରଖିଆ ପଣ୍ଡା ଥିବାରୁ ସେମାନେ ଏ ନିମନ୍ତ୍ରଣ ଗ୍ରହଣ କଲେ ନାହିଁ । କାରଣ ‘ସଂସର୍ଗତା ଦୋଷାଗୁଣା ଭବନ୍ତି’ । ସେମାନଙ୍କ ସଂସର୍ଗକୁ ଗଲେ ତାଙ୍କ ବଣୁଆ, ମହକିଆ ଗନ୍ଧରେ ମହୁଲୀ ମଦନିଶା, ଅଫିମଗୁଳା ଓ ଗଞ୍ଜେଇ ନିଶାମାନ କୁଆଡ଼େ ଛାଡ଼ିଯିବ । ସେମାନଙ୍କ ଭେଁ ଭେଁ ରଡ଼ିରେ କାନ ଅତଡ଼ା ପଡ଼ିଯିବ ଏବଂ ରାତ୍ରିର ସୁଷୁପ୍ତି ସମୟରେ ତା’ର ଗୋଟାଏ ଉତ୍କଟ ପ୍ରତିଧ୍ୱନି ହେବ । ତେଣୁ ବରଯାତ୍ରୀମାନେ ସ୍ଥାନୀୟ କରଣ ଓ ଖଣ୍ଡାୟତ ଭଦ୍ରଲୋକମାନଙ୍କୁ ନିମନ୍ତ୍ରଣ କରି ସେମାନଙ୍କ ସଙ୍ଗେ ମଧୁର ଆଳପନା କଲେ ଏବଂ ସେମାନଙ୍କ ସଙ୍ଗେ ହସ ଖେଳ ଆମୋଦ କରି ଦିନଟି କଟାଇଦେଲେ ।

 

ସନ୍ଧ୍ୟାରେ ଫୁଲସଭାର ଆୟୋଜନ ହେଲା । ଏହା ଗୋଟାଏ ପ୍ରକାର ସାମାଜିକ ମଜ୍‌ଲିସ୍‍ । ସରଳତାପୂର୍ଣ୍ଣ ବୈଦିକ ନୀତିରେ ସୁନିୟନ୍ତ୍ରିତା । ମାତ୍ର ବୈଦିକ ନୀତିକୁ ରକ୍ଷା କରି ତହିଁରେ କିଛି ଆଧୁନିକତା ଓ ଆଡ଼ମ୍ବର ପ୍ରୟୋଗ କଲେ କୌଣସି କ୍ଷତି ନାହିଁ । ଆଧୁନିକ ରୁଚିସମ୍ପନ୍ନ ଅନେକ ଲୋକ ଅନେକ ସ୍ଥାନରେ ଏପରି ବ୍ୟବସ୍ଥା କଲେଣି । ତାହା ମଧ୍ୟ ସାଧାରଣରେ ବିଶେଷ ଆଦୃତ ହେଲାଣି । ରାମହରିବାବୁ ଫୁଲସଭା ସ୍ଥାନକୁ ବିବିଧ ଆଡ଼ମ୍ବରରେ ସଜାଇ ବିହୁବିଧ ଆଲୋକମାଳା ଫଳଫୁଲରେ ଭୂଷିତ କରିଥିଲେ । ଦରି, ସତରଞ୍ଜି ଓ ଗାଲିଚା ଚାରିଆଡ଼େ ବିଛା ହୋଇଥିଲା । ବରଯାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ, ସ୍ଥାନୀୟ ନିମନ୍ତ୍ରିତ ବ୍ରାହ୍ମଣ, କରଣ ଓ ଖଣ୍ଡାଏତମାନଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ଏବଂ ତାଙ୍କ ନିଜର ଜ୍ଞାତି କୁଟୁମ୍ବ ଓ ଦୂରାଗତ ନିମନ୍ତ୍ରିତ ବ୍ୟକ୍ତିମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ସ୍ଥାନ ନିରୂପିତ ହୋଇଥିଲା । ବରକନ୍ୟା ସଭାସ୍ଥଳରେ ପଶ୍ଚିମାଞ୍ଚଳରେ ବସି ଯେପରି ସହଜରେ ସମସ୍ତଙ୍କର ନେତ୍ରସମ୍ପଦ ହୋଇପାରିବେ, ତା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଥିଲା ।

 

ଜମିଦାରୀର ଯେଉଁ ମଫସଲ ବ୍ରାହ୍ମଣମାନେ ନିମନ୍ତ୍ରଣ ରକ୍ଷା କରିଥିଲେ, ମାତ୍ର ନଟବରପୁର ଶାସନସ୍ଥ ବଡ଼ପଣ୍ଡାମାନଙ୍କୁ ଭୟ କରୁଥିଲେ, ସେମାନେ ମଫସଲରେ ଥାଇ ପୂର୍ବଦିନ ଶୁଣିବାକୁ ପାଇଥିଲେ ଯେ ନଟବରପୁରର ସମସ୍ତେ ରାମବାବୁଙ୍କ ମଙ୍ଗଳ ଭୋଜନରେ ଯୋଗଦେଇ ଅଉଡ଼ିମାନ ମାରି ଯାଇଥିଲେ । ତେଣୁ ସେମାନେ ବୁଝି ପାରିଲେ ଯେ ଗୋଟାଏ କିଛି ସାମାଜିକ ଅନ୍ତରାୟ ଥିଲା, ତାହା ଭାଜି ଯାଇଛି । ସୁତରାଂ ସମସ୍ତେ ଆଗ୍ରହରେ ଆସି ରାମବାବୁଙ୍କ ଦ୍ୱାରସ୍ଥ ହେଲେ ଏବଂ ବିଶେଷ ଭାବରେ ଅଭ୍ୟର୍ଥିତ ହୋଇ ଫୁଲସଭାରେ ଯୋଗଦେଲେ । ଶାସନର ମହାବୀରମାନେ ଏ ସମ୍ବାଦ ଆଗରୁ ପାଇ ବଡ଼ ହରବରରେ ପଡ଼ିଲେ ଏବଂ ସେମାନଙ୍କ ପ୍ରତିକାରର କୌଣସି ଫଳ ହେଲା ନାହିଁ ବୋଲି ବୁଝିପାରି ରାଗରେ ଜଳିଗଲେ । ସେମାନଙ୍କର ଇଚ୍ଛା ହେଲା, ସୁବିଧା ପାଇଲେ ସେମାନେ ଅବିଳମ୍ବେ ଯାଇ ମଫସଲର ସେ ପେଟୁ ଲାଙ୍ଗୁଡ଼ା ଗୁଡ଼ାଙ୍କ ମୁଣ୍ଡ ଭାଙ୍ଗି ଦିଅନ୍ତେ । ତେଣୁ ସେମାନେ ଅବିଳମ୍ବେ ଦୁଇଜଣ ଯୁବକଙ୍କୁ ବରାଦ ଦେଲେ ଯେ ସେମାନେ ସେହି ମୁହୂର୍ତ୍ତରେ ରାମହରିର ବିବାହସ୍ଥଳକୁ ଯାଇ ଯେଉଁ ମୋଫସଲ ବ୍ରାହ୍ମଣମାନେ ସେଠାକୁ ଆସିଥିବେ ତାଙ୍କର ନାମ ତାଲିକା କରି ଆଣିବେ । ଯୁବକ ଦୁଇଜଣ କାଗଜ ପେନ୍‌ସିଲ ଧରି ବାହାରି ପଡ଼ିଲେ ଏବଂ ରାମହରିଙ୍କ ବିବାହ ସ୍ଥଳରେ ବହୁ ଦୂରରେ ରହି ଯେଉଁ ବ୍ରାହ୍ମଣମାନଙ୍କୁ ଦେଖିଲେ, ସେମାନଙ୍କର ନାମ ତାଲିକା କଲେ । ବ୍ରାହ୍ମଣମାନେ ଯୁବକଦ୍ୱୟଙ୍କ ନାମ ତାଲିକାର କାରଣ ବୁଝିପାରି ସେମାନଙ୍କୁ ମୁହେଁ ମୁହେଁ ଜଣାଇ ଦେଲେ, ‘‘ଯେଉଁମାନେ ଏଥିପାଇଁ ତୁମ୍ଭଙ୍କୁ ପଠାଇଛନ୍ତି, ସେମାନଙ୍କୁ ଯାଇ କହ, ରାମବାବୁ ଯେବେ ଏପରି ଅଶୁଦ୍ଧ ଅପବିତ୍ର ଲୋକ, ତେବେ ତାଙ୍କ ମଙ୍ଗଳଯାକ ଭୋଜିଟା ପବିତ୍ର ହେଲା କିପରି ? ତୁମେ ଯେପରି ତାଙ୍କର ନିମନ୍ତ୍ରଣ ରକ୍ଷା କରି ସେ ଭୋଜିରେ ଆସି ଆସନ ଭିଡ଼ିଦେଲ, ଆମ୍ଭମାନଙ୍କ ସଙ୍ଗେ ପରାମର୍ଶ ସୁଦ୍ଧା କଲ ନାହିଁ, ଆମ୍ଭେମାନେ ସେପରି ନିମନ୍ତ୍ରଣ ରକ୍ଷା କରି ଆସିଛୁ; ତାଙ୍କର ଆଜିକାର କାର୍ଯ୍ୟ ନିର୍ବାହ କରିବୁ । ଏଥିପାଇଁ ସେମାନେ ଆମ୍ଭ ବିରୁଦ୍ଧରେ ଯାହା କରିପାରିବେ କରନ୍ତୁ ।’’ ଏହା କହି ବ୍ରାହ୍ମଣମାନେ ରାମହରିବାବୁଙ୍କ ଘରକୁ ଆସି ତାଙ୍କ କାର୍ଯ୍ୟରେ ଆନନ୍ଦରେ ଯୋଗଦେଲେ । ଯୁବକଦ୍ୱୟ ଉତ୍‌ଫଣ ତମ୍ପ ପରି ଫଁ ଫଁ ହୋଇ ତାଲିକା ଖଣ୍ଡି ନେଇ ଶାସନ ଦରବାରରେ ପେଶ୍‌ କଲେ । ଶାସନର ଖୋଲା ଦରବାରରେ ସାଙ୍ଗେ ସାଙ୍ଗେ ନିଷ୍ପତ୍ତି ହୋଇଗଲା ଯେ, ସେମାନେ ମଫସଲର ବ୍ରାହ୍ମଣମାନଙ୍କ ସଙ୍ଗେ କୌଣସି ସମ୍ବନ୍ଧ ରଖିବେ ନାହିଁ । ସୁବିଧା ହେଲେ ରାଜାଙ୍କ ଦ୍ୱାରା ସେମାନଙ୍କୁ ନାନା ନିର୍ଯାତନା ଦିଆଇବେ ।

 

ନିର୍ଦ୍ଦିଷ୍ଟ ସମୟରେ ଫୁଲସଭା କାର୍ଯ୍ୟ ଆରମ୍ଭ ହେଲା । ରାମବାବୁ ସଭ୍ୟମାନଙ୍କୁ ଚାହିଁ ଦେଇ କିଏ ଆସିଛନ୍ତି, କିଏ ଆସି ନାହାନ୍ତି, ଦେଖିନେଲେ । ବିଦ୍ୟାଳୟରେ ଶିକ୍ଷକମାନେ ଛାତ୍ରମାନଙ୍କର ଗୋଟି ଗୋଟି ଉପସ୍ଥାନ ନେଲା ପରି, ସର୍ଦ୍ଦାରମାନେ କୁଲିମାନଙ୍କର ହାଜିରା ନେଲା ପରି କିମ୍ବା କଚେରୀରେ ହାକିମଙ୍କ ଚପରାଶିମାନେ ସପକ୍ଷମାନଙ୍କୁ ‘ହାଜର ହେ, ହାଜର ହେ’ ଡାକିଲା ପରି ରାମବାବୁ ନିଜର ସମ୍ମାନିତ ଅତିଥିମାନଙ୍କର ଗୋଟାଏ ‘ତଲାସ’ ନେଲେ ନାହିଁ କିମ୍ବା ଉଚ୍ଚସ୍ୱରରେ ସେମାନଙ୍କ ନାମ ଘଣ୍ଟାଏ ପର୍ଯ୍ୟନ୍ତ ଗୋଟି ଗୋଟି କରି ଡାକି ଗୁଡ଼ାଏ ଗଳଦ୍‌ଘର୍ମ ହେଲେ ନାହିଁ । ତା’ ପରେ ପାଦ୍ୟ ଅର୍ଘ୍ୟର ବେଳ ଆସିଲା । ତା’ର ମୌଳିକ ଅର୍ଥ ଆଗନ୍ତୁକ ଅତିଥିମାନଙ୍କର ହାତ ପାଦ ଧୋଇଦେବା, ଏଥିପାଇଁ ଗୋଟାଏ ବ୍ୟବସ୍ଥା ଚଳି ଆସୁଛି ଯେ ଗୋଟାଏ ଚଉପାଡ଼ିରେ ଗୁଆଟିଏ ଥୁଆହେବ । ତହିଁରେ ଦୁଇ ତିନି ପାତ୍ରୀ ପାଣି ଢାଳିଦେଲେ ସଭ୍ୟମାନଙ୍କର ହାତ ପାଦଧୁଆ ହେଲା ବୋଲି ଏବଂ ସେମାନେ ତଦ୍ଦ୍ୱାରା ଶୀତଳତା ଉପଭୋଗ କଲେ ବୋଲି ଧରି ନେବାକୁ ହେବ । ଏହା ଗୋଟାଏ ପ୍ରାଚୀନ ପ୍ରଥା, ନିରର୍ଥକ ଭାବରେ ଚଳି ଆସୁଛି । ସମସ୍ତଙ୍କ ପାଦକୁ ବାହାରେ ଧୋଇ ସଫା କରାଇ ଦେଲେ ତ ଯଥେଷ୍ଟ ! ସମସ୍ତେ ଆସି ଦିବ୍ୟ ନିର୍ମଳ ଆସନ ଉପରେ ବସି ସାରିଲା ପରେ ଅଯଥା ଏପରି ଗୋଟାଏ ହାତ ପାଦ ଧୋଇବା ଅଭିନୟ କରି ଲାଭ କ’ଣ ବୁଝି ହେଉ ନାହିଁ । ସଂସ୍କାର ପ୍ରୟାସୀ ରାମହରିବାବୁ ସେପରି ଗୋଟାଏ ଅଭିନୟର ଛଳନା ନକରି ଯଥାର୍ଥ କାର୍ଯ୍ୟରେ ମନଯୋଗ ଦେଲେ ।

 

କେତୋଟି ବାଳକ ବାଳିକା ରୁଚିକର ବେଶ ଭୂଷାରେ ଭୂଷିତ ହୋଇ କେହି କେହି ହାତରେ ଫୁଲମାଳ, କେହି ଚନ୍ଦନ କେହି ଅତର ଦାନ୍‍, କେହି ଗୋଲାପ ପାଶ୍‌ ଧରି ଆସିଲେ ଏବଂ ବୟୋଜ୍ୟେଷ୍ଠ ଓ ଜ୍ଞାନଜ୍ୟେଷ୍ଠମାନଙ୍କଠାରୁ ଆରମ୍ଭ କରି ସମସ୍ତଙ୍କ ଗଳାରେ ଫୁଲମାଳ ଓ ଜରିମାଳ ଗଳାଇ ଦେଲେ । କପାଳରେ ଅଗୁରୁବାସିତ ଚନ୍ଦନରେଖା କାଟିଲେ, ସମସ୍ତଙ୍କ ହସ୍ତାଙ୍ଗୁଳିରେ ଅତର ଦାନରୁ ଅତରବିନ୍ଦୁ ବୋଳିଦେଲେ ଏବଂ ଗୋଲାପାରିରୁ ଗୋଲାପଜଳ ଚାରିଆଡ଼େ ସିଞ୍ଚନ କରିଦେଲେ । ସଭାସ୍ଥଳରେ ବାୟୁ ମଣ୍ଡଳ ମନୋରମ ସୁବାସରେ ଆମୋଦିତ ହୋଇଉଠିଲା । ଶତ ଶତ ସଭ୍ୟଙ୍କ ଗଳାରେ ଲମ୍ବିଥିବା ଫୁଲମାଳ ଓ ଜରିମାଳମାନ ଶୁଭ୍ରାଲୋକରେ ଉଦ୍ଭାସିତ ହୋଇ ସମଗ୍ର ସଭାସ୍ଥଳକୁ ବସନ୍ତର ମନୋରମ ଉଦ୍ୟାନରେ ପରିଣତ କଲା, ଏଥିପାଇଁ ଏହାର ନାମ ଫୁଲସଭା, ମାତ୍ର ଆଜିକାଲି ହେଉଛି କ’ଣ ? ଗୋଟିଏ ପାତ୍ରରେ ପାଣିଆ ଚନ୍ଦନ ଟିକିଏ ରଖି ଟିପ ଆଗରେ ସଭ୍ୟମାନଙ୍କ ଉଦ୍ଦେଶ୍ୟରେ ସିଞ୍ଚି ଦିଆଯାଉଛି କିମ୍ବା କେହି କେହି ସଭ୍ୟମାନଙ୍କ କପାଳରେ ଚନ୍ଦନ ଟିପ ମାରିଦେଉଚନ୍ତି । ସେ ଟିପରେ ଚନ୍ଦନ ଅଛି କି ନା ତାହା ସଭ୍ୟମାନଙ୍କ କପାଳ ଜାଣେ, ଟିପବାଲା ଜାଣେ ଏବଂ ସେ ପାତ୍ରଟି ଜାଣେ । ତା’ପରେ ଦଶ ଆଠଟା ଫୁଲ ସଂଗ୍ରହ କରି ତାକୁ ଟିକି ଟିକି କରି ଛିଣ୍ଡାଇ ସଭାସ୍ଥଳରେ ବାୟୁମଣ୍ଡଳରେ ଉଡ଼ାଇ ଦେଉଚନ୍ତି କିମ୍ବା କେହି କେହି ଏଠେଇ ସେଠେଇ ସଭ୍ୟମାନଙ୍କ ମୁଣ୍ଡ ଉପରେ ଟିପେ ଟିପେ ଥୋଇ ଦେଉଛନ୍ତି । ଏହାହିଁ ଆଜିକାଲିର ଫୁଲସଭାର ଗୋଟିଏ ବିଶିଷ୍ଟ ନମୁନା । ଯଦି ଯଥାର୍ଥ ଫୁଲସଭା କରି ନପାରିବ ତେବେ ଏପରି ଗୋଟାଏ ଭାଣ୍ଡାମୀର ଅଭିନୟ କରି ଲାଭ କଣ ? ଏହା କଣ ଗୋଟିଏ ସାମାଜିକ ବିଶିଷ୍ଟତା ? ଏପରି ଗୋଟାଏ ଛଳନା କରିବା ଅପେକ୍ଷା ବରଂ କିଛି ନ କରିବା ଶତ ଗୁଣରେ ଶ୍ରେୟସ୍କର । ତଦ୍ଦ୍ୱାରା ହେଲେ ଗୋଟିଏ ସାମାଜିକ ମାନ ରକ୍ଷା ହୋଇପାରେ । କିନ୍ତୁ ଏପରି ଛଳନା ଦ୍ୱାରା ସମାଜର କେତେ ଅଧୋଗତି ହେଉଛି ଏବଂ ସାଧାରଣରେ ଏହା କିପରି ହାସ୍ୟାସ୍ପଦ ହେଉଛି, ତାହା ଟିକିଏ ଆଖି ଖୋଲି ଦେଖିବା ଉଚିତ ।

 

ତା’ ପରେ ବୈଦିକ ମନ୍ତ୍ରରେ ବରକନ୍ୟାଙ୍କର ଆଶୀର୍ବାଦ ଆରମ୍ଭ ହେଲା । କେତୋଟି ଯୁଗଳ ସୁନ୍ଦରୀ କଷାୟ ବସ୍ତ୍ରରେ ଭୂଷିତ ହୋଇ ହସ୍ତରେ ହରିଦ୍ରା ମିଶ୍ରିତ ତଣ୍ଡୁଳ ଥାଳିମାନ ଧରି ସଭ୍ୟମାନଙ୍କ ଆଗରେ ଧଇଲେ । ସଭ୍ୟମାନେ ତହିଁରୁ ତଣ୍ଡୁଳ କିଛି ଧରି ସାରିଲା ପରେ ଏକସମୟରେ ବୈଦିକ ମନ୍ତ୍ରରେ ଆଶୀର୍ବାଦ ଚାଲିଲା । ବୈଦିକ ମନ୍ତ୍ରସବୁ ସାଧାରଣଙ୍କର ଅବୋଧ୍ୟ ହେଲେ ମଧ୍ୟ ଖୁବ୍‌ ସୁଶ୍ରାବ୍ୟ ଅଟେ । ତାହା ଯେତେବେଳେ ତାଳେ ତାଳେ ଝଂକାରି ଉଠି ସେହିପରି ତାଳେ ତାଳେ ଅବନତ ହୁଏ, ତେତେବେଳେ ତା’ର ମାଧୁରୀ ନିରତିଶୟ ସୁଶ୍ରାବ୍ୟ ଓ ବଡ଼ ଉପଭୋଗ୍ୟ ହୋଇଉଠେ । ତା’ ମଧ୍ୟରେ ସମାବେଦର ମନ୍ତ୍ରଧ୍ୱନି ସବୁଠାରୁ ବେଶି ଚମତ୍କାର । ତାହା ଜଣେ ବକ୍ତାଙ୍କ ମୁହଁରୁ ଥରେ ଶୁଣିଲେ ଭୁଲି ହୁଏନାହିଁ । ବାରମ୍ବାର ଶୁଣିବାକୁ ଇଚ୍ଛା ହୁଏ । ଯେତେବେଳେ ଶତ ଶତ ବକ୍ତା ଏହା ଏକସ୍ୱରରେ ଉଚ୍ଚାରଣ କରନ୍ତି ସେ ସମୟର ମଧୁରତା ଅଲୌକିକ । ସେହିପରି ମନ୍ତ୍ରଧ୍ୱନିରେ ସେ ସ୍ଥଳ ଓ ତାହାର ଚୌଦିଗ ଗହ ଗହ ଶବ୍ଦରେ କମ୍ପି ଉଠିଲା । ବରକନ୍ୟାଙ୍କର ଆଶୀର୍ବାଦ ଶେଷରେ ସେହି ମନ୍ତ୍ରପୂତ ତଣ୍ଡୁଳକଣା ଅପର ମନ୍ତ୍ର ସାହାଯ୍ୟରେ ସେମାନଙ୍କର ମସ୍ତକରେ ବୃଷ୍ଟି କରାଗଲା । ଏ ବିଧି ସମାଜକୁ ଆଣି ଆଜି କେଉଁ ସ୍ତରରେ ରଖିଲାଣି ? ଶତକଡ଼ା ଜଣେ ଏହି ମନ୍ତ୍ର ଜାଣନ୍ତି ବୋଲି ମୋର ବିଶ୍ୱାସ ହେଉନାହିଁ । ସଭାସ୍ଥଳରେ ଯେଉଁ ସାମାନ୍ୟ କେତେଜଣ ଏହା ଉଚ୍ଚାରଣ କରୁଚନ୍ତି, ତାଙ୍କ ଛଡ଼ା ଅବଶିଷ୍ଟ ବ୍ୟକ୍ତିମାନେ କେହି ଥୋଡ଼ିହଲାଇ ଉଚ୍ଚାରଣର ଛଳନା କରୁଛନ୍ତି, କେହି ଥୋଡ଼ି ବନ୍ଦକରି ବସି କହୁଚନ୍ତି, କେହି ବା ନିର୍ଲ୍ଲଜ ଭାବରେ ଏଣୁତେଣୁ ଗୁଡ଼ାଏ ଧ୍ୱନିକରି ବୈଦିକ ମନ୍ତ୍ର ସଙ୍ଗେ ମିଶାଇ ଗୋଟାଏ ହାସ୍ୟାସ୍ପଦ ଅଭିନୟ କରୁଛନ୍ତି । ଏପରି ଗୁଡ଼ାଏ ଭାଣ୍ଡାମୀ, ଛଳନା ଓ ବଜାରୀ ବ୍ୟବହାର ଦ୍ୱାରା ସମାଜର ଆସନ ଆଜି କେଉଁଠି ଆସି ପହଞ୍ଚିଲାଣି ତାହା କ’ଣ ସମାଜ ରକ୍ଷକମାନେ ଦେଖି ପାରୁ ନାହାନ୍ତି ? ଏପରି ହାସ୍ୟାସ୍ପଦ ବ୍ୟବସ୍ଥା ଅପେକ୍ଷା ବରଂ ଏହାକୁ ସମୂଳେ ଲୋପ କରିଦେବା ଉଚିତ । ତାହାହେଲେ ନୀରବତା ଅଜ୍ଞତାକୁ ଅନେକ ପରିମାଣରେ ଢାଙ୍କି ରଖି ପାରିବ । କାଳିଦାସ ପାଣ୍ଡିତ୍ୟର ଛଳନା କରି ମଉନ ହୋଇ ପାରିଥିଲେ ବୋଲି ରାଜକନ୍ୟାଙ୍କୁ ବିବାହ କରିଥିଲେ । ଦିନେହେଲେ କେହି ବିଚକ୍ଷଣ ବ୍ୟକ୍ତି ବାହାରି ଏହାର ଆମୂଳ ସଂସ୍କାର କରିବେ ଏବଂ ଏପରି ହାସ୍ୟାସ୍ପଦ ବ୍ୟବସ୍ଥାଗୁଡ଼ିକୁ ନୂଆ ଛାଞ୍ଚରେ ଢାଳି ସମସ୍ତଙ୍କ ପକ୍ଷରେ ରୁଚିକର ହେବା ଭଳି ଗୋଟିଏ ସୁନ୍ଦର ବ୍ୟବସ୍ଥା ପ୍ରବର୍ତ୍ତିତ କରିବେ ।

 

ତା’ ପରେ ବରକନ୍ୟାଙ୍କର ମଙ୍ଗଳ କାମନା କରି କେତୋଟି ସୁନ୍ଦର ସଂଗୀତ ହାର୍ମୋନିୟମ ସାହାଯ୍ୟରେ ବୋଲା ହେଲା ଏବଂ ଛାପା ହୋଇଥିବା ବର୍ଣ୍ଣିକା ସବୁ ସଭାସ୍ଥଳରେ ବଣ୍ଟା ହେଲା । କେତେକ ସଭ୍ୟ ଠିଆହୋଇ ସଂସ୍କୃତ ଓ ଓଡ଼ିଆରେ ସୁନ୍ଦର ହୃଦୟଗ୍ରାହୀ ଭାଷଣମାନ ଦେଲେ । ତହିଁରେ ରାଜାଙ୍କ ପ୍ରତି କଟୁ ସମାଲୋଚନା, ରାମହରିବାବୁଙ୍କ ବିପୁଳ ଧୈର୍ଯ୍ୟପ୍ରତି ପ୍ରଶଂସା ଓ ସମାଜର ଅଧୋଗତି ପ୍ରତି ଦୁଃଖପ୍ରକାଶ ପୂରି ରହିଥିଲା । କୌତୁକପ୍ରିୟ ବରପିତା ବିନୋଦବାବୁ ଗୋଟିଏ କୌତୁକପୂର୍ଣ୍ଣ ସୁନ୍ଦର ଅଭିଭାଷଣ ଦେଇ ସଭ୍ୟମାନଙ୍କୁ ହସାଇ ହସାଇ ଗଡ଼ାଇ ଦେଇଥିଲେ । ଶେଷରେ ରାମହରିବାବୁ ନିଜର ପାଣ୍ଡିତ୍ୟପୂର୍ଣ୍ଣ ଅଭିଭାଷଣରେ ବରଯାତ୍ରୀମାନଙ୍କୁ ସେମାନଙ୍କର ସରଳ ମଧୁର ବ୍ୟବହାର ପାଇଁ ଧନ୍ୟବାଦ ଦେଇ, ମଫସଲର ବ୍ରାହ୍ମଣମାନେ ତାଙ୍କପ୍ରତି ସୌଜନ୍ୟ ଦେଖାଇ ସାମାଜିକ ଧମକକୁ ଯେ ବେଖାତିର କରିଥିଲେ, ତା’ ପାଇଁ ସେମାନଙ୍କପ୍ରତି କୃତଜ୍ଞତା ଜଣାଇ ଏବଂ ନଟବରପୁର ଶାସନର ମହାଜନମାନେ ନୀଚ ଶିକ୍ଷାରେ ଚାଳିତ ନହୋଇ ଟିକିଏ ବିବେକର ଅନୁଶାସନ ମାନିବାକୁ ଉପଦେଶ ଦେଇ ସଭାକାର୍ଯ୍ୟ ଶେଷ କରିଥିଲେ ।

 

ପ୍ରାଚୀନ କାଳରେ ଏ ବ୍ୟବସ୍ଥା ଅତି ଚମତ୍କାର ଭାବରେ ଅନୁସୃତ ହେଉଥିଲା ବୋଲି ମନେ ହୁଏ । ଶାସ୍ତ୍ରଜ୍ଞ, ପୁରାଣଜ୍ଞ ଓ ବେଦଜ୍ଞ ମହାପୁରୁଷମାନେ ଏପରି କାର୍ଯ୍ୟରେ ଏକତ୍ର ହେଉଥିଲେ । ସେମାନଙ୍କର ପ୍ରତି ‘ହାଇ’ରୁ ଶାସ୍ତ୍ରପୁରାଣ ବାହାରି ଚାରିଆଡ଼କୁ ଆମୋଦିତ କରି ଦେଉଥିଲା । ସେମାନେ ଏଭଳି ମିଳନରେ ଶାସ୍ତ୍ରାଦିର ଅଲୌକିକ ଚର୍ଚ୍ଚା କରୁଥିଲେ ଏବଂ ତଦ୍ଦ୍ୱାରା ନିଜ ନିଜର ବିରାଟ ପାଣ୍ଡିତ୍ୟର ପରାକାଷ୍ଠା ପ୍ରଦର୍ଶନ କରୁଥିଲେ । ଆଜିକାଲି କେହି ଗୋଟାଏ ଗୋଟାଏ ଆଶୀର୍ବାଦ ଶ୍ଳୋକ ପଢ଼ୁଥିଲେ ମଧ୍ୟ ଆଶୀର୍ବାଦ ଦକ୍ଷିଣାର ଝଣ ଝଣ ଶବ୍ଦରେ ତାହା କୁଆଡ଼େ ଲୋପ ହୋଇଯାଉଛି । ସ୍ଥାନେ ସ୍ଥାନେ ଶ୍ଳୋକର ନାମ ପର୍ଯ୍ୟନ୍ତ ନାହିଁ । ଖାଲି ଦକ୍ଷିଣା ପାଇଁ ବାଡ଼ିଆ ବାଡ଼େଇ ଚାଲିଛି । ଆଜି ବ୍ରାହ୍ମଣ ବିଚାରିଲାଣି, ସେ ଖାଲି ମୁଠାଏ ଖାଇ ଦି’ପଇସା ଦକ୍ଷିଣା ନେବାକୁ ଧାଇଁଛି । ପାଠ ଶାସ୍ତ୍ରରୁ ତାକୁ କଅଣ ମିଳିବ ? ଆଜି ବ୍ରାହ୍ମଣ ଅବନତିର ଶେଷ ସୀମାରେ । ଏହା ତା’ର ଚୂଡ଼ାନ୍ତ ଅଧୋଗତିର ସମୟ । ସେ ନିଜକୁ ତଥା ତା’ର ସମାଜକୁ ଅଧୋଗତିରୁ ରକ୍ଷା କରିବାକୁ ସମ୍ପୂର୍ଣ୍ଣ ଅକ୍ଷମ । ସେ ନିଜର କର୍ତ୍ତବ୍ୟ ପଥ ହୁଡ଼ି ଖାଲି ଭାଣ୍ଡାମୀ ଓ ଛଳନାର ଆଶ୍ରୟ ନେଲାଦିନୁ ସବୁ ହରାଇ ବସିଛି । ସଂସ୍କାରର ଗୋଟାଏ ବିରାଟ ବୋମା ଅଚିରେ ଫୁଟି ଏ ଅବସ୍ଥାକୁ ଲୋପ ନ କଲାଯାଏ ବୋଧହୁଏ ଏ ହାସ୍ୟାସ୍ପଦ ବ୍ୟବସ୍ଥାସବୁ ଚାଲୁ ରହିଥିବ ।

 

ତା’ପରେ ଭୋଜନର ବ୍ୟବସ୍ଥା ଅତି ଚମତ୍କାରଭାବରେ ଶେଷହେଲା । ସେଦିନ ସହସ୍ରାଧିକ ସ୍ତ୍ରୀ ପୁରୁଷ ରାମହରିବାବୁଙ୍କ ଆତିଥ୍ୟ ଭୋଗକରି ଅନ୍ତରର ଆଶିଷ ତାଙ୍କପ୍ରତି ଢାଳି ଦେଇଥିଲେ । ପରଦିନ ବରଯାତ୍ରୀମାନେ ବହୁ ସମ୍ମାନରେ ବିଦା ହେଲେ । କେବଳ ରାଧା ପ୍ରସନ୍ନ ଓ ତାଙ୍କର ଦୁଇ ଚାରିଜଣ ବନ୍ଧୁ ସପ୍ତମଙ୍ଗଳା ଶେଷ ପର୍ଯ୍ୟନ୍ତ ରହିଲେ । ଚତୁର୍ଥୀଦିନ ମଧୁଶଯ୍ୟାରେ ଯେତେବେଳେ ରାଧାପ୍ରସନ୍ନ ଓ ଚାନ୍ଦମଣିର ମିଳନ ହେଲା ତାହା ଆନନ୍ଦାବେଗରେ ଉଭୟଙ୍କର ହୃଦୟକୁ ପ୍ରେମାପ୍ଳୁତ କରିଦେଲା ଏବଂ ଧବଳେଶ୍ୱରଙ୍କ ମଙ୍ଗଳ ଆଳତୀ ବେଳର ଘଟଣାକୁ ସ୍ମରଣ କରାଇ ଉଭୟଙ୍କ ମନରେ ଆନନ୍ଦର ସ୍ରୋତ ଛୁଟାଇ ଦେଲା ।

•••

 

–ପନ୍ଦର–

 

ବିବାହ କାର୍ଯ୍ୟ ସୁରୁଖୁରୁରେ ଶେଷ ହୋଇଯିବାରୁ ରାଜା ଓ ମ୍ୟାନେଜରଙ୍କ ମନରେ ଘୋର ଅଶାନ୍ତି ଜାତ ହେଲା । ସେମାନେ ଯେତେ ଚେଷ୍ଟା କଲେ କିଛି ସଫଳ ହୋଇପାରିଲା ନାହିଁ-। ପୋଲିସ ଭୟରେ ଶାସନର ବ୍ରାହ୍ମଣମାନଙ୍କର ଗାତ୍ର କମ୍ପିତ ହେଲା । ବରଯାତ୍ରୀମାନଙ୍କ ସଙ୍ଗେ ଦଙ୍ଗା ହାଙ୍ଗାମା କରିବା ଓ ରାତିରେ ରାମହରିଙ୍କ ଘର ପୋଡ଼ିବା ବିଷୟରେ ଯେତେ ଆୟୋଜନ ହୋଇଥିଲା, ତାହା ପାଇଁ ଯେତେ ଅର୍ଥବ୍ୟୟ ହୋଇଥିଲା, ତାହା କିଛି କାର୍ଯ୍ୟରେ ପରିଣତ ହୋଇପାରିଲା ନାହିଁ । ବ୍ରାହ୍ମଣ ଟୋକାଗୁଡ଼ାକ କୁଆଡ଼େ ଭୟରେ ଫେରାର ହୋଇଯାଇଛନ୍ତି ଯେ ସେମାନଙ୍କର କୌଣସି ଖୋଜ ଖବର ମିଳିବାକୁ ନାହିଁ । ବରଯାତ୍ରୀମାନେ ଆସିଲାବେଳେ ଛ’ ମାଇଲଠାରେ ରାସ୍ତା ବନ୍ଦକରି ସେମାନଙ୍କୁ ଠେଙ୍ଗାସହି କରିବାକୁ ଓ ସେମାନଙ୍କ ଜିନିଷପତ୍ର ଲୁଟ୍‌ କରି ନେବାକୁ ବୈରୀଗଞ୍ଜନ ଦଳକୁ ଯେ ପଠାଯାଇଥିଲା ତା’ର ଫଳ ଅତିଶୟ ଭୟାବହ ହେଲା । ଏବେ ପରିଣାମ ସେ ଦୁହିଁଙ୍କ ଉପରେ କିପରି ଢଳୁଛି ତାହା ଭାବି ତାଙ୍କ ଦେହ ଥରି ଉଠୁଥିଲା । ଏପରି ଗୋଟାଏ ବିରକ୍ତିକର ଓ ସଂକଟପୂର୍ଣ୍ଣ ପରିସ୍ଥିତି ଭିତରେ ପଡ଼ି ରାଜା ଓ ମ୍ୟାନେଜର ଖାଲି ଦୋଳାୟମାନ ହେବାକୁ ଲାଗିଲେ ।

 

ବୈରୀଗଞ୍ଜନ ଦଳର ଗିରଫଦାରୀପରେ ପୋଲିସ୍‌ ସାହେବ ଓ ତାଙ୍କର ସହକାରୀମାନେ ଯେପରି ଆସି ରାମହରିଙ୍କ ଘରେ ସତ୍‌କୃତ ହୋଇଥିଲେ ଏବଂ ରାମହରିଙ୍କ ବିବାହ ଶେଷପର୍ଯ୍ୟନ୍ତ ସଦଳବଳେ ସେଠାରେ ରହି ଶାନ୍ତି ରକ୍ଷା କରିବାକୁ ଦାରୋଗାକୁ ସାହେବ ଯାହା ମୁତୟନ କରିଥିଲେ ତାହା ଅଳ୍ପ ସମୟ ଭିତରେ ରାଜା ଓ ମ୍ୟାନେଜରଙ୍କ କର୍ଣ୍ଣଗୋଚର ହୋଇଥିଲା । ଏଥିରୁ ସେମାନେ ନାନା ପ୍ରମାଦ ଆଶଙ୍କା କରୁଥିଲେ । ସେମାନଙ୍କ ନିଜ ନିଜର କୃତିତ୍ୱ ବିଷୟ ଆଲୋଚନା କରି କେତେବେଳେ ରାଜା ଗୁଡ଼ାଏ ଦୋଷ ମ୍ୟାନେଜରଙ୍କ ଉପରେ ଲଦି ଦେଉଥିଲେ ପୁଣି ମ୍ୟାନେଜର କେତେଗୁଡ଼ାଏ ଦୋଷ ରାଜାଙ୍କ ଉପରେ ଲଦୁଥିଲେ । ଉଭୟେ ନିଜ ନିଜର ଦୋଷ ଅପର ମୁଣ୍ଡରେ ଢାଳିଦେଇ ଟିକିଏ ନିଶ୍ଚିନ୍ତ ହେବାକୁ ବିଚାରୁଥିଲେ । ଏଥିପାଇଁ କେତେବେଳେ ରଗାରଗି, କେତେବେଳେ ଗାଳିମନ୍ଦ, କେତେବେଳେ ମଧ୍ୟ ସାଉଁଳା ସାଉଁଳି ଚାଲୁଥିଲା । ଏ ସମସ୍ତ ସତ୍ତ୍ୱେ ରାଜା ଦେଖୁଥିଲେ ଯେ ମ୍ୟାନେଜରଙ୍କ ଛଡ଼ା ତାଙ୍କର ଆଉ କେହି ସାହାଯ୍ୟକାରୀ ନାହିଁ । ତେଣୁ ପାମ୍ପଳା ପାମ୍ପଳୀକରି ତାଙ୍କୁ କୌଣସିମତେ ହାତରେ ରଖିବାକୁ ସେ ନିରନ୍ତର ଚେଷ୍ଟା କରୁଥିଲେ । ତେଣୁ ସାମୟିକ ଉତ୍ତେଜନାବଶତଃ ଘଟିଯାଇଥିବା ମାନ ଅପମାନସବୁ କୁଆଡ଼େ ଉଭାଇ ଯାଉଥିଲା ।

 

ରାମବାବୁଙ୍କ ବିଭାଘରର ତିନିଦିନ ପରର କଥା । ଦିନେ ମ୍ୟାନେଜର ରାତ୍ରରେ ତାଙ୍କ ଘରେ ଶୋଇ ତାଙ୍କ ଜୀବନର କାର୍ଯ୍ୟାବଳୀ ଓ ତା’ର ଫଳାଫଳ ଚିନ୍ତା କରୁଥିଲେ । ବୈରୀଗଞ୍ଜନ ଦଳର ଗ୍ରେପ୍ତାରୀ ଓ ଦାରୋଗାର ରାମହରି ସଙ୍ଗରେ ମେଳ, ଏ ଦୁଇଟି ଘଟଣା ତାଙ୍କ ମନକୁ ଦବେଇ ଦେଉଥିଲା । ସେ ତହିଁରୁ ନାନା ବିପଦ ଆଶଙ୍କା କରୁଥିଲେ । ସେ ଆଶଙ୍କାର ସ୍ରୋତ ଅନେକ ଦୂର ଭାସିଯାଇ ତାଙ୍କୁ ଗୋଟାଏ ଦୁର୍ଭେଦ୍ୟ ଅନ୍ଧାର ଗହ୍ୱର ମଧ୍ୟରେ ନିକ୍ଷେପ କରି ଦେଉଥିଲା; ପୁଣି ଯେତେବେଳେ ଅସୀମ କ୍ଷମତାର ନିଶା ତାଙ୍କୁ ଘାରୁଥିଲା, ସେ ନିମେଷ ମାତ୍ରକେ ସେ ଗହ୍ୱରରୁ ଉଠିଯାଇ ସ୍ୱର୍ଗର ବିମଳ ଆନନ୍ଦ ଉପଭୋଗ କରୁଥିଲେ । ତଦ୍ଦ୍ୱାରା ସେ ସମସ୍ତେ ଅଶାନ୍ତିକୁ ଭୁଲିଯାଇ ମନକୁ ଗୋଟାଏ ଘୋଡ଼ାରେ ଚଢ଼ାଇ ବହୁଦୂର କଦମ ଚଳାଇ ଦେଉଥିଲେ । ଏ ସମୟରେ ସେ ଶୁଣିବାକୁ ପାଇଲେ ଗୋଟାଏ ମଟର ଅବାଜ କରି ତାଙ୍କ ଦ୍ୱାର ଦେଶରେ ଠିଆ ହେଲା ଏବଂ ଘନ ଘନ ହର୍ଣ୍ଣ ଦେବାକୁ ଲାଗିଲା । ରାଜା ତାଙ୍କୁ ଡାକୁଚନ୍ତି ବୋଲି ବୁଝିପାରି ସେ ହଠାତ୍‌ ପଦାକୁ ବାହାରି ଆସିଲେ ଏବଂ ମଟର ପାଖରେ ଠିଆ ହେବା ମାତ୍ରକେ ଦାରୋଗା ବାବୁ ତହିଁରୁ ବାହାରି ପଡ଼ି ତାଙ୍କ ଗ୍ରେପ୍ତାରୀ ଓ୍ୱାରେଣ୍ଟ ଟର୍ଚ୍ଚ ଲାଇଟ୍‌ ସାହାଯ୍ୟରେ ତାଙ୍କୁ ଦେଖାଇଦେଲେ । ହଠାତ୍‌ ଦୁଇଜଣ ସିପେଇ ମଟରରୁ ବାହାରି ପଡ଼ି ମହାମାନ୍ୟ ମ୍ୟାନେଜରଙ୍କ ହାତରେ ହାତକଡ଼ି କଷିଦେଲେ ଏବଂ ମଟର ଭିତରେ ନେଇ ବସେଇଲେ । ସଙ୍ଗେ ସଙ୍ଗେ ମଟର କଟକ ଆଡ଼କୁ ଦ୍ରୁତଗତିରେ ଛୁଟିଲା ।

 

ରାଜା ତହିଁ ଆରଦିନ ମ୍ୟାନେଜରଙ୍କ ଗ୍ରେପ୍ତାରୀ ସମ୍ବାଦ ପାଇ ଘଡ଼ିଏ କାଳ ବୋକା ବନିଗଲେ । କାହିଁକି ଏ ଗ୍ରେପ୍ତାର ହେଲା, ତାହାର କାରଣ ସେ ଯେତେ ମନେମନେ ଅନୁସନ୍ଧାନ କଲେ, ତା’ର କୌଣସି କୂଳ କିନାରା ପାଇଲେ ନାହିଁ । ଘୋର ଚିନ୍ତା ତାଙ୍କ ଉପରକୁ ମାଡ଼ି ଆସିଲା-। ଚାରିଆଡ଼ ଅନ୍ଧକାର ଦିଶିଲା । ଶେଷରେ ତାଙ୍କର ଯେ ଏହି ଦଶା ନ ହେବ କିଏ କହିପାରେ ? ଘୋର ମାନସିକ ଅଶାନ୍ତି ବଢ଼ିବା ସଙ୍ଗେ ସଙ୍ଗେ ଆହାର ବିହାର ସବୁ ତୁଚ୍ଛ ହୋଇଗଲା । ପଦେ କଥା କହି ଆଶ୍ୱାସନା ଦେବାକୁ କିମ୍ବା ବାହାପିଟି ଗୋଟାଏ ହେମତ୍‌ ଦେବାକୁ ଆଉ ତାଙ୍କ ପାଖରେ କେହି ନଥିଲା । ଦିନ ରାତି ନିଜର ଗୋଟାଏ ବିପଦ ଆଶଙ୍କା କରି ସେ କଳାକାଠ ପଡ଼ିଗଲେ ।

 

ମ୍ୟାନେଜରଙ୍କ ଗ୍ରେପ୍ତାରୀର ତୃତୀୟ ଦିନ କଟକର ଜଣେ ବିଶିଷ୍ଟ ଓକିଲ ରଘୁନାଥ ଦ୍ୱିବେଦୀ ରାଜାଙ୍କୁ ଦେଖା କରିବାକୁ ଗଲେ । ସେ ନଟବରପୁରର ଜଣେ ବାସିନ୍ଦା ହେଲେ ମଧ୍ୟ ଓକିଲାତି ବ୍ୟବସାୟ କରି ପନ୍ଦର ବର୍ଷ ହେଲା କଟକରେ ଘର କରି ରହିଥିଲେ । ନଟବରପୁର ସଙ୍ଗେ ତାଙ୍କର କୌଣସି ବ୍ୟକ୍ତିଗତ ସମ୍ପର୍କ ନଥିଲା । ସେ ନିଜ ଜମିବାଡ଼ି ଟିକିଏ ଦେଖାଚାହାଁ କରି ସେଦିନ କଟକ ଫେରିଯିବେ ବୋଲି ମନସ୍ଥ କରିଥିଲେ । କିନ୍ତୁ ଯେତେବେଳେ ସେ ଶୁଣିପାରିଲେ ଯେ ରାମହରିଙ୍କ ବିବାହ କାର୍ଯ୍ୟରେ ରାଜା ଘୋର ଅନ୍ତରାୟ ସୃଷ୍ଟି କରି ତାଙ୍କୁ ନାନାଦି ଅଶାନ୍ତିରେ ପକାଇଥିଲେ, ସେ ଥରେ ରାଜାଙ୍କୁ ଦେଖାକରି ଏ ବିଷୟରେ କଥାବାର୍ତ୍ତା କରିଯିବାକୁ ମନସ୍ଥ କଲେ-। ତାଙ୍କ ସମ୍ବାଦ ପାଇ ରାଜା ପ୍ରଥମେ ବଡ଼ ଘାବରାରେ ପଡ଼ିଲେ । ଦେଖା ଦେବେ କି ନାହିଁ, ଶ୍ରୀଅଙ୍ଗ ‘ଆଳସ’ ଅଛି ବୋଲି ଛଳନା କରିବେ କି ନାହିଁ ଏ ବିଷୟରେ ଆଗେ ବହେ ଭାବିଲେ । ଦେଖା ନ ଦେଲେ ଏଥିରୁ ଆଉ କିଛି ଅନର୍ଥ ଘଟେ ? ଏହି ଆଶଙ୍କାରେ ଦ୍ୱିବେଦୀକୁ ବୈଠକ ଘରକୁ ଡକେଇଲେ । ଦେଖାହେଲା ମାତ୍ରକେ ଉଭୟଙ୍କ ଭିତରେ ଆଗ ଟିକିଏ ବ୍ୟକ୍ତିଗତ ଆଲୋଚନା ଚାଲିଲା । ତା’ପରେ ରାଜା କହିଲେ, ‘‘ଶାସନରେ ଆପଣଙ୍କ ଘରଟା ନଷ୍ଟ ହୋଇଗଲା । ସେଇଟା ଟିକିଏ ମରାମତି କରିଦେଉନାହାନ୍ତି ? ସମୟ ବିଶେଷରେ ସେଠାରେ ତ ପୁଣି ଆସି ରହିବେ ?’’

 

ଦ୍ୱିବେଦୀ—ନାହିଁ ରାଜାସାହେବ ! ଭଗବାନ କରନ୍ତୁ ସେ ‘ସମୟ ବିଶେଷ’ ମୋ ଭାଗ୍ୟରେ ନ ଘଟୁ । ଏପରି ନିର୍ବୋଧ ଦୁନିଆରେ କିଏ ଅଛି, ଯେ ଆସି ନଟବରପୁରର ଏ ଅସ୍ୱାଭାବିକ ସାମାଜିକ ପରିସ୍ଥିତି ଭିତରେ ମୁଣ୍ଡ ଦେଖାଇବ ?

 

ରାଜା—ନଟବରପୁରର ସାମାଜିକ ପରିସ୍ଥିତି ଅସ୍ୱାଭାବିକ କାହିଁକି ?

 

ଦ୍ୱିବେଦୀ—ନୁହେଁ ? ଯେଉଁଠାରେ ସମାଜନୀତି ବରାବର ରାଜନୀତିର ଇଙ୍ଗିତରେ ଚାଲେ, ତାହା ଅସ୍ୱାଭାବିକ ନୁହେଁ ?

 

ରାଜା—ମୁଁ ଏକଥା ଆଦୌ ବୁଝିପାରୁ ନାହିଁ ।

 

ଦ୍ୱିବେଦୀ—ବୁଝିବାର ଏଥିରେ କିଛି ଜଟିଳ କଥା ନାହିଁ । ଆପଣ ଆପଣଙ୍କର ରାଜନୀତିକି ସମାଜ ଉପରେ କିପରି ଜବରଦସ୍ତ ପ୍ରୟୋଗ କରି ସେଥିରୁ ସମସ୍ତ ସୁବିଧା ଉପଭୋଗ କରୁଛନ୍ତି, ତାହା ଆଜି ସଭ୍ୟ ଜଗତରେ କାହାକୁ ଅବିଦିତ ନାହିଁ । ଆପଣଙ୍କ ହାତରେ ନିରଙ୍କୁଶ ଶାସନ କ୍ଷମତା ନାହିଁ, ଏ କଥା ଆପଣ ଯେପରି ଭଲ ଭାବରେ ଜାଣନ୍ତି, ଲୋକ ସାଧାରଣ ମଧ୍ୟ ସେପରି ଜାଣନ୍ତି । କିନ୍ତୁ ଆପଣ ରାଜନୈତିକ କ୍ଷମତା ପ୍ରୟୋଗ କରିବାରେ ଆଶକ୍ତ ହୋଇ ସାମାଜିକ ନେତୃତ୍ୱ ହାତକୁ ନେଉଚନ୍ତି ଏବଂ ଯାହାକୁ ଆୟତ୍ତାଧୀନରେ ରଖିବାକୁ ଇଚ୍ଛା କରୁଚନ୍ତି, ସେହି ବଳରେ କରିପାରୁଚନ୍ତି । ତାହା ଫଳରେ ସମାଜ ଦୁର୍ବଳ ହୋଇ ଖାସ ଆପଣଙ୍କ ସନ୍ତୋଷ ବିଧାନ ନିମନ୍ତେ ଯାହା ଆପଣ ଚାହୁଚନ୍ତି ତାହା କରିବାକୁ ବାଧ୍ୟ ହେଉଛି

 

ରାଜା ଏ କଥା ଶୁଣି ଟିକିଏ ଭୀତ ହୋଇପଡ଼ିଲେ ଏବଂ ପରେ ଟିକିଏ ସାହସ ଅବଲମ୍ବନ କରି କହିଲେ–‘‘ଏପରି କରିବା ମୋର ଆଦୌ ମତ ନୁହେଁ । ଆପଣ କହି ପାରିବେ, ମୁଁ କେଉଁଠାରେ ଏପରି ନୀତି ପ୍ରୟୋଗ କରିଛି ?’’

 

ଦ୍ୱିବେଦୀ ଟିକିଏ ହସି ଦେଇ କହିଲେ–‘‘ରାଜା ସାହେବ ! ଏହାର ଉଦାହରଣ ପାଇଁ ବେଶି ଦୂରକୁ ଯିବାକୁ ପଡ଼ିବ ନାହିଁ । ରାମହରି ମିଶ୍ରଙ୍କ କନ୍ୟା ବିବାହ ଏହାର ଗୋଟିଏ ବିଶିଷ୍ଟ ଉଦାହରଣ । ସେ ବିବାହରେ ଯେପରି ସମସ୍ତ ପ୍ରକାର ବାଧା ଦିଆଯାଇପାରିବ, ଆପଣ ସେଥିପାଇଁ ସବୁ ଆୟୋଜନ କରିଛନ୍ତି । ବ୍ରାହ୍ମଣମାନଙ୍କୁ ମତାଇ ତାଙ୍କର ସମସ୍ତ ସାମାଜିକ କାର୍ଯ୍ୟରେ ବାଧା ଦିଆଇଛନ୍ତି । ବର ଗୋଟାଏ ପଣ୍ଡା ବୋଲି ଘୋଷଣା କରି ବ୍ରାହ୍ମଣମାନଙ୍କୁ ତହିଁରେ ଉନ୍ମତ୍ତ କରିଚନ୍ତି । ତା’ ଫଳରେ ବ୍ରାହ୍ମଣମାନେ ତାଙ୍କ ସାମାଜିକ କାର୍ଯ୍ୟରେ ଯୋଗ ଦେଇନାହାନ୍ତି । ପୁଣି ବ୍ରାହ୍ମଣ ଯୁବକମାନଙ୍କୁ ଉନ୍ମତ୍ତ କରି ବରଯାତ୍ରୀମାନଙ୍କ ପ୍ରତି ଠେଙ୍ଗା ପ୍ରହାର କରିବାକୁ ଓ ରାତ୍ରରେ ରାମହରିବାବୁଙ୍କ ଘରେ ଅଗ୍ନି ପ୍ରୟୋଗ କରିବାକୁ ଯେଉଁ ମାରାତ୍ମକ ବ୍ୟବସ୍ଥା କରିଥିଲେ, ତାହା ସୌଭାଗ୍ୟକ୍ରମେ ପୋଲିସ୍ ପ୍ରତିବନ୍ଧକରେ କଟିଯାଇଛି । ସେ ନିର୍ବୋଧ ଅଜ୍ଞାନ ଯୁବକମାନେ କୁଆଡ଼େ ନିରୁଦ୍ଦେଶ୍ୟ ହୋଇ ଯାଇଛନ୍ତି । ପୁଣି ଆପଣ ନିଜେ ରାମବାବୁଙ୍କ ରାଜ ନିମନ୍ତ୍ରଣ ଗ୍ରହଣ କରି ନାହାନ୍ତି । ରାମବାବୁ ବୁଦ୍ଧିମାନ, କୌଶଳୀ ଓ ସର୍ବଜନପ୍ରିୟ ଥିବାରୁ ସିନା ଏତେ ବଡ଼ ଭୀଷଣ ଚକ୍ରାନ୍ତ ମଧ୍ୟରୁ ରକ୍ଷା ପାଇଲେ । ମୋ ଭଳି କେହି ଲୋକ ହୋଇଥିଲେ ତ ଚିରଦିନ ପାଇଁ ଧ୍ୱଂସ ପାଇଯାଇଥାନ୍ତା ।’’

 

ରାଜା ଦ୍ୱିବେଦୀଙ୍କ ମୁହଁକୁ ବଲବଲ କରି ଚାହିଁ ରହିଥିଲେ । ତାଙ୍କ ହୃଦୟ ଥରି ଉଠୁଥିଲା-। ତାଙ୍କ ଗୁପ୍ତ କଥା ସବୁ ଦାଣ୍ଡରେ ପଡ଼ିଗଲାଣି ଭାବି ତାଙ୍କୁ ଚାରିଆଡ଼ ଧୂଆଁଳିଆ ଦେଖାଗଲା-। ସେ ବହୁ କଷ୍ଟରେ ଧୈର୍ଯ୍ୟ ସଂଗ୍ରହ କରି କହିଲେ-‘‘ଦ୍ୱିବେଦୀ, ଆପଣ ଗୁଡ଼ାଏ ମନଗଢ଼ା କଥା କହୁଛନ୍ତି । ଏହା ମୂଳରେ ଆଦୌ ସତ୍ୟ ନାହିଁ ।’’

 

ଦ୍ୱିବେଦୀ—‘‘ରାଜାସାହେବ ! ଏହା ମୋହର ମନଗଢ଼ା କଥା ନୁହେଁ । ଏହା ଖାଣ୍ଟି ସତ୍ୟ । ଏଥିପାଇଁ କଟକ ସହର ହୁଲସ୍ଥୁଲ କମ୍ପୁଛି । ଦୁଇଦିନ ତଳେ ରେଭିନିଉ କମିସନରଙ୍କ କୋଠିରେ ଟି ପାର୍ଟି ହେଉଥିଲା । ସେଠାରେ ସମସ୍ତେ ଏହି କଥା ଆଲୋଚନା କରୁଥିଲେ । ପୋଲିସ୍ ଆଇ.ଜି ଏବଂ କଲେକ୍ଟର ଏ ବିଷୟରେ ଖୁବ୍ ନିଗୂଢ଼ ଭାବରେ କ’ଣ କଥାବାର୍ତ୍ତା ହେଉଥିଲେ । ପୋଲିସ୍ ସାହେବ ସେ କଥା ସବୁ ସତ୍ୟ ବୋଲି କହି ଆଉ ଅନେକ ଗୁପ୍ତ ରହସ୍ୟ ପ୍ରକାଶ କରିବାକୁ ଡିଟେକ୍‌ଟିଭ ପ୍ରୟୋଗ କରିଚନ୍ତି ବୋଲି କହୁଥିଲେ । ରାଜାସାହେବ ! ମୁଁ ବନ୍ଧୁଭାବରେ ଆପଣଙ୍କୁ କହିବାକୁ ଆସିଛି । ଶତ୍ରୁ ଭାବରେ ନୁହେଁ । ଆପଣ ଏପରି ସାମଜିକ କାର୍ଯ୍ୟରେ ନିଜକୁ ଜଡ଼ିତ କରି ଅଯଥା ଗୁଡ଼ାଏ ବିପଦ ବରଣ କରନ୍ତୁ ନାହିଁ । ମୁଁ ଶୁଣିଛି, ଆପଣଙ୍କ ପରାମର୍ଶରେ ବ୍ରାହ୍ମଣମାନେ ଆପଣଙ୍କ ପାଖରେ ଗୋଟାଏ ଦର୍ଖାସ୍ତ କରି ରାମବାବୁଙ୍କୁ ସାମାଜିକ ଦଣ୍ଡ ଦେବାକୁ ତହିଁରେ ପ୍ରାର୍ଥନା କରିଚନ୍ତି । ସାମାଜିକ ଦଣ୍ଡ ଦେବାକୁ ଆପଣଙ୍କର କି କ୍ଷମତା ଅଛି-? ଏହି ଦର୍ଖାସ୍ତ ତ ଆପଣଙ୍କ ବିରୁଦ୍ଧରେ ଗୋଟାଏ ବଳିଷ୍ଠ ପ୍ରମାଣରୂପେ ଗୃହୀତ ହୋଇଯିବ-।’’

 

ରାଜା—‘‘ଯଥାର୍ଥରେ ସେପରି ଗୋଟାଏ ଦର୍ଖାସ୍ତ ହୋଇଛି । ମୁଁ ବ୍ରାହ୍ମଣମାନଙ୍କୁ ପ୍ରମାଣ ତଲବ କରିଛି, ସେଥିଲାଗି ମୁଁ ବର୍ତ୍ତମାନ କ’ଣ କରିବି ?’’ ଏହା କହି ଦର୍ଖାସ୍ତଟି ତାଙ୍କୁ ଦେଖାଇଲେ ।

 

ଦ୍ୱିବେଦୀ ଦର୍ଖସ୍ତଟା ଦେଖି ଈଷତ୍ ହାସ୍ୟ କରି କହିଲେ-‘‘ଆପଣ ସେ ଉଚ୍ଛୃଙ୍ଖଳ ବ୍ରାହ୍ମଣମାନଙ୍କୁ ଆଉ ପ୍ରଶୟ ନ ଦେଇ ରାମବାବୁ ଠିକ୍ କାମ କରିଛନ୍ତି ବୋଲି ତହିଁରେ ଆଦେଶ ଲେଖି ଦିଅନ୍ତୁ । ତାହାହେଲେ ଆପଣ ନିରପେକ୍ଷ ଭାବରେ ଗୋଟାଏ ବିବାଦ ନିଷ୍ପତ୍ତି କରିଛନ୍ତି ବୋଲି ସମସ୍ତେ ବୁଝିଯିବେ ଏବଂ ଆପଣଙ୍କ ପ୍ରତି ସାଧାରଣର ଯେ ସନ୍ଦେହ ହୋଇଛି ତାହା ଦୂର ହୋଇଯିବ, ହାଓ୍ୱାଟା ଭିନ୍ନ ଦିଗରେ ଗତି କରିବ ।’’

 

ରାଜା ତାହା ଠିକ୍ ସେହିପରି କରିବାକୁ ତାଙ୍କ ନିକଟରେ ଶପଥ କରି ନିଜର ରକ୍ଷା ପାଇଁ ତାଙ୍କୁ ବହୁତ ଅନୁରୋଧ କଲେ । ଔଷଧ ଠିକ୍ ଶିରାଏ ଶିରାଏ ଭେଦିଛି ବୋଲି ସୁଚତୁର ଓକିଲ ବୁଝିପାରି କହିଲେ, ‘‘ସେଥିପାଇଁ ଆପଣ ନିଶ୍ଚିନ୍ତ ଥାଆନ୍ତୁ। ମୁଁ ଯେଉଁ ଦିନ କଟକରେ ଖବର ପାଇବି ଯେ ଆପଣ ଠିକ୍ ମୋ ପରାମର୍ଶ ଅନୁସାରେ କାର୍ଯ୍ୟ କରିଛନ୍ତି, ମୁଁ ସେହି ଦିନଠାରୁ ଯଥା ବିହିତ କାର୍ଯ୍ୟ କରିବାକୁ ପଶ୍ଚାତ୍‌ପଦ ହେବି ନାହିଁ ।’’ ତାହା ପରେ ମ୍ୟାନେଜରଙ୍କ ଗ୍ରେପ୍ତାରୀ ବିଷୟରେ ବହୁତ ଆଲୋଚନା ହେଲା । ଦ୍ୱିବେଦୀ ସେ ବିଷୟରେ ବହୁତ ଯତ୍ନ କରିବାକୁ ରାଜାଙ୍କୁ ଜବାବ ଦେଇ ସେଠାରୁ ବିଦାୟ ହେଲେ ଏବଂ ସଙ୍ଗେ ସଙ୍ଗେ କଟକ ଚାଲିଗଲେ ।

•••

 

–ଷୋଳ–

 

ତା’ର ଦୁଇଦିନ ପରେ ଉକ୍ତ ଦର୍ଖାସ୍ତର ତାରିଖ ପଡ଼ିଲା । ରାଜା ଆଗରୁ ଅଗ୍ରୀମ ପ୍ରମାଣ ପାଇଁ ଆଦେଶ ଦେଇଥିଲେ । ବର୍ତ୍ତମାନ ତହିଁରେ ଆଉ ଗୋଟାଏ ଅର୍ଡ଼ର ଯୋଗ କରି ରାମବାବୁଙ୍କୁ ଜଣେଇଦେଲେ ଯେ ତାଙ୍କ ସମ୍ବନ୍ଧରେ ଏପରି ଦର୍ଖାସ୍ତ ହୋଇଛି, ସେ ନିଜର ସପକ୍ଷ ପ୍ରମାଣ ସହ ତାରିଖ ଦିନ ଉପସ୍ଥିତ ହେବେ । ରାମବାବୁ ବିନୋଦବିହାରୀ ନନ୍ଦଙ୍କୁ ଏ ସମ୍ବାଦ ଅବିଳମ୍ବେ ଦେଇ ନିର୍ଦ୍ଦିଷ୍ଟ ତାରିଖରେ ଉପସ୍ଥିତ ହେବାକୁ ଅନୁରୋଧ କଲେ । ବ୍ରାହ୍ମଣ ନେତାମାନେ ମଧ୍ୟ ଅଗ୍ରୀମ ପ୍ରମାଣ ପାଇଁ ବହୁ ଯତ୍ନ କରିଥିଲେ ଏବଂ ଏଣେ ତେଣେ ଦୌଡ଼ାଦୌଡ଼ି କରି ବହୁ ଆଡ଼ୁ କେତେକ ଖବର ସଂଗ୍ରହ କରିଥିଲେ ।

ନିର୍ଦ୍ଦିଷ୍ଟ ତାରିଖ ଦିନ ବ୍ରାହ୍ମଣମାନେ ଖୁବ୍ ଗୋଟାଏ ଉତ୍ସାହରେ ମାତି ଉଠି ରାମହରିକି ସିଧା ସଳଖ କରି ଦେବା ପାଇଁ ନାନା ପ୍ରକାର ଅସ୍ତ୍ରର ଆୟୋଜନ କରି ରାଜାଙ୍କ କଚେରୀରେ ଉପସ୍ଥିତ ହେଲେ । ରାଜା ସେମାନଙ୍କର ଗୋଟାଯାକ । ସେମାନଙ୍କର କିଛି ଭୁଲ ଭାଲ ଘଟିଲେ ରାଜା ସବୁ ସଜାଡ଼ି ଦେବେ ଏବଂ ସେମାନଙ୍କ ଆଗରେ ରାମହରିକି ଆଚ୍ଛା କରି ପଟାଏ ଦେବେ । ସେ ଚିରକାଳ ଯାଏ ତାହା ଭୋଗୁଥିବ । ତେଣୁ ସେମାନେ ଗଲାବେଳେ ସେମାନଙ୍କ ଗୋଡ଼ ସବୁ ପାଞ୍ଚ ହାତରେ ପଡ଼ୁଥିଲା । ଭୈରବଚରଣ ସଦସ୍ୟଙ୍କ ଭୈରବ ଚରଣ ଦ୍ୱୟ ପାହୁଲା ପକାଇ ଚାଲିଲା ବେଳେ ମେଦିନୀ କମ୍ପି ଉଠୁଥିଲା । ତାଙ୍କ ସାଙ୍ଗକୁ ଯୋଡ଼ୀ ବାହାନପତି ଓ ତାଙ୍କ ଆଜ୍ଞାବହ ପାର୍ଶ୍ୱଚରବର୍ଗ ସତେ ଯେପରି ଗୋଟାଏ ଦୁର୍ଗ ଜୟ କରିବାକୁ ଘୋର ବିକ୍ରମରେ ମାଡ଼ିଗଲେ । କଚେରୀରେ ଆସନ ଭିଡ଼ି ବସିଗଲା ପରେ ରାଜା ତାଙ୍କୁ ସଳଖକରି ନ ଚାହିଁ ଗୋଟାଏ ଗାମ୍ଭୀର୍ଯ୍ୟ ଅବଲମ୍ବନ କରି ଏକଧ୍ୟାନରେ ଖବରକାଗଜରେ ମନୋନିବେଶ କରିଥିବାରୁ ନେତାମାନଙ୍କ ମନରେ ଟିକିଏ ଅଭିମାନ ଜାତ ହେଲା, ମାତ୍ର ରାଜାଙ୍କୁ କଚେରୀ ଭିତରେ ସେମାନେ କ’ଣ କହି ପାରିବେ ? ତେଣୁ ଗୁମ୍ ମାରି ସମସ୍ତେ ବସି ରହିଲେ ।

ରାଜା ଧାର୍ଯ୍ୟ କରିଥିବା ନିର୍ଦ୍ଦିଷ୍ଟ ସମୟ ଉପସ୍ଥିତ ହେବା ସଙ୍ଗେ ସଙ୍ଗେ ରାମହରିବାବୁଙ୍କ ମଟର ସେଠାରେ ଯାଇ ପହଞ୍ଚିଗଲା । ତହିଁରୁ ରାମହରିବାବୁ, ବିନୋଦବାବୁ, କଳାରାହାଙ୍ଗ ଶାସନର ଦୁଇଜଣ ବିଶିଷ୍ଟ ବ୍ରାହ୍ମଣ ଓ ପଟିଆ ରାଜାଙ୍କର ନଅର ବେଭାରୀ ବାହାରି ରଜାଙ୍କ ନିକଟକୁ ଗଲେ । ରାଜା ସେମାନଙ୍କୁ ସମ୍ମାନ ଦେଖାଇ ଗୋଟିଏ ବିଶିଷ୍ଟ ଆସନରେ ବସିବାକୁ ଅନୁରୋଧ କଲେ । ତା’ ପରେ ସେ ଦର୍ଖାସ୍ତଟି ହାତରେ ଧରି ବ୍ରାହ୍ମଣ ନେତାମାନଙ୍କୁ ଚାହିଁ କହିଲେ–‘‘ଆପଣମାନେ ଦର୍ଖାସ୍ତ କରିଛନ୍ତି ଯେ ରାମହରି ମିଶ୍ରେ ଯେଉଁଠାରେ କନ୍ୟାଦାନ କରିବାକୁ ଯାଉଛନ୍ତି, ସେ ଜାତିରେ ପଣ୍ଡା । ଆପଣମାନେ ତାହାର ପ୍ରମାଣ କ’ଣ ଆଣିଚନ୍ତି ତାହା ଦିଅନ୍ତୁ ।’’

ବିନୋଦ ନନ୍ଦେ ପଣ୍ଡା ବୋଲି ନେତାମାନେ ଅବାନ୍ତର ଭାବରେ ଏଣୁ ତେଣୁ ଗୁଡ଼ାଏ କହିଲେ । ତାଙ୍କ ଭିତରେ ଯେଉଁ ବୀରମାନେ ବିଭିନ୍ନ ସ୍ଥାନକୁ ଦୌଡ଼ା ଦୌଡ଼ି କରି ପ୍ରମାଣ ସଂଗ୍ରହ କରିଥିଲେ । ସେମାନେ କହିଲେ-‘‘ଆମେ ଅମୁକ ଗ୍ରାମରେ ଅମୁକଙ୍କଠାରୁ ବୁଝି ଆସିଛୁ ବିନୋଦ ନନ୍ଦେ ‘ପଣ୍ଡା’ ।’’ ଆଉ ଜଣେ କହିଲେ-‘‘ବିନୋଦ ନନ୍ଦଙ୍କ ପୂର୍ବ ବଂଶ ପଣ୍ଡା ଥିଲେ । ପଟିଆ ରାଜା ତାଙ୍କ ପିତାଙ୍କୁ ବ୍ରାହ୍ମଣ କରିଚନ୍ତି, ତେଣୁ ପଣ୍ଡାରକ୍ତ ତାଙ୍କଠାରେ ବୋହୁଛି ।’’

ଏହିପରି ଗୁଡ଼ାଏ କଥା ଶୁଣି ରାଜା ବିରକ୍ତ ପ୍ରକାଶ କରି କହିଲେ-‘‘ଏହି କ’ଣ ପ୍ରମାଣ, ଯାହା ବଳରେ ତୁମ୍ଭେମାନେ ଗୋଟାଏ ମକଦମା କରି ଜଣେ ଭଦ୍ରଲୋକଙ୍କର ମାନହାନି କରିବାକୁ ବସିଛ ? ଯେଉଁମାନଙ୍କଠାରୁ ଏ ସବୁ କଥା ଶୁଣିଲ, ସେମାନଙ୍କଠାରୁ ଗୋଟାଏ ଗୋଟାଏ ଲିଖିତ ଜବାବ ଆଣିପାରିଲ ନାହିଁ ? ତୁମ୍ଭେମାନେ ଆଶାକର, ଏହି ପ୍ରମାଣ ବଳରେ ବିନୋଦବାବୁ ପଣ୍ଡା ହୋଇଯିବେ ଏବଂ ରାମବାବୁ ତାଙ୍କ ସଙ୍ଗେ ବନ୍ଧୁତା କରି ଅଜାତି ହୋଇଯିବେ ? ଯଦି ବାସ୍ତବରେ ତୁମର କିଛି ବିଶିଷ୍ଟ ପ୍ରମାଣ ଅଛି ତେବେ ଦର୍ଶାଅ ।’’

ନେତୃବର୍ଗ ଆଇନ ଶାସ୍ତ୍ରରେ ବହୁତ ଗବେଷଣା କରି ଦୀର୍ଘକାଳ ମୁଣ୍ଡ ଖେଳାଇ ଏହି ପର୍ଯ୍ୟନ୍ତ ପ୍ରମାଣ ଯୋଗାଡ଼ କରିପାରିଥିଲେ । ଆଉ କୌଣସି ପୁଞ୍ଜି ପାଣ୍ଠି ସେମାନଙ୍କ ହାତର ନ ଥିଲା । ସେମାନେ ଆକାଶରେ ଏହି ପର୍ଯ୍ୟନ୍ତ ଉଡ଼ି ପାରିଛନ୍ତି ବୋଲି ରାଜାଙ୍କୁ ଜଣାଇବାରୁ ରାଜା ସେମାନଙ୍କୁ କୋପ ଦୃଷ୍ଟିରେ ଚାହିଁଲେ । ତା’ ପରେ ରାମହରିବାବୁଙ୍କ ଆଡ଼େ ଲକ୍ଷ୍ୟ କରି କହିଲେ, ‘‘ଏମାନେ ପ୍ରମାଣ ଅଭାବରେ ନିଜ ମତକୁ ସମର୍ଥନ କରିବାରେ ଏକାନ୍ତ ଅକ୍ଷମ । ସୁତରାଂ ଏ ଦର୍ଖାସ୍ତର କୌଣସି ମୂଲ୍ୟ ନାହିଁ । ତେବେ ଆପଣଙ୍କ ସମ୍ବନ୍ଧୀଙ୍କ ବିଷୟରେ ଯେଉଁ ଦୁର୍ନାମ ଏମାନେ ପ୍ରଚାର କରି ଦେଇଚନ୍ତି, ତାହାର ପ୍ରକାଶ୍ୟ ଖଣ୍ଡନ ପାଇଁ ଆପଣ ଯତ୍ନ କରନ୍ତୁ । ସେଥିପାଇଁ ଆପଣଙ୍କର ଯେଉଁ ପ୍ରମାଣ ଅଛି ତାହା ଦର୍ଶାଇବା ପାଇ ମୁଁ ଅନୁରୋଧ କରୁଛି ।’’

ରାମହରିବାବୁ କହିଲେ–‘‘ମୋର ଦୋଷ ପାଇଁ ବିନୋଦବାବୁ ଦାୟୀ । ସେ ଉପଯୁକ୍ତ ପ୍ରମାଣ ଦେଇ ମୋତେ ଏ ଦାୟରୁ ମୁକ୍ତ କରନ୍ତୁ ।’’

ବିନୋଦବାବୁ ଉଠି କହିଲେ, ‘‘ରାଜାସାହେବ୍‍ ! ମୋର ପୂର୍ବ ସାତପୁରୁଷଙ୍କ ସମ୍ବନ୍ଧରେ ମୋର ଅଭିଜ୍ଞତା ଅଛି । ତା’ ପୂର୍ବର କୌଣସି ଘଟଣା ମୋତେ ଜଣାନାହିଁ । ମୋର ପୂର୍ବ ସପ୍ତମପୁରୁଷ ଶ୍ରୀକର ନନ୍ଦ ତତ୍କାଳୀନ ଖଲ୍ଲିକୋଟ ରାଜାଙ୍କର ସଭାପଣ୍ଡିତ ଥିଲେ । ତାଙ୍କ ଜ୍ଞାନ ବିଚକ୍ଷଣତାରେ ରାଜା ମୁଗ୍ଧ ହୋଇ ତାଙ୍କୁ ୧୮ବାଟୀ ଜମି ନିଷ୍କର ଦାନ କରିଥିଲେ । ସେ ରାଜାଙ୍କ ସଙ୍ଗେ ତୀର୍ଥାଟନରେ ଯାଇ ଫେରିବା ସମୟରେ କଟକରେ କିଛିଦିନ ଅବସ୍ଥାନ କରିଥିଲେ । ରଘୁଜୀ ଭୋନ୍‌ସ୍ଲା ସେତେବେଳେ କଟକରେ ଥିଲେ । ଶ୍ରୀକର ନନ୍ଦଙ୍କ ପାଣ୍ଡିତ୍ୟ ସମ୍ବାଦ ଶୁଣି ସେ ତାଙ୍କୁ ପାଖକୁ ଡକେଇଲେ । ତାଙ୍କସଙ୍ଗେ ସାତଦିନ ଯାଏ ନାନାଦି ଶାସ୍ତ୍ର ଆଲୋଚନା କରି ସେ ଅତିଶୟ ମୁଗ୍ଧ ହୋଇ ଯାଇଥିଲେ; ତେଣୁ ସେ ତାଙ୍କ ନାମରେ ପଟିଆ କିଲ୍ଲାରେ ଗୋଟିଏ ଶାସନ ସ୍ଥାପନ କରି ତାଙ୍କୁ ତହିଁରେ ଦାନାଧ୍ୟକ୍ଷ କରିଥିଲେ । ଶ୍ରୀକର ନନ୍ଦଙ୍କ ଗୁଣମୁଗ୍ଧ ହୋଇ ସେ ତାଙ୍କୁ ଯେଉଁ ସନନ୍ଦ ଦେଇଥିଲେ, ତାହାର ନକଲ ପଟିଆ ରାଜାଙ୍କ ସିରସ୍ତାରେ ଅଛି ।’’

ପଟିଆ ରାଜାଙ୍କ ବେଭାରୀ ସାକ୍ଷୀରୂପେ ଆସିଥିଲେ । ସେ ଅତି ପ୍ରାଚୀନ ତାଳପତ୍ର ବିଡ଼ାରୁ ସନନ୍ଦ ନକଲଟି ବାହାର କରି ରାଜାଙ୍କୁ ଦେଖେଇଲେ ଏବଂ ତାଙ୍କ ଆଦେଶରେ ସମସ୍ତଙ୍କ ଆଗରେ ପଢ଼ିଲେ । ରଘୁଜୀ ଭୋନ୍‌ସ୍ଲା ଶ୍ରୀକର ନନ୍ଦଙ୍କୁ ଅଶେଷ ପ୍ରଶଂସା କରି ତାଙ୍କ ଉଚ୍ଚ ଦରର ପାଣ୍ଡିତ୍ୟରେ ମୁଗ୍ଧ ହୋଇ ତାଙ୍କୁ ଯେଉଁ ଶାସନ ଦାନ କରିଥିଲେ, ତାହା ନନ୍ଦଙ୍କ ପକ୍ଷରେ ଅକିଞ୍ଚିତ୍‌କର ବୋଲି ସେ ନିଜେ ସ୍ୱୀକାର କରିଥିଲେ ।

ବିନୋଦ ବାବୁ ପୁଣି କହିଲେ, ‘‘ଶ୍ରୀକର ନନ୍ଦଙ୍କ ପୁତ୍ରମାନେ ଆଶାନୁରୂପ ଯୋଗ୍ୟତା ଅର୍ଜନ କରି ନ ଥିଲେ । ତଥାପି ପୈତୃକ ସ୍ୱତ୍ୱ ତାଙ୍କ ପକ୍ଷରେ ଯଥେଷ୍ଟ ଥିଲା । ସେମାନେ ଖଲ୍ଲିକୋଟ ଓ ପଟିଆରେ ବିଭକ୍ତ ହୋଇ ରହିଥିଲେ । ସେମାନଙ୍କର ବଂଶ ଖୁବ୍ ବଢ଼ି ଉଠିଲା; ବଂଶଧରମାନେ ପୈତୃକ ସ୍ୱତ୍ୱକୁ ଟିକି ଟିକି କରି ଆହୁରି ବିଭକ୍ତ କଲେ ଏବଂ ଅଯୋଗ୍ୟତା ହେତୁ ସମ୍ପତ୍ତି ରକ୍ଷାରେ ଅସମର୍ଥ ହୋଇ ତାହା କ୍ରମେ କ୍ରମେ ଶେଷ କରିବାକୁ ଲାଗିଲେ । ଏହା ଶ୍ରୀକର ନନ୍ଦଙ୍କ ୪ର୍ଥ ବଂଶଧରଙ୍କର ଅବସ୍ଥା । ଘୋର ଅଭାବରେ ପଡ଼ି ପେଟ ପୋଷିବା ପାଇଁ କିଏ କେଉଁ ଜୀବିକା ଆଶ୍ରୟ କଲେ ତାର କିଛି ଠିକ୍‍ଣା ରହିଲା ନାହିଁ, ଏହାହିଁ ଆମ ବଂଶର ଘୋର ଦୁର୍ଦ୍ଦିନ ସମୟ ଏବଂ ଶ୍ରୀକର ନନ୍ଦଙ୍କ ନାଗପୁରଠାରୁ ଉତ୍କଳ ପର୍ଯ୍ୟନ୍ତ ବିସ୍ତୃତ ଥିବା ଅସୀମ ସୁଖ୍ୟାତିର ଚରମ ପତନ । ପଟିଆ ରାଜା ଗୋଟିଏ ପତ୍ରରେ ଏ ବିଷୟ ଉଲ୍ଲେଖ କରି କଟକର ତତ୍କାଳୀନ ଇଂରେଜ କଲେକ୍ଟରଙ୍କୁ ଜଣାଇଥିଲେ । ତାହାର ନକଲ ବେଭାରୀ ଦର୍ଶାଇବେ ।’’ ବେଭାରୀ ତାହା ଦର୍ଶାଇ ସମସ୍ତଙ୍କ ଆଗରେ ପଢ଼ିଦେଲେ ।

ତା’ ପରେ ବିନୋଦ ବାବୁ କହିଲେ, ‘‘ମୋର ପ୍ରପିତାମହ ଦୁଇ ଭାଇ ଥିଲେ । ସେ ଦୁହେଁ ପୁରୀରେ ଅବସ୍ଥାନ କରି ଯଥେଷ୍ଟ ପାଣ୍ଡିତ୍ୟ ଅର୍ଜନ କରିଥିଲେ ଏବଂ ନିଜର ଯୋଗ୍ୟତା ବଳରେ ପଟିଆ ରାଜାଙ୍କୁ ନାନା ରାଜନୈତିକ ଦୁର୍ଘଟଣାରୁ ରକ୍ଷା କରି ତାଙ୍କଠାରୁ ବିସ୍ତର ବାଡ଼ିବୃତ୍ତି ଲାଖରାଜୀ ପାଇଥିଲେ । ସେମାନେ ସଦାଚାର ଓ ବହୁ ନିଷ୍ଠାବଳରେ ନିଜର ବଂଶ ମର୍ଯ୍ୟାଦା ପୁନରୁଦ୍ଧାର କରି ପଟିଆର ବ୍ରାହ୍ମଣମାନଙ୍କୁ ନାନା ସାମାଜିକ ଅଧୋଗତିରୁ ରକ୍ଷା କରିଥିଲେ । ସେଥିପାଇଁ ରାଜା ସେ ଦୁହିଁଙ୍କୁ ସମାଜରେ ମୁଖ୍ୟ ସ୍ଥାନ ଦେଇଥିଲେ ଏବଂ ବ୍ରାହ୍ମଣମାନେ ତାଙ୍କୁ ସର୍ବଶ୍ରେଷ୍ଠ ସମ୍ମାନ ଦେଖାଉଥିଲେ । ମୋର ପିତାମହ ପୈତୃକ ସମ୍ମାନକୁ ଆଶାତିରିକ୍ତ ଭାବରେ ବୃଦ୍ଧି କରିଥିଲେ । ସେ ରାଜାଙ୍କଠାରୁ ବହୁ ବାଡ଼ିବୃତ୍ତି ଲାଖରାଜୀ ପାଇଥିଲେ । ମୋର ପିତା ବୈଦିକ କ୍ରିୟାକଳାପରେ ଯେପରି ପ୍ରତିଷ୍ଠା ଅର୍ଜନ କରିଥିଲେ ସେପରି ନିଷ୍ଠାପର କର୍ମୀ ମଧ୍ୟ ଥିଲେ । ମୁଁ ସେ ଉନ୍ନତ ବଂଶର ଗୋଟିଏ ଅଯୋଗ୍ୟ ସନ୍ତାନ । ତେଣୁ ଆପଣମାନଙ୍କ କିଲ୍ଲାର ବ୍ରାହ୍ମଣମାନଙ୍କଠାରୁ ‘ପଣ୍ଡା’ ଉପାଧି ପାଇ ଟିପା ଓ ଘଣ୍ଟିରେ ଗଳାକୁ ମଣ୍ଡିତକରି ଆପଣଙ୍କ ଆଗରେ ଆଜି ଭେଁ ଭେଁ ଧ୍ୱନି କରୁଅଛି ।’’

ଏହା ଶୁଣି ରାଜା ଓ ଶ୍ରୋତୃବର୍ଗ ହସି ଉଠିଲେ । ନଟବରପୁରର ନେତାମାନେ ତଳକୁ ମୁହଁ ପୋତିଦେଲେ । ରାଜା ଆଉ ଅଧିକ ପ୍ରମାଣ ଆବଶ୍ୟକ ନ କରି ମରହଟ୍ଟା ବୀର ପ୍ରଥିତଯଶା ରଘୁଜୀ ଭୋନ୍‌ସ୍ଳାଙ୍କ ସନନ୍ଦକୁ ଶ୍ରେଷ୍ଠସମ୍ମାନ ଦେଇ ନଟବରପୁରର ନେତାମାନଙ୍କୁ ପଚାରିଲେ, ‘‘ଆପଣମାନେ ଏ ବିଷୟରେ ପ୍ରତିବାଦ କରିବେ ?’’ ସେମାନେ ନାହିଁ କଲେ । ତା’ ପରେ ରାଜା ପଚାରିଲେ, ‘‘ଏ ବିଷୟରେ ଆପଣଙ୍କର କୌଣସି ସନ୍ଦେହ ରହିଛି ?’’ ସେମାନେ ଏ ବିଷୟରେ ନିଃସନ୍ଦେହ ବୋଲି ଜଣେଇଲେ ।

ରାଜା ଗମ୍ଭୀରତା ଅବଲମ୍ବନ କରି କହିଲେ, ‘‘ତେବେ ଆପଣମାନେ କେଉଁ ପ୍ରମାଣ ଉପରେ ନିର୍ଭରକରି ବିନୋଦବାବୁ ପଣ୍ଡା ବୋଲି ଦର୍ଖାସ୍ତ କରିଚନ୍ତି ? ଆପଣ କ’ଣ ମନେ କରନ୍ତି, ମୁଁ ଆପଣଙ୍କର ଗୋଟାଏ ଖେଳ ପୁତ୍ତଳି ? ଆପଣ ମୋତେ ଯେପରି ନଚେଇବେ ମୁଁ ସେପରି ନାଚିବି ? ନିର୍ବୋଧ ନିର୍ଲ୍ଲଜ୍ଜ ମୂର୍ଖଗୁଡ଼ାଏ ଶାସନରେ ଗୋଟାଏ ଗୋଟାଏ ନେତା ସାଜି ସମାଜର କ୍ଷୁଦ୍ର ସଂକୀର୍ଣ୍ଣ ଗଣ୍ଡି ଭିତରେ ଗୋଟାଏ କ୍ଷମତା ବିସ୍ତାର କରୁଚନ୍ତି ଏବଂ ନିତାନ୍ତ ନୀଚ ବର୍ବର ପାଷଣ୍ଡ ଗୁଣ୍ଡାଗୁଡ଼ାଏ ନିଜର ଆୟୁଧ କରି ଦୁର୍ବଳମାନଙ୍କ ପ୍ରତି ଯାବତ ଅତ୍ୟାଚାର କରୁଚନ୍ତି । ତୁମ୍ଭମାନଙ୍କ ପରି ଭାଣ୍ଡମାନଙ୍କ ଦ୍ୱାରା ଚାଳିତ ଯେଉଁ ସମାଜ, ତାହାର ଏପରି ଅଧୋଗତି ନହୋଇ ଆଉ କ’ଣ ହୋଇପାରେ ? ତୁମ୍ଭମାନଙ୍କ ପ୍ରବର୍ତ୍ତନାରେ ପଡ଼ି ମୁଁ ରାମହରିବାବୁଙ୍କର ନିମନ୍ତ୍ରଣ ରକ୍ଷା ନକରି ଯେଉଁ ମାନସିକ ଯନ୍ତ୍ରଣା ଭୋଗ କରୁଛି ସେଥିପାଇଁ ଅନେକାଂଶରେ ମୋର ଦୁର୍ବଳତା ଦାୟୀ-। ତୁମ୍ଭଭଳି ଦୁରାତ୍ମାଗୁଡ଼ାଙ୍କୁ ପାଖରେ ସ୍ଥାନ ଦେବା ଓ ତୁମ୍ଭ କଥାରେ ନିର୍ଭରକରି ଗୋଟାଏ କାର୍ଯ୍ୟ କରିଦେବା ବିପଦ ଛଡ଼ା ଆଉ କିଛି ନୁହେଁ । ଏଥିପାଇଁ ମୋ ପକ୍ଷରେ ପ୍ରାୟଶ୍ଚିତ୍ତ ଆବଶ୍ୟକ-।’’

କଚେରୀରେ ସେତେବେଳେ ଉଭୟପକ୍ଷ ଓ ଦର୍ଶକ ମିଶି ପ୍ରାୟ ଦୁଇଶତ ଲୋକ ଜମା ହୋଇଥିଲେ, ସମସ୍ତେ ରାଜାଙ୍କର ଏପରି ଓଜସ୍ୱିନୀ ଉକ୍ତିରେ ସ୍ତମ୍ଭିତ ହୋଇଗଲେ । ଚାରିଆଡ଼େ ଗୋଟାଏ ନୀରବତା ଘୋଟି ଯାଇଥିଲା । ରାଜା ଆହୁରି ଅଧିକ ରାଗିଯାଇ ପୁଣି କହିଲେ, ‘‘ତୁମେ ସବୁ ଏତେ ଜଘନ୍ୟ ଓ ଏତେ ପଶୁ ବୋଲି ମୁଁ ଆଗରୁ କଳ୍ପନା କରିନଥିଲି । ମୁଁ ଶୁଣୁଛି, ତୁମ୍ଭେମାନେ ପୁଣି ରାମହରିବାବୁଙ୍କୁ ସାମାଜିକଦଣ୍ଡ ଦେବା ସଙ୍ଗେ ସଙ୍ଗେ ଆହୁରି ଗୁରୁତର ପାଶବିକ ଦଣ୍ଡ ଦେବାପାଇଁ ବ୍ୟବସ୍ଥା କରିଥିଲ । ତାଙ୍କ ବରଯାତ୍ରୀମାନଙ୍କୁ ଲାଠିମାଡ଼ରେ ଶୁଆଇଦେଇ ରାତ୍ରରେ ତାଙ୍କର ଗୃହଦାହ କରିବାକୁ ଗୁଣ୍ଡା ବନ୍ଦୋବସ୍ତ କରିଥିଲ । ଆରେ ବୋକା ! ମନୁଷ୍ୟ କେତେ ନୀଚ ହେଲେ ଏପରି କଳ୍ପନା କରିପାରେ ? ଏହାର ପରିଣାମ କ’ଣ ହେବ ଥରେ ଚିନ୍ତା କରିଥିଲ ? ଏହିଭଳି ଲୋକ ଗୁଡ଼ାଏ ହେବେ ସମାଜର ମାଲିକ, ଅଷ୍ଟ ପାଟକର ମୁକ୍ତିଦାତା ? ହାୟରେ ବିଧାତା-! ମୁଁ କି ଦୁର୍ଯୋଗରେ ଏମାନଙ୍କ କଥାରେ ବିଶ୍ୱାସ ସ୍ଥାପନ କରିଥିଲି । ତୁମ୍ଭେମାନେ ରାମହରିବାବୁଙ୍କ ପରି ଉନ୍ନତ ବହୁମାନ୍ୟ ବ୍ୟକ୍ତିଙ୍କୁ ଯେଉଁ ମାନସିକ, ଶାରୀରିକ ଓ ଆର୍ଥିକ ଅଶାନ୍ତିରେ ପକେଇଛ, ତା ପାଇଁ ତୁମ୍ଭଙ୍କୁ ଯଥେଷ୍ଟ ପ୍ରାୟଶ୍ଚିତ୍ତ କରିବାକୁ ହେବ । ପ୍ରଥମେ ତୁମ୍ଭ ଦୋଷପାଇଁ ତାଙ୍କଠାରେ କ୍ଷମା ପ୍ରାର୍ଥନା କର ଏବଂ ତାଙ୍କର ଉପଯୁକ୍ତ କ୍ଷତିପୂରଣ ପାଇଁ ସଚେଷ୍ଟ ହୁଏ । ଏଥିରେ ତ୍ରୁଟି କଲେ ତୁମ୍ଭଙ୍କୁ ଘୋର ଅନୁତାପ ଭୋଗିବାକୁ ହେବ ।’’

ନେତାମାନେ ଘୋର ଲଜ୍ଜା ଓ ଅପମାନରେ ସେତେବେଳକୁ ମୃତ ପ୍ରାୟ ହୋଇଯାଇଥିଲେ । ରାଜାଙ୍କ ପୂର୍ବ ବ୍ୟବହାର ସଙ୍ଗେ ବର୍ତ୍ତମାନ ବ୍ୟବହାରକୁ ତୁଳନା କରି ସେମାନେ ବେଜାଏ ବିସ୍ମିତ ହେଉଥିଲେ । ରାଜାଙ୍କ ଆଡ଼କୁ ବା ସଭାସ୍ଥଳକୁ ମୁହଁ ଟେକି ଚାହିଁବାକୁ ସେମାନଙ୍କର ସାହସ ହେଉ ନଥିଲା । ରାଜା ନିଜ ଦୋଷଗୁଡ଼ିକ କୌଶଳରେ ଝାଡ଼ିଝୁଡ଼ି ଦେଇ ଏମାନଙ୍କ ଉପରକୁ ଯେପରି ଫିଙ୍ଗିଦେଲେ, ସେପରି ତାଙ୍କ ଉପରକୁ ଫିଙ୍ଗି ଦେବାର ସାହସ ବା ଶକ୍ତି ଏମାନଙ୍କର ନଥିଲା । ଯାହାଠାରେ ନୈତିକ ଶକ୍ତିର ଏକାନ୍ତ ଅଭାବ, ସେ କାହୁଁ ଏପରି କରିବାକୁ ସାହସ କରିପାରିବ ? ‘ଯୁଝି ନ ପାରେ ପାଇକ ଆଗେ, ପା’ କାଢ଼ିଥାଏ ମାଇପ ଆଗେ ।’ ଗାଁ ଚଉପାଢ଼ୀରେ ବସିଲା ବେଳେ ଏମାନଙ୍କର ସିନା ବୀରତ୍ୱ ବାହାରେ ! ଏପରି ସଂକଟପୂର୍ଣ୍ଣ ପରୀକ୍ଷାସ୍ଥଳରେ ସେ ବୀରତ୍ୱ ବାହାରିବ କୁଆଡ଼ୁ ? ଫଳରେ ସେମାନେ ଅବଶୋଷରେ ଝଡ଼ିପଡ଼ିଲେ । ରାଜାଙ୍କ କଥାକୁ ସାଙ୍ଗେ ସାଙ୍ଗେ ପାଳନ ନ କଲେ ପୁଣି ପଦେ ପଦେ ବିପଦ । ଏପରି ଘୋର ଆବର୍ତ୍ତରେ ପଡ଼ି ସେମାନେ ବହେ ଧନ୍ଦି ହୋଇଗଲେ । ଆଉ ଅନ୍ୟ ଉପାୟ ନଦେଖି ସମସ୍ତେ ଠିଆହୋଇ ଏକବାକ୍ୟରେ ରାମହରିବାବୁଙ୍କୁ କହିଲେ, ‘‘ମାନନୀୟ ରାମହରିବାବୁ ! ଆମେ ଆପଣଙ୍କ ମନରେ କଷ୍ଟ ଦେଇ ଆପଣଙ୍କର ଯେଉଁ ସମ୍ମାନ ହାନି କରିଛୁ, ସେଥିପାଇଁ ଆପଣ ଉଦାର ଗୁଣରେ ଆମ୍ଭ ପରି ନିର୍ବୋଧ ଲୋକଗୁଡ଼ାଙ୍କୁ କ୍ଷମା ଦିଅନ୍ତୁ । ଆପଣଙ୍କର ଆମ୍ଭେମାନେ ଯେଉଁ କ୍ଷତି କରିଛୁ, ତାହା ପୂରଣ କରିବାକୁ ପ୍ରସ୍ତୁତ ଅଛୁ ।’’

ରାମବାବୁ ଠିଆ ହୋଇ ହସି ହସି କହିଲେ, ‘‘କ୍ଷମା ପ୍ରାର୍ଥନା ପାଇଁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦେଉଛି, ଆପଣମାନଙ୍କର ଏହି ଘଟଣାରୁ ବୋଧହୁଏ ଏହି ଶିକ୍ଷା ହେଲା ଯେ ଗୋଟାଏ କୌଣସି କାର୍ଯ୍ୟରେ ହାତ ଦେବା ଆଗରୁ ତାହାକୁ ଆଗପଛ ବହୁତ ଚିନ୍ତା କରିବା ଉଚିତ । ଟେକାଟିଏ ଫିଙ୍ଗି ଦେଇ ସାବଧାନ ହେଲେ କୌଣସି ଲାଭ ନାହିଁ ବରଂ ତହିଁରେ ଘୋର ବିପଦ । ତାହା ଫିଙ୍ଗିବା ଆଗରୁ ସ୍ଥାନ ଅସ୍ଥାନ ବିଚାର କରୁଥିଲେ କୌଣସି ଅଶାନ୍ତି ଘଟିବାର ସମ୍ଭାବନା ନଥାଏ । ଆଉ କ୍ଷତି ପୂରଣ ପାଇଁ ଯାହା କହିଲେ, ସେଥିପାଇଁ ମଧ୍ୟ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦେଉଛି; ଆପଣମାନେ ସମସ୍ତେ ଆଜି ସନ୍ଧ୍ୟାରେ ମୋ ଘରେ ଯଦି ଭୋଜନ କରିବେ, ତେବେ ମୁଁ ସମସ୍ତ କ୍ଷତିପୂରଣ ପାଇ ପାରିବି ।’’

ବ୍ରାହ୍ମଣମାନେ ଏକ ବାକ୍ୟରେ ତାହା ସ୍ୱୀକାର କଲେ । ତାହା ପରେ ସେହି ମର୍ମରେ ଗୋଟାଏ ରାଜିନାମା ଲେଖାହୋଇ ରାଜାଙ୍କ ନିକଟରେ ତାହା ଦାଖଲ ହେଲା, ଉଭୟ ପକ୍ଷ ମିଳିଗଲେ ।

ରାଜା ନିଜର ପ୍ରାୟଶ୍ଚିତ୍ତ ଓ ରାମହରିବାବୁଙ୍କ କ୍ଷତି ପୂରଣ ପାଇଁ ଏକହଜାର ଟଙ୍କା ଆଣି ତାଙ୍କ ହାତରେ ଦେଇ କହିଲେ, ‘‘ଏମାନଙ୍କ ପ୍ରବର୍ତ୍ତନାରେ ପଡ଼ି ମୁଁ ଆପଣଙ୍କ ପ୍ରତି ଅନ୍ୟାୟ ବ୍ୟବହାର କରିଛି । ସେଥିପାଇଁ ଆପଣ ଦୟାକରି ମୋତେ କ୍ଷମା କରନ୍ତୁ ଏବଂ ଆପଣଙ୍କ କ୍ଷତିପୂରଣ ପାଇଁ ଏହି ଏକହଜାର ଟଙ୍କା ଗ୍ରହଣ କରନ୍ତୁ ।’’ ଏହା କହି ସେ ତାଙ୍କର କରମର୍ଦ୍ଦନ କଲେ ।

ରାମହରିବାବୁ ରାଜାଙ୍କୁ ଧନ୍ୟବାଦ ଦେଇ କହିଲେ–‘‘ଟଙ୍କା ଥୋଡ଼ାଏ ମୋର ହୃତ ସମ୍ମାନର କ୍ଷତିପୂରଣ ହୋଇ ନପାରେ, ମାତ୍ର ଏହା ଗ୍ରହଣ ନ କଲେ ଆପଣଙ୍କ ମନରେ କଷ୍ଟ ହେବ ବୋଲି ମୁଁ ଅନିଚ୍ଛା ସତ୍ତ୍ୱେ ଗ୍ରହଣ କରୁଛି ।’’

ଏହା ପରେ କଚେରୀ ଭାଙ୍ଗିଲା ।

ରାମହରିବାବୁ ସେ ଦିନ ସନ୍ଧ୍ୟାରେ ତାଙ୍କ ଘରେ ରାତ୍ରି ଭୋଜନ କରିବାକୁ ରାଜାଙ୍କୁ ମଧ୍ୟ ନିମନ୍ତ୍ରଣ କରିଥିଲେ । ରାଜା ତାଙ୍କଘରେ ଠିକ୍‌ ସନ୍ଧ୍ୟାରେ ଆସି ଉପସ୍ଥିତ ହେଲେ ଏବଂ ରାଧାପ୍ରସନ୍ନଙ୍କୁ ଗୋଟିଏ ସୁନାର ରିଷ୍ଟଓ୍ୱାଚ୍‌ ଓ ଚାନ୍ଦମଣିଙ୍କି ଡାଏମଣ୍ଡ ବସା ଲକେଟ୍‌ ଥିବା ଗୋଟିଏ ବୃହତ୍‌ ଚେନ୍‌ ଉପହାର ଦେଲେ । ତାରାମଣିଙ୍କ ସଙ୍ଗେ ସେ ଦେଖା ହେବାକୁ ଚାହିଁବାରୁ ମହାପ୍ରସାଦ ଦ୍ରୋହୀ ଲୋକ ସଙ୍ଗେ ଦେଖା କରିବାକୁ ସେ ମଙ୍ଗିଲେ ନାହିଁ । ଏଥିପାଇଁ ରାଜାଙ୍କ ହୃଦୟରେ ବଡ଼ କ୍ଷୋଭ ଜାତ ହେଲା, ହେଲେ, ଆଉ କଥାଟା ତାଙ୍କ ହତାରେ ନ ଥିଲା କିମ୍ବା ତାକୁ ସୁଧାରିବାକୁ କୌଣସି ଉପାୟ ନଥିଲା ।

ବ୍ରାହ୍ମଣମାନେ ମଧ୍ୟ ନିର୍ଦ୍ଦିଷ୍ଟ ସମୟରେ ଆସି ଉପସ୍ଥିତ ହେଲେ । ରାମହରିବାବୁ ଊଣା ଅଧିକେ ଯେଉଁ ଖାଦ୍ୟପେୟର ବ୍ୟବସ୍ଥା କରିଥିଲେ, ତାହା ସେମାନେ ଉପଭୋଗ କରି ସନ୍ତୋଷ ଲାଭ କଲେ । ଏମାନେ ପଛରେ ଯାଇ ଅଇଁଠା ଚାଟିଲେ ବୋଲି ମଫସଲ ଶାସନମାନଙ୍କରେ ଗୋଟାଏ ଖବର ରଟିଲା । ଏମାନେ ତାହା ଶୁଣି ଅତିଶୟ ମର୍ମାହତ ହେଲେ । ମଫସଲ ବ୍ରାହ୍ମଣମାନେ ଟିକିଏ କଳିହା ପ୍ରକୃତିର ଲୋକ । ସେ କଥା ଶୁଣି ଆମର ଲାଭ କ’ଣ ?

ରାମହରିବାବୁ ବିବାହକାର୍ଯ୍ୟ ସଗୌରବେ ଶେଷ କରି ସାମାଜିକ ମାମଲାରୁ ପ୍ରଶଂସାର ସହିତ ଉତ୍ତୀର୍ଣ୍ଣ ହୋଇ ବେଶ ଆନନ୍ଦ ଉପଭୋଗ କଲେ । ବ୍ରାହ୍ମଣମାନେ ରାଜାଙ୍କ କଥାରେ ମାତି ଥୋଡ଼ାଏ ଉଚ୍ଚକୁ ଯାହା ଡେଇଁ ପଡ଼ିଥିଲେ ସେଥିରୁ ଯେଉଁ କଚଡ଼ାଟା ପାଇଲେ, ତାହା ଦିନାକେତେ ତାଙ୍କର ଖୁବ୍‌ ମନେ ରହିଲା । ‘ବିଶ୍ୱାସୋ ନୈବ କର୍ତ୍ତବ୍ୟଃ ସ୍ତ୍ରୀଷୁ ରାଜକୁଳେଷୁ ଚ’—ଏହି ନୀତି ବାକ୍ୟଟା ଏତେ କାଳକେ ସେମାନଙ୍କର ମନରେ ଧଇଲା । ରାଜା ଯଦିଚ ସାମାଜିକ ମାମଲାଟାକୁ ଗୋଟାଏ କୌଶଳରେ ନିଷ୍ପତ୍ତି କରିଦେଲେ, ତଥାପି ପୋଲିସ କେସ୍‌ଟା ତାଙ୍କ ଛାତିକୁ ଧଡ଼ ଧଡ଼ କରୁଥିଲା ।

•••

 

–ସତର–

 

ଅପରେ କିଂ ଭବିଷ୍ୟତି ?

 

ଶାସନର ଯେଉଁ ଗୁଣ୍ଡାଦଳ ଫେରାର୍‌ ହୋଇଥିଲେ ସେମାନଙ୍କୁ ଗ୍ରେପ୍ତାର କରିବାକୁ ଥାନାକୁ ଓ୍ୱାରେଣ୍ଟ ଆସିଥିଲା । ଦାରୋଗା ସେଥିପାଇଁ ଖୁବ୍‌ ଗୋପନୀୟ ଭାବରେ ସେମାନଙ୍କର ଗତିବିଧିକୁ ଅନୁସନ୍ଧାନ କରୁଥିଲେ । ଦିନେ ସେ ଖବର ପାଇଲେ ଯେ ଗୁଣ୍ଡାଦଳ ରାତ୍ରରେ ସେମାନଙ୍କ ଘରେ ଆସି ରହୁଛନ୍ତି ଓ ଭୋରରୁ ଅଦୃଶ୍ୟ ହୋଇଯାଉଛନ୍ତି । ଦିନେ ରାତି ଅଧରେ ସେ ସେମାନଙ୍କ ଘରସବୁ ଘେରାଉ କରି ସେମାନଙ୍କୁ କୌଶଳରେ ଗ୍ରେପ୍ତାର କଲେ ଓ ତହିଁ ଆରଦିନ ସଦର ଥାନାକୁ ପଠେଇଦେଲେ ।

 

ବୈରୀଗଞ୍ଜନ ଦଳକୁ ସଦର ଥାନାରେ ଜେରା କରିବାରେ ଜଣାଯାଇଥିଲା ଯେ ସେମାନେ ମ୍ୟାନେଜରଙ୍କ ଆଦେଶରେ ରାସ୍ତା ବନ୍ଦ କରି ବରଯାତ୍ରୀ ଦଳକୁ ପିଟି ସାବାଡ଼ କରିବାକୁ ସେଠାରେ ଅପେକ୍ଷା କରିଥିଲେ । ସେଥିପାଇଁ ମ୍ୟାନେଜରଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଗ୍ରେପ୍ତାର କରାଯାଇଥିଲା । ଯଥା ସମୟରେ ଏହି କେସ୍‌ କଚେରୀରେ ପେଶ୍‌ହେଲା । ମ୍ୟାନେଜର ନିଜ ପକ୍ଷ ସମର୍ଥନ ପାଇଁ ବଡ଼ ବଡ଼ ଓକିଲମାନଙ୍କୁ ନିଯୁକ୍ତ କରିଥିଲେ । ରାଜା ଧରା ପଡ଼ିଯିବା ଭୟରେ ଏହି ମୋକଦ୍ଦମାରେ କୌଣସି ତତ୍‌ପିର କରିନଥିଲେ । ମୋକଦ୍ଦମା ଶୁଣାଣିବେଳେ ସାକ୍ଷୀ ଜେରା ଜମାନବନ୍ଦୀରେ ରାଜାଙ୍କ ସମ୍ପର୍କ ବହୁ ସୂତ୍ରରେ ପଦାକୁ ବାହାରିଲା । ମାତ୍ର ମ୍ୟାନେଜରଙ୍କ କାର୍ଯ୍ୟକାରିଣୀ ଶକ୍ତି ବଡ଼ ପ୍ରବଳ ଭାବରେ ପ୍ରକାଶ ପାଇଲା । ଓକିଲମାନେ ତାଙ୍କୁ କୌଣସିମତେ ରକ୍ଷା କରି ପାରିଲେ ନାହିଁ । ଶେଷରେ ମ୍ୟାନେଜର ସାହେବଙ୍କୁ ସମ୍ମାନ ଦେଖାଇ ହାକିମ ତିନିବର୍ଷ ମାତ୍ର ଜେଲ ପୁରସ୍କାର ଦେଲେ । ବୈରୀଗଞ୍ଜନ ଦଳ ସାଙ୍ଘାତିକ ଆସାମୀ ଭାବରେ ପାଞ୍ଚବର୍ଷ ଲେଖାଏଁ ସଜା ପାଇଲେ । ମାତ୍ର ଖୋଦ୍‌ ମହାବୀର ବୈରୀଗଞ୍ଜନ ପୂର୍ବ ସଜା ଓ ହାଲ ଗୁରୁତର ଅପରାଧ ହେତୁ ଡବଲ ସଜା ଦଶବର୍ଷ ପାଇଲା ।

 

ଶାସନର ଗୁଣ୍ଡାଦଳଙ୍କ ପୋଲିସ ତଦନ୍ତରେ ଅନେକ କୌତୂହଳଜନକ ଘଟଣା ପ୍ରକାଶ ପାଇଲା । ଶାସନର ଚାରିଜଣ ନେତା ଭୈରବଚରଣ ସଦସ୍ୟ, ସୁଦର୍ଶନ ବାହିନୀପତି, ଅନନ୍ତ ରଥ ଓ ବ୍ରଜବନ୍ଧୁ ମହାପାତ୍ର ସେମାନଙ୍କୁ ମତାମତ କରି ଗୁଣ୍ଡା ସଜାଇ ବରଯାତ୍ରୀମାନଙ୍କୁ ଠେଙ୍ଗା ସହି ଓ ରାମହରିଙ୍କ ଘର ପୋଡ଼ି ଦେବା ପାଇଁ ବରଗି ଥିଲେ । ଏଥିପାଇଁ ସେମାନେ ଗୁଣ୍ଡାମାନଙ୍କୁ ପାଞ୍ଚଟଙ୍କା ଲେଖାଁଏ ମିଠେଇଖିଆ ମଧ୍ୟ ଦେଇଥିଲେ । ସେମାନଙ୍କୁ ତାଲିମ କରିବା ପାଇଁ ବହୁବାର ସେ ନେତାମାନେ ଗୋପନୀୟ ଭାବରେ ବୈଠକ କରିଥିଲେ ଏବଂ ଗୁଣ୍ଡାମାନେ ତାଲିମ ବେଳେ ସାମାନ୍ୟ ତ୍ରୁଟି କଲେ ସେମାନଙ୍କୁ ଗାଳିମନ୍ଦ ମଧ୍ୟ କରୁଥିଲେ । ଏ ଖବର ପ୍ରକାଶ ପାଇଯିବାରୁ ଚାରି ନେତାଙ୍କ ନାମରେ ଓ୍ୱାରେଣ୍ଟ ବାହାରି ପଡ଼ିଲା ।

 

ଗୁଣ୍ଡାମାନେ ଗ୍ରେପ୍ତାର ହୋଇଯିବାରେ ନେତାମାନେ କାକୁସ୍ଥ ହୋଇ ଯାଇଥିଲେ । ବଜ୍ର ଅଲକ୍ଷରେ ଆସି କେତେବେଳେ ସେମାନଙ୍କ ଉପରେ ପଡ଼ିଯିବ ବୋଲି ସେମାନଙ୍କର ଘୋର ଆଶଙ୍କା ହେଉଥିଲା । ସେମାନେ ରାଜାଙ୍କ ସଙ୍ଗେ ପରାମର୍ଶ ପାଇଁ ଗଲେ । ମାତ୍ର ରାଜଦର୍ଶନ ମିଳିଲା ନାହିଁ । ସୂର୍ଯ୍ୟ ଥାଉ ଥାଉ ଜଗତଟା ଏମାନଙ୍କୁ ଅନ୍ଧକାର ଦେଖାଗଲା । ଗୁପ୍ତଭାବରେ ନାନା ଆଲୋଚନା କରି ସେମାନେ ରକ୍ଷାର କୌଣସି ଉପାୟ ପାଇଲେନାହିଁ । ରାଜାଙ୍କ ଉଦାସୀନତା ସେମାନଙ୍କୁ ଗୁରୁତର ଅଡ଼ୁଆରେ ପକାଇଲା । ମାମଲା ନିଷ୍ପତ୍ତି ଦିନର ଘଟଣାବଳୀ ସ୍ମରଣ କରି ରାଜାଙ୍କ ପ୍ରତି ସେମାନଙ୍କର ଗୋଟାଏ ବିରକ୍ତି ଜାତ ହୋଇଥିଲା । ତାଙ୍କର ଏପରି ଉଦାସୀନତାରେ ସେ ବିରକ୍ତି ଶତଗୁଣ ବୃଦ୍ଧି ପାଇଲା । ସେମାନେ ଧରା ହେଲେ ରାଜାଙ୍କୁ ନିଶ୍ଚୟ ଖାପଚାରେ ପକେଇବେ ବୋଲି ସ୍ଥିର କଲେ । ତା’ ସତ୍ତ୍ୱେ ଏମାନେ ଯେ ବିପଦରେ ପଡ଼ିବେ ଏ କଥା ଜଣାଶୁଣା-। କ’ଣ କରିବେ କିଛି ବୁଦ୍ଧି ଆଉ ତାଙ୍କୁ ଦିଶିଲା ନାହିଁ । କାହୁଁ ଚିନ୍ତାଜ୍ୱର ମାଡ଼ିଆସିଲା । ସେମାନେ କତରା ଘୋଡ଼ି ହୋଇ ଶୋଇପଡ଼ିଲେ । ମାତ୍ର ଯମ ଦେବତାଙ୍କୁ ତାହା ଅମାଲୁମ ପଡ଼ିଲା ନାହିଁ । ସେ ଦାରୋଗାଙ୍କ ପୋଲିସ ବେଶ ପିନ୍ଧି ସେମାନଙ୍କୁ ଆସି ଗ୍ରେପ୍ତାର କଲେ ଏବଂ ସଙ୍ଗୀନ ପହରା ଦେଇ କଟକକୁ ଭେଜି ଦେଲେ ।

 

ମୋକଦ୍ଦମା ବିଚାର ହେଲା । ସେମାନେ ତହିଁରେ ରାଜାଙ୍କୁ ଜଡ଼ିତ କରି ଆତ୍ମପକ୍ଷ ସମର୍ଥନ କରିବାକୁ ଚେଷ୍ଟା କଲେ । ମାତ୍ର ରାଜା ସାମାଜିକ ଦଣ୍ଡ ଛଡ଼ା ଆଉ କିଛି ବ୍ୟବସ୍ଥା ରାମହରିଙ୍କ ବିରୁଦ୍ଧରେ କରିଥିବା କଥା କୌଣସି ମତେ ପ୍ରମାଣିତ ହୋଇ ପାରିଲା ନାହିଁ; କିନ୍ତୁ ମ୍ୟାନେଜର ତହିଁରେ ଜଡ଼ିତ ଥିବାର ନାନା ପ୍ରମାଣ ମିଳିଲା । ତେଣୁ ବିଚାର ଶେଷରେ ମ୍ୟାନେଜର ଆଉ ୨ ବର୍ଷ ସଜା ପାଇଲେ । ଗୁଣ୍ଡାଦଳଙ୍କୁ ପ୍ରତ୍ୟେକ ଏକବର୍ଷ ଲେଖାଁଏ ସଜା ହେଲା । ମାତ୍ର ଚାରି ନେତାଙ୍କ ମଧ୍ୟରେ ସଦସ୍ୟେ ଓ ବାହିନୀପତି ବେଶି ଅଗ୍ରଣୀ ଥିବାରୁ ଅଢ଼େଇ ବର୍ଷ ଲେଖାଁଏ ଏବଂ ରଥେ ଓ ମହାପାତ୍ରେ ଦେଢ଼ବର୍ଷ ଲେଖାଁଏ ଶ୍ରୀମନ୍ଦିର ସେବା କରିବାକୁ ଅନୁମତି ପାଇଲେ ।

 

ରାଜାଙ୍କ ବିରୁଦ୍ଧରେ କୌଣସି ସାକ୍ଷାତ ପ୍ରମାଣ ନମିଳିଲେ ମଧ୍ୟ ସେ ଅତ୍ୟାଚାରମୂଳକ ସମସ୍ତ କାର୍ଯ୍ୟରେ ଜଡ଼ିତ ଥିବାର, ବୈରୀଗଞ୍ଜନ ଦଳଙ୍କୁ ପୋଷି ସେମାନଙ୍କ ଦ୍ୱାରା ପ୍ରଜାମାନଙ୍କର ଯାବତ ଅନିଷ୍ଟ କରୁଥିବାର ଏବଂ ଜମିଦାରୀର ସମସ୍ତ ଅର୍ଥ ଶୋଷଣ କରି ବିଳାସ ବ୍ୟସନରେ ସବୁ ଅଜାଡ଼ି ଦେଉଥିବାର ରିପୋର୍ଟ ନାନା ଘଟଣାରେ ଯାଇ ସରକାରଙ୍କ ଦପ୍ତରରେ ଜମା ହେଉଥିଲା । ପୋଲିସ ସାହେବ ଓ ଆଇ.ଜି.ଙ୍କର ସବଳ ଚାପା ଏବଂ ହାକିମମାନଙ୍କର କଡ଼ା ମନ୍ତବ୍ୟ ପାଇ କିଲଟର ସାହେବ ସେ ଫାଇଲ ବାହାର କଲେ ଏବଂ ନାନାରଙ୍ଗରେ ରଞ୍ଜିତ କରି ଗୋଟିଏ ରିପୋର୍ଟ ସିଧା ସଳଖ ସରକାରଙ୍କ ଦରବାରକୁ ପଠେଇଦେଲେ । ସରକାରରେ ତାହା ଦିନାକେତେ ଆଲୋଚିତ ହୋଇ ଶେଷରେ ହୁକୁମ ବାହାରିଲା ଯେ କିଆକଣ୍ଟା ଜମିଦାରୀ ଅବିଳମ୍ବେ ଓ୍ୱାର୍ଡଙ୍କ ଅଧୀନରେ ରଖାଯାଉ ଏବଂ କିଲଟର ତାହାର ଚଳାଚଳ ଭାର ବହନ କରନ୍ତୁ ।

 

କିଲଟର ସାହେବ ଅବିଳମ୍ବେ କିଆକଣ୍ଟାକୁ ଆସି ରାଜାଙ୍କୁ ସରକାରୀ ହୁକୁମ ଶୁଣାଇ ଦେଲେ ଏବଂ ସେ ମାସିକ ଦୁଇଶତ ଟଙ୍କା ଖୋରାକ ପାଇ କଟକରେ ରହିବେ ବୋଲି ତାଙ୍କୁ ହୁକୁମ ଦେଲେ । ତା’ ପରେ ସେ କଚେରୀରେ ବସି କାର୍‌ ପଠେଇ ରାମହରିବାବୁଙ୍କୁ ଡକାଇ ଆଣିଲେ ଏବଂ କିଆକଣ୍ଟା ଜମିଦାରୀର ସମସ୍ତ ଦାୟିତ୍ୱ ବହନ କରି ତାକୁ ସୁଚାରୁରୂପେ ଚଳାଇବାକୁ ତାଙ୍କୁ ଅନୁରୋଧ କଲେ । ରାମହରିବାବୁ କଲେକ୍ଟରଙ୍କ କଥା ଭାଙ୍ଗି ନପାରି ସଙ୍ଗେ ସଙ୍ଗେ ସମସ୍ତ ଭାର ବହନ କଲେ । ସାହେବ ରାଜାଙ୍କୁ ସଙ୍ଗରେ ଧରି କଟକ ରମାନା ହେଲେ ।

Image